Friday, August 27, 2021

ଜୀବନସାଥୀ (ଭାଗ 49)

                           ସୁବ୍ରତଙ୍କର ଧୃବ ନାମରେ ଏକ ବିଶ୍ଵାସୀ ଲୋକଙ୍କ ସହିତ ବନ୍ଧୁତା ଥିଲା,ଯିଏ କି ତାଙ୍କୁ ସବୁ ପ୍ରକାର ଗୁପ୍ତ ଖବର ଦେଉଥିଲା ଓ ସେଥିପାଇଁ ମୋଟା ଅଙ୍କର ପାରିଶ୍ରମିକ ନେଉଥିଲା | ପୁଅ ନିର୍ବନ୍ଧ କରିବାକୁ ହୃଷିକେଶ ବାରିପଦା ଯାଇଛନ୍ତି ବୋଲି ସେ ହିଁ ତାଙ୍କୁ ଖବର ଦେଇଥିଲା |ନିଜର ସବୁ କିଛି ହରାଇ ସାରିଥିବା ସୁବ୍ରତଙ୍କୁ ଏ ଖବର ଭଲ ନ ଲାଗିବା  ସ୍ୱାଭାବିକ ଥିଲା |ତେଣୁ ସେ ସକାଳ ହେଉ ହେଉ ହୃଷୀକେଶଙ୍କୁ ଯୌତୁକ ସାମଗ୍ରୀ ଫେରାଇବା କଥା କହିଥିଲେ |ତାଙ୍କ କଥାରେ ହୃଷୀକେଶ ଏତେ ସହଜରେ ରାଜି ହୋଇଯିବେ ବୋଲି ସେ କିନ୍ତୁ ଆଶା କରି ନଥିଲେ |ସୁଧାକରଙ୍କ ଝିଅ ଲିପି ସହିତ ଅଙ୍କିତର ନିର୍ବନ୍ଧ ହେଉଥିବା ଖବର ଧୃବ ଠାରୁ ଶୁଣି ସେ ଈର୍ଷାରେ ଗୋଟାପଣେ ଜଳି ଯାଉଥିଲେ |

                       ଯୋଜନା ମୁତାବକ ଧୃବ ସୋମବାର ଦିନ ଲିପି ପାଇଁ ୟୁ.ଏସ.ଏ.ରେ ଚାକିରୀ କରୁଥିବା ଏକ ଆଇ .ଟି.ପିଲା ସହିତ ବିବାହ ପ୍ରସ୍ତାବ ନେଇ ସୁଧାକରଙ୍କ ଘରକୁ ଗଲା |କିନ୍ତୁ ସୁଧାକର ତାଙ୍କୁ ନିର୍ବନ୍ଧ ସରିଛି,ଆଉ କିଛି ହୋଇ ପାରିବନି କହି,ସଫା ସଫା ମନା କରିଦେବାରୁ ସେ ସେଠାରୁ ନିରାଶ ହୋଇ ଫେରି ସୁବ୍ରତଙ୍କୁ ଏକଥା ଜଣାଇ ଦେଲା |ସୁବ୍ରତଙ୍କ ଦୁଷ୍ଟବୁଦ୍ଧି କିନ୍ତୁ ହାର ମାନିବାକୁ ପ୍ରସ୍ତୁତ ନଥିଲା |

                      ଏଣେ ସୁଧାକର ଓ ହୃଷୀକେଶଙ୍କ ଦୁଇ ପରିବାର ଏକାଠି ହୋଇ ବାହାଘର ପାଇଁ ପୋଷାକ ଓ ଅନ୍ୟାନ୍ୟ ଜିନିଷ କିଣିବାରେ ବ୍ୟସ୍ତ ଥିଲେ  |ତା ଭିତରେ ନନ୍ଦିନୀର ପାଟ ଶାଢ଼ୀ ଅନ୍ୟତମ ଥିଲା |ନିର୍ମଳା ନିଜେ ସେ ଦାୟିତ୍ତ୍ୱ ନେଇ ନନ୍ଦିନୀ ପସନ୍ଦରେ ଶାଢ଼ୀ କିଣିବା ପରେ ଯାଇଁ ତାଙ୍କ ମନ ଶାନ୍ତି  ହେଲା |ସେଦିନ ରାତି ଅଧିକ ହୋଇଯିବାରୁ ସମସ୍ତେ ବାହାରେ ଖାଇ ଘରକୁ ଫେରିଲେ |ଅଙ୍କିତର ପ୍ରସ୍ତାବ ଅନୁଯାୟୀ ବୁଧବାର ଦିନ ଲିପି ଓ ପ୍ରାଚୀ  ବସରେ ନଯାଇ ସୁବଳ ଟାକ୍ସିରେ ନନ୍ଦିନୀ ଓ ସମରଙ୍କ ସହିତ ଯିବେ ବୋଲି ସ୍ଥିର ହୋଇଥିଲା |  |ତେଣୁ ତାଙ୍କ ହାତରେ ମଙ୍ଗଳବାର ଗୋଟିଏ ଦିନ ଥିଲା |ସବୁଦିନ ବାହାରେ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଥିବାରୁ ସମସ୍ତେ କଥା ହୋଇ ବେଳାବେଳି ଭାତ ଖାଇ ମଙ୍ଗଳବାର ଦିନ ସପିଂ ପାଇଁ ବାହାରି ପଡିଲେ |ସନ୍ଧ୍ୟା ସୁଦ୍ଧା ବରକନ୍ୟାଙ୍କ ଜିନିଷ କିଣା ସମ୍ପୂର୍ଣ୍ଣ ହୋଇଗଲା |ଏଥର ସମସ୍ତେ ଜୁସ ପିଇ ଗପସପ ଆରମ୍ଭ କରିଦେଲେ |ଇତିମଧ୍ୟରେ କେହିଜଣେ ଯେ ସେମାନଙ୍କୁ ନିରବିଛିନ୍ନ ଭାବେ ଅନୁସରଣ କରି ସେମାନଙ୍କର ପ୍ରତିଟି ଗତିବିଧିକୁ ଲକ୍ଷ୍ୟ କରୁଛି, ସେକଥା ସେମାନେ ଜାଣି ପାରିନଥିଲେ |ବୁଧବାର ଦିନ ଲିପି ଫେରି ଯାଉଥିବାରୁ ଅଙ୍କିତର କଥା ଶେଷ ହେଉନଥିଲା |ସେ ଖାଲି ଗପି ଚାଲିଥିଲା |ଫେରିଲାବେଳେ ନିର୍ମଳାଙ୍କ ଚିହ୍ନା ଟେଲରକୁ ବ୍ଲାଉଜ ତିଆରି କରିବା ଓ ଶାଢୀରେ ପିକୋ, ଫଲ ଲଗାଇବାକୁ ଦେଇ ସେମାନେ ଯିଏ ଯାହା ଘରକୁ ଗଲେ |

               ତାପରଦିନ ଲଞ୍ଚ ଖାଇବାପରେ,ନନ୍ଦିନୀର ପରିବାର ସହିତ ଲିପି ଓ ପ୍ରାଚୀ  ବାରିପଦା ଚାଲିଗଲେ |ରାତିରେ ସେଠାରେ ପହଞ୍ଚିବା ପରେ ଯେତେବେଳେ ଲିପି ଓ ନନ୍ଦିନୀ ଭଲରେ ପହଞ୍ଚିଛନ୍ତି ବୋଲି ଫୋନ କଲେ ,ନିର୍ମଳା ଶାନ୍ତିର ନିଶ୍ଵାସ ନେଇ ଈଶ୍ୱରଙ୍କୁ ପ୍ରଣାମ ଜଣାଇଲେ |

                 ସେଦିନ  ରାତିରେ ଖାଇସାରିବା ପରେ ହୃଷୀକେଶ ନିର୍ମଳାଙ୍କୁ ସୁବ୍ରତ କହିଥିବା କଥା କହିଲେ |ନିର୍ମଳା କହିଲେ,ଆମର ତ ତାଙ୍କ ଜିନିଷ ଆଜି ନହେଲେ କାଲି,ଫେରେଇବାର କଥା ଥିଲା |ସେମାନେ ତାଙ୍କ ତରଫରୁ କହିଦେଲେ ଭଲ ହେଲା |କାଲି ମୁଭର୍ସ ଆଣ୍ଡ ପ୍ୟାକର୍ସକୁ ଡାକି ତାଙ୍କର ଯେତେ ଜିନିଷ ଦେଇଥିଲେ,ସବୁ ପ୍ୟାକ କରି ଶୁକ୍ରବାର ଦିନ ଦେଇଦେବା |ତମେ ଯିବାବେଳେ ମନେକରି ଚେକ ସାଙ୍ଗରେ ନେଇଯିବ |ପଛରେ ଯେମିତି ସେ ପଦଟିଏ କହିବାର ସୁଯୋଗ ପାଇବେ ନାହିଁ | 

                ତାହାହିଁ ହେଲା |ଶୁକ୍ରବାରଦିନ ସକାଳେ ଯେତେବେଳେ ହୃଷିକେଶ ସୁନା ଗହଣା ,ଲୁଗାପଟା ଓ ଏ.ସି.ଆଦି ସବୁ ଜିନିଷ ନେଇ ସୁବ୍ରତଙ୍କ ଘରେ ପହଞ୍ଚିଲେ ,ସେ ଆଶ୍ଚର୍ଯ୍ୟ ହୋଇଗଲେ |ସେ କିଛି କହିବା ପୂର୍ବରୁ ହୃଷୀକେଶ ତାଙ୍କ ହାତକୁ ଜିନିଷର ଲିଷ୍ଟ ଓ ପାଞ୍ଚଲକ୍ଷ ଟଙ୍କାର ଚେକ ବଢ଼ାଇ ଦେଇ କହିଲେ,ଟିକିଏ ଭଲକରି ଦେଖିଦେବେ |ଆଉ ଯଦି କିଛି ଜିନିଷ ଭୁଲରେ ରହିଯାଇଥିବ ମତେ ଦୟାକରି କହିବେ |ସେ ତାପରେ ନମସ୍କାର କରି ଚାଲି ଆସିଲେ |ତାଙ୍କ ଯିବା ବାଟକୁ ଅନାଇ ସୁବ୍ରତ ଦାନ୍ତ କଡ଼ମଡ଼ କରି ମନେ ମନେ କହୁଥିଲେ,ହଉରେ ବାପା  ଯାଆ,ଫାଶୀ ଖୁଣ୍ଟରେ ପଛକେ ଝୁଲିବି, ତୁ କେମିତି ପୁଅ ବାହାଘର କରିବୁ,ମୁଁ ଦେଖିବି !!!(କ୍ରମଶଃ)

                  

No comments:

Post a Comment