Wednesday, August 25, 2021

ଜୀବନସାଥୀ (ଭାଗ 47)

                      ନନ୍ଦିନୀ ଘରେ ସମସ୍ତେ ପହଞ୍ଚିବା ବେଳକୁ ଅପରାହ୍ନ ପାଞ୍ଚଟା ବାଜିବା ବାଜିବା ହେଉଥିଲା | ସୁଧାକର ଓ ସୁଲୋଚନା ଡ୍ରଇଂରୁମ ସୋଫାରେ ବସିଲେ  |ତାଙ୍କ ସହିତ ହୃଷୀକେଶ ଓ ସମର ମଧ୍ୟ ବସିଲେ |ନିର୍ମଳା ଭିତରକୁ ଚାଲିଯାଉଥିବାବେଳେ ହୃଷିକେଶ ତାଙ୍କୁ ପଛରୁ ଡାକି କହିଲେ, ତମେ କୁଆଡେ ଯାଉଛ ?ତମେ ତ ମୁଖ୍ୟ ଲୋକ,ଏଇଠି ବସ |ନିର୍ମଳା କହିଲେ,ହଉ,ବସିବି ,ଟିକେ ୱାଶ ରୁମରୁ ଆସେ | ହୃଷୀକେଶ କହିଲେ,ହଉ,ଶୀଘ୍ର ଆସ | ଆସିଲାବେଳେ ଆମ ସମସ୍ତଙ୍କ ପାଇଁ ପାଣି ଆଣିବ  |ନିର୍ମଳା ପାଣି ନେଇ ଆସିବା ପରେ ସମସ୍ତେ ପାଣି ପିଇଲେ ଓ ତାପରେ ଆଲୋଚନା ଆରମ୍ଭ ହେଲା |

                      ନନ୍ଦିନୀର ଦୁଇପୁଅ ଥିଲେ |ଜଣେ ଚତୁର୍ଥରେ ପଢୁଥିଲା ଓ ଅନ୍ୟଟି ଷଷ୍ଠରେ ପଢୁଥିଲା |ସେ ଦୁଇଜଣ, ଲିପି ,ଅଙ୍କିତ ଓ ନନ୍ଦିନୀଙ୍କ ସହିତ ଭିତର ଘରେ ବସିଲେ |ପୁଅ ଦୁଇଜଣ ବେଶି ଦୁଷ୍ଟାମୀ କରିବାରୁ,ନନ୍ଦିନୀ ସେମାନଙ୍କୁ ଟିଭି ଖୋଲି କାର୍ଟୁନ ପିକ୍ଚର ଦେଖିବାକୁ କହିଲା |ସେମାନେ ଖୁସିରେ ଟିଭି ଦେଖିବାକୁ ଦୌଡିଲେ |ତତକ୍ଷଣାତ ପ୍ରାଚୀ ସେମାନଙ୍କୁ ଅନୁସରଣ କରି ତାଙ୍କ ପାଖରେ ବସି,ସେମାନେ ଯେଉଁ କାର୍ଟୁନ ପିକ୍ଚର ଦେଖୁଥିଲେ ,ଆନନ୍ଦରେ ତାହା ଦେଖିବାକୁ ଲାଗିଲା  | 

                ସେମାନେ ଯିବାପରେ ନନ୍ଦିନୀ ଅଙ୍କିତକୁ କହିଲା,ତମେ ଦୁଇଜଣ ଗପୁଥାଅ,ମୁଁ ଟିକେ ଆସେ  |ଲିପି କହିଲା,ମାଉସୀ,ଚା' କରିବାକୁ ଯାଉଛନ୍ତି ନାଁ ?ନନ୍ଦିନୀ ଆଶ୍ଚର୍ଯ୍ୟ ହୋଇ କହିଲା,ତୁ କେମିତି ଜାଣିଲୁ ?ଲିପି ହସିଦେଇ କହିଲା,ମୁଁ ଚା' କରିବି |ନନ୍ଦିନୀ କହିଲା,ଏଇ ଶାଢ଼ୀ ପିନ୍ଧି ତୁ କେମିତି ଚା' କରିବୁ ?ଲିପି କହିଲା,ହଁ,ମୁଁ କରି ପାରିବି ମାଉସୀ |ଏହା କହି ସେ ନନ୍ଦିନୀ ପଛେ ପଛେ ଗଲା |ରୋଷେଇ ଘରେ ଲିପି ନନ୍ଦିନୀକୁ କହିଲା,ମାଉସୀ,ଏମାନେ ସମସ୍ତେ ନାଲି ଚା' ପିଇବେ |ଆପଣ ଓ ମଉସା ନାଲି ଚା' ନାଁ କ୍ଷୀର ଚା' ପିଇବେ ?ନନ୍ଦିନୀ କହିଲା,ଆରେ ବାଃ !ତୁ ତ ସମସ୍ତଙ୍କ ପସନ୍ଦ ଜାଣିଛୁ !!ସମସ୍ତେ ଯଦି ନାଲି ଚା' ପିଇବେ,ଆମେ ବି ପିଇବୁ |ସେ ଲିପି କହିବା ମୁତାବକ ତାକୁ ସବୁ ଚା' ସରଞ୍ଜାମ ଯୋଗାଇ ଦେଲା |ସସପିନରେ ଚା' ଫୁଟି ଆସିବା ବେଳକୁ ସେ ଟ୍ରେ ରେ କପ ସଜାଡି ରଖିଦେଲା |ଲିପି କହିଲା,ମାଉସୀ,ଆପଣ ଏଥର ଯାଆନ୍ତୁ ,ମୁଁ ସମସ୍ତଙ୍କୁ ଚା' ଦେଇଦେବି |ନନ୍ଦିନୀ ଖୁସି ହୋଇ ତା ପିଠି ଥାପୁଡ଼ାଇ କହିଲା,ଗୁଡ଼ ଗାର୍ଲ |

            ଅଙ୍କିତ ରୁମରେ ଏକୁଟିଆ ବସି ମୋବାଇଲ ଦେଖୁଥିଲା |ନନ୍ଦିନୀ ତା ପାଖରେ ବସିପଡି କହିଲା,ଏଥର ମତେ ସେ ଗୀତ କଥା କହ |ଅଙ୍କିତ ସ୍ମିତ ହସି କହିଲା,ପଛରେ କହିଲେ ହେବନି ?ନନ୍ଦିନୀ ମୁଣ୍ଡ ହଲେଇ କହିଲା,ନାଁ ,ଜମା ନୁହେଁ,ତୁ ମତେ କଥା ଦେଇଥିଲୁ |ଅଙ୍କିତ କିଛି ସମୟ ଭାବି କହିଲା,ମତେ ସୁନନ୍ଦା ପଟ୍ଟନାୟକଙ୍କ ଗୀତ ବହୁତ ଭଲ ଲାଗେ |ତାଙ୍କ ଗୀତରୁ  ପଦେ  ଗାଇବି |ଏହା କହି ସେ ଗାଇଲା,'ଜୀବନ ପାତ୍ର ମୋ ଭରିଛ କେତେ, ମତେ ନଦେଲ କିଛି ବୋଲି, କହିବି କି ହେ ଆଉ "|ନନ୍ଦିନୀ କହିଲା,ଏଇଟା କଣ ?ଭଜନ ?ସେମିତି ହେବନାହିଁ |ଆଜିର ଦିନକୁ ମ୍ୟାଚ କଲା ପରି ଗୀତ ଗାଇବାକୁ ପଡିବ |ଅଙ୍କିତ କହିଲା,ସେମିତି କିଛି ଗୀତ ମୋର ମନେ ନାହିଁ ମାଉସୀ |ଆଉ ଦିନେ ଗାଇବି |ନନ୍ଦିନୀ କହିଲା,ନାଁ ,ମୁଁ ବିଲକୁଲ ମାନିବିନି |ତତେ ଯେମିତି ହେଲେ ବି ମୋ ମନକୁ ପାଇଲା ଭଳି ଗୀତ ଗାଇବାକୁ ପଡିବ |ଅଙ୍କିତ ଲାଜେଇ ଯାଇ କହିଲା ,ମାଉସୀ,ତମେ ନାଁ..ହଉ ଠିକ ଅଛି ଶୁଣ |"ଆଜିକାଲି କାଇଁ ଭଲଲାଗେ,ସବୁଦିନ ସବୁରାତି ,ମତେ ମିଳିଗଲା ମୋ ଜୀବନସାଥୀ .......ତା ସ୍ଵରର ଲାଳିତ୍ୟରେ ମୁଗ୍ଧ ହୋଇ ନନ୍ଦିନୀ କହିଲା,ବାଃ !ବାଃ! ମୋ ମନ ଖୁସି ହୋଇଗଲା |ଇଏ ସିନା ଗୀତ !ଓକେ |ମେନି ମେନି ଥ୍ୟାଙ୍କସ |

             ସେତିକିବେଳେ ଲିପି ଟ୍ରେ ରେ ଚା' ନେଇ ଆସିଲା |ତାକୁ ଦେଖି ନନ୍ଦିନୀ କହିଲା,ହେଇ ଲୋ ମୋ ଲକ୍ଷ୍ମୀ ମାଆ ଆସିଲାଣି |ଲିପି ତିନିଟି କପ ଟେବଲ ଉପରେ ରଖିଦେଇ,ଟ୍ରେ ନେଇ ଡ୍ରଇଂ ରୁମକୁ ଗଲା ଓ ସମସ୍ତଙ୍କୁ ଚା' ଦେଲା |ଚା' ଦେଖି ହୃଷୀକେଶ ଖୁସି ହୋଇ କହିଲେ,ଆରେ,ତୁ ତ ମୋ ମନ ଜାଣି ଚା' ନେଇ ଆସିଲୁ !!ଭଗବାନ ତତେ କୋଟି ପରମାୟୁ ଦିଅନ୍ତୁ !ଉତ୍ତରରେ ଲିପି ଅଳ୍ପ ହସି ସେଠାରୁ ଚାଲି ଆସିଲା |

            ସେ ତାପରେ ଭିତର ଘରକୁ ଯାଇ,ନନ୍ଦିନୀ ପାଖରେ ବସିଲା ଓ ତିନିଜଣ ଚା' ପିଇବାକୁ ଲାଗିଲେ |ନନ୍ଦିନୀ ଚା' ପିଉ ପିଉ କହିଲା,କେତେ ସୁନ୍ଦର ଚା' ବନେଇଛୁ ଲୋ,ଅମୃତ ପରି ଲାଗୁଛି !! ଲିପି ହସିଦେଇ କହିଲା,ଧନ୍ୟବାଦ ମାଉସୀ |ସମସ୍ତେ ଚା' ପିଇ ସାରିବା ପରେ ଲିପି ସମସ୍ତଙ୍କ କପ ନେଇ କହିଲା,ମାଉସୀ, ରାତି ପାଇଁ ରୋଷେଇ କରିଦେବା ?ନନ୍ଦିନୀ କହିଲା, କାବୁଲି ବୁଟ ଓ ପନିର ତରକାରୀ ମୁଁ ସକାଳେ କରିଦେଇଥିଲି | ଅଟା ବି ଚକଟି ଫ୍ରିଜ ରେ ରଖିଛି |ଧୂପ ଦେଇସାରିବା ପରେ ଅପା ଆଉ ମୁଁ ମିଶି ପୁରି ଛାଣିଦେବୁ  |ଏବେ ତୁ ଅକି ସାଙ୍ଗରେ କଥା ହେଉଥାଆ,ମୁଁ ସେମାନଙ୍କ ପାଖକୁ ଯାଉଛି,ସେମାନେ କଣ କଥା ହେଉଛନ୍ତି ,ଶୁଣିଆସେ  |

                      ସେମାନଙ୍କ ପାଖକୁ ନନ୍ଦିନୀ ଯିବାବେଳକୁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା |ସେତେବେଳେ ଜାନୁୟାରୀ ମାସ ହୋଇଥିଲା |ପାଞ୍ଜି ଦେଖି ଫେବୃୟାରୀ ସାତ ତାରିଖରେ ବାହାଘର କରିବାପାଇଁ ସମସ୍ତେ  ନିଷ୍ପତ୍ତି ନେଲେ |(କ୍ରମଶଃ)



No comments:

Post a Comment