Wednesday, August 11, 2021

ଜୀବନସାଥୀ (ଭାଗ 33)

                  ସୁବ୍ରତଙ୍କ ରାଗ ଦେଖି କିଛିଦିନପାଇଁ ରିସେପ୍ସନ ପାର୍ଟି ସ୍ଥଗିତ ରଖିବାପାଇଁ ଶୁଭ୍ରା ସିଦ୍ଧାର୍ଥକୁ ବୁଝାଇଦେଲେ |ସିଦ୍ଧାର୍ଥ ବି ବୁଝିଗଲା |ସବୁଦିନ ଅଫିସ ଛୁଟି ପରେ ସିଦ୍ଧାର୍ଥ ସୌମ୍ୟାକୁ ସାଙ୍ଗରେ ନେଇ ଘରେ ପହଞ୍ଚିବାବେଳକୁ ରୋଜି ସଜବାଜ ହୋଇ ବସିଥାଏ |ସିଦ୍ଧାର୍ଥ ଚଟାପଟ ତା ପୋଷାକ ବଦଳେଇ ରୋଜି ସାଙ୍ଗରେ ବୁଲିବାକୁ ବାହାରି ଯାଏ |ଦୁହେଁ ବୁଲାବୁଲି ସାରି,ବାହାରେ ଡିନର ଖାଇ ଘରେ ପହଞ୍ଚିବା ବେଳକୁ ରାତି ଦଶଟା ହୋଇ ଯାଇଥାଏ  |ରବିବାର ଓ ଅନ୍ୟ ଛୁଟିଦିନର କଥା ନିଆରା |ସେଦିନ ଉଭୟଙ୍କ ବାହାରେ ଲଞ୍ଚ ଓ ଡିନର ଖାଇବାଟା ନିଶ୍ଚିତ ଥିଲା  |ଏସବୁ ଦେଖି ସୌମ୍ୟା ଦୁଇଜଣଙ୍କ ଉପରେ ରାଗି, ମନେ ମନେ କୁହୁଳୁ ଥିଲା  |

                କିଛିଦିନ ପରେ ସୌମ୍ୟାର ଜନ୍ମଦିନ ପଡିଲା  |ସେଦିନ ସମସ୍ତେ ଛୁଟି ନେଇ ଜନ୍ମଦିନ ପାଳନ କରିବାକୁ ସୌମ୍ୟାର ଇଛା ଥିଲା |କିନ୍ତୁ ସୁବ୍ରତ ତାକୁ ବୁଝାଇ ଦେଇ କହିଲେ,ନୂଆ ନୂଆ ଚାକିରୀରେ ଯୋଗଦେଇ ଛୁଟି ନେବାଟା ଭଲ ହେବନି |ତେଣୁ ସର୍ବସମ୍ମତିକ୍ରମେ ଏହା ସ୍ଥିର ହେଲା ଯେ,ସମସ୍ତେ ଅଫିସରୁ ଫେରିବାପରେ ବାର୍ଥ ଡେ ପାର୍ଟି ହେବ |ସୁବ୍ରତ ବିରିୟାନୀ ଆଣିବେ ଓ ସିଦ୍ଧାର୍ଥ କେକ ଆଣିବ |

            ସେଦିନ ବିରିୟାନୀ ନେଇ ସୁବ୍ରତ ଶୀଘ୍ର ଘରକୁ ଆସିଗଲେ |ସିଦ୍ଧାର୍ଥ ଜନ୍ମଦିନ କେକ ଆଣିବା ବେଳକୁ ରୋଜି ପାଇଁ କିଛି ଉପହାର ନେଇ ଯିବାକୁ ତାର ଇଛା ହେଲା |ତେଣୁ ସେ ରୋଜି ପାଇଁ ଏକ ସୁନ୍ଦର ଡ୍ରେସ କିଣିଲା |ଏସବୁ ନେଇ ଘରେ ପହଞ୍ଚିବା  ବେଳକୁ ରାତି ନଅଟା ହୋଇ ଯାଇଥିଲା |ସେ ସୌମ୍ୟା ହାତକୁ କେକ ବଢ଼ାଇ କହିଲା,ଦେଖ ଅପା,ତୋପାଇଁ କେତେ ବଢିଆ କେକ ଆଣିଛି |କିନ୍ତୁ ସୌମ୍ୟାର ନଜର ସିଦ୍ଧାର୍ଥର ଅନ୍ୟ ହାତରେ ଥିବା ପ୍ୟାକେଟ ଉପରେ ଥିଲା |ସେ ସିଦ୍ଧାର୍ଥକୁ କହିଲା,ସେ ପ୍ୟାକେଟରେ କଣ ଆଣିଛୁ,ମତେ ଆଗ ଦେଖା,ତାପରେ ମୁଁ କେକ ନେବି |ସିଦ୍ଧାର୍ଥ ବିରକ୍ତ ହୋଇ ଟେବଲ ଉପରେ କେକ ରଖିଦେଇ କହିଲା,ସେଇଟା ମୁଁ ରୋଜି ପାଇଁ ଆଣିଛି |

          ସୌମ୍ୟା କହିଲା,ଆଜି ମୋର ଜନ୍ମଦିନ,ମୋ ପାଇଁ ଗିଫ୍ଟ ନ ଆଣି ତାପାଇଁ କାହିଁକି ଆଣିଲୁ ?ସିଦ୍ଧାର୍ଥ କହିଲା,ତୁ କଣ ବୁଢ଼ୀ ହେବାଯାଏଁ ଗିଫ୍ଟ ନେଉଥିବୁ ନାଁ କଣ ?ଯାଆ,ଡାଡି ତୋ ପାଇଁ ଯେଉଁ ନୂଆ ଡ୍ରେସ ଆଣିଛନ୍ତି ତାକୁ ପିନ୍ଧିକରି ଆସ,କେକ କାଟିବା |'ବୁଢ଼ୀ' ଶବ୍ଦଟି ଶୁଣି ସୌମ୍ୟାକୁ ବହୁତ ବାଧିଲା |ସେ ରାଗିଯାଇ ସିଦ୍ଧାର୍ଥ ହାତରୁ ପ୍ୟାକେଟ ଛଡ଼ାଇବାକୁ ଚେଷ୍ଟାକଲା |କିନ୍ତୁ ସଫଳ ହୋଇ ନପାରି ସେ ତାର ହାତକୁ ଜୋରରେ କାମୁଡି ଦେଲା |ସିଦ୍ଧାର୍ଥ ଯନ୍ତ୍ରଣାରେ ଚିତ୍କାର କରି ସୌମ୍ୟାକୁ ଗୋଟେ ଜୋର ଧକ୍କା ମାରିଲା |ସୌମ୍ୟା ପଛୁଆ ଛିଟିକିଗଲା ଓ ତାର ମୁଣ୍ଡ ଜୋରରେ କାନ୍ଥରେ ବାଡେଇ ହୋଇଗଲା |ସେମାନଙ୍କ ପାଟି ଶୁଣି ସୁବ୍ରତ ଓ ଶୁଭ୍ରା ସେଠାକୁ ଦୌଡ଼ି ଆସିଲେ |ସେମାନେ ଦେଖିଲେ,ସୌମ୍ୟା ଧୀରେ ଧୀରେ କାନ୍ଥରୁ ଖସି, ଭୁଷ କରି ତଳେ ପଡିଗଲା |ସୁବ୍ରତ ତାକୁ ତାଙ୍କ କୋଳକୁ ନେଇ ଅନେକ ଡାକିଲେ |ସୌମ୍ୟା କିନ୍ତୁ ତାଙ୍କ ଡାକ ଶୁଣି ପାରୁନଥିଲା ;ସବୁଦିନ ପାଇଁ ତାର ଜୀବନପ୍ରଦୀପ ଲିଭି ଯାଇଥିଲା |

             ସୁବ୍ରତ ତାର ଜଡ଼ ଶରୀରକୁ ଦୁଇ ହାତରେ ଟେକି ନେଇ ବିଛଣା ଉପରେ ଶୁଆଇ ଦେଲେ |ତାପରେ ଫୋନ କାଢି ଥାନା ଇନଚାର୍ଜଙ୍କୁ ଫୋନ ଲଗାଇବା ବେଳକୁ ଶୁଭ୍ରା ତାଙ୍କ ହାତରୁ ଫୋନ ଛଡାଇନେଇ କହିଲେ,କଣ କରୁଛ ?ସୁବ୍ରତ ଶାନ୍ତ ଗଳାରେ କହିଲେ,ଏଇଟା ମର୍ଡର କେଶ ,ପୋଲିସକୁ ଇନଫର୍ମ କରିବାକୁ ପଡିବ |ତା ପୂର୍ବରୁ ୟାକୁ ନେଇ ହସ୍ପିଟାଲ ଯିବାକୁ ପଡିବ |

        ଶୁଭ୍ରା କହିଲେ,ତମର ମୁଣ୍ଡ ଖରାପ ହୋଇଯାଇଛି |ପୁଅକୁ ଫାଶୀ ଖୁଣ୍ଟରେ ଝୁଲାଇବ ନାଁ କଣ ?ସୁବ୍ରତ କିଛି ଉତ୍ତର  ନଦେଇ,ଟଳି ଟଳି ନିଜ ରୁମକୁ ଚାଲିଗଲେ |ଏଇ ମୌକାରେ ସିଦ୍ଧାର୍ଥ ସଙ୍ଗେ ସଙ୍ଗେ ତାର ଯୋଜନା ପ୍ରସ୍ତୁତ କଲା |ସେ ଗୋଟିଏ ବଡ଼ ଅଖା ଆଣି,ସୌମ୍ୟାର ଶରୀରକୁ ତା ଭିତରେ ଭର୍ତ୍ତି କରି ଭଲରେ ପ୍ୟାକ କଲା ଓ ତାକୁ ବହୁତ କଷ୍ଟରେ ଘୋଷାଡ଼ି ଘୋଷାଡ଼ି ନେଇ କାର ପଛ ସିଟରେ ରଖିଲା | ତାପରେ ତାକୁ ଅନେକ ଦୂରରେ,ଏକ ନିଛାଟିଆ ସ୍ଥାନ ଦେଖି ଫିଙ୍ଗିଦେଇ ଆସିଲା |ଏ ସବୁ କାମ ସାରି ଘରେ ପହଞ୍ଚିବା ବେଳକୁ ରାତି ଦୁଇଟା ହୋଇ ଯାଇଥିଲା  |(କ୍ରମଶଃ)

            

No comments:

Post a Comment