Friday, August 27, 2021

ଜୀବନସାଥୀ (ଭାଗ 48)

                       ସମସ୍ତେ ମନଖୁସିରେ ଏକାଠି ଖାଇବାବେଳେ ଅଙ୍କିତ ହୃଷୀକେଶଙ୍କୁ କହିଲା,ବାବା,କାଲି ଆମେ ବେଳାବେଳି ଘରୁ ବାହାରିଯାଇ,ବାହାରେ ବ୍ରେକଫାଷ୍ଟ କଲେ ଭଲ ହେବନି ?ହୃଷୀକେଶ ଓ ସୁଧାକର ଏକା ସାଙ୍ଗରେ କହିଲେ,ବହୁତ ଭଲହେବ |ହୃଷୀକେଶ ନନ୍ଦିନୀ ଓ ସମରଙ୍କୁ କହିଲେ,ତମେମାନେ ବି ଆମ ସାଙ୍ଗରେ ଚାଲ,ବାହାଘର ଆଉ ଅଳ୍ପଦିନ ରହିଲା,ଆମକୁ ସପିଙ୍ଗ ରେ ସାହାଯ୍ୟ କରିବ |ସମର କୁଣ୍ଠିତ ସ୍ୱରରେ କହିଲା,ଅତି ବେଶି ହେଲେ,ଦୁଇଦିନ ପାଇଁ ମୁଁ ଯାଇପାରେ,ତାଠାରୁ ଅଧିକ ଦିନ ରହି ପାରିବିନି |କାଲି କିନ୍ତୁ ମୁଁ ଆପଣମାନଙ୍କ ସାଙ୍ଗେ  ଯାଇ ପାରିବିନି,ମତେ ଅଫିସ ଯାଇ ଛୁଟି ଆଣିବାକୁ ପଡିବ |ସମର କଥା ଶୁଣି ନିର୍ମଳାଙ୍କ ମୁହଁ ଶୁଖିଗଲା |ସମର କହିଲା,ଗୋଟେ କାମ କରିବା |ନନ୍ଦିନୀ ପିଲାଙ୍କୁ ନେଇ ଯାଉ |ମୁଁ ଅଫିସରୁ ଛୁଟି ନେଇ,ଯେମିତିହେଲେ,ସନ୍ଧ୍ୟାରେ ପହଞ୍ଚିଯିବି |ହୃଷୀକେଶ କହିଲେ,ଅଫିସ କଥା,ନିୟମ କାନୁନ ମାନିବାକୁ ପଡିବ |କିନ୍ତୁ ତମେ ଯେମିତିହେଲେ ଆସିବ ,ଛୁଟି ମିଳିଲା ନାହିଁ ବୋଲି କହିବନି |ସମର ହସି ହସି କହିଲା,ନାଁ ଭାଇ,ସେମିତି ହେବନି |

                     ଯେତେ ଚଞ୍ଚଳ କାମ ସାରିଲେ ବି ସମସ୍ତେ ବାହାରୁ ବାହାରୁ ଆଠଟା ହେଲା |ତା ଭିତରେ ନନ୍ଦିନୀ ସମର ପାଇଁ ରୋଷେଇ କରି ଦେଇଥିଲା |ସୁବଳ ଟାକ୍ସିରେ ସୁଧାକରଙ୍କ ପରିବାର ବସିଲେ ଓ ଇନୋଭାରେ ବାକି ସମସ୍ତେ ବସିଲେ |ଅଙ୍କିତର ଖୁସିର ସୀମା ନଥିଲା  | ମଝିରେ ବାରମ୍ବାର ଗାଡି ରୋକି କେତେବେଳେ ଜଳଖିଆ ,କେତେବେଳେ ଚା',ପୁଣି କେତେବେଳେ କାକୁଡି ଇତ୍ୟାଦି ସେମାନେ ଖାଉଥିଲେ |ବିଭିନ୍ନ ସ୍ଥାନ ବୁଲି ସେମାନେ ଦୁଇଟା ବେଳେ ଲଞ୍ଚ କଲେ |ଅପରାହ୍ନରେ ନାଲି ଚା' ପିଇ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା |ତା ଭିତରେ ଖୁସି ଗପ,ଫଟୋ ଉତ୍ତୋଳନ ,ଅନ୍ତାକ୍ଷରୀ ଇତ୍ୟାଦି ସବୁ ଚାଲିଥିଲା |ଏକାସାଙ୍ଗେ ଡିନର ଖାଇଦେଇ ଘରକୁ ଯିବାପାଇଁ ହୃଷୀକେଶ ସୁଧାକରଙ୍କୁ କହୁଥିଲେ |କିନ୍ତୁ ପେଟ ଖରାପ କଥା କହି,ସୁଧାକର ରାଜି ହେଲେନାହିଁ |

               ରାତି ଆଠଟା ବେଳକୁ ସମର ଆସି ପହଞ୍ଚିଗଲା |ତା ପରଦିନ କଣ କଣ କାମ ଅଗ୍ରାଧିକାର ଭିତ୍ତିରେ କରାଯିବ,ତାର ତାଲିକା  ଚୂଡାନ୍ତ କରି,ସମସ୍ତେ ରୁଟି ତରକାରୀ ଖାଇ ଶୋଇପଡିଲେ |ସକାଳେ ହୃଷୀକେଶ ଚା' ପିଇ ସମ୍ବାଦପତ୍ର ପଢୁଥିବାବେଳେ ସୁବ୍ରତଙ୍କ ଫୋନ ଆସିଲା |ସେ କହିଲେ,ମୋର ତ ଝିଅ ଚାଲିଗଲା,ତେଣୁ ସବୁଦିନ ପାଇଁ ଆପଣଙ୍କ ସହିତ ମୋର ସମ୍ପର୍କ ତୁଟିଗଲା |ଏଥର ଆପଣ ମୁଁ ଦେଇଥିବା ଟଙ୍କା ,ସୁନା ଓ ଯୌତୁକ ସାମଗ୍ରୀ ଇତ୍ୟାଦି ଯାହା ମୁଁ  ଆପଣଙ୍କୁ ବାହାଘର ବେଳେ ଦେଇଥିଲି,ସେ ସବୁ ମତେ ତାଲିକା କରି,ଫେରେଇଦେଲେ ଭଲ ହୁଅନ୍ତା |

            ତାଙ୍କ କଥା କିଏ ଶୁଣୁଛୁକି ନାହିଁ,ହୃଷୀକେଶ ଏପଟ ସେପଟ ଚାହିଁ ଦେଖିଲେ |ତାପରେ ଗେଟ ପାଖକୁ ଯାଇ କହିଲେ,ମୁଁ ଏକଥା ବହୁତ ଦିନରୁ ଭାବିଲିଣି |କାଳେ ଆପଣ ଖରାପ ଭାବିବେ,ସେଥିପାଇଁ କିଛି କହୁ ନଥିଲି |ମତେ ଆପଣ କିଛିଦିନ ସମୟ ଦିଅନ୍ତୁ, ଆସନ୍ତା ରବିବାର ସୁଦ୍ଧା ଆପଣଙ୍କର ସବୁ ଜିନିଷ ଆପଣଙ୍କ ଘରେ ମୁଁ ପହଞ୍ଚେଇ ଦେବି |ଏହାପରେ ସୁବ୍ରତ ହଁ କି ନାଁ କିଛି ନକହି ଫୋନ ରଖିଦେଲେ |

            ହୃଷୀକେଶ ତାପରେ ଆସି ପୂର୍ବପରି ଚା' ପିଇ ପେପର ପଢିବାରେ ମନଦେଲେ  |କିନ୍ତୁ ଆଉ ତାଙ୍କୁ ପେପର ପଢିବାକୁ ଇଚ୍ଛା ହେଉ ନଥିଲା |ଖୁସିର ମୁହୂର୍ତ୍ତରେ ଏକଥା ଘରେ କହି,ସେ କାହାର ମନ ଅଶାନ୍ତି କରିବାକୁ ଚାହୁଁ  ନଥିଲେ |ନନ୍ଦିନୀ  ଯିବାପରେ ଯାହାକିଛି କରିବେ ଭାବି ସେପର୍ଯ୍ୟନ୍ତ ନୀରବ ରହିବାକୁ ସେ ଉଚିତ ମନେକଲେ | (କ୍ରମଶଃ) 

No comments:

Post a Comment