Saturday, August 7, 2021

ଜୀବନସାଥୀ (ଭାଗ 29)

                       ସୁବ୍ରତ ଏକ ଫଳ ଦୋକାନରୁ ସବୁ ପ୍ରକାର ଫଳ କିଣିଲେ ଓ ତାର କିଛି ଦୂରରେ ଥିବା ମିଠା ଦୋକାନରୁ ରସଗୋଲା,ଛେନାପୋଡ଼ ଓ ଛେନାଗଜା କିଣି ତାକୁ ଦୁଇଟି  ବ୍ୟାଗରେ ଭର୍ତ୍ତି କରି ଖୁସି ମନରେ ହୃଷୀକେଶଙ୍କ ଘର ଅଭିମୁଖେ ଚାଲିଲେ |ଗେଟ ସାମ୍ନାରେ କାର ରଖି,ଡ୍ରାଇଭର ଗେଟ ଖୋଲିବାକୁ ଗଲା |କିନ୍ତୁ ଗେଟରେ ଚାବି  ପଡିଥିଲା |ସେ ଗେଟ ବାହାରେ ଲାଗିଥିବା କଲିଂ ବେଲ  ବାରମ୍ବାର ଚିପିବାରୁ ଅଧଘଣ୍ଟା ପରେ କବାଟ ଖୋଲି ନିର୍ମଳା ଆସିଲେ |ତାଙ୍କୁ ଦେଖି ସୁବ୍ରତ ଗାଡ଼ିରୁ ଓହ୍ଲାଇ କହିଲେ,ସମୁଦୁଣୀ ନମସ୍କାର |ଆପଣଙ୍କୁ ଗୋଟିଏ ଖୁସି ଖବର ଦେବାକୁ ଆସିଛି |ଗେଟ ଖୋଲନ୍ତୁ,କଥା ହେବା |ନିର୍ମଳା କହିଲେ,ମୁଁ ଏବେ ଟିକେ ବ୍ୟସ୍ତ ଅଛି,ଆପଣ ପରେ ଆସନ୍ତୁ |

                  ତାଙ୍କ କଥା ଶୁଣି ସୁବ୍ରତ ମନେ ମନେ ବିରକ୍ତ ହେଲେ ବି,ମୁହଁରେ ହସ ଫୁଟେଇ କହିଲେ,ଆପଣଙ୍କ ବୋହୂ ସରକାରୀ ଚାକିରୀ ପାଇଛି |ସେଥିପାଇଁ ଆପଣଙ୍କ ପାଟି ମିଠା କରିବାକୁ ଆସିଥିଲି |ଗେଟ ଖୋଲନ୍ତୁ,ମତେ କଣ ଏମିତି ବାହାରେ ଛିଡା କରେଇଥିବେ ନାଁ କଣ ??ନିର୍ମଳା କହିଲେ,ବହୁତ ଭଲ ଖୁସି ଖବର ଦେଲେ |ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ,ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ |ହେଲେ ଆପଣ ଆଜିପର୍ଯ୍ୟନ୍ତ ଆମକୁ ଏତେ ଖାଇବାକୁ ଦେଇଛନ୍ତି ଯେ,ଅଧିକ ଖାଇବାକୁ ଆମ ଆଉ ପେଟରେ ଜାଗା ନାହିଁ |ମୁଁ ଦୁଃଖିତ, ଆପଣଙ୍କ ମିଠା ରଖିପାରିବି ନାହିଁ |ଏହା କହି ସେ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲେ |

                ଏହି ଅପମାନ ସୁବ୍ରତଙ୍କୁ ବହୁତ ବାଧିଲା |ସେ ଫେରି ଆସୁଥିବାବେଳେ ଦେଖିଲେ,ସିଦ୍ଧାର୍ଥ ତାର ବାଇକ ପଛରେ ଗୋଟିଏ ଝିଅକୁ ବସେଇ କୁଆଡେ ଯାଉଛି |ଭଲକରି ନିରେଖି ଦେଖିଲେ,ସେ ପୂର୍ବରୁ ଯେଉଁ ଝିଅ ସାଙ୍ଗେ ଯିବା ଆସିବା କରୁଥିଲା,ସେଇ ଝିଅ ସେ ନୁହେଁ,ଇଏ ଆଉଜଣେ ଝିଅ |ମନେ ମନେ ଭାବିଲେ,ୟାର କେତେଜଣ ଝିଅଙ୍କ ସାଙ୍ଗେ ସମ୍ପର୍କ ଅଛି କେଜାଣି !ଘରର ମୁରବି ଅଧିକାଂଶ ସମୟ ଘରେ ଅନୁପସ୍ଥିତ  ରହିଲେ,ଘରର ଯେଉଁ ଅବସ୍ଥା ହୁଏ,ଆମ ଘରର  ସେହି ଅବସ୍ଥା ହେଲାଣି |ସେ ଅଫିସକୁ ନଯାଇ ମିଠା ଓ ଫଳ ଘରେ ରଖିବାକୁ,ଘରକୁ ଫେରି ଆସିଲେ |

                ଗେଟ ବାହାରେ ସିଦ୍ଧାର୍ଥର ବାଇକ ଥିଲା |ସେ ଭିତରକୁ ଯାଇ ଦେଖିଲେ,ସିଦ୍ଧାର୍ଥ,ତାର ବାନ୍ଧବୀ ଓ ଶୁଭ୍ରା ଖୁସିରେ ଗଳ୍ପ କରୁଛନ୍ତି |ଅଚାନକ ସୁବ୍ରତଙ୍କୁ ଦେଖି ସିଦ୍ଧାର୍ଥ ସାଙ୍ଗେ ସାଙ୍ଗେ ତାର ବାନ୍ଧବୀକୁ ନେଇ ସେଠାରୁ ଚାଲିଗଲା |ସୁବ୍ରତ ଶୁଭ୍ରାଙ୍କୁ ପଚାରିଲେ,ଇଏ  କଣ ଚାଲିଛି ?ଶୁଭ୍ରା ହସି ହସି କହିଲେ,ଝିଅଟି ତମର ପସନ୍ଦ ହେଲା ?ବହୁତ ସୁନ୍ଦର ନାଁ ?ମୋ ମନକୁ ତ ବହୁତ ପାଇଛି,ୟାକୁଇ ଆମେ ବୋହୂ କରିବା |

                  ସୁବ୍ରତ କହିଲେ,ସିଏ ତ ତାର ଡ୍ରେସ ବଦଳେଇବା ପରି ତାର  ଗାର୍ଲ ଫ୍ରେଣ୍ଡ ବଦଳାଉଛି,କାହାକୁ ତମେ ବୋହୂ କରିବ ???ମତେ ତ ସନ୍ଦେହ ହେଲାଣି,ତାର ବାହାଘର ଦିନ ଦଶ ବାରଟା ଝିଅ ଆସି ଆମେ ତାର ସ୍ତ୍ରୀ ବୋଲି ଦାବି କରିବେ !!(କ୍ରମଶଃ)

No comments:

Post a Comment