Friday, August 6, 2021

ଜୀବନସାଥୀ (ଭାଗ 28)

                   ଛାତ ଉପରେ ଏକୁଟିଆ ବସି ସୁବ୍ରତ ଚିନ୍ତାରେ ହଜି ଯାଇଥିଲେ |ସେ ଜାଣି ପାରୁଥିଲେ,ହୃଷୀକେଶ ବର୍ତ୍ତମାନ ଯେଉଁ ସ୍ତରରେ ପହଞ୍ଚିଛନ୍ତି,ତାଙ୍କୁ ଆଉ ଧମକଚମକ କିମ୍ବା ଲୋଭ କାଟୁ କରିବନାହିଁ |ତାଙ୍କପାଇଁ ପୁଅ ସର୍ବୋପରି ହୋଇ ଯାଇଛି |ତଥାପି ସେ ଆଶା ଛାଡ଼ିନଥିଲେ |ଯେ କୌଣସି ଉପାୟରେ ତାଙ୍କୁ ଯନ୍ତାରେ ପକାଇବା ପାଇଁ ସେ ବାଟ ଖୋଜୁଥିଲେ | ସୌମ୍ୟା ଘରକୁ ଆସିବା ଦିନଠାରୁ ତାଙ୍କ ଆଖିରୁ ନିଦ ଉଭେଇ ଯାଇଥିଲା |ବାହାଘର ପରେ ତାଙ୍କ ବୋଝ ହାଲୁକା ହୋଇଗଲା ବୋଲି ସେ ଖୁସି ହେଉଥିଲେ |କିନ୍ତୁ ଏବେ 'ଅର୍ଥ ହାନି,ପ୍ରାଣ ପୀଡା" ପରି ପରିସ୍ଥିତି ଉପୁଜିଗଲା  |ନାନାପ୍ରକାର ଦୁଶ୍ଚିନ୍ତାରେ ବିବ୍ରତ ହୋଇ ଟିକିଏ ଥଣ୍ଡା ପବନ ଖାଇବାକୁ ସେ ଛାତ ଉପରକୁ ଆସିଥିଲେ |କିନ୍ତୁ ଦୁର୍ଯୋଗକୁ ମଶା ବି ତାଙ୍କ ଉପରେ ଦାଉ ସାଧୁଛନ୍ତି !ଭାବିଥିଲେ,ଯୌତୁକ ଲୋଭ ଦେଖାଇ ଜ୍ୱାଇଁ କିଣି ଆଣିବେ |ନିଜ ପ୍ରଚେଷ୍ଟାରେ ସେ କେତେକାଂଶରେ ସଫଳ ହୋଇଥିଲେ ମଧ୍ୟ |କିନ୍ତୁ ସୌମ୍ୟାର  ରୋଗ ଏଥିରେ ପ୍ରତିବନ୍ଧକ ହେଲା   |ଏତେ ଶୀଘ୍ର ସୌମ୍ୟା ତାର ପ୍ରକୃତ ରୂପ ଦେଖାଇ ଧରା ପଡ଼ିଯିବ,ସେ କଳ୍ପନା ସୁଦ୍ଧା କରିପାରି ନଥିଲେ |ଛୁଆଟିଏ ହୋଇଯାଇଥିଲେ ଆଉ ଚିନ୍ତା କରିବାର କିଛି ନଥିଲା |କିନ୍ତୁ ସେ ଯାଏଁ କଥା ଗଲାନାହିଁ |ଘରେ ବି ତଦ୍ରୁପ ପରିସ୍ଥିତି |ଭାଇ ଭଉଣୀଙ୍କ ଭିତରେ ସବୁବେଳେ ଝଗଡ଼ା |ତାକୁ ରଗାନା ବୋଲି ପୁଅକୁ ଯେତେ ବୁଝାଉଛନ୍ତି ,ସବୁ ବେକାର |ପୁଅ ଦୁଇବର୍ଷ ହେଲାଣି ବି.ଟେକ ପାଶ କରି ଘରେ ବସିଛି |ପ୍ରାଇଭେଟ ଚାକିରୀ କରିବାକୁ ଆଦୌ ରାଜି ହେଉନାହିଁ |କହୁଛି,ଯଦି ଚାକିରୀ କରିବ,ତାହେଲେ କେବଳ ସରକାରୀ ଚାକିରୀ କରିବ |କାରଣ ସେଥିରେ ଧୂଳି ମଳି କିଛି ନାହିଁ ; କାମ କର ନକର,ମାସ ଶେଷରେ ଦରମା ଥୁଆ,ରିଟାୟାର୍ଡ ପରେ ପେନସନର ଆନନ୍ଦ !!ଏମିତି ବହୁତ ସମୟ ଚିନ୍ତା କରି କିଛି କୂଳ କିନାରା ନପାଇ ସେ ଭାରି ମନ ନେଇ ଶୋଇବାକୁ ଗଲେ |

                      ଛଅ ମାସ ପରେ ଅଚାନକ ତାଙ୍କପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଲା |ସିଦ୍ଧାର୍ଥକୁ ଇରିଗେସନରେ ଚାକିରୀ ମିଳିଗଲା |ଅବଶ୍ୟ ସେଥିପାଇଁ ତାଙ୍କୁ ବହୁତ ମେହେନତ କରିବାକୁ ପଡିଲା ଓ ତାଙ୍କ ମଥା ଉପରେ ମନ୍ତ୍ରୀଙ୍କର ଆଶୀର୍ବାଦର ହାତ ଥିବାରୁ,ଏହା ସମ୍ଭବପର ହେଲା  |ଏହି ସଫଳତାରେ ସିଦ୍ଧାର୍ଥ ଖୁସି ହେବା ସଙ୍ଗେ ସଙ୍ଗେ ପରିବାରର ସମସ୍ତେ ଖୁସିରେ ଫାଟି ପଡୁଥିଲେ |

            ସୌମ୍ୟାପାଇଁ  ମଧ୍ୟ ଏହିପରି ଏକ ସରକାରୀ ଚାକିରୀ ସୁବ୍ରତ ମନେ ମନେ ବହୁତ ଖୋଜୁଥିଲେ |ତାଙ୍କର ଉଦ୍ଦେଶ୍ୟ ଥିଲା,କାଳେ ଚାକିରୀ ଲୋଭରେ ହୃଷୀକେଶ ପୁଣି ତାକୁ ଆଦରି ନେବେ !

              ବର୍ଷକ ପରେ ତାଙ୍କ କାର୍ଯ୍ୟାଳୟରେ ଏକ କମ୍ପୁଟର ଆସିଷ୍ଟାଣ୍ଟ ପଦବୀ ସୃଷ୍ଟି ହେଲା |ସେଠାରେ ସୌମ୍ୟାକୁ ରଖିବା ପାଇଁ ସୁବ୍ରତ ନିଜ କଳ ବଳ କୌଶଳ ସବୁ ଲଗାଇ ଦେଲେ ଓ ଶେଷରେ କୃତକାର୍ଯ୍ୟ ମଧ୍ୟ ହେଲେ | ଏହି ଖୁସି ଖବର ଜଣାଇବା ପାଇଁ ସେ ହୃଷୀକେଶ ,ନିର୍ମଳା ଓ ଅଙ୍କିତଙ୍କୁ ବାରମ୍ବାର ଫୋନ କଲେ |କିନ୍ତୁ କେହି ତାଙ୍କର ଫୋନ ଉଠାଇଲେ ନାହିଁ | ସେ ଭାବିଲେ,ତାଙ୍କ ଘରକୁ ଯାଇ ଏହି ଖୁସି ଖବର ଜଣାଇବେ |କାରଣ ତାଙ୍କର ଦୃଢ଼ ବିଶ୍ୱାସ ଥିଲା,ଏହି ସୁସମ୍ବାଦ ଶୁଣି ଲୋଭୀ ନିର୍ମଳା ନିଶ୍ଚୟ ତରଳି ଯିବେ |(କ୍ରମଶଃ)

No comments:

Post a Comment