Thursday, August 5, 2021

ଜୀବନସାଥୀ( ଭାଗ 27)

                  ନିର୍ମଳାଙ୍କ ଠାରୁ ହୃଷୀକେଶ ସବୁ କଥା ଜାଣିବା ପରେ,କାଳବିଳମ୍ବ ନକରି ସୁବ୍ରତଙ୍କୁ ଫୋନ କରି କହିଲେ,ସମୁଦୀ ଗୋଟିଏ ଅଘଟଣ ଘଟି ଯାଇଛି,ଶୀଘ୍ର ଆସନ୍ତୁ  |ସୁବ୍ରତ ସୌମ୍ୟା ଉପରେ କିଛି ବିପଦର ଆଶଙ୍କା କରି ସାଙ୍ଗେ ସାଙ୍ଗେ ଚାଲି ଆସିଲେ |କିନ୍ତୁ ସେଠାକୁ ଆସି ଘଟଣା ସମ୍ପର୍କରେ ଜାଣି ତାଙ୍କ ମୁହଁ ଶୁଖିଗଲା |ସେ କହିଲେ,ହଉ ଯାହା ହେଲା,ସେଥିପାଇଁ ଝିଅକୁ କ୍ଷମା କରି ଦିଅନ୍ତୁ |ଜାଣି ବୁଝି ସେ କିଛି କରିନି |ହୃଷୀକେଶ  କହିଲେ,ବହୁତ ହୋଇଗଲା ସମୁଦୀ,ଏଥର ଆପଣଙ୍କ ଧନକୁ ଆପଣ ଆପଣଙ୍କ ଘରକୁ ନେଇଯାଆନ୍ତୁ | ଭୟ ଓ ଆଶଙ୍କାରେ ଆମେ ସବୁଦିନ ରହିପାରିବୁ ନାହିଁ |ମୋର ଲୋଭ ଓ ଉଚ୍ଚାକାଂକ୍ଷା ମୋ ପାଇଁ ଏମିତି କାଳ ହେବ ବୋଲି ମୁଁ କେବେହେଲେ ଭାବି ନଥିଲି | ମୁଁ ଆପଣଙ୍କୁ ବର୍ଷେ ସମୟ ଦେଲି ,ତା ଭିତରେ ଝିଅକୁ  ସମ୍ପୂର୍ଣ୍ଣ ସୁସ୍ଥ କରାଇ,ସେ ସ୍ଥାୟୀ ଭାବରେ ସୁସ୍ଥ ହେବାର ଡାକ୍ତରୀ ପ୍ରମାଣପତ୍ର ଦେଲେ,ମୁଁ ତାକୁ ଖୁସିରେ ଗ୍ରହଣ କରିବି |ନଚେତ,ବାଧ୍ୟ ହୋଇ ମତେ ଅନ୍ୟ ପନ୍ଥା ଦେଖିବାକୁ ପଡିବ  |

                 ଏତେବେଳଯାଏଁ ତାଙ୍କ କଥା ନୀରବରେ ବସି ଶୁଣୁଥିବା ସୁବ୍ରତ ଉତ୍କ୍ଷିପ୍ତ ହୋଇ କହିଲେ,ଅନ୍ୟ ପନ୍ଥା ମାନେ ?ଛାଡପତ୍ର ତ ?ସେ ସୁଯୋଗ ମୁଁ ଆପଣଙ୍କୁ କଦାପି ଦେବିନି |ମତେ ଆପଣ ଚିହ୍ନି ନାହାନ୍ତି |ମୁଁ ଯେତିକି ଭଲ,ସେତିକି ଖରାପ |ମୋ ଝିଅର ଖାଲି ଏଇ ଗୋଟିଏ ଖୁଣ ଥିଲା ବୋଲି ମୁଁ ଆପଣଙ୍କ ଆଗରେ ସରେଣ୍ଡର କଲି |ନହେଲେ,ଚାକିରୀ ନଥିବା ବେକାରିଆ ପିଲାଟାକୁ ମୁଁ କାହିଁକି ମୋର ଜ୍ୱାଇଁ କରିଥାନ୍ତି ?ମତେ କଣ ଜ୍ୱାଇଁ ଅଭାବ ଥିଲେ ?ହଉ ଠିକ ଅଛି,ମୁଁ ମୋ ଝିଅକୁ ନେଇ ଯାଉଛି,କିନ୍ତୁ ଏହାର ପରିଣାମ ଭଲ ହେବ ନାହିଁ |ସେଥିପାଇଁ ଭବିଷ୍ୟତରେ  ଆପଣ ମତେ ଦୋଷ ଦେବେନାହିଁ |ହୃଷୀକେଶ କହିଲେ,କଣ ଆଉ ଭଲ ଟା ବାକି ଅଛି ଯେ ହବ ?ନିଜ ହାତରେ ମୁଁ ମୋ ପୁଅର  ଜୀବନ ନଷ୍ଟ କରିଦେଲି |ମୋ ଭଳି ପାପୀ କୁ ଯେତେ ଦଣ୍ଡ ମିଳିଲେ ବି କମ ହେବ |ଆପଣଙ୍କର ଯାହା ଇଛା ତାହା କରନ୍ତୁ,ମୁଁ ହାତ ଟେକି ଦେଇଛି  |ସବୁଦିନ ତିଳ ତିଳ ହୋଇ ମରିଯିବା ଅପେକ୍ଷା,ଦିନେ ଭଲକରି ମରିଯିବା ଶତଗୁଣେ ଶ୍ରେୟସ୍କର |

               କ୍ରୋଧ ଜର୍ଜରିତ ହୋଇ ସୁବ୍ରତ ସେହି ଘର ପିନ୍ଧା ପୋଷାକରେ ସୌମ୍ୟାକୁ ନେଇ ଚାଲିଗଲେ |ସେମାନେ  ଯିବା ପରେ,ହୃଷୀକେଶଙ୍କ ଅନ୍ତରରୁ କୋହ ଉଠିଲା |ସେ ନିଜକୁ ଆଉ ରୋକି ନପାରି କାନ୍ଦି ଉଠିଲେ  |ନିର୍ମଳା ବ୍ୟସ୍ତ ହୋଇ ତାଙ୍କ ପାଖକୁ ଆସି  ପିଠିରେ ହାତ ରଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ,ମନଦୁଃଖ କରନା  |ଯାହା ତ ହେବାର ହେଲାଣି,ଏଣିକି ଯାହା ବିପଦ ଆସିବ,ତାକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡିବ |ହୃଷୀକେଶ ନିର୍ମଳାଙ୍କ ହାତ ତାଙ୍କ ପିଠିରୁ କାଢି କହିଲେ,ତମେ ଯାଅ,ମତେ ଏକୁଟିଆ ରହିବାକୁ ଦିଅ |

      ସେଦିନ ହୃଷୀକେଶ ଅଫିସ ଗଲେନାହିଁ |ଦିନସାରା ବିଛଣାରେ ଶୋଇ ରହି,ସେ ଅନେକ କଥା ଭାବି ଯାଉଥିଲେ |ସେ ଜାଣିଥିଲେ,ଏହାପରେ ସୁବ୍ରତ ନୀରବରେ ବସିବେ ନାହିଁ |କିନ୍ତୁ ତାଙ୍କୁ ଆଉ ଭୟ ଲାଗୁ ନଥିଲା |ମନେ ମନେ ସେ ଭାବିଲେ,ସେ କଣ କରିବେ କରନ୍ତୁ;ମୁଁ ବି ଦେଖିବି,ସେ କେତେ ଦୂର ଯାଉଛନ୍ତି !!

           ତା ପରଦିନ ସେ ଦୁଇଟି ଆଟାଚିରେ ସୌମ୍ୟାର  ସମସ୍ତ ଲୁଗାପଟା ଭର୍ତ୍ତି କରି ସୁବ୍ରତଙ୍କ  ଘରେ ଦେଇ ଆସିଲେ  |ସୁବ୍ରତଙ୍କ ସ୍ତ୍ରୀ ଶୁଭ୍ରା ତାଙ୍କୁ ବସିବାକୁ କହୁଥିଲେ,କିନ୍ତୁ ସେ ପରେ ଆସିବି କହି ଚାଲି ଆସିଲେ |

            ଦୁଇଦିନ ପରେ ନିର୍ମଳା ନନ୍ଦିନୀକୁ ଫୋନ କରି ସବୁକଥା କହିଲେ |ନନ୍ଦିନୀ କହିଲା,ତା ମାନେ ନିର୍ବନ୍ଧ ବେଳେ ସେମାନେ ଯାହା କଥା ହେଉଥିଲେ,ତାହା ସବୁ ସତ ଥିଲା !!ନିର୍ମଳା କହିଲେ,ହଁ ଲୋ ,ପୂରା ସତ ଥିଲା |ମୁଁ ଚଣ୍ଡାଳୁଣୀ ସେତେବେଳେ ହେଲେ ତୋ କଥା କାନକୁ ନେଇ ଥାଆନ୍ତି !ମୋର ତ ଭୋଗିବାର ଅଛି,ନ ଭୋଗି ଯାଆନ୍ତି କୁଆଡେ ? ମୋର ଦୁର୍ଭାଗ୍ୟ ମତେ ବାଟ କଢ଼େଇ ନେଲା !!

              ନନ୍ଦିନୀ କହିଲା,ଏବେ ମନଦୁଃଖ କରିବାର ସମୟ ନୁହେଁ ଅପା ,ଜଗିରଖି ହୁସିଆରରେ ଚଳିବାର ସମୟ |ଅକି କୁ କହିବୁ,ତାର ଆଖି,କାନ,ନାକ,ସବୁବେଳେ  ସଜାଗ କରି ରଖିଥିବ |କାରଣ ସମୁଦୀ ତୋର ଏଇନା ଘାଇଲା ବାଘ ପରି ହେଉଥିବ !କିଏ ଜାଣେ,କେତେବେଳେ କଣ କରି ପକେଇବ !!(କ୍ରମଶଃ)

               

              

No comments:

Post a Comment