Saturday, August 7, 2021

ଜୀବନସାଥୀ (ଭାଗ 30)

                           ସବୁଦିନ ପରି ସେଦିନ ଖାଇ ସାରିବାପରେ ସୁବ୍ରତ ଡ୍ରଇଂରୁମରେ ବସି ଟିଭି ଦେଖୁଥିଲେ |ସିଦ୍ଧାର୍ଥ ତା ରୁମକୁ ଯିବାବେଳେ ସେ ତାକୁ ଡାକିଲେ |ସିଦ୍ଧାର୍ଥ  ଶୁଣି ନଶୁଣିଲା ପରି ଚାଲି ଯାଉଥିଲା |ସୁବ୍ରତ ତାକୁ ଟିକିଏ ଉଚ୍ଚ ଗଳାରେ ଡାକିବାରୁ ସେ ଆସିଲା |ସେ  ତାକୁ ତାଙ୍କର ପାଖ ଚେୟାରରେ ବସିବାକୁ କହିଲେ |ସିଦ୍ଧାର୍ଥ କୁଣ୍ଠିତ ହୋଇ ବସିବାପରେ ସେ  ପଚାରିଲେ,ସେ ଝିଅଟି କିଏ ?ସିଦ୍ଧାର୍ଥ ନିରୁତ୍ତର ରହିଲା |ସୁବ୍ରତ ପୁଣି ପଚାରିଲେ,ତା ନାଁ କଣ ?ସେ କଣ କରୁଛି ?ତାର ବାପା ମାଆ କଣ କରନ୍ତି ?କେଉଁଠି ରହନ୍ତି ?ସେମାନେ କେଉଁ ରାଜ୍ୟର ବାସିନ୍ଦା ?ତାଙ୍କର ମାତୃଭାଷା କଣ ?

               ସୁବ୍ରତଙ୍କ ପ୍ରତିଟି ପ୍ରଶ୍ନରେ ସିଦ୍ଧାର୍ଥ ନୀରବତା ଅବଲମ୍ବନ କଲା |ସୁବ୍ରତ ଏଥର ତାକୁ ପଚାରିଲେ,ତୁ ତାକୁ ବାହା ହେବୁ ??

          ସିଦ୍ଧାର୍ଥ ନୀରବତା ଭାଙ୍ଗି କହିଲା,ଅପା ଏ ଘରୁ ବିଦା ନହେଲା ଯାଏଁ ମୁଁ ବାହା ହେବିନାହିଁ |ସୁବ୍ରତ କହିଲେ,ଅପାକୁ ତ ମୁଁ ବାହା କରିଥିଲି |ମାସ ଦୁଇଟା ରହି ପାରିଲାନି |ସେମାନେ ତାକୁ ରଖିବାକୁ ନାରାଜ,ମେଡିକାଲ ସାର୍ଟିଫିକେଟ ପାଇଁ ଅଡ଼ି ବସିଛନ୍ତି |ମୁଁ ଏବେ କଣ କରିବି ?

            ସିଦ୍ଧାର୍ଥ କହିଲା,ତମେ କାହିଁକି ତାକୁ ଘରକୁ ଆଣୁଥିଲ ?ବାହାହେଲା ପରେ ଅପାର ଭଲମନ୍ଦର ଦାୟିତ୍ତ୍ୱ ତାଙ୍କର ଥିଲା ,ସେମାନେ ଯାହା ଇଚ୍ଛା  ତାହା କରିଥାନ୍ତେ |

          ସୁବ୍ରତ କହିଲେ,ତୁ ତାର ଭାଇ ଟି ?ଏମିତି କଣ କହୁଛୁ ??ନାଁ କହୁ କହୁ ଯାହା ଇଚ୍ଛା ତାହା କହି ଦେଉଛୁ ?

     ସିଦ୍ଧାର୍ଥ କହିଲା,ଭିଣୋଇଙ୍କୁ ସେ ଯେମିତି ଚେଙ୍କ ଦେଲା,ଛୁରୀ ଦେଖାଇ ଡରେଇଲା ,କାଲି  ସକାଳେ ମୋ ସ୍ତ୍ରୀ ଆସିଲେ,ତାକୁ ବି ସେମିତି କରିବ |ପାଗଳାମୀ ବଢିଗଲେ, ଛୁରୀ ଭୁଷି ମାରି ଦେଇପାରେ,ତା ଉପରେ କଣ ବିଶ୍ୱାସ ଅଛି ?ପାଗଳଗାରଦରେ ରହିବା ମଣିଷ ପୁଣି ଚାକିରୀ କରୁଛି !!ଦେଖିବ,ଯେମିତି ଶାଶୁଘରୁ ତଡା ଖାଇଲା,ସେମିତି ଦିନେ ଚାକିରୀରୁ ତଡା ଖାଇବ !ସିଦ୍ଧାର୍ଥ ଆଉ କିଛି କହିବା ପୂର୍ବରୁ ପଛପଟୁ ସୌମ୍ୟା ଆସି ଏତେ ଜୋରରେ ତାର ଚୁଟି ଭିଡ଼ିଦେଲା ଯେ ସେ ଚେୟାର ସମେତ ତଳେ ପଡିଯାଉଥିବାବେଳେ ଟେବଲ ବାଡ଼ା ଧରି ଅଳ୍ପକେ ରକ୍ଷା ପାଇଗଲା |ତଥାପି ଏହି ପ୍ରକରଣରେ ତା ମୁଣ୍ଡ, ପାଖରେ ଥିବା ଅନ୍ୟ ଏକ ଚେୟାରରେ ବାଡେଇ ହୋଇଗଲା |ସୁବ୍ରତ ରହ ରହ କହୁ କହୁ ସିଦ୍ଧାର୍ଥ ସୌମ୍ୟାକୁ ଜୋରରେ ଏକ ଚଟକଣା ମାରିଲା |ସୌମ୍ୟା ଆହୁରି ରାଗିଯାଇ ତଳେ ପଡିଥିବା ଚେୟାର ଉଠାଇ ସିଦ୍ଧାର୍ଥ  ମୁଣ୍ଡ ଉପରେ କଚାଡି ଦେବାକୁ ଯାଉଥିବାବେଳେ ଶୁଭ୍ରା ଚେୟାରକୁ ଧରିପକାଇ ତାଠାରୁ ଛଡେଇ ନେଇଗଲେ |ସୌମ୍ୟା ନିରୁପାୟ ହୋଇ,ସୁବ୍ରତଙ୍କ ପାଖକୁ ଯାଇ କାନ୍ଦିବାକୁ ଲାଗିଲା |

             ସୁବ୍ରତ ରାଗିଯାଇ ସିଦ୍ଧାର୍ଥକୁ କହିଲେ,ବଡ଼ଭଉଣୀ ଉପରେ ହାତ ଉଠାଉଛୁ ?ତତେ ଲାଜ ଲାଗୁନି ??ଏଇ ସଂସ୍କାର ପାଇଛୁ ?ସିଦ୍ଧାର୍ଥ ଦବି ନଯାଇ କହିଲା,ପାଗଳଙ୍କୁ ମାଡ଼ ଦେଲେ ଯାଇଁ ସାବାଡ଼ ହେବେ |ସେ ସୌମ୍ୟାକୁ ହାତ ଦେଖାଇ କହିଲା,ଆଉ ଦିନେ ସେମିତି ହେଲେ,ତତେ ମୋଡ଼ିମାଡ଼ି ଡଷ୍ଟବିନରେ ଫୋପାଡ଼ି ଦେବି |

             ସୁବ୍ରତଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା |ସେ ଟିଭିକୁ ଟାଣି ତଳେ ଫୋପାଡ଼ିଦେଇ କହିଲେ,ଆଉ ଏ ଘରେ ରହି ହେବନାହିଁ |ନର୍କରେ ରହିବା  ଯାହା,ଏ ଘରେ ରହିବା ସେଇଆ |(କ୍ରମଶଃ)


No comments:

Post a Comment