Friday, August 20, 2021

ଜୀବନସାଥୀ (ଭାଗ 42)

                  ବାଟଯାକ ନିର୍ମଳା ଅନେକକଥା ଭାବି ଚାଲିଥିଲେ |ମଝିରେ ମଝିରେ ତାଙ୍କ ଭାବନାରେ ବ୍ୟାଘାତ ଜନ୍ମାଇ ନନ୍ଦିନୀର ଫୋନ ଆସୁଥିଲା |ସେ ବାରମ୍ବାର ପଚାରି ଚାଲିଥିଲା,ଅପା,ତୁ ଏବେ କୋଉଠି ଅଛୁ |ନନ୍ଦିନୀ ଘର ପାଖ ହୋଇ ଆସିବା ବେଳକୁ ନିର୍ମଳାଙ୍କର ମନେପଡିଗଲା,ସେ ପିଲାଙ୍କ ପାଇଁ କିଛି ଆଣି ନାହାନ୍ତି |ତେଣୁ ବାଟରେ ଗାଡି ଅଟକାଇ ସେ କିଛି ଫଳ,ବିସ୍କୁଟ,ମିକଶ୍ଚର ଓ  ଚକଲେଟ କିଣିଲେ | ନନ୍ଦିନୀ ଘରେ ପହଞ୍ଚିବା ମାତ୍ରେ ନନ୍ଦିନୀ ତାଙ୍କୁ ଖୁସିରେ କୁଣ୍ଢେଇ ପକାଇଲା |ପିଲାମାନେ ସ୍କୁଲ ଯାଇଥିଲେ ଓ ନନ୍ଦିନୀର ସ୍ୱାମୀ ଅଫିସ ଯାଇଥିଲେ |ଘରେ ସୁବଳକୁ ମିଶେଇ ସେମାନେ ତିନିଜଣ ଥିଲେ |

                  ସମସ୍ତେ ମଧ୍ୟାନ୍ନ ଭୋଜନ ଖାଇ ସାରିବା ପରେ ନନ୍ଦିନୀ ପଚାରିଲା,ତୁ ଲିପି ପାଖକୁ ଆସିଛୁ ନାଁ  ଅପା ?ନିର୍ମଳା କହିଲେ,ନାଇଁ,ବହୁତ ଦିନ ହେଲା ତତେ ଦେଖିନି ତ,ସେଥିପାଇଁ ଦେଖିବାକୁ ଚାଲି ଆସିଲି  |ତୁ କହିବାରୁ,ଏବେ ଭାବୁଛି,ଲିପି  ସ୍କୁଲରୁ ଫେରିବାପରେ ତା ଘରକୁ ଟିକିଏ ଯାଇଁ ବୁଲି ଆସିବି |ନନ୍ଦିନୀ ହସି ହସି କହିଲା,ଅପା,ତୁ ମତେ ମିଛ କହୁଛୁ ନାଁ ?ଭାବୁଛୁ,ତୋ ମିଛ ମୁଁ ଧରି ପାରିବିନି |ତୋ ମୁହଁ ଦେଖି ଯେ କେହି କହିଦେବ,ତୋ ମନ ଭିତରେ କଣ ଗୋଟେ ସଂଘର୍ଷ ଚାଲିଛି |ନିର୍ମଳା କହିଲେ,ହଉ ହେଲା,ମିଛ କହିଦେଲି |ସଞ୍ଜବେଳେ ରେଡି ହୋଇଥିବୁ,ତା ଘରକୁ ଯିବା |ନନ୍ଦିନୀ କହିଲା,ହେଲେ ଅପା,ସେ ଯେଉଁ ପ୍ରଶ୍ନ ପଚାରିଥିଲା,ତା ଉତ୍ତର ତୋ ପାଖରେ ଅଛି ?

             ନିର୍ମଳା କହିଲେ,ପ୍ରଶ୍ନ ସେ ତତେ ପଚାରିଥିଲା ,ମତେ ତ ପଚାରିନି |ମତେ ପଚାରିଲେ,ମୁଁ ତା ଉତ୍ତର ଦେବି |ନନ୍ଦିନୀ କହିଲା,ଆଚ୍ଛା,କଣ ଉତ୍ତର ଦେବୁ,ମତେ ଟିକେ କହିଲୁ ?ନିର୍ମଳା କହିଲେ,ତତେ ଏବେଠାରୁ କାହିଁକି କହିବି ?ମୁଁ କଣ କହିବି,ତୁ ସେଇଠି ଶୁଣିବୁ |ନନ୍ଦିନୀ କହିଲା,ତାମାନେ ଇଏ ଗୋଟେ ସସ୍ପେନ୍ସ |ହଉ ଦେଖିବା,କୋଉ ପାଣି କୁଆଡେ ଯାଉଛି !

           ସନ୍ଧ୍ୟାରେ  ନନ୍ଦିନୀର ସ୍ୱାମୀ ଘରକୁ ଫେରିବା ପରେ ସେ ପିଲାଙ୍କ ପାଖରେ ରହିଲେ |ନନ୍ଦିନୀ ଓ ନିର୍ମଳା ଲିପି ଘରେ ପହଞ୍ଚିବା ବେଳକୁ ଦୁଇ ଭଉଣୀ ଏକାଠି ବସି ମୁଢି ଖାଉଥିଲେ |ହଠାତ ଏମାନଙ୍କୁ ଦେଖି,ଲିପି କଣ କରିବ ଜାଣି ପାରିଲା ନାହିଁ |ଅତି ବ୍ୟସ୍ତ ହୋଇ ସେ ପ୍ରାଚୀକୁ କଣ କହିଲା |ଦୁଇ ଭଉଣୀ ଆସି ସେମାନଙ୍କୁ ମୁଣ୍ଡିଆ ମାରିଲେ  |ସେମାନଙ୍କୁ ସୋଫାରେ ବସିବାକୁ କହି ଲିପି ଭିତରକୁ ଚାଲିଯାଉଥିବାବେଳେ ନିର୍ମଳା ତା ହାତ ଧରି ତାକୁ ଅଟକାଇ ଦେଇ କହିଲେ,ତୁ ମୋ ପାଖରେ ଟିକିଏ ବସ ମାଆ ,ତତେ ମୋର ବହୁତ କଥା କହିବାକୁ ଅଛି |

             ନିର୍ମଳା ଏତିକି କହୁ କହୁ ଲିପି ଆଖିରୁ ଧାରା ଶ୍ରାବଣ ବୋହିବାରେ ଲାଗିଲା |ସେ ନିର୍ମଳାଙ୍କ ପାଟିରେ ତାର ହାତ ରଖି ତାର ମୁଣ୍ଡ ହଲାଇ ନାହିଁ କରି କହିଲା,ନାଁ,ମାଉସୀ ଆପଣ ମତେ କିଛି ବି କୁହନ୍ତୁନି,ମୁଁ ଖାଲି ଆପଣଙ୍କ ଆସିବା ବାଟକୁ ଚାହିଁ ବସିଥିଲି |ଆପଣ ନ ଆସିଥିଲେ,ମୁଁ କାହାରି କଥାରେ ରାଜି ହୋଇ ନଥାନ୍ତି !ତା କଥା ଶୁଣି ନିର୍ମଳାଙ୍କ ଆଖିରୁ ଅନେକ ଦିନରୁ ଜମାଟ ବାନ୍ଧି  ରହିଥିବା ଲୋତକ ତରଳି ଅନର୍ଗଳ ଝରିବାରେ ଲାଗିଲା |ସେ ଲିପିକୁ ନିଜ ଛାତିରେ ଜାବୁଡି ଧରି କାନ୍ଦି କାନ୍ଦି  କହିଲେ,ମତେ କ୍ଷମା କରିଦେରେ  ମାଆ,ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି |ଲିପି ନିଜ ପଣତ କାନିରେ ନିର୍ମଳାଙ୍କ ଆଖିରୁ ଲୁହ ପୋଛି  କହିଲା, ମାଉସୀ,ଆପଣଙ୍କ ଉପରେ ମୋର ବହୁତ ଅଭିମାନ ଥିଲା |ଆପଣ ମୋ ପାଖକୁ ଆସିବେ ବୋଲି ମୁଁ କେବେ ଆଶା କରି ନଥିଲି |ଆପଣଙ୍କୁ ଦେଖିଲା ପରେ ମୋର ସବୁ ଅଭିମାନ ଚାଲିଯାଇଛି  |

          ନିର୍ମଳାଙ୍କୁ ଲାଗୁଥିଲା,ସତେ ଯେପରି ଲିପି ତାଙ୍କର ସେଇ ଛୋଟ ଦିନର ନିର୍ମଳା ପାଲଟି ଯାଇଛି  ,ଯିଏ ଦିନେ ଜିଦ୍ଦି ଧରି କହୁଥିଲା,ଯିଏ ମତେ ମାରିଛି,ଗାଳି ଦେଇଛି,ସେ ନ ବୁଝେଇଲେ,ମୁଁ ବୁଝିବିନି !! ଘଟଣାର ଦୃଶ୍ୟପଟ ଅଦ୍ଭୁତ ଭାବରେ ବଦଳି ଯିବାର ଦେଖି ନନ୍ଦିନୀ ଦୁଇଜଣଙ୍କୁ ତଟସ୍ଥ ହୋଇ ଚାହିଁ ରହିଥିଲା |

           ନିର୍ମଳା କହିଲେ,ମାଆ,ମୁଁ ମୋର ଅକି ପାଇଁ ତତେ ମାଗୁଛି,ତୁ ଖାଲି ହଁ କି ନାଁ କହିଦେ,ମୁଁ ତତେ ଜମା ବାଧ୍ୟ କରିବିନି |ଉତ୍ତରରେ ଲିପି ତାଙ୍କ ଛାତିରେ ଆଉଜି ପଡି, ଅତି ଆଦରରେ ତାର ଦୁଇ ହାତକୁ  ତାଙ୍କ ଗଳାରେ ଗୁଡ଼ାଇ ଦେଲା |ନିର୍ମଳା ତାଙ୍କ ଫୋନରେ  ଅକି  ନମ୍ବର ଲଗାଇଲେ |ଅଙ୍କିତ ହ୍ୟାଲୋ କହିବା ମାତ୍ରେ ସେ କହିଲେ,ତୁ ଟିକେ କଥା ହୋଇଯାଆ |ଏହା କହି ସେ ଲିପି ହାତରେ ଫୋନ ଧରାଇ ଇଶାରାରେ ଅନ୍ୟ ରୁମକୁ ଯାଇ ତାକୁ କଥା ହେବାକୁ କହିଲେ |ଲିପି ଯନ୍ତ୍ରଚାଳିତ ପରି ତାଙ୍କ ଆଦେଶ ପାଳନ କଲା |

            ଅନେକ ବର୍ଷ ପରେ ଲିପିର କଣ୍ଠସ୍ୱର ଶୁଣି ଅଙ୍କିତ ନିଜକୁ ବିଶ୍ୱାସ କରିପାରୁନଥିଲା |ସେ କିଛି କହିପାରୁନଥିଲା ,ତା ପାଟିରେ କିଛି ଭାଷା ନଥିଲା |ସେ କେବଳ କାନ୍ଦୁଥିଲା ଆଉ କାନ୍ଦୁଥିଲା |ଏପଟେ ଲିପି ତାର ପ୍ରିୟ ମଣିଷର ହୃଦୟର ଭାଷାକୁ ସଠିକ ଅନୁଭବ କରି ପାରୁଥିଲା ଓ ତା ଆଖିରୁ ମଧ୍ୟ ଅବିରତ ଲୁହଧାରା ଝରି ଯାଉଥିଲା |(କ୍ରମଶଃ) 

          

             

No comments:

Post a Comment