Monday, August 30, 2021

ଜୀବନସାଥୀ (ଭାଗ 51)

                               ମୁହୂର୍ତ୍ତକ ଭିତରେ ସବୁ ଆନନ୍ଦ ଉଲ୍ଲାସ କୁଆଡେ ଉଭେଇ ଗଲା |ନିର୍ମଳା ବାହୁନି ବାହୁନି କାନ୍ଦି ଚାଲିଥିଲେ |ତାଙ୍କ ସହିତ ଅନ୍ୟମାନେ ମଧ୍ୟ କାନ୍ଦୁଥିଲେ |କେହି କାହାରିକୁ ବୁଝାଇବା ଅବସ୍ଥାରେ ନଥିଲେ |ଧୀରେ ଧୀରେ ଆଖପାଖ ଅଞ୍ଚଳରେ ଏକଥା ପ୍ରଚାରିତ ହୋଇ ଯିବାରୁ ସେମାନଙ୍କ ଘର ଆଗରେ ଗହଳି ଜମିବାକୁ ଲାଗିଲା |ହୃଷୀକେଶ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ |ସେ ହୁ କିନା ଉଠି ବାଇକ ନେଇ ଚାଲିଗଲେ |ଏହି ସମୟରେ ନିଉଜ 36ର ବ୍ରେକିଂ ନ୍ୟୁଜ  ରେ ବାରମ୍ବାର ଅଙ୍କିତର ଅପହରଣ ଖବର ପ୍ରସାରିତ ହେଉଥିଲା |"ସୌମ୍ୟା ମର୍ଡର କେଶରେ କ୍ଲିନଚିଟ ମିଳିଥିବା ଅଙ୍କିତ ଆଜି ଦିନ ଦ୍ୱିପହରରେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଅପହୃତ "| "ପୋଲିସର ଚରମ ବିଫଳତା "|"ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଏହି ଘଟଣା ଘଟିବା ପୋଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ବୋଲି କୁହାଯାଇପାରେ |ଦେଖନ୍ତୁ ଘରେ କିପରି କାନ୍ଦ ବୋବାଳି ପଡିଛି,ସମସ୍ତେ ଶୋକାତୁର |ଆଜି ଅଙ୍କିତ ବରବେଶ ସାଜି ବାହାହେବାକୁ ଯାଇଥାଆନ୍ତେ,କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ଏହି ଘଟଣା ଘଟିବା ଯୋଗୁଁ, ଏହି ଅପହରଣ ମୂଳରେ କେହି ଜଣାଶୁଣା ଶତ୍ରୁର ହାତ ଥିବା ସନ୍ଦେହ କରାଯାଉଛି |ଏଥର ଆସନ୍ତୁ,କେଶ ର ଅଗ୍ରଗତି ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରି ବୁଝିବା  |ଆଜ୍ଞା ଆପଣ ଦୟାକରି କହିବେ କି,ଆପଣଙ୍କ ଥାନା ଠାରୁ ଅଳ୍ପ କେଇ ମିଟର ଦୂରରେ ଏହି ଘଟଣା ଘଟିଥିବା ସତ୍ତ୍ୱେ,ଆପଣ କିପରି ତାର  ସୁରାକ ପାଇ ପାରିଲେ ନାହିଁ ??ନାଁ ,ସେ କୌଣସି ମନ୍ତବ୍ୟ ଦେବେନାହିଁ ବୋଲି ମନା  କରିଦେଲେ | "

                  ଚାହୁଁ ଚାହୁଁ  ସନ୍ଧ୍ୟା ସାତଟା ବାଜିଗଲା |ନନା ଦେଇଥିବା ଶୁଭମୁହୂର୍ତ୍ତ କ୍ରମେ ଗଡିଯିବାକୁ ବସିଥିଲା |ଏହି ସମୟରେ  କୋଳାହଳ ଶୁଭାଗଲା |ପୋଲିସ ଗାଡି ଏସ୍କର୍ଟରେ ହୃଷୀକେଶ ଅଙ୍କିତକୁ ନେଇ ପହଞ୍ଚିଲେ |ଦୁହିଁଙ୍କ ମୁହଁ ଶୁଖି କଳାକାଠ ପଡିଯାଇଥିଲା |ହୃଷୀକେଶ ପାଟି କରି କହିଲେ,କିଏ କୋଉଠି ଅଛ,ଶଙ୍ଖ ବଜାଅ,ହୁଳହୁଳି ପକାଅ,ପୁଅ ମୋର ଆସିଗଲା |ଏକଥା କହିବାବେଳେ ତାଙ୍କ ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |ନିର୍ମଳା କାନ୍ଦୁଥିବା ଅବସ୍ଥାରେ ଦୌଡ଼ି ଆସି ଅଙ୍କିତକୁ କୁଣ୍ଢେଇ ପକାଇ ଭିତରକୁ ନେଇଗଲେ |ହୃଷୀକେଶ ସେମିତି କାନ୍ଦୁ କାନ୍ଦୁ କହିଲେ,ଆଉ ଡେରି କର ନାହିଁ,ବିବାହ ଲଗ୍ନ ଗଡି ଯାଉଛି,ଶୀଘ୍ର ମୋ ପୁଅକୁ ସଜେଇ ଦିଅ,ଆଉ ଡରିବାର ନାହିଁ,ପ୍ରସେସନରେ ଆମ ସାଙ୍ଗରେ ପୋଲିସ ଯିବେ |ତାଙ୍କ କଥା ଶୁଣି ଚାରିଆଡେ ଆନନ୍ଦ ଲହରୀ ଖେଳିଗଲା |ବାଜା ବାଜିଲା,ବାଣ ଫୁଟିଲା |ନନ୍ଦିନୀ ଅଙ୍କିତକୁ ବରବେଶରେ ସଜେଇବାକୁ ଲାଗିଲା |ଯେଉଁମାନେ ବରଯାତ୍ରୀରେ ଯିବାର କଥା ଥିଲା,ସେମାନେ ମଧ୍ୟ ତର ତର ହୋଇ ପ୍ରସ୍ତୁତିରେ ଲାଗି ପଡିଲେ | 

                 ହୃଷୀକେଶ କିଛି କହିବା ପୂର୍ବରୁ,ନ୍ୟୁଜ 36 ରେ ବ୍ରେକିଙ୍ଗ ନ୍ୟୁଜ ଆସିଗଲା |"ଅପହରଣ କରିବା ପରେ ସେମାନେ ଅଙ୍କିତଙ୍କ ହାତ ଗୋଡ଼ ବାନ୍ଧି ଏକ ଭଙ୍ଗା,ପରିତ୍ୟକ୍ତ ଘରେ ପକାଇ ଦେଇଥିଲେ | ପରେ ତାଙ୍କୁ ରାଜ୍ୟ ବାହାରକୁ ନେଇ,ହତ୍ୟା କରିବାର ଯୋଜନା ଥିଲା ବୋଲି ଧରା ପଡିଥିବା ଅପରାଧୀ ସ୍ୱୀକାର କରିଛନ୍ତି |କିନ୍ତୁ ପୋଲିସର ଦକ୍ଷ ଗୋଟିଚାଳନା ଯୋଗୁଁ ସେମାନଙ୍କର ସମସ୍ତ ଯୋଜନା ଫସର ଫାଟିଗଲା |ଏହି ଜଘନ୍ୟ କାଣ୍ଡ ପଛରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିବାର ଅନୁମାନ କରାଯାଉଛି |ଖୁବଶୀଘ୍ର ଏହାର ପର୍ଦ୍ଦାଫାଶ ହେବ,ନ୍ୟୁଜ 36 ରେ |""ଫ୍ରେଶ ନ୍ୟୁଜ ପାଇଁ ସବୁବେଳେ ଦେଖନ୍ତୁ,ନ୍ୟୁଜ 36 |"

              ଏପଟେ ତାଙ୍କର ସମସ୍ତ ଯୋଜନାକୁ ପୋଲିସ ଅକାମୀ କରିଦେଇଥିବାରୁ,ସୁବ୍ରତ ଘରର ସବୁ ଆଲୋକ ଲିଭାଇ ନୀରବ ନିଶ୍ଚଳ ହୋଇ ଚେୟାରରେ ଗୋଡ଼ ଝୁଲାଇ ବସି ଭାବି ଚାଲିଥିଲେ |ଶୁଭ୍ରା ଓ ସିଦ୍ଧାର୍ଥ ସେମାନଙ୍କ ରୁମରେ ଶୋଇଥିଲେ |ସେ ଜାଣିଥିଲେ,ଯେ କୌଣସି ମୁହୂର୍ତ୍ତରେ ପୋଲିସ ଖୋଜି ଖୋଜି ଆସି ତାଙ୍କ ପାଖରେ ପହଞ୍ଚିଯିବେ  |ତେଣୁ ସେ ପଳାୟନର ବୃଥା ଚେଷ୍ଟା କରୁନଥିଲେ |ହଠାତ ଧଡ଼ କରି ଝରକା ଖୋଲିଗଲା ଓ ସୁଉ ସୁଉ ଶବ୍ଦ କରି ଘର ଭିତରକୁ ଦଲକାଏ ପବନ ପଶି ଆସିଲା | ତାଙ୍କୁ ଲାଗିଲା,ପିଙ୍କି ସେଦିନର ସେଇ ଡ୍ରେସ ପିନ୍ଧି ତାଙ୍କ ଆଗରେ ଛିଡା ହୋଇ କହୁଛି,"ପୋଲିସ ସିନା ତୋ ପାପକୁ ଲୁଚାଇ ଦେଲା,କିନ୍ତୁ ଦେଖ,ମୁଁ କେମିତି ପ୍ରତିଶୋଧ ନେଲି |ଜୀବନ ସାରା ତତେ  ତୋ ପାପର ପ୍ରାୟଶ୍ଚିତ୍ତ କରିବାକୁ ପଡିବ   |"ତାପରେ ଆଖି ପିଛୁଳାକେ ସେ ଛାୟାମୁର୍ତ୍ତି କୁଆଡେ ଉଭେଇ ଗଲା |ସୁବ୍ରତ ପ୍ରକୃତିସ୍ଥ ହେବା ବେଳକୁ ଘନ ଘନ କଲିଂ ବେଲର ଆବାଜ ଶୁଭିଲା |ସେ ଅନୁମାନ କଲେ,ବୋଧହୁଏ ପୋଲିସ ଆସି ଯାଇଛି |ସେ କବାଟ ଖୋଲିବା ପାଇଁ ଆଗେଇ ଗଲେ |(କ୍ରମଶଃ)  

No comments:

Post a Comment