Friday, August 20, 2021

ଜୀବନସାଥୀ (ଭାଗ 41)

                         ବେଶ କିଛିଦିନ ପରେ ଦିନେ ଘର ସଜାଡ଼ିବାବେଳେ ନିର୍ମଳାଙ୍କ ନଜର ତାଙ୍କର  ପୁରୁଣା ଆଲବମ ଉପରେ ପଡିଗଲା |ସେଇଟି  ତାଙ୍କର ପୁରୁଣାଦିନର ବାପଘରର ଅଭୁଲା ସ୍ମୃତି ଭାବରେ ସେ ସାଇତି ରଖିଥିଲେ  |ଏହା ଭିତରେ ତାଙ୍କ  ବିବାହର ତିରିଶ ବର୍ଷ ବିତିଗଲାଣି |କେତେ ଶୀଘ୍ର ଦିନଗୁଡ଼ା ବିତିଗଲା ସତରେ !!ଏବେ ପଛକୁ ଚାହିଁଲେ,ଆଖି ପାଉନି |ବାପା ମାଆଙ୍କର କେବେଠାରୁ ସ୍ୱର୍ଗବାସ ହେଲାଣି |ସେ ସଜଡା ସଜାଡି କାମ ସେଇଠି ରଖି ଆଲ୍ବମର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ମନେ ମନେ ଅତୀତର କଥା ଭାବି ଚାଲିଥିଲେ  |ପରିବାରରେ ସେମାନେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ |ନନ୍ଦିନୀ ସମସ୍ତଙ୍କଠାରୁ ସାନ ଥିଲା |କିନ୍ତୁ ବଡ଼ଝିଅ ହିସାବରେ ନିର୍ମଳା ବାପା ମାଆଙ୍କର  ଅତି ଗେହ୍ଲା ଝିଅ ଥିଲେ |ଦିନକୁ ଅତି କମରେ ଚାରି ପାଞ୍ଚ ଥର ନ ରୁଷିଲେ,ତାଙ୍କର  ଦିନ କଟୁ ନଥିଲା |ତାଙ୍କର ଗୋଟିଏ ଅଦ୍ଭୁତ ପ୍ରକୃତି ଥିଲା |ଯିଏ ତାଙ୍କୁ ଗାଳିଦେବ ବା ଆକଟ କରିବ,ସିଏ ତାଙ୍କୁ ନ ବୁଝାଇଲା ଯାଏଁ,ତାଙ୍କ ଅଭିମାନ ଭାଙ୍ଗୁ ନଥିଲା |ସେଥିପାଇଁ ସେ ଯେତେବେଳେ ରୁଷୁଥିଲେ,ସମସ୍ତେ ମଜାରେ କହୁଥିଲେ,କିଏ ତାକୁ କଣ କହିଛ,ଶୀଘ୍ର ଯାଇ ତାକୁ ବୁଝାଅ,ନହେଲେ ରାଜକୁମାରୀ ପଥର ମୂର୍ତ୍ତି ପାଲଟି ଯିବେ |

                 ଦିନକର କଥା ;ସେଦିନ ସକାଳେ ଜଣେ ଗୁରୁତର ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଭେଟିବାକୁ ଯିବାପାଇଁ ବାପା ତର ତର ହୋଇ ବାହାରିବା ବେଳକୁ ଦେଖନ୍ତି ତ ତାଙ୍କ ଚପଲ ଯଥା ସ୍ଥାନରେ ନାହିଁ |ଏହା ନିର୍ମଳାଙ୍କ କାମ ବୋଲି ସେ ଜାଣିପାରିଲେ |କାରଣ ତାଙ୍କୁ ବ୍ୟସ୍ତ ହୋଇ ଚପଲ ଖୋଜିବାର ଦେଖି ସେ ହସି ହସି ଗଡି ଯାଉଥିଲେ | ବାପା ରାଗିଯାଇ ତାଙ୍କ କାନ ଧରି କହିଲେ,ତତେ ସବୁକଥାରେ ମଜା ଲାଗୁଛି ନାଁ ?ନିର୍ମଳା  ସାଙ୍ଗେ ସାଙ୍ଗେ ରାଗିଯାଇ ଲୁଚେଇ ରଖିଥିବା ଚପଲ ଆଣି ବାପାଙ୍କ ପାଖରେ ଫିଙ୍ଗି ଦେଇ ରୁଷିଲେ ଯେ,ଆଉ ବସିବା ସ୍ଥାନରୁ ଉଠିଲେ ନାହିଁ |

             ବାପା ଡାକ୍ତରଖାନାରୁ ଫେରିବାବେଳକୁ ଅପରାହ୍ନ ଚାରିଟା ହୋଇ ଯାଇଥିଲା |ସେପର୍ଯ୍ୟନ୍ତ ନିର୍ମଳା ରୁଷି ବସିଥିଲେ |ଖାଇବା ଦୂରର କଥା,ଦାନ୍ତ ବି ଘଷି ନଥିଲେ |କିନ୍ତୁ ବାପା ଆସି 'ମୋ ସୁନା ଧନ 'କହି ତାଙ୍କୁ ଗେହ୍ଲା କରିବା ମାତ୍ରକେ ତାଙ୍କର  ଅଭିମାନ କୁଆଡେ ମିଳେଇ ଯାଇଥିଲା  |ତାପରେ ତାଙ୍କର ଦାନ୍ତ ଘଷିବା ଠାରୁ ଆରମ୍ଭ କରି ବ୍ରେକଫାଷ୍ଟ,ଲଞ୍ଚ ,ଖେଳକୁଦ ଆଦି ଯେତେ କାର୍ଯ୍ୟକ୍ରମ ସକାଳ ପହରୁ ବାକିଥିଲା, ସବୁ ଏକା  ସାଙ୍ଗରେ ଚାଲିଲା ଯେ ଆଉ ଶେଷ ହେବାର ନାମ ନେଉ ନଥିଲା !ଏକଥା ମନେ ପଡିଯିବାରୁ ସେ ମନେ ମନେ ହସି ପକାଇଲେ |କିନ୍ତୁ ହଠାତ ତାଙ୍କୁ ଯେପରି ସମାଧାନର ସୂତ୍ର ମିଳିଯାଇଥିଲା |ଏକଥା ସେ ଯେତେ ଭାବୁଥିଲେ,ସେତେ ସେତେ  ତାଙ୍କର  ଅଡୁଆ ସୂତାର ଖିଅ ଗୋଟି ଗୋଟି ହୋଇ ଖୋଲି ଯାଉଥିଲା |ସେ ଭାବୁଥିଲେ,ଆରେ,ଏଇ ସରଳ ସୂତ୍ରଟି ତାଙ୍କ ମନକୁ କେମିତି ଆସିଲା ନାହିଁ କେମିତି ??

           ଥରେ ସେଇ ଭାବନା ତାଙ୍କ ମନକୁ ଆସିବା କ୍ଷଣି ଆଉ ତାଙ୍କ ମନ କେଉଁଥିରେ ଲାଗିଲା ନାହିଁ |ସେ ହୃଷୀକେଶଙ୍କୁ କହିଲେ,ମୁଁ କାଲି ସକାଳେ ନନ୍ଦିନୀ ପାଖକୁ ଯିବି | ଆମର ସେଇ ପୁରୁଣା ଡ୍ରାଇଭର ସୁବଳ ନନ୍ଦିନୀ ଘର ଦେଖିଛି,ସେ ମତେ ନେଇଯିବ |ହୃଷୀକେଶ ବିସ୍ମିତ ହୋଇ କହିଲେ,ପୁଣି କଣ ଗୋଟାଏ ନୂଆ ଯୋଜନା ଉଦ୍ଭାବନ କଲଣି ନାଁ କଣ ?ନିର୍ମଳା କହିଲେ,ମୁଁ କାଲି  ଯିବି,ତା ପରଦିନ ଫେରି ଆସିବି,ତମେ ମନା କରନାହିଁ,ତମ ଗୋଡ଼ ତଳେ ପଡୁଛି |ହୃଷୀକେଶ ଜାଣିପାରିଲେ,ମାମଲା ଅତି ସଙ୍ଗୀନ,ମନା କରି ହେବନାହିଁ |ସେ ସୁବଳକୁ ଫୋନ କଲେ ଓ ସୁବଳ ମଧ୍ୟ ଆସିବା ପାଇଁ ରାଜି ହୋଇଗଲା |

          ସୁବଳ ତାଙ୍କ ପରିବାର ସହିତ ଅନେକ ଦିନରୁ ପରିଚିତ ଏକ ଟାକ୍ସି ଡ୍ରାଇଭର ଥିଲା |ଯେତେବେଳେ ଯେଉଁଠିକି ସେମାନଙ୍କର ଯିବାର ହୁଏ,ସେମାନେ ସୁବଳ ଗାଡ଼ିରେ ହିଁ ଯାଆନ୍ତି |ସୁବଳ ମଧ୍ୟ ତାର ସବୁ କାମ ବାତିଲ କରି ସେମାନେ ଡାକିଲା କ୍ଷଣି ତାଙ୍କ ପାଖରେ ଆସି ହାଜର ହୋଇଯାଏ |

           ନନ୍ଦିନୀ ପାଖକୁ ଯାଇ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଚିନ୍ତାରେ ରାତିରେ ନିର୍ମଳାଙ୍କ ଆଖିକୁ ନିଦ ଆସୁ ନଥିଲା |ଯେମିତି ତିନିଟା ବାଜିଲା,ସେ ବିଛଣାରୁ ଉଠି ନିଜ କାମରେ ଲାଗି ପଡିଲେ |ପୂଜା ଶେଷକରି ଜଳଖିଆ ପ୍ରସ୍ତୁତ କରି ସାରିବା ବେଳକୁ ଛଅଟା ବାଜିଥିଲା |ଠିକ ସେତିକିବେଳେ ଆସି ସୁବଳ ପହଞ୍ଚିଗଲା |ସୁବଳକୁ ଜଳଖିଆ ଦେଇ ନିଜେ ଯାହି ତାହି ଟିକେ ପାଟିରେ ପୂରେଇ  ତାଙ୍କ ଛୋଟ ବ୍ୟାଗ ଓ ପର୍ସ ଧରି ନିର୍ମଳା ବାହାରି ପଡିଲେ |ତାଙ୍କର ଆଗ୍ରହକୁ ଦେଖି ହୃଷୀକେଶ ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି କହୁଥିଲେ,ପ୍ରଭୁ ତାର ଯାତ୍ରା ସଫଳ କର,ବିଚାରୀ ବହୁତ ଆଶାରେ ଯାଉଛି  !!!(କ୍ରମଶଃ) 

No comments:

Post a Comment