Tuesday, August 10, 2021

ଜୀବନସାଥୀ (ଭାଗ 32)

                       ବାହାରେ ପକ୍ଷୀ ମାନଙ୍କର କିଚିରି ମିଚିରି କଳରବ ପ୍ରଭାତ ଆଗମନର ସଙ୍କେତ ଦେଲା |ସେତିକିବେଳେ ସୁବ୍ରତଙ୍କ ଭାବନାରେ ପୂର୍ଣ୍ଣଛେଦ ପଡିଲା |ସେ କିଛିସମୟ ଆଖିବୁଜି ଶୋଇ ପଡିଲେ |ଚାହୁଁ ଚାହୁଁ  ତାଙ୍କ ଆଖିକୁ ନିଦ୍ରା ଘୋଟି ଆସିଲା |ଆଠଟା ବେଳେ ଶୁଭ୍ରା ତାଙ୍କୁ ଉଠାଇବାରୁ ସେ ଧଡପଡ ହୋଇ ଉଠିପଡ଼ିଲେ |କିନ୍ତୁ ଭୀଷଣ ଜୋରରେ ତାଙ୍କର ମୁଣ୍ଡ ବିନ୍ଧୁଥିଲା | ଶୁଭ୍ରା ତାଙ୍କ ପାଖରେ ଥିବା ଟେବଲ ଉପରେ ପାଣି ବୋତଲ,ଗ୍ଲାସ,ଫ୍ଲାସ୍କ ଭର୍ତ୍ତି ଚା' ଓ କପ ରଖିଦେଇଥିଲେ |ସୁବ୍ରତ ସେଇ  ବିଛଣା ଉପରେ ବସି ପାଣି ପିଇ ତାପରେ ଚା' ପିଇଲେ | 

                     ଟିକେ ଭଲ ଲାଗିବାରୁ ସେ ଉଠି ଚଲାବୁଲା କରିବା ଭିତରେ ଲକ୍ଷ୍ୟ କଲେ,ସିଦ୍ଧାର୍ଥର ବାଇକ ନାହିଁ |ସେ ଶୁଭ୍ରାଙ୍କୁ ପଚାରିଲେ,ସିଧୁ କୁଆଡେ ଯାଇଛି କି ?ଶୁଭ୍ରା କହିଲେ,ସେ ବାଇକ ନେଇ ସକାଳୁ କୁଆଡେ ଯାଇଛି |ସୁବ୍ରତ ପୁଣି ପଚାରିଲେ,ଏତେ ସକାଳୁ ସେ କୁଆଡେ ଗଲା ?ତାକୁ ପଚାରିଛ ?

            ଶୁଭ୍ରା ମୁହଁ ଛାଟି କହିଲେ,କାହିଁକି ପଚାରିଥାନ୍ତି ଯେ ?ପଚାରିଲେ ସେ କୋଉ ସତକଥା କହିଥାଆନ୍ତା ଯେ,ତାକୁ ମୁଁ ପଚାରିଥାଆନ୍ତି !ତାଙ୍କ କଥା ଶୁଣି ସୁବ୍ରତ ଗୁମ ହୋଇ ସେଠାରୁ ଚାଲିଗଲେ |କିନ୍ତୁ ସେ ସିଦ୍ଧାର୍ଥର ଚାଲିଚଳନକୁ ଅନୁଧ୍ୟାନ କରୁଥିଲେ ଓ ଜାଣିପାରୁଥିଲେ,ସିଦ୍ଧାର୍ଥ କିଛି ନାଁ କିଛି ଯୋଜନାରେ ଅଛି |

               ତାଙ୍କ ସନ୍ଦେହକୁ ସତ୍ୟରେ ପରିଣତ କରି,ଦିନେ ରାତି ପାଖାପାଖି ଦଶଟା ବେଳକୁ ସିଦ୍ଧାର୍ଥ ଗୋଟିଏ ଝିଅକୁ ଧରି ଘରେ ପହଞ୍ଚି କହିଲା,ୟା ନାଁ ରୋଜି |ଆମେ ଆଜି ମନ୍ଦିରରେ ବାହା ହେଲୁ |ସୁବ୍ରତ ସେଇ ସାଙ୍ଗେ ସାଙ୍ଗେ ଅଫିସରୁ ଫେରିଥିଲେ |ସେ କହିଲେ,ତା ବାପା ମାଆ କୁଆଡେ ଗଲେ ?ଜାଣିଛୁ,ସେମାନଙ୍କର ଗୋଟେ କମ୍ପ୍ଲେନରେ ତୋ ଚାକିରୀ ଗୋଲ ହୋଇଯିବ ?

           ସିଦ୍ଧାର୍ଥ କହିଲା,ତା ବାପାମାଆ ବାହାଘର ପାଇଁ ରାଜି ହେଉନାହାନ୍ତି |କିନ୍ତୁ ତାର ମାଟ୍ରିକ ସାର୍ଟିଫିକେଟ ଓ ଆଧାର କାର୍ଡ ଅନୁସାରେ ତାକୁ ଅଠର ବର୍ଷ ପୂରି ଯାଇଛି |ସୁବ୍ରତ ଆଉ କିଛି ନକହି ଭିତରକୁ ଚାଲିଗଲେ |ପରଦିନ ସକାଳେ ରୋଜିର ପିତାମାତା ପୋଲିସକୁ ସାଙ୍ଗରେ ନେଇ ସୁବ୍ରତଙ୍କ ଘରେ ପହଞ୍ଚିଲେ |ସେତେବେଳେ ସୁବ୍ରତ ଜାଣିଲେ,ସେମାନେ ବିହାରର ବାସିନ୍ଦା ଓ ଝିଅ ତାଙ୍କର ମେସରେ ରହି ଇଞ୍ଜିନିଅରିଂ କୋଚିଂ ନେଉଥିଲା |

              ପୋଲିସ ସିଦ୍ଧାର୍ଥ ଓ ରୋଜିଙ୍କୁ ଥାନାକୁ ଡକାଇ ନେଲା |ରୋଜି କିନ୍ତୁ କୌଣସିମତେ ପିତାମାତାଙ୍କ ସହିତ ଫେରିବାପାଇଁ  ରାଜି ହେଲାନାହିଁ |ଯେହେତୁ ସେ ସାବାଳିକା ହୋଇ ସାରିଥିଲା ,ପୋଲିସର ବି ଆଉ କିଛି କରିବାର ନଥିଲା |ସେମାନଙ୍କ ଭିତରେ ଏକ ବୁଝାମଣା ସ୍ଵାକ୍ଷର ହେଲା ଓ ନିରାଶ ହୋଇ ରୋଜିର ପିତାମାତା ଫେରିଗଲେ |ସିଦ୍ଧାର୍ଥ ଗଡ଼ ଜୟ  କରିବାପରି ଖୁସିରେ ଘରକୁ ଫେରି ଆସିଲା |ସୁରୁଖୁରୁରେ ମାମଲାର ସମାଧାନ ହୋଇଯାଇଥିବାରୁ ଶୁଭ୍ରା ମଧ୍ୟ ବହୁତ ଖୁସି ହୋଇଗଲେ |କିନ୍ତୁ ସୌମ୍ୟା ଏହି ବିବାହରେ ଭୀଷଣ ଅସନ୍ତୁଷ୍ଟ ହେଉଥିଲା |ସେ  ସୁବ୍ରତଙ୍କୁ କହିଲା ,ଡାଡି, ସିଧୁ ବହୁତ ଦୁଷ୍ଟ ହୋଇଯାଇଛି,ତାକୁ ଘରୁ ବାହାର କରିଦିଅ  |ସୁବ୍ରତ ତାକୁ ବୁଝାଇ କହିଲେ,ତୁ ବ୍ୟସ୍ତ ହୁଅନା ମାଆ,ସବୁ ଠିକ ହୋଇଯିବ |

            ସେମାନଙ୍କ ବିବାହ ଉପଲକ୍ଷେ ଏକ ଚମତ୍କାର ବ୍ୟୟବହୁଳ ପାର୍ଟି ଦେବାପାଇଁ  ଶୁଭ୍ରା ସୁବ୍ରତଙ୍କୁ ଅନୁରୋଧ କଲେ  |ସୁବ୍ରତ କିନ୍ତୁ ରାଜି ହେଲେନାହିଁ |କହିଲେ, ସେ ତ ଏବେ ଚାକିରୀ କଲାଣି,ମୁଣ୍ଡକୁ ତାର ହାତ ପାଇଗଲାଣି |ତାକୁ ଯେମିତି ଭଲ ଲାଗୁଛି,ସେ କରୁ |ମତେ ଏଥିରେ ପୁରାଅ ନାହିଁ |ଶୁଭ୍ରା କହିଲେ,ଘରକୁ ତ ବୋହୂ ଆସି ସାରିଲାଣି,ଆଉ ଗରଗର ହେଲେ କଣ ହେବ ?ସେଇଆକୁ ପଛରେ ବାଧ୍ୟ ବାଧ୍ୟକତାରେ କରିବ,ଏବେ ଖୁସି ମନରେ କରି ନିଜ ସମ୍ମାନ ନରଖିବ କାହିଁକି ?ସୁବ୍ରତ କ୍ରୋଧ ଜର୍ଜରିତ ହୋଇ କହିଲେ,କହିଲେ,କେଉଁଠୁ ଗୋଟାଏ ଝିଅକୁ ଉଠେଇ ଆଣିଛି,କଣନା ବାହା ହୋଇଛି |ତାକୁ ପୁଣି କହୁଛ କଣ ନାଁ 'ବୋହୂ' !! ମା ଯେମନ୍ତ,ପୁଅ ସେମନ୍ତ |କଣ କରିବି ?କର୍ମଫଳ ଭୋଗିବାକୁ ପଡୁଛି,ଆହୁରି କେତେ ଭୋଗିବି,ଏଇ ତ ଆରମ୍ଭ ମାତ୍ର !!ଶୁଭ୍ରା ବି ଦବି ନଯାଇ କହିଲେ,ମ, ଏମିତି କାହିଁକି ହଉଛ ବା ?ଭଲ କଥା କହିଲେ,ଆଜିକାଲି ଲୋକଙ୍କୁ ଗନ୍ଧଉଛି ପରା !!

               ସୁବ୍ରତ ବିରକ୍ତ ହୋଇ କହିଲେ,ତମେ ମତେ ବହୁତ ଉପଦେଶ ଦେଇ ସାରିଲଣି,ମୁଁ ବି ତମ ଉପଦେଶ ମାନି ବହୁତ କିଛି କରି ସାରିଲିଣି |ଏବେ ଦୟାକରି ଏଠାରୁ ଯାଅ ; ତମ ମାଆପୁଅଙ୍କୁ ଯାହା ଖୁସି ଲାଗୁଛି,ସେଇଆ କର |(କ୍ରମଶଃ) 

         

No comments:

Post a Comment