Friday, August 13, 2021

ଜୀବନସାଥୀ (ଭାଗ 35)

                  ସବୁ ଓଡ଼ିଆ ଟିଭି ଚ୍ୟାନେଲ ସେମାନଙ୍କ ବ୍ରେକିଂ ନ୍ୟୁଜରେ 'ହାଇ ପ୍ରୋଫାଇଲ ମର୍ଡର କେଶ 'ଓ 'ପୋଲିସର ବିରଳ ସଫଳତା' ଶୀର୍ଷକରେ ସୌମ୍ୟା ହତ୍ୟାକାଣ୍ଡକୁ ମୁଖ୍ୟ ସମ୍ବାଦ ଭାବରେ ବାରମ୍ବାର ପରିବେଷଣ କରୁଥିଲେ |'ଦେଖନ୍ତୁ,ଏଇ ହେଉଛି ସେହି ଖଳା ଯେଉଁଠାରେ ଅମୁକ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁବ୍ରତ କାନୁନଗୋଙ୍କ ବିବାହିତା କନ୍ୟା ସୌମ୍ୟାଙ୍କ ମୃତଦେହ ଆବିଷ୍କୃତ ହୋଇଥିଲା |ଘଟଣାରୁ ପ୍ରକାଶ ଯେ ଗତ ତିନିବର୍ଷ ତଳେ ସୁବ୍ରତଙ୍କ ଝିଅ ସୌମ୍ୟା ****ନିବାସୀ ହୃଷୀକେଶଙ୍କ ଏକମାତ୍ର ପୁତ୍ର ଅଙ୍କିତଙ୍କୁ ବିବାହ କରିଥିଲେ |କିନ୍ତୁ ବିବାହର କିଛିଦିନପରେ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିବାରୁ ସୌମ୍ୟା ତାଙ୍କ ବାପଘରକୁ ଚାଲି ଆସିଥିଲେ |କିନ୍ତୁ ଅଙ୍କିତ ତାଙ୍କ ପିତାମାତାଙ୍କ ଅଗୋଚରରେ ସୌମ୍ୟାଙ୍କୁ ନିୟମିତ ଦେଖା କରିବାକୁ ଆସୁଥିଲେ ଓ ସେମାନେ ଦୁହେଁ ବୁଲାବୁଲି କରିବାପରେ ସେ ତାଙ୍କୁ ଆଣି ଘରେ ଛାଡ଼ିଦେଇ ଯାଉଥିଲେ |ତାଙ୍କୁ ତାଙ୍କ ଘରକୁ ନେଇ ଯିବାପାଇଁ ସୌମ୍ୟା ଅଙ୍କିତଙ୍କୁ ଯେତେଥର ଅନୁରୋଧ କରୁଥିଲେ,ସେତେଥର ଅଙ୍କିତ ବିଭିନ୍ନ ଆଳ ଦେଖାଇ ଟାଳି ଦେଉଥିଲେ |ଘଟଣାଦିନ ସୌମ୍ୟାଙ୍କର ଜନ୍ମଦିନ ଥିଲା |ସୁବ୍ରତଙ୍କ ବାରଣ ସତ୍ତ୍ୱେ ସେଦିନ  ଅଙ୍କିତ ତାଙ୍କୁ ଘଣ୍ଟାଏ ଭିତରେ ଛାଡ଼ିଦେବେ କହି,ବୁଲାଇବାକୁ ନେଇଯାଇଥିଲେ | ସେଦିନ ସୌମ୍ୟା ଅଙ୍କିତଙ୍କ ଘରକୁ ଯିବାପାଇଁ ଜିଦ୍ଦି କରିଥିଲେ ଓ ଏଥିପାଇଁ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା |ଝଗଡା ଉଗ୍ର ରୂପ ଧାରଣ କରିବାରୁ ଅଙ୍କିତ ମାନସିକ ସନ୍ତୁଳନ ହରାଇ ପଥରରେ ସୌମ୍ୟାଙ୍କ  ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ଓ ତାଙ୍କ ମୃତଦେହକୁ ଏଇ ଖଳା ନିକଟରେ ଫିଙ୍ଗି ଚାଲିଯାଇଥିଲେ |ଏହାପରେ ସେ ତାଙ୍କ ଫୋନ ବ୍ଲକ କରିଦେଇଥିଲେ |ଦୀର୍ଘ ସମୟ ବିତିଯିବାପରେ ସୌମ୍ୟା ଘରକୁ ନଫେରିବାରୁ ସୁବ୍ରତ ଯେତେବେଳେ ଅଙ୍କିତଙ୍କୁ ଫୋନ କଲେ,ତାଙ୍କ ଫୋନ ଲାଗିନଥିଲା |ଏପରିକି ଅଙ୍କିତଙ୍କ ପିତାମାତା ମଧ୍ୟ ସୁବ୍ରତଙ୍କ ଫୋନ ବ୍ଲକ କରିଦେଇଥିଲେ |ରିପୋର୍ଟର ଜଣକ ପାଖରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ମୁହଁ ପାଖକୁ ବୁମ ନେଇ କହିଲେ,ଏ ବିଷୟରେ ଆପଣ କଣ କହିବେ ?ବ୍ୟକ୍ତି ଜଣକ କହିଲେ,ରାତି ପ୍ରାୟ ଗୋଟାଏରେ ଏକ ଶବ୍ଦ ଶୁଣି ମୁଁ ଚୋର ଆସିଛି ଭାବି ଟର୍ଚ୍ଚ ନେଇ ବାହାରକୁ ଆସିଲି,କିନ୍ତୁ କାହାକୁ ପାଇଲିନାହିଁ,କେବଳ ଗୋଟିଏ କାର ଚାଲିଯାଉଥିବାର ଶବ୍ଦ ଶୁଣିଲି  |ସକାଳେ କୁକୁର ଏକ ମୃତଦେହ ଟଣା ଓଟରା କରୁଥିବା ଖବର ପାଇ ମୁଁ ଆସି ଦେଖେତ ଝିଅଟିଏ ମରି ପଡିଛି |ତାପରେ ଆମେ ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେଲୁ |ଥାନା ଅଧିକାରୀ ଝିଅ ପରିବାରର ସମ୍ପର୍କୀୟ ହୋଇଥିବାରୁ,ଶବ ଚିହ୍ନଟ କରିବାକୁ ଅସୁବିଧା ହେଲାନାହିଁ |'ତାହେଲେ ଆପଣ କଣ ଚାହୁଁଛନ୍ତି?"ରିପୋର୍ଟର ଆଉଜଣେ ବ୍ୟକ୍ତିଙ୍କୁ ପଚାରିଲେ |ସେ ସାଙ୍ଗେ ସାଙ୍ଗେ  କହିଲେ,ହତ୍ୟାକାରୀକୁ ଫାଶୀ  ଦିଆଯାଉ ଓ ଦୋଷୀକୁ ଘଣ୍ଟ ଘୋଡାଇ ଥିବାରୁ,ତାଙ୍କ ପରିବାରର ସମସ୍ତଙ୍କୁ ଆଜୀବନ କାରାବାସ ଦିଆଯାଉ |

          ତାପରେ ଅନ୍ୟ ଜଣେ ରିପୋର୍ଟର ସୁବ୍ରତଙ୍କ ଘରର ଦୃଶ୍ୟ ଦେଖାଇ କହିଲେ,ଦେଖନ୍ତୁ,ଏଇ ହେଉଛି,ସୁବ୍ରତଙ୍କ ଘର |ଆଉ ଦେଖନ୍ତୁ,ଇଏ ହେଉଛି,ଜନ୍ମଦିନ ପାଇଁ ଆସିଥିବା କେକ ଓ ବିରିୟାନୀ |ସବୁ ସେମିତି ଥୁଆହୋଇଛି,କେହି ଖାଇ ନାହାନ୍ତି | ଏକମାତ୍ର ଝିଅକୁ ହରାଇ ସାରା ପରିବାରରେ ଶୋକର ଛାୟା ଖେଳି ଯାଇଛି |ସେ ଏହା କହୁଥିବାବେଳେ ବ୍ରେକିଂ ନ୍ୟୁଜ ଆସିଗଲା |ମୁଖ୍ୟ ସମ୍ବାଦଦାତା କହିଲେ,ଏଇମାତ୍ର ଖବର ଆସିଛି ଯେ,ଅଙ୍କିତଙ୍କୁ ଗିରଫ କରାଯାଇଛି ଓ ତାଙ୍କୁ ଚାରିଦିନିଆ ରିମାଣ୍ଡରେ ନେବାପାଇଁ ମାନ୍ୟବର କୋର୍ଟ ଅନୁମତି ଦେଇଛନ୍ତି |ଆମକୁ ମିଳିଥିବା ସଦ୍ୟ ସୂଚନା ଅନୁସାରେ କାଲି ସନ୍ଧ୍ୟା ଛଅଟାରେ ଡିସିପି ପ୍ରେସ କନଫରେନ୍ସ କରିପାରନ୍ତି |କମିଶନରେଟ ପୋଲିସର ଏହି ବିରଳ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି |

             ଗାଧୁଆ ନାହିଁ କି ଖାଇବା ନାହିଁ,ନିର୍ମଳା ଓ ହୃଷୀକେଶ ଦୁହେଁ ସେମିତି ପରସ୍ପର ମୁହଁକୁ ଚାହିଁ ସୋଫାରେ ବସିଥିଲେ |ତାଙ୍କ ଘର ପାଖରେ ଗହଳି ଲାଗିଥିଲା |ବିଭିନ୍ନ ଟିଭି ଚ୍ୟାନେଲର ରିପୋର୍ଟରମାନେ ସେଠାରେ ଥିଲେ ଓ ମଝିରେ ମଝିରେ ତାଙ୍କ ପାଖକୁ ଆସି ବିଭିନ୍ନ ପ୍ରଶ୍ନବାଣରେ ବିବ୍ରତ କରି ପକାଉଥିଲେ |ସେମାନେ କାନ୍ଦି କାନ୍ଦି 'ଆମେ କିଛି ଜାଣିନୁ,ଆମ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ"ବୋଲି ଯେତେ କହୁଥିଲେ ମଧ୍ୟ କେହି ତାଙ୍କ କଥାକୁ ବିଶ୍ୱାସ କରୁନଥିଲେ |ଏପରିକି ଯେଉଁମାନଙ୍କୁ ସେମାନେ ଅତି ଆପଣାର ଓ ସୁଖଦୁଃଖର ସାଥି ବୋଲି ଭାବୁଥିଲେ,ସେମାନେ ମଧ୍ୟ 'ନିଆଁ ନଥିଲେ,ଧୂଆଁ ବାହାରେ ନାହିଁ"ନ୍ୟାୟରେ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ |

            ପୂରା ଦିନ ଓ ପୂରା ରାତି ଦୁହିଁଙ୍କର ସେମିତି ସୋଫା ଉପରେ କଟିଗଲା  |ପରଦିନ ସକାଳ ଆଠଟା ଉପରେ ହେବ,ନନ୍ଦିନୀ ଫୋନ କଲା |କହିଲା,ଅପା,ନିୟୁଜ 36 ଲଗେଇଲୁ |ନିର୍ମଳା ଭୟଭୀତ ହୋଇ କହିଲେ,କଣ ହୋଇଛି ?ନନ୍ଦିନୀ କହିଲା,ତୁ ଆଗ ଲଗା ,ମୁଁ ଲାଇନରେ ଅଛି |ନିର୍ମଳା ତାଙ୍କ ଅବଶ ଶରୀରରେ ଶକ୍ତି ସଞ୍ଚୟ କରି ଟିଭି ଅନ କରି 'ନିୟୁଜ 36" ଲଗାଇଲେ |ସେତେବେଳେ ଜଣେ ମହିଳା ସାମ୍ବାଦିକା କେତେଗୁଡିଏ ସିସିଟିଭି ଫୁଟେଜ ଦେଖାଇ ସୌମ୍ୟା ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ କରିବାକୁ ଚେଷ୍ଟା କରୁଥିଲେ |ପ୍ରଥମ ସିସିଟିଭି ଫୁଟେଜରେ ସେ ଅଙ୍କିତ ସନ୍ଧ୍ୟା ସାତଟା ପନ୍ଦରରେ  ଅଫିସ ଛାଡିବାର ଦୃଶ୍ୟ ଦେଖାଉଥିଲେ ଓ ଦ୍ୱିତୀୟ ସିସିଟିଭି ଫୁଟେଜରେ ଅଙ୍କିତ ସାଢେ ସାତଟାରେ ଘରେ ବାଇକ ନେଇ ପ୍ରବେଶ କରୁଥିବାର ଦୃଶ୍ୟ |ତାପରେ ଆଉ ଅଙ୍କିତ ଆଉ ଘରୁ ବାହାରିନାହିଁ,ତାହା ମଧ୍ୟ ସିସିଟିଭି ଫୁଟେଜରେ ରେକଡ଼ିଂ ଥିଲା |

               ତାପରେ ସେ କହିଲେ, 'ସୁବ୍ରତଙ୍କ ଘରେ ମଧ୍ୟ ସିସିଟିଭି ଲାଗିଥିଲା |କିନ୍ତୁ ତାହା ଅନେକଦିନ ହେବ କାମ କରୁନଥିଲା ବୋଲି ସେମାନେ ପୋଲିସକୁ କହିଥିଲେ |କିନ୍ତୁ  ହତ୍ୟାକାରୀ ଯେଉଁ କାରରେ ଶବ ନେଇ ଯାଉଥିଲା,ତାର ସିସିଟିଭି ଫୁଟେଜ ଆମର ହସ୍ତଗତ ହୋଇଛି |'ରାତି ବାରଟାରେ ଜନଗହଳିଶୁନ୍ୟ ରାସ୍ତାରେ ଏକ କାର ଯାଉଥିବାର ସିସିଟିଭି ଫୁଟେଜ ସେ ଦେଖାଇଲେ |ସେ କାରଟି ସୁବ୍ରତଙ୍କର ଥିଲା |'ଆରେ ଇଏତ ସୁବ୍ରତ ସାରଙ୍କ କାର !ସେଥିରେ କିଏ ବସିଛନ୍ତି ?ଆରେ ଇଏ ତ ତାଙ୍କ ପୁଅ ସିଦ୍ଧାର୍ଥ !!' 'କିନ୍ତୁ ଏତେ ରାତିରେ ସେ  କୁଆଡେ ଯାଉଛନ୍ତି ???'ଏଥର ଦେଖନ୍ତୁ,ରାତି ସାଢେ ଗୋଟାଏ |ସେ ପୁଣି ଯେଉଁ ରାସ୍ତାରେ  ଯାଇଥିଲେ,ସେହି ରାସ୍ତାରେ ଘରକୁ ଫେରୁଛନ୍ତି !!'ଖଳାର ମାଲିକ କହିଥିଲେ,ସେ ଏକ କାରର ଶବ୍ଦ ଶୁଣିଥିଲେ,ବାଇକର ନୁହେଁ |'ଇଏ ସେହି କାର ନୁହେଁ ତ ?ଶେଷ ପ୍ରମାଣ ଆମେ ବର୍ତ୍ତମାନ ଆପଣଙ୍କୁ ଦେଖାଇବାକୁ ଯାଉଛୁ |ଆମ ପ୍ରତିନିଧି ସମ୍ବାଦ ସଂଗ୍ରହ କରିବାକୁ ଯିବାବେଳେ ତାଙ୍କ ଘର ଡ୍ରଇଂ ରୁମ କାନ୍ଥରେ ରକ୍ତ ଚିହ୍ନ ଦେଖିବାକୁ ପାଇଥିଲେ |ଜଣାପଡୁଥିଲା,ଯେପରି କାହାର ମୁଣ୍ଡ ସେଠାରେ ଜୋରରେ ବାଡେଇ ହୋଇ ଯାଇଛି |ଏହା ପୋଲିସ ନଜରକୁ  ଆସିନି କାହିଁକି ?ନାଁ କାହା ଚାପରେ ଏହାକୁ ଜାଣିଶୁଣି ଅଣଦେଖା କରି ଦିଆଯାଇଛି ??''ଖୁବଶୀଘ୍ର ସୌମ୍ୟା ମର୍ଡର ମିଷ୍ଟ୍ରି ର ପରବର୍ତ୍ତୀ ପର୍ଦ୍ଦାଫାଶ ଆମେ ଆପଣଙ୍କ ନିକଟକୁ ନେଇ ଆସିବୁ |'କ୍ୟାମେରାମ୍ୟାନ ଅଜିତ ଦାସଙ୍କ ସହ ମୁଁ ପ୍ରଜ୍ଞା ପରିଜା,ନିୟୁଜ 36 |'

           ନନ୍ଦିନୀ କହିଲା,ଦେଖିଲୁ ?ସତ୍ୟ ପାତାଳରୁ ଫୁଟି ବାହାରେ |ଏମାନେ ଯେତେ ଲୁଚେଇଲେ କଣ ହେବ ?ଆଉ ଗୋଟିଏ  ତୃତୀୟ ନୟନ ଏମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଛି,ସେକଥା ସେମାନେ ଭୁଲି ଯାଇଥିଲେ !! ନିର୍ମଳା କହିଲେ,ଏଥର ପୁଅ ମୋର ଖଲାସ ହୋଇ ଯିବ ତ ?ନନ୍ଦିନୀ କହିଲା,ହଣ୍ଡ୍ରେଡ଼ ପରସେଣ୍ଟ |ତୁ ଖାଲି ଧୈର୍ଯ୍ୟ ଧର |ନିର୍ମଳା ଠାକୁରଙ୍କୁ ମୁଣ୍ଡିଆ ମାରି କହିଲେ,ହେ ପ୍ରଭୁ,ତମକୁ କୋଟି କୋଟି ଜୁହାର |ସେ ପୁଣି  କହିଲେ,ଟିଭି ଚାନେଲର  ଏଇ ଝିଅଟିକୁ କୋଉଠି ଦେଖିବା ପରି ଲାଗୁଛି ତ !!ନନ୍ଦିନୀ କହିଲା,ତୁ ତ ସବୁ ଭୁଲି ଯାଉଛୁ !ଇଏ ଲିପିର ତଳ ଭଉଣୀ ପ୍ରଜ୍ଞା |ନିୟୁଜ 36 ରେ ଚାକିରୀ କରୁଛି |ତା ସ୍ୱାମୀ ବି ସେଇଠି ଚାକିରୀ କରୁଛି |ନିର୍ମଳା ଆଶ୍ଚର୍ଯ୍ୟ ହୋଇ କହିଲେ,ସେ ବାହାହୋଇ ଗଲାଣି ???

         ନନ୍ଦିନୀ କହିଲା,ହଁ ,ଲିପି ତ ନିଜେ ବାହାହେଲାନାହିଁ,ସେମାନଙ୍କ ବାହାଘର ଦୁଇମାସ ତଳେ କରିଛି  |ଛାଡ଼ ସେକଥା |ଏଥରକ ଶତ ଚେଷ୍ଟା କଲେ ବି, ଆମ ଅକିର କେହି କିଛି କ୍ଷତି କରି ପାରିବେ ନାହିଁ |ଦେଖାଯାଉ ଆଗକୁ କଣ ହେଉଛି !!(କ୍ରମଶଃ)

         


No comments:

Post a Comment