Monday, August 23, 2021

ଜୀବନସାଥୀ (ଭାଗ 45)

                       ସୁଧାକର ଓ ସୁଲୋଚନା ଚା' ପିଉଥିବାବେଳେ ହୃଷୀକେଶ ନିର୍ମଳାଙ୍କୁ ଡାକି ତାଙ୍କ ହାତକୁ ଏକ ବଡ଼ ପ୍ୟାକେଟ ବଢ଼ାଇ ଦେଲେ |ନିର୍ମଳା  ପଚାରିଲେ,ଇଏ କଣ ?ହୃଷୀକେଶ କହିଲେ,ଇଏ ପୁଅ ଝିଅଙ୍କ ଡ୍ରେସ,ନିର୍ବନ୍ଧ ବେଳେ ପିନ୍ଧିବେ |ଆମର ଟା  ରଖି ପରିଜା ବାବୁଙ୍କରଟା ତାଙ୍କୁ ଦେଇଦିଅ |ଝିଅ ପିନ୍ଧି ମନ୍ଦିରକୁ ଯିବ |କବାଟ ଆଡେ ଚାହିଁ ସେ କହିଲେ,ସେମାନେ ଯିବା ପୂର୍ବରୁ,ତାଙ୍କୁ ଦେଇଦିଅ |ଶାଢ଼ୀ ଦେଖିବାକୁ ବି ନିର୍ମଳାଙ୍କ ସମୟ ହେଲାନି ,ସେ ପ୍ୟାକେଟ ଟି ସୁଲୋଚନାଙ୍କୁ ଦେଇ କହିଲେ,ଭଉଣୀ ଏଇଟା ଆମେ  ଲିପି ପାଇଁ ଆଣିଛୁ  |ସୁଲୋଚନା ଖୁସି ହୋଇ କହିଲେ,ଆମେ ବି ପୁଅ ପାଇଁ ଆଣିଛୁ |ସେ ତାପରେ ଏକ ପ୍ୟାକେଟ ନିର୍ମଳାଙ୍କୁ ଦେଇ କହିଲେ,ଏଇଟା ଅକିଙ୍କର |ନିର୍ମଳା ଖୁସି ହୋଇ ତାଙ୍କୁ  କୁଣ୍ଢେଇ ପକାଇ କହିଲେ,ବହୁତ ଧନ୍ୟବାଦ ଭଉଣୀ |

                 ସେମାନେ ଯିବାପରେ ହୃଷୀକେଶ ତାଙ୍କ ପକେଟରୁ ଏକ ଛୋଟ ଡବା କାଢି ନିର୍ମଳାଙ୍କୁ ହାତରେ ରଖି କହିଲେ,ଦେଖିଲ,ଏଇଟା ଚଳିବ କି ନାହିଁ,ମୁଁ ମୋ ପସନ୍ଦରେ କିଣିଛି |ନିର୍ମଳା  ଡବା ଖୋଲି ଦେଖନ୍ତି ତ,ତାହା ଏକ ସୁନା ମୁଦି ଥିଲା |ସେ ଜାଣିଲେ,ନିର୍ବନ୍ଧରେ ଅଙ୍କିତ ସେଇଟା ଲିପିକୁ ପିନ୍ଧାଇବା ପାଇଁ ହୃଷୀକେଶ କିଣିଛନ୍ତି |ସେ ଖୁସି ହୋଇ କହିଲେ,ବହୁତ ସୁନ୍ଦର ହୋଇଛି !ନିଜେ ବାଛିଚ ?ହୃଷୀକେଶ ଗର୍ବରେ ମୁଣ୍ଡ ହଲାଇ କହିଲେ,ୟେସ |ସବୁ ମୋ ଚଏସ |ନିର୍ମଳା କହିଲେ, ତମ ମୁଣ୍ଡରେ ତ ବହୁତ ବୁଦ୍ଧି ଦେଖୁଛି !ଡ୍ରେସ,ମୁଦି ମତେ ନ ପଚାରି ସବୁ କିଣି ଦେଇଛ !ପୁଣି ଏତେ ବଢିଆ !!ହୃଷୀକେଶ ଥଟ୍ଟାଳିଆ ସ୍ୱରରେ କହିଲେ,ମୁଁ ସବୁବେଳେ ସେମିତି ଦିଲଦାର |ଖାଲି ମଝିରେ ତମ କୁବୁଦ୍ଧିରେ ପଡି ଭୁଲଭାଲ କରି ପକେଇଥିଲି ନାଁ!ଆଉ କଣ ଜୀବନରେ ସେମିତି ଭୁଲ କରିବି ?

             ତାଙ୍କ କଥା ଶୁଣି ନିର୍ମଳାଙ୍କ ମୁହଁ ଆମ୍ବିଳା ହୋଇଗଲା |ସେ କହିଲେ,ଆଜିପରି ଭଲ ଦିନରେ ମତେ ଖଳନାୟିକା କରି ମୋ ମନରେ ଦୁଃଖ ଦିଅନାହିଁ |ଯାହା ଯାଇଛି ଯାଇଛି |ଆମେ ପଛକଥା ଭୁଲି,ପିଲାମାନଙ୍କ ଖୁସି ପାଇଁ ଆମର ସର୍ବସ୍ୱ ଉତ୍ସର୍ଗ କରିଦେବା |ହୃଷୀକେଶ ହସିଦେଇ କହିଲେ,ନାଁ ମ ,ସେମିତି ମଜାରେ କହିଦେଲି,ତମକୁ କହିବିନି ତ ଆଉ କହିବି କାହାକୁ ?ଡେରି ହେଲାଣି,ଅକି କୁ କୁହ,ଶୀଘ୍ର ସେମାନେ ଦେଇଥିବା ଡ୍ରେସ ପିନ୍ଧି ବାହାରି ପଡିବ |

                    ଅଧଘଣ୍ଟା ଭିତରେ ସମସ୍ତେ ପ୍ରସ୍ତୁତ ହୋଇଗଲେ  |ଅଙ୍କିତ ଯେତେବେଳେ ଲିପିଘର ଦେଇଥିବା ଡ୍ରେସ ପିନ୍ଧି ନିର୍ମଳାଙ୍କ ଆଗରେ ଛିଡା ହୋଇଗଲା,ନିର୍ମଳା ସଙ୍ଗେ ସଙ୍ଗେ ତାର ନଜର ଉତ୍ତାରି,କହିଲେ,ମୋ ପୁଅକୁ କାହାର ନଜର ନ ଲାଗୁ | |ସେମାନେ ଆସିବାର ପାଞ୍ଚ ମିନିଟ ପୂର୍ବରୁ ଲିପି ଘର ମନ୍ଦିରରେ ପହଞ୍ଚି ସାରିଥିଲେ |ସେମାନଙ୍କୁ ଦେଖୁ ଦେଖୁ ପ୍ରାଚୀ ଦୌଡ଼ି ଆସି ସମସ୍ତଙ୍କୁ ପ୍ରଣାମ କରି ନନ୍ଦିନୀର ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ଚାଲିଗଲା |ଏହାଦେଖି ନନ୍ଦିନୀ ମୁଗ୍ଧ ହୋଇ ତା ଆଡକୁ ଚାହିଁ ରହିଲା |ଝିଅଟା କେମିତି ତା ମନକଥା ଜାଣି ସେ କହିବା ପୂର୍ବରୁ ପିଲା ଦୁଇଟିଙ୍କୁ ତା ହେପାଜତକୁ ନେଇଗଲା !ସତରେ ତିନିଟି ଯାକ ଝିଅ ଅପୂର୍ବ,କେହି କାହାକୁ ଊଣା ନୁହନ୍ତି |ମନେ ମନେ ସେ ବହୁତ ଖୁସି ହୋଇଗଲା |

                   ହୃଷୀକେଶ ଆଣିଥିବା ଶାଢ଼ୀ ପିନ୍ଧି,ଲିପି ସ୍ୱର୍ଗର ଅପସରା ପରି ଦିଶୁଥିଲା |ନିର୍ମଳା  ମୁଗ୍ଧ ହୋଇ ତା ଆଡକୁ ଚାହିଁ ଯିବାବେଳେ ଅନ୍ୟମନସ୍କତା ଯୋଗୁଁ,ମନ୍ଦିରର ଗରୁଡ଼ ସ୍ତମ୍ଭରେ ତାଙ୍କ ମୁଣ୍ଡ ଜୋରରେ ପିଟି ହୋଇଗଲା |ଆଖିରୁ ତାଙ୍କର ଚଷମା ଖସି ତଳେ ପଡିଗଲା |ସେ ସ୍ତମ୍ଭକୁ ଆଉଜି କିଛି ସମୟ ଛିଡା ହୋଇଗଲେ |ମୁଣ୍ଡ ସହିତ ସମଗ୍ର ଶରୀର ତାଙ୍କର ଝିମ ଝିମ ହୋଇ ଯାଉଥିଲା |(କ୍ରମଶଃ)

No comments:

Post a Comment