Sunday, August 15, 2021

ଜୀବନସାଥୀ (ଭାଗ 37)

                         ନିର୍ମଳାଙ୍କ  ଘନ ଘନ ଶଙ୍ଖନାଦ ଓ ଘଣ୍ଟି ଶବ୍ଦ ଶୁଣି ହୃଷୀକେଶ ତାଙ୍କ ପାଖକୁ ଯାଇ କହିଲେ,ତମେ କଣ ପୂଜା କଲଣି ?ନିର୍ମଳା ଅଟକି ଯାଇ କହିଲେ,କାହିଁକି କଣ ହେଲା ?ହୃଷୀକେଶ କହିଲେ,ଆମର ଅଣଶୁଦ୍ଧି ହୋଇଛି,ତମର ମନେନାହିଁ |ନିର୍ମଳା ଦଣ୍ଡେ ନୀରବ ରହି, ଜିଭ କାମୁଡି ପକାଇ କହିଲେ,ମୁଁ ପାପିନୀ କଣ କଲି??ଠାକୁରଙ୍କୁ ମାରା କଲି!!ସେଥିରେ ପୁଣି ଖିଚିଡି ରାନ୍ଧିଛି !!ହାଏରେ କପାଳ !!ଆଉ କିଛିଦିନ ପରେ ମୁଁ ବି ପାଗଳ ହୋଇଯିବି !

                  ହୃଷୀକେଶ କହିଲେ,ସେମିତି ହୁଏ |ମାତ୍ରାଧିକ  ମାନସିକ ଚାପ ଭିତରେ ମଣିଷ ବେଳେବେଳେ ନିଜର ସତ୍ତା ହରାଇ ବସେ  |ନିର୍ମଳା ଦୁଇ କାନ ମୋଡ଼ି ଚାପୁଡ଼ା ଖାଇ ଠାକୁରଙ୍କୁ କ୍ଷମା ମାଗିଲେ ଓ ପୂଜା ବନ୍ଦ କରି ଆସି ହୃଷୀକେଶଙ୍କ ପାଖରେ ବସିଲେ |ହୃଷୀକେଶ କହିଲେ,ପୋଷ୍ଟମର୍ଟମ ପରେ ସେମାନେ ଆମକୁ ବଡି ଦେବେ କି ନାହିଁ,ସେଇଟା ତାଙ୍କ ଉପରେ ନିର୍ଭର କରେ |ଯଦି ଦିଅନ୍ତି,ଭଲକଥା |ନହେଲେ, ନନାଙ୍କୁ ପଚାରି ଯାହା କରିବା କଥା,କରିବା |

                ପରଦିନ ଅଙ୍କିତ ଖଲାସ ହୋଇ ଆସି ଘରେ ପହଞ୍ଚିଲା |ଆନନ୍ଦ ବିଭୋର ହୋଇ ହୃଷୀକେଶ ଓ ନିର୍ମଳା ତାକୁ କୁଣ୍ଢେଇ ପକାଇଲେ | ସେଇଦିନ ସୁବ୍ରତଙ୍କ ସମ୍ମତିରେ ସୌମ୍ୟାର ଶବ ହୃଷୀକେଶଙ୍କୁ ହସ୍ତାନ୍ତର କରାଗଲା  |ସୌମ୍ୟାର ମୃତଶରୀରକୁ ଦେଖି ହୃଷୀକେଶ କେଇଟି ମୁହୂର୍ତ୍ତ ଭାବପ୍ରବଣ ହୋଇଗଲେ |ଯାହାହେଲେ ବି ସେ ତାଙ୍କର ବୋହୂ ଥିଲା !!କିନ୍ତୁ ପର ମୁହୂର୍ତ୍ତରେ ତାଙ୍କର ମନେହେଲା,ସୌମ୍ୟା ଯେମିତି ପାଗଳାମୀ ଦେଖାଉ ଥିଲା,କେବେ ନାଁ କେବେ ଏପରି ଅଘଟଣ ଘଟିବାର ସମ୍ଭାବନା ଥିଲା  |ଆଉ ଯଦି ସେ ତାଙ୍କ ଘରେ ଥିବାବେଳେ ଏପରି କିଛି ଦୁର୍ଘଟଣା ଘଟିଥାଆନ୍ତା,ତାହେଲେ ଆଜି ସେମାନେ ସମସ୍ତେ ଜେଲର ଚାରିକାନ୍ଥ ଭିତରେ ଆବଦ୍ଧ ଥାଆନ୍ତେ |କଳିଯୁଗରେ କାଳେ,ତିନିପାଦ ପାପ ଭୋଗିବାପରେ ଏକପାଦ ପୁଣ୍ୟ ଭୋଗ ହୁଏ |ସେ ନିଜେ ବି ଜାଣିପାରୁ  ନଥିଲେ,କେବେ ତାଙ୍କର ତିନିପାଦ ପାପ ଶେଷ ହୋଇ,ଏକପାଦ ପୁଣ୍ୟ ଆରମ୍ଭ ହେବ!!ଆଗପଛ ନ ବିଚାରି ସେ ଯେଉଁ ଏକତରଫା ନିଷ୍ପତ୍ତି ନେଇଯାଇଥିଲେ ,ତାହାର ପରିଣାମ  ଯେ ଏତେ ଭୟଙ୍କର ହୋଇପାରେ,ସେ ସ୍ୱପ୍ନରେ ସୁଦ୍ଧା ଭାବି ପାରିନଥିଲେ |

              କୌଣସି ପ୍ରକାରେ ଶୁଦ୍ଧିକ୍ରିୟା ଶେଷ ହୋଇଗଲା |ତା ପର ସପ୍ତାହ ରବିବାରଦିନ ସକାଳେ ହୃଷୀକେଶ ନିର୍ମଳାଙ୍କୁ କହିଲେ ,ଲୁଗା ପିନ୍ଧ,ଯିବା |ନିର୍ମଳା ଆଶ୍ଚର୍ଯ୍ୟ ହୋଇ ପଚାରିଲେ,କୁଆଡେ ?ହୃଷୀକେଶ କହିଲେ,ତମେ ଆସ,ମୁଁ ବାଟରେ କହିବି |ନିର୍ମଳା ଶାଢ଼ୀ ବଦଳେଇ ତାଙ୍କ ସାଙ୍ଗରେ ବାହାରିଲେ |ବାଟରେ ସେମାନେ ଲିପି ଘରକୁ ଯାଉଛନ୍ତି ବୋଲି ହୃଷୀକେଶ ତାଙ୍କୁ କହିଲେ |ତାଙ୍କ କଥା ଶୁଣି ନିର୍ମଳା କହିଲେ,ତମେ ଏକଥା ମତେ ଆଗରୁ କହିଲନି କାହିଁକି ? ହୃଷୀକେଶ କହିଲେ,ଆଗରୁ କହିଥିଲେ ତମେ କଣ କରିଥାଆନ୍ତ ?ନିର୍ମଳା ବିରକ୍ତ ହୋଇ କହିଲେ,କି କଥା କହୁଛ ?ସେମାନେ ଆମ ପୁଅର ଜୀବନ ବଞ୍ଚେଇଛନ୍ତି,ଆମେ ତାଙ୍କ ଘରକୁ ଖାଲି ହାତରେ ଯିବା ?ହୃଷୀକେଶ କହିଲେ,ଆରେ ସତ କଥା ତ !ମୋର ଏକଥା ଜମା ଖିଆଲ ନଥିଲା |

               ଅଟୋ ବୁଲେଇ ସେମାନେ ମିଠା ଦୋକାନକୁ ଗଲେ ଓ ନିର୍ମଳା ତାଙ୍କ ମନପସନ୍ଦର ଢେର ସାରା ମିଠା କିଣି ଲିପିଙ୍କ  ଘରକୁ ଗଲେ  |ଯେତେବେଳେ ତାଙ୍କ ଅଟୋ ଲିପିଙ୍କ ଘର ଆଗରେ ରହିଗଲା,ସେତେବେଳେ ନିର୍ମଳାଙ୍କ ହୃତସ୍ପନ୍ଦନ ବଢିଗଲା |ସେମାନଙ୍କୁ ଦେଖି ଲିପିର ପିତାମାତା କିଭଳି ପ୍ରତିକ୍ରିୟା ଦେଖାଇବେ ତାହା ଚିନ୍ତାକରି ସେ ନର୍ଭସ ହୋଇଯାଉଥିଲେ |(କ୍ରମଶଃ)  

No comments:

Post a Comment