Sunday, August 29, 2021

ଜୀବନସାଥୀ (ଭାଗ 50)

                       ଫେବୃଆରୀ ସାତ ତାରିଖ ଦିନ ବାହାଘର  ଓ ଦଶତାରିଖ ଦିନ ରିସେପ୍ସନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା |କୋଭିଡ ପାଇଁ ସରକାରଙ୍କ ନୂତନ ଗାଇଡଲାଇନ ଫେବୃଆରୀ ଏକ ତାରିଖରେ ଘୋଷଣା ହେବାରଥିଲା |ତଥାପି ଉଭୟପକ୍ଷ ରିସ୍କ ନେଇ ଏହି ଦୁଇଦିନ ପାଇଁ କଲ୍ୟାଣମଣ୍ଡପ ବୁକ କରିଦେଇଥିଲେ |ସୌଭାଗ୍ୟକୁ ଫେବୃଆରୀ ଏକ ତାରିଖ ଦିନ କୋଭିଡ କଟକଣା ଅନେକାଂଶରେ କୋହଳ ହେଲା ବୋଲି ସରକାର ଘୋଷଣା କଲେ |ସେହି ଗୋଟିଏ କଲ୍ୟାଣମଣ୍ଡପରେ ଉଭୟପକ୍ଷର ବାହାଘର ଓ ରିସେପ୍ସନ ହେବାର ଥିଲା |ବାହାଘର ଚାରିଦିନ ପୂର୍ବରୁ ଲିପି ଓ ପ୍ରାଚୀ  ନନ୍ଦିନୀ ସହିତ ଚାଲି ଆସିଲେ |ଲିପି ମାସେ ଛୁଟିନେଇଥିଲା |ସେମାନଙ୍କୁ ତାଙ୍କ ଘରେ ଛାଡି ନନ୍ଦିନୀ ହୃଷୀକେଶଙ୍କ ଘରେ ପହଞ୍ଚିବାପରେ ଦୁଇ ଭଉଣୀଙ୍କୁ ଆଉ ନିଶ୍ଵାସ ମାରିବାକୁ ସମୟ ନଥିଲା |ଏଥରକ ନନ୍ଦିନୀ ଅସନ୍ତୁଷ୍ଟ ନଥିବାରୁ ସବୁ କାମ ସୁରୁଖୁରୁରେ ହୋଇ ଯାଉଥିଲା |

               ବାହାଘରଦିନ ସକାଳୁ ସମସ୍ତ ବନ୍ଧୁବାନ୍ଧବ ଆସି ପହଞ୍ଚିଗଲେ |ସମସ୍ତ ମହିଳା ଅଳତା ଲଗାଇ ନୂଆ ଶାଢ଼ୀ ପିନ୍ଧି ବିଧିବିଧାନ ସହ ମଂଗନ  ହାଣ୍ଡି ବସାଇଲେ ଓ ତାପରେ  ପରେ ଦିଅଁ ମଙ୍ଗୁଳା କାର୍ଯ୍ୟକ୍ରମ ଆରମ୍ଭ ହେଲା |ଭାଇଙ୍କ ବୋହୂ କଳସୀ କାଖେଇଲା | ଶଙ୍ଖ ହୁଳହୁଳି ଓ ତେଲିଙ୍ଗି ବାଦ୍ୟରେ ପୁରା ଅଞ୍ଚଳ ମୁଖରିତ କରି ସମସ୍ତେ  ଦିଅଁ ମଙ୍ଗୁଳେଇବାକୁ ଗଲେ |ଦିଅଁ ମଙ୍ଗୁଳା କାର୍ଯ୍ୟ ଶେଷ ହେବା  ପରେ,ଫେରିବା ବାଟରେ ନିୟମାନୁଯାୟୀ ସାତଘରୁ ପାଣି ସଂଗ୍ରହ କରି ସମସ୍ତେ ଘରେ ପହଞ୍ଚିଲେ |ତାପରେ ଅଙ୍କିତର ବାଡ଼ୁଅ ପାଣି ଗାଧୋଇବା କାର୍ଯ୍ୟକ୍ରମ ଆରମ୍ଭ ହେଲା |ସମସ୍ତେ ଖୁସିରେ ଶଙ୍ଖ ହୁଳହୁଳି ଧ୍ୱନି ଦେଇ,ଅଙ୍କିତକୁ ହଳଦୀ ଲଗେଇଦେବା ସହ ପରସ୍ପର ହଳଦୀ ବୋଳାବୋଳି ହୋଇ ଟାହି ଟାପରା ହେଲେ  |

             ଅଙ୍କିତ ଗାଧୋଇସାରି ନିଜ ପୋଷାକ ପିନ୍ଧିବା ପରେ ବରଧରା ଆସି ପହଞ୍ଚିଗଲା |ବିଧି ମୁତାବକ ନନା ପୂଜା କଲେ |ବରଧରା ବିଦାୟ ନେବାପରେ ଘରର ସବୁ ସଦସ୍ୟ ଓ ନିମନ୍ତ୍ରିତ ପଡୋଶୀ ମଧ୍ୟାନ୍ନଭୋଜନ ଖାଇଲେ |ଅଙ୍କିତ,ନିର୍ମଳା ଓ ହୃଷୀକେଶ ଉପବାସ କରିଥିବାରୁ ସେମାନଙ୍କ ପାଇଁ ପୃଥକ ରୋଷେଇ ହୋଇଥିଲା |ଅଙ୍କିତ ଖାଉଥିବାବେଳେ ତାର ଏକ ଫୋନ ଆସିଲା |ସେ ତାକୁ କାଟିଦେଇ ଖାଇବାରେ ମନ ଦେଲା |କିନ୍ତୁ ବାରମ୍ବାର ଫୋନ ଆସିବାରୁ ସେ ଫୋନ ଖୋଲି ହ୍ୟାଲୋ କହିବା ମାତ୍ରେ ଅପର ପଟୁ କଣ ଶୁଣିଲା କେଜାଣି ଖାଇବା ସେତିକିରେ ରଖି ନିର୍ମଳାଙ୍କୁ କହିଲା,ମାମା ମୋର ଗୋଟେ ଅର୍ଜେଂଟ କାମ ଅଛି,ମୁଁ ଯାଉଛି |ନିର୍ମଳା କହିଲେ,ବାହାଘର ଦିନ କୁଆଡେ ଯିବା ଦରକାର ନାହିଁ, ଅର୍ଜେଂଟ କାମ ପରେ ହେବ | ଅଙ୍କିତ କହିଲା,ତମେ ବୁଝୁନ ମାମା,ଡେଲିଭରି ଆସିଛି,ମୁଁ ନଗଲେ ହେବନି |ତମେ ବ୍ୟସ୍ତ ହୁଅନା,ମୁଁ ସାଙ୍ଗେ ସାଙ୍ଗେ ଯାଇ ସାଙ୍ଗେ ସାଙ୍ଗେ ଆସିବି |ନିର୍ମଳା କହିଲେ,ଯିବା ପୂର୍ବରୁ ଆଗେ ଖାଇବା ଶେଷକରି ଯାଆ  |ଖାଇବା ଅଧା ଛାଡି ଯାଆନ୍ତିନି |ବାଧ୍ୟ ହୋଇ ଅଙ୍କିତ ଆଉ ଦୁଇମୁଠା ଖାଇ,ତର ତର ହୋଇ ବାହାରିଗଲା |

            ସେତେବେଳକୁ ଦୁଇଟା ବାଜିଥିଲା |ସନ୍ଧ୍ୟା ସାଢେ ସାତଟାରେ ବର ପ୍ରସେସନରେ ବାହାରିବାର କଥା ଥିଲା |ଅପରାହ୍ନ ଚାରିଟା ବେଳକୁ ଲିପିର ଫୋନ ଆସିଲା  |ସେ ବ୍ୟସ୍ତ ହୋଇ ନିର୍ମଳାଙ୍କୁ କହୁଥିଲା,ମାଉସୀ ସେ ଫୋନ ଉଠାଉ ନାହାନ୍ତି,ତାଙ୍କ ଫୋନ ସୁଇଚ ଅଫ ଆସୁଛି |ତାଙ୍କର କଣ ହୋଇଛି ?ଲିପି କଥା ଶୁଣି ନିର୍ମଳାଙ୍କ ଛାତିରୁ ଦଲକାଏ ନିଆଁ ଖସି ପଡିଲା ପରି ଲାଗିଲା |ସେ କାନ୍ଦି କାନ୍ଦି ଚାରିଆଡେ ହୁରି ପକାଇଦେଲେ |ହୃଷୀକେଶ ମଧ୍ୟ ଅଧୀର ହୋଇ ବାରମ୍ବାର ଅଙ୍କିତକୁ ଫୋନ କରିବାକୁ ଲାଗିଲେ |କିନ୍ତୁ ସବୁଥର ଫୋନ ସୁଇଚ ଅଫ ଆସୁଥିଲା |ତାଙ୍କର ମନେ ପଡିଲା,ସୁପ୍ରିମକୋର୍ଟର ଆଦେଶ ଅନୁଯାୟୀ ସିଦ୍ଧାର୍ଥ ସପ୍ତାହେ ପୂର୍ବରୁ  ଜାମିନରେ ଆସିଛି |ହଠାତ ତାଙ୍କ ମନକୁ ପାପଚିନ୍ତା ଆସିଲା, ତାର ଏଥିରେ କିଛି ହାତ ନାହିଁ ତ !!ଏହି ଭାବନା ଆସିବା କ୍ଷଣି ପାଟିରୁ ତାଙ୍କର ସ୍ୱତଃ ବାହାରିଗଲା,ହେ ଭଗବାନ !!ମୁଁ ଏବେ କଣ କରିବି !!!ଆଉ ସମୟ ନଷ୍ଟ ନକରି ସେ ତାଙ୍କର ପୋଲିସ ବନ୍ଧୁ ଅନୁପଙ୍କୁ ଫୋନ କରି ବିସ୍ତୃତ ଭାବେ ସବୁକଥା କହିଲେ  |ତାଙ୍କ କଥା ଶୁଣି,ଅନୁପ  ବିରକ୍ତ ହୋଇ କହିଲେ,ଆଜି ବାହାଘର ଦିନରେ ତାକୁ ଛାଡ଼ୁଥିଲ କାହିଁକି ?ହଉ ଠିକ ଅଛି |ତୁ ଅତି ଶୀଘ୍ର ତାର ଫୋନ ନମ୍ବର ସହ,ତୋର ଯାହା ଯାହା ଉପରେ ସନ୍ଦେହ ଅଛି ସମସ୍ତଙ୍କ ଫୋନ ନମ୍ବର ଦେ |ଆମ ପାଖରେ ସମୟ ବହୁତ କମ ଅଛି ,କିଛି ବି ହୋଇଯାଇପାରେ |(କ୍ରମଶଃ) 

                   

                  

No comments:

Post a Comment