Wednesday, August 11, 2021

ଜୀବନସାଥୀ (ଭାଗ 34)

                        ପାଖାପାଖି ରାତି ତିନିଟାରେ ହୃଷୀକେଶଙ୍କ ମୋବାଇଲ ଘନ ଘନ ରିଂ ହେବାକୁ ଲାଗିଲା |ହୃଷୀକେଶ ଦେଖିଲେ,ଏକ ଅଜଣା ଲାଣ୍ଡଲାଇନ ନମ୍ବରରୁ କଲ ଆସିଛି |କିଏ ସେ ଟଙ୍କା ଲୁଟିଲା ଵାଲା ଫ୍ରଡ ହୋଇଥିବ ଭାବି ସେ ତାକୁ କାଟିଦେଲେ |କିନ୍ତୁ ସେ ଯେତେଥର କାଟୁଥିଲେ ,ସେତେଥର ପୁନର୍ବାର ରିଂ ହେଉଥିଲା |ପାଖରେ ଶୋଇଥିବା ନିର୍ମଳା ବିରକ୍ତ ହୋଇ କହିଲେ,ଥରେ ପଚାରି ଦେଖ କିଏ କହୁଛନ୍ତି,ସ୍ପାମ ହୋଇଥିଲେ,ବ୍ଲକ କରିଦେବ |ହୃଷୀକେଶ ହ୍ୟାଲୋ କହିବା କ୍ଷଣି ଅପରପଟୁ ସୁବ୍ରତ ଚିଲ୍ଲେଇ କରି କହିଲେ,ମୋ ଝିଅକୁ ମାରି ଆରାମରେ ଶୋଇଛୁ ?କୋଉଠି ତାକୁ ମାରି ପକେଇଛୁ କହ,ହାରାମଜାଦା,ତୋ ବଉଁଶ ନିପାତ କରିଦେବି |ମୋ ଫୋନ ନମ୍ବରକୁ ବ୍ଲକ କରି,ଭାବିଛୁ ଖସି ଯିବୁ ନାଁ ?ଏଇଥର ତତେ ନିସ୍ତାର ନାହିଁ |

               କିଛି ଅଘଟଣ ଘଟି ଯାଇଛି ବୋଲି ହୃଷୀକେଶ ଜାଣିପାରିଲେ |ସେ କହିଲେ,ସମୁଦୀ କଣ ହୋଇଛି କୁହନ୍ତୁ,ରାଗୁଛନ୍ତି କାହିଁକି ?ସୁବ୍ରତ କିନ୍ତୁ ଥଣ୍ଡା ହେଉ ନଥିଲେ |କହିଲେ,ଡାକ ତୋର ସେ ଚୁପ ସୈତାନ ପୁଅକୁ |କାଲି ମୋ ଝିଅର ଜନ୍ମଦିନ ଥିଲା |ତାକୁ ବୁଲେଇ ଆଣି ଘଣ୍ଟାଏ ପରେ ଛାଡିବ ବୋଲି କହି,ନେଇକରି ଗଲା ଯେ ,ଏପର୍ଯ୍ୟନ୍ତ ତାର ଦେଖା ନାହିଁ |ସମସ୍ତେ ଫୋନ ବ୍ଲକ କରି ବସିଛ ?ପୁଅ କେକ ଆଣିଥିଲା,ମୁଁ ବିରିୟାନୀ ଆଣିଥିଲି,ସବୁ ସେମିତି ଥୁଆ ହୋଇଛି|ଆମେ କେହି ଖାଇନୁ |ତୋ ପୁଅକୁ କହ,ଏଇ ସାଙ୍ଗେ ସାଙ୍ଗେ ଝିଅକୁ ଆଣି ମୋ ଘରେ ଛାଡ଼ିଦେଇ ଯିବ |ନହେଲେ,ମୋଠାରୁ ଖରାପ କେହି ହେବେନି କହିଦଉଛି |ଆଉ ଉତ୍ତରକୁ ଅପେକ୍ଷା ନକରି,ସୁବ୍ରତ ଫୋନ କଚାଡି ରଖିଦେଲେ |

               ହୃଷୀକେଶଙ୍କ ହାତରୁ ମୋବାଇଲ ଖସି ପଡିଲା |ଭୟରେ ତାଙ୍କର ଛାତି ଥରୁଥିଲା |ତାଙ୍କ ଅସ୍ୱାଭାବିକ ଅଙ୍ଗଭଙ୍ଗୀ ଦେଖି,ନିର୍ମଳା ବିଛଣାରୁ ଉଠି ବସିଲେ |ପଚାରିଲେ,କଣ ହୋଇଛି ?ହୃଷୀକେଶ ତାଙ୍କ ପ୍ରଶ୍ନର ଉତ୍ତର ନଦେଇ ତାଙ୍କୁ ପଚାରିଲେ,ଅକି କାଲି ଘରକୁ କେତେବେଳେ ଫେରିଲା ?ନିର୍ମଳା କହିଲେ,ସବୁଦିନ ଯେତିକିବେଳେ ଫେରେ,ସନ୍ଧ୍ୟା ସାତଟାରେ |

:ତାପରେ ଆଉ କୁଆଡେ ଯାଇଥିଲା କି ?ହୃଷୀକେଶ ପୁଣି ପଚାରିଲେ |

:ନାଁ ତ |ନିର୍ମଳା ଏତିକି କହି କହିଲେ,କଣ ହୋଇଛି କୁହ |ହୃଷୀକେଶ କହିଲେ,ତମେ ଭଲକରି ମନେ ପକାଅ ,କାଳେ କୁଆଡେ ଯାଇଥିବ !ନିର୍ମଳା କହିଲେ,ମୁଁ ଭଲକରି ଜାଣିଛି,ସେ ଆଉ କୁଆଡେ ଯାଇନି |ହୃଷୀକେଶ କହିଲେ,ଆଉ ସମୁଦୀ କଣ ଏମିତି କହିଲେ ?ନିର୍ମଳା ଉତ୍କଣ୍ଠିତ ହୋଇ ପଚାରିଲେ,କଣ କହିଲେ ମତେ କହୁନ କାହିଁକି ?

        ହୃଷୀକେଶ କହିଲେ,କାଲି ସୌମ୍ୟାର ଜନ୍ମଦିନ ଥିଲା |ଆମ ଅକି କାଳେ ତାଙ୍କ ଘରକୁ ଯାଇ ସୌମ୍ୟାକୁ  ବୁଲାଇ ଆଣିବାକୁ କହି ସାଙ୍ଗରେ ନେଇଗଲା |ତାପରେ ସେ ତାକୁ ଆଉ ଘରେ ଛାଡ଼ିନି |ତାକୁ ଅପେକ୍ଷା କରି ସେମାନେ ଏପର୍ଯ୍ୟନ୍ତ ଖାଇନାହାନ୍ତି | ନିର୍ମଳା ଅବାକ ହୋଇ କହିଲେ,ଅକି ତାଙ୍କ ଘରକୁ ଗଲା,ତାଙ୍କ ଝିଅକୁ ବୁଲେଇବାକୁ କହି ଆଣିଲା ....ତମେ ଏକଥା ବିଶ୍ୱାସ କରି ପାରୁଛ ?

         "ସବୁ ନାଟକ ମାମା"|ପଛପଟୁ ଅଙ୍କିତର ସ୍ୱର ଶୁଣି ଦୁହେଁ ପଛକୁ ଚାହିଁଲେ |ଅଙ୍କିତ କହିଲା,ସେମାନେ ବହୁତ ଦିନ ହେଲା ନାଟକ କରି ନାହାନ୍ତି,ଏବେ ଅଧ ରାତିରେ ମନ ପଡିବରୁ ନାଟକ ଆରମ୍ଭ କରିଦେଲେ |ତାପରେ ସେ ହୃଷୀକେଶଙ୍କୁ କହିଲା,ସନ୍ଧ୍ୟାରେ ଘରକୁ ଫେରିବା  ପରେ ମୁଁ ଆଉ କୁଆଡେ ଯାଇନି ବାବା |କିଛି ହେବନି,ତମେ ଶୋଇପଡ,ସକାଳେ ଉଠିବ |

            ଅଙ୍କିତର କଥା କିନ୍ତୁ ହୃଷୀକେଶଙ୍କୁ ସାନ୍ତ୍ୱନା ଦେଇ ପାରୁନଥିଲା |ସେ ସୁବ୍ରତଙ୍କ ଭଲଭାବେ ଜାଣିଥିଲେ |ସୁବ୍ରତଙ୍କର  ଏପରି ରାତି ଅଧରେ ଫୋନ କରିବା ଓ ଅଶାଳୀନ ଭାଷା ବ୍ୟବହାର କରିବାକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ |ସେ ଆଉ ଶୋଇଲେ ନାହିଁ |ଚା' ତିଆରି କରିବା ପାଇଁ ରୋଷେଇଘରକୁ ଗଲେ |ଅଦା,ତୁଳସୀପତ୍ର ଛେଚି କେଟଲରେ ପାଣି ଢ଼ାଳିବା ବେଳକୁ ନିର୍ମଳା ସେଠାକୁ ଆସି କହିଲେ,ଉଠ ମୁଁ ଚା' କରିବି |ହୃଷୀକେଶ କହିଲେ,ତମେ କାହିଁକି ଆସିଲ ?,ମୁଁ ତ ଚା' କରିଥାନ୍ତି !ନିର୍ମଳା କିଛି ଉତ୍ତର ନଦେଇ ଚା' ତିଆରି କରିବାରେ ଲାଗି ପଡିଲେ  |

              ନଅଟାବେଳେ ହୃଷୀକେଶ  ଅଫିସ ଯିବା ପାଇଁ ପ୍ରସ୍ତୁତ ହୋଇ ବାହାରିବା ବେଳକୁ ଏକ ପୋଲିସ ଗାଡି ଆସି ତାଙ୍କ ଗେଟ ପାଖରେ ଅଟକିଗଲା | ତା ଭିତରୁ ଅର୍ଦ୍ଧ ଡଜନ ପୋଲିସ ଖପାଖପ ଡେଇଁ ତାଙ୍କ ଘର ଭିତରକୁ ବୀର ଦର୍ପରେ ପ୍ରବେଶ କରି, ଅଙ୍କିତକୁ ଖୋଜିଲେ |ଅଙ୍କିତ ଆସିବାକ୍ଷଣି ସେମାନେ ତାକୁ ଟେକିଲା ପରି ନେଇ,ଗାଡ଼ିରେ ବସାଇ ଯେମିତି ଆସିଥିଲେ,ସେମିତି ଚାଲିଗଲେ |

         ସେତେବେଳେ ହୃଷୀକେଶ ଜାଣିଲେ,ସୌମ୍ୟାକୁ ହତ୍ୟା କରାଯାଇଛି ଓ  ପରିବାର ଲୋକଙ୍କ ଅଭିଯୋଗକ୍ରମେ ତଥା ଅନ୍ୟାନ୍ୟ ପାରିପାର୍ଶ୍ଵିକ ପରିସ୍ଥିତିକୁ ଦୃଷ୍ଟିରେ ରଖି,ଅଙ୍କିତକୁ ଗିରଫ କରାଯାଇଛି |(କ୍ରମଶଃ)


               

No comments:

Post a Comment