Tuesday, August 3, 2021

ଜୀବନସାଥୀ (ଭାଗ 25)

                              ଦୁଇସପ୍ତାହ ପରେ ରବିବାର ସକାଳ ନଅଟା ବେଳେ, ସୁବ୍ରତ ସୌମ୍ୟାକୁ ହୃଷୀକେଶଙ୍କ ଘରେ ଛାଡ଼ିଦେଇ ଗଲେ |ସୌମ୍ୟା ଆସିବାବେଳେ ବେଶ ଗମ୍ଭୀର ଥିଲା  |ପରେ ସମସ୍ତଙ୍କ ମୁହଁରେ ହସ  ଦେଖି ସେ ଖୁସି ହୋଇଗଲା ଓ ତା ମୁହଁରେ ହସ ଫୁଟି ଉଠିଲା  |ଲୁଗା ବଦଳେଇବାପାଇଁ ବେଡରୁମରେ ପ୍ରବେଶ କରି ସେ ଘରର ନୂତନ ସଂସ୍କରଣ ଦେଖି,ଟିକିଏ ରହିଗଲା | ରୁମଟି ପରିଷ୍କାର ପରିଚ୍ଛନ୍ନ ହୋଇ ବହୁତ ସୁନ୍ଦର ଦିଶୁଥିଲା |ଲୁଗା ପାଲଟି ସାରିବାପରେ  ଅଭ୍ୟାସବଶତଃ ସେ ସେହି ଖଟ ଉପରେ ତାର ପାଲଟା ଲୁଗା ପକାଇ ବାଥରୁମକୁ ଚାଲିଗଲା |କିଛିସମୟପରେ ନିର୍ମଳା ସେହି ରୁମକୁ ଉଙ୍କିମାରି ଦେଖିଲେ,ଖଟ ଉପରେ ଲୁଗା ପଡିଛି |ସେ କିଛି ପ୍ରତିକ୍ରିୟା ନକରି ଚାଲିଗଲେ |ତାଙ୍କ ପରେ  ଯେତେବେଳେ ବାସନ୍ତୀ ଆସିଲା,ସେ ଖଟ ଉପରେ ଲୁଗା ପଡିଥିବାର ଦେଖି ସୌମ୍ୟା ପାଖକୁ ଗଲା |ସୌମ୍ୟା ସେତେବେଳେ ଗୋଡ଼ ଉପରେ ଗୋଡ଼ ପକାଇ ଆରାମରେ ବସି ଟି.ଭି.ଦେଖୁ ଦେଖୁ ଚା' ପିଉଥିଲା |ବାସନ୍ତୀ ମୁହଁ ଫଣ ଫଣ କରି କହିଲା, ବୋହୂ ସାଆନ୍ତାଣୀ ମାଆ |ସୌମ୍ୟା ତା ଆଡକୁ ଚାହିଁ କହିଲା,କଣ ହେଲା ?ବାସନ୍ତୀ କହିଲା,ତମ ଲୁଗା ଭାଙ୍ଗି ରଖିଦିଅ,ମୁଁ ଝାଡୁ ପୋଛା କରିବି |ସୌମ୍ୟା ବିରକ୍ତ ହୋଇ କହିଲା,ସେମିତି ସଫା କରୁନ,କଣ ଅସୁବିଧା ହଉଛି ?ବାସନ୍ତୀ କହିଲା,ମା' କହିଛନ୍ତି ପରା,ସବୁ ଜିନିଷ ଝଡା ଝଡି କରି,ସଜାଡି ରଖିବା ପରେ  ଯାଇ ଝାଡ଼ୁପୋଛା ହବ|ମାଆଙ୍କୁ ପଚାରୁନ,ମୁଁ କଣ ମିଛ କହୁଛି ? ସୌମ୍ୟା ରାଗ ଗର ଗର ହୋଇ ତା ରୁମକୁ ଗଲା ଓ ଲୁଗା ମୋଡ଼ିମାଡ଼ି ଆଲମିରାରେ ଗୁଞ୍ଜିଦେଇ ଆସି ଗୁଣୁ ଗୁଣୁ ହୋଇ କହିଲା,କିଛି ନ କହିଲାରୁ ବେଶି ମୁହଁ ବଢି ଗଲାଣି,ଲୋକ ଚାକିରୀ ପାଉନାହାନ୍ତି,ୟାକୁ ଚାକିରୀ ଗନ୍ଧଉଛି  !

             ସେ ଯିବାପରେ ସୌମ୍ୟା ନିର୍ମଳାଙ୍କୁ କହିଲା,ମାମା ଦେଖିଲେ,ବାସନ୍ତୀ କେମିତି କଥା କହୁଛି?ବହୁତ ସାହସ ହୋଇ ଗଲାଣି |ତାକୁ ଭଲକରି ପାନେ ଦରକାର |ନିର୍ମଳା କହିଲେ,ଚୁଚୁନ୍ଦ୍ରା ମାରିଲେ ହାତ ଗନ୍ଧେଇବ,ଛୋଟଲୋକଙ୍କ ସାଙ୍ଗେ ଲାଗିଲେ,ଆମ ଇଜ୍ଜତ ଯିବ |ସେ ଯାହା କହୁଛି କହୁ,ତୁ ତା କଥା ଧରନା |ତାଙ୍କ ଉତ୍ତରରେ ସୌମ୍ୟା ସନ୍ତୁଷ୍ଟ ହେଲା |କହିଲା,ମାମା,ଜାଣିଛନ୍ତି ?ମୁଁ କାଲିଠାରୁ ମର୍ଣ୍ଣିଙ୍ଗ ୱାକରେ ଯିବି |ମୋଟି  ହୋଇ ଯାଉଛି ନାଁ,ସେଇଥିପାଇଁ |ନିର୍ମଳା କହିଲେ,ଭଲକଥା |ସକାଳ ପବନ ଦେହରେ ବାଜିଲେ,ମନ ପ୍ରଫୁଲ୍ଲ ରହିବ,ଦେହ ବି ସୁସ୍ଥ ରହିବ |ସୌମ୍ୟା ହସି ହସି କହିଲା,ହଁ,ଠିକ କହିଛନ୍ତି ମାମା,ସେଥିପାଇଁ ପରା ମୁଁ ସ୍ପେଶାଲ ଡ୍ରେସ ନେଇକରି ଆସିଛି |

                ମଧ୍ୟାନ୍ନଭୋଜନ ପାଇଁ, ସୌମ୍ୟାର ମନପସନ୍ଦ ରେଷ୍ଟୁରାଣ୍ଟରୁ ହୃଷୀକେଶ ତାର ଅତିପ୍ରିୟ ମଟନ ବିରିୟାନୀ ମଗେଇ ଥିଲେ  |ସୌମ୍ୟା ବିରିୟାନୀ ଦେଖି ଭାରି ଖୁସି ହୋଇ ଖାଇବା ଆରମ୍ଭ କଲା |ଖାଇବା ଅଧାରୁ କଣ ଭାବି ସେ ନିର୍ମଳାଙ୍କୁ କହିଲା,ମାମା,ସେଦିନ ଯଦି ଆପଣ ଚତୁର୍ଦ୍ଦଶୀ ଓପାସ କରିନଥାନ୍ତେ,ତାହେଲେ,ଆମେ ସମସ୍ତେ ଆଜି ପରି ଏକାଠି ବିରିୟାନୀ ଖାଇଥାଆନ୍ତେ ,କିଛି ବି ଅଘଟଣ ଘଟି ନଥାନ୍ତା |ତା କଥା ଶୁଣି ନିର୍ମଳାଙ୍କ ପୁରୁଣା କଥା ମନେ ପଡି ତଣ୍ଟିରେ ଖାଦ୍ୟ ଅଟକି ଗଲା |ସେ କାଶି  ଉଠିଲେ |ହୃଷୀକେଶ  ସାଙ୍ଗେ ସାଙ୍ଗେ କଥାକୁ ବୁଲେଇ ଦେଇ କହିଲେ ,ଟଗର ଗଛରେ ବହୁତ ପୋକ ହୋଇ ତୁଳସୀ ଗଛକୁ ମାଡି ଗଲାଣି |ସୌମ୍ୟା ଯେତେଥର  କହୁଥିଲା ,ମୁଁ ବିରିୟାନୀ କଥା କହୁଛି, ସେତେଥର ହୃଷୀକେଶ ସେଇ ଟଗର ଗଛରେ ପୋକ ହେବା କଥାର ପୁନରାବୃତ୍ତି କରୁଥିଲେ  |ସୌମ୍ୟା ଶେଷରେ ବିରିୟାନୀ ପ୍ରସଙ୍ଗ ଭୁଲିଯାଇ କହିଲା,ଟଗର ଗଛରେ କଣ ଏତେ ପୋକ ହୋଇଛି ??ଖାଇ ସାରିବାପରେ ମୁଁ ଦେଖିବାକୁ ଯିବି |ହୃଷୀକେଶ  ଶାନ୍ତିରେ ନିଃଶ୍ୱାସ ନେଇ କହିଲେ ,ହଁ,ନିଶ୍ଚୟ ଯିବା  |ଏବେ ଖାଇବାରେ ମନ ଦେ  |(କ୍ରମଶଃ)

  

                

        

No comments:

Post a Comment