ବାସନ୍ତୀ ଯିବାପରେ,ନିର୍ମଳା ତର ତର ହୋଇ ତାଙ୍କ ନିତ୍ୟକର୍ମ ଶେଷ କରି ଠାକୁରପୂଜା କଲେ ଓ ତାପରେ ଅଙ୍କିତ ଓ ହୃଷୀକେଶଙ୍କ ପାଇଁ ରୋଷେଇ କଲେ |ହୃଷୀକେଶ ନଅଟା ବେଳକୁ ଅଫିସ ଯାଆନ୍ତି,ଅଙ୍କିତ ଦଶଟା ବେଳକୁ ଯାଏ |ହୃଷୀକେଶ ଖାଇସାରି ଅଫିସ ଯିବାପରେ ଅଙ୍କିତ ଖାଇଲା |ତାକୁ ବଳେଇ ବଳେଇ ଖୁଆଇ ସାରିବା ପରେ ନିର୍ମଳା କହିଲେ,ମତେ କ୍ଷମା କରିଦେ ବାପା,ମୁଁ ମାଆ ହୋଇ ତୋର ଶତ୍ରୁ ପାଲଟି ଗଲି |ଗୋଟେ ଚରିତ୍ରହୀନା କାଳନାଗୁଣୀକୁ ତୋ ବେକରେ ବାନ୍ଧି ତୋ ଜୀବନ ନଷ୍ଟ କରିଦେଲି !!
ଅଙ୍କିତ କହିଲା,ଯାହା ହେବାର ଥିଲା,ହୋଇ ସାରିଲାଣି |ଏବେ ଆଉ ସେକଥା କହି ଲାଭ କଣ ?ତାଛଡ଼ା ଏଥିରେ ସୌମ୍ୟାର କଣ ଭୁଲ ଅଛି ? ଯାହାସଙ୍ଗେ ତାର ବାପାମାଆ ବାହାଘର ଠିକ କରିଥିଲେ,ସେ ତା ସାଙ୍ଗେ ମିଳାମିଶା କରୁଥିଲା |ସେ ତାକୁ ଧୋକା ଦେବ ବୋଲି ସେ କଣ ଜାଣିଥିଲା ?ଏଥିରେ ସେ ବିଚାରୀର ଦୋଷ କଣ ??
ନିର୍ମଳା କହିଲେ,ବିଚାରୀ ନାଁ ଆଉ କଣ ?ବାହାଘର ଠିକ ହୋଇଥିଲା |କିନ୍ତୁ ବାହାଘର ହୋଇ ନଥିଲା ନାଁ ?ଯେଉଁ କାମ ବାହାଘର ପରେ କଲେ ସୁନ୍ଦର ଦିଶେ, ବାହାଘର ଆଗରୁ ସେ କାମ କଲେ,ସେଥିପାଇଁ ଲୋକହସା ହେବାକୁ ପଡେ |ସେକଥା ସେ ଜାଣି ନଥିଲା ନାଁ ତା ବାପାମାଆ ତାକୁ ସେକଥା ଶିଖେଇ ନଥିଲେ ??ଆପଣା ଦୋଷେ ପ୍ରାଣୀ ମରେ,ସେଥିପାଇଁ ତା ପ୍ରତି ମୋର ଜମା ସହାନୁଭୂତି ଆସୁନାହିଁ |
ଅଙ୍କିତ କହିଲା,ହେଲେ,ଏବେ ସେକଥା କହି ତମେ କଣ କରିପାରିବ ମାମା ?ଯାହା ହୋଇଯାଇଛି, ତାକୁ ତ ତମେ ଆଉ ବଦଳାଇ ଦେଇ ପାରିବ ନାହିଁ !ପ୍ଲିଜ,ସେ ବିଷୟରେ ତମେ ଆଉ ମତେ କିଛି କୁହନା,ଶୁଣିବାକୁ ଭଲ ଲାଗୁନି |
ନିର୍ମଳା କହିଲେ,ହଁ ବାପା,ଠିକ କହିଛୁ |ଲେଡି ଗୁଡ଼ କହୁଣୀକୁ ବୋହି ଯିବାପରେ ଆଉ କଣ ବାକି ଥାଏ ?
ଅଙ୍କିତ ଯିବାପରେ ନିର୍ମଳା ଗଭୀର ଭାବନାରେ ମଜ୍ଜିଗଲେ |ସେ ସକାଳୁ କିଛି ଖାଇ ନାହାନ୍ତି,ସେକଥା ମଧ୍ୟ ସେ ଭୁଲିଗଲେ |ହଠାତ ତାଙ୍କର ମନେପଡ଼ିଲା,ଯେଉଁ ବନ୍ଧୁବାନ୍ଧବ ବାହାଘରରେ ସେମାନଙ୍କୁ ବେଭାର ଦେଇଥିଲେ,ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଲୁଗା ଦିଆଯାଇନାହିଁ |ସେ ମନକୁ ମନ କହିଲେ,ଘରେ ତ ନାଟ ଲାଗିଥିଲା,ଦେଇଥାଆନ୍ତି କେତେବେଳେ ?ଯେଉଁମାନଙ୍କୁ ଲୁଗା ଦେବାକଥା ସେ ନାମ ଲେଖି,ତାକୁ ବ୍ୟାଗରେ ଭର୍ତ୍ତିକରି ଅଲମାରୀରେ ରଖିଥିଲେ |କେବଳ ସେମାନଙ୍କୁ ଦେବା ବାକିଥିଲା |ଏବେ ସେ ଫ୍ରି ଅଛନ୍ତି,ସବୁଦିନ କିଛି କିଛି ଦେଇଦେଲେ କାମ ସରିଯିବ ଭାବି ସେ ଲୁଗାଗୁଡିକୁ ଆଲମୀରାରୁ କାଢ଼ିବା ବେଳକୁ ସବା ଉପରେ ଥିବା,ନନ୍ଦିନୀର ପ୍ୟାକେଟ ଟି ଖସି ପଡିଲା |ସେ ଆଶ୍ଚର୍ଯ୍ୟ ହୋଇ ତାକୁ ଖୋଲି ଦେଖିଲେ,ନନ୍ଦିନୀକୁ ଦେଇଥିବା ଦୁଇଟିଯାକ ଶାଢ଼ୀ ତା ଭିତରେ ସେମିତି ରହିଛି |ତାଙ୍କର ମନେ ପଡିଲା,ସେ ଶାଢ଼ୀ ସହିତ ଚୁଡ଼ି,ବିନ୍ଦି,ସିନ୍ଦୂର,ଅଳତା ଓ ଖଣ୍ଡ ହଳଦୀ ଦେଇଥିଲେ | ଖୋଜି ଦେଖିଲେ,ପ୍ୟାକେଟ ଭିତରେ ତାହା ନାହିଁ |ସେ ଜାଣି ପାରିଲେ,ନନ୍ଦିନୀ ଜାଣିଶୁଣି ଅନ୍ୟ ଜିନିଷକୁ ନେଇ,ଶାଢ଼ୀ ଦୁଇଟି ଛାଡି ଦେଇ ଯାଇଛି |ପାଟଶାଢ଼ୀ ନେବାକୁ ମନାକଲା,ଏ ଦୁଇଟି ଶାଢ଼ୀ ଶ୍ରଦ୍ଧାରେ ଦେଇଥିଲେ,ତାକୁ ବି ନେଲାନାହିଁ |ସେ ସଙ୍ଗେ ସଙ୍ଗେ ନନ୍ଦିନୀକୁ ଫୋନ କଲେ |ନନ୍ଦିନୀ ଫୋନ ଉଠେଇ କହିଲା,ମୁଁ ବର୍ତ୍ତମାନ ବ୍ୟସ୍ତ ଅଛି,ଘଣ୍ଟାଏ ପରେ ଫୋନ କରିବି |
ଘଣ୍ଟାଏ ପରେ ନନ୍ଦିନୀ ଫୋନ କଲା |ନିର୍ମଳା ତାକୁ ଗାଳିଦେଇ କହିଲେ,ତୋର କଣପାଇଁ ଏତେ ଜିଦ୍ଦି କହିଲୁ ?ପାଟଶାଢ଼ୀ କିଣିବାକୁ କହି କହି ଥକିଲି ,କିଣିଲୁନି,ଶ୍ରଦ୍ଧାରେ ଦୁଇଟା ଶାଢ଼ୀ ଦେଇଥିଲି,ତାକୁ ବି ଛାଡ଼ିଦେଇ ଚାଲିଗଲୁ ?ନନ୍ଦିନୀ କହିଲା,ସତକଥା କହିବାକୁ ଗଲେ,ମୁଁ ସେ ବାହାଘରରେ ଆଦୌ ଖୁସି ନଥିଲି |ସେମିତିକା ପୁଅ ବୋଲି ସେ ବାହା ହେଲା,ଆଉ କିଏ ହୋଇଥିଲେ,ଘରଛାଡି ଚାଲିଯାଇଥାଆନ୍ତା !ତୋର ଗୋଟିଏ ବୋଲି ପୁଅ ମନରେ ଦୁଃଖ ଦେଇ ପାଇଲୁ କଣ ?
ନିର୍ମଳା କହିଲେ,କଣ ପାଇଲି ବୋଲି ପଚାରୁଛୁ ?ଶୁଣ,ମୁଁ ପାଇଲି ଧୋକା ଆଉ ପ୍ରବଞ୍ଚନା |ତାପରେ ସେ ସବୁକଥା ନନ୍ଦିନୀକୁ କହି କହିଲେ,ଭଗବାନ ଡେରି କଲେନାହିଁ,ସାଙ୍ଗେ ସାଙ୍ଗେ ମତେ ଶାସ୍ତି ଦେଇଦେଲେ |ନନ୍ଦିନୀ କହିଲା,ଆପଣା ହସ୍ତେ ଜିହ୍ୱା ଚ୍ଛେଦି,କେ ଅଛି ତାର ପ୍ରତିବାଦୀ !!ତୁ ଜାଣିଛୁ?ଲିପି ଆମ ଘରପାଖ ସ୍କୁଲରେ ଟିଚର ଅଛି |
ନିର୍ମଳା କହିଲେ,ତୁ ତାକୁ କେମିତି ଜାଣିଲୁ,ଚିହ୍ନିଲୁ ??ନନ୍ଦିନୀ କହିଲା,ମତେ 'ଅକି' ତାକଥା କହିଥିଲା |ସେ ଯେଉଁ ସ୍କୁଲର ନାଁ କହିଥିଲା ମୁଁ ସେଠାକୁ ଯାଇଥିଲି |ଭାରି ଭଲ ଝିଅ ଲୋ ଅପା |ତା ତଳଭଉଣୀ ଭୁବନେଶ୍ୱରରେ ବାପାମାଆଙ୍କ ପାଖରେ ରହି,ଜର୍ଣ୍ଣାଲିଜିମ ପଢୁଛି|ସବା ସାନ ଭଉଣୀ ତାରି ପାଖରେ ରହି,ପ୍ଲସ ଟୁ ପଢୁଛି |ଏତେ ସୁନ୍ଦର,ଗୁଣର ଝିଅକୁ ତୁ କେମିତି ହତାଦର କରିପାରିଲୁ ଅପା ??
ନିର୍ମଳା ଦୀର୍ଘନିଃଶ୍ୱାସ ଛାଡି କହିଲେ,ଯେତେବେଳେ ଦୁଃର୍ଭାଗ୍ୟ ଆସେ,ସେତେବେଳେ ବୁଦ୍ଧି ହଜିଯାଏ |ମୋର ବି ସେମିତି ବୁଦ୍ଧି ହଜି ଯାଇଥିଲା |
ନିର୍ମଳାଙ୍କ କଟା ଘା' ରେ ଚୂନ ଦେଇ,ନନ୍ଦିନୀ କହିଲା,ନାଁ ଅପା,କେତେ ପୁଣ୍ୟ କଲେ,ଭଲ ବୋହୂ ମିଳେ ;ମୋ ଜାଣିବାରେ,ସେମିତି ପୁଣ୍ୟ ତୁ କରିନୁ |(କ୍ରମଶଃ)
No comments:
Post a Comment