Tuesday, August 3, 2021

ଜୀବନସାଥୀ (ଭାଗ 26)

                           ପରଦିନ ଭୋରରୁ ଉଠି  ଫୁଲ ତୋଳିଲାବେଳେ ଗେଟ ବାହାରେ ଏକ ଅସ୍ପଷ୍ଟ ଛାୟାମୂର୍ତ୍ତି ଏପଟ ସେପଟ ହେଉଥିବାର ଦେଖି ନିର୍ମଳାଙ୍କ ସନ୍ଦେହ ହେଲା  |ସେ ଗେଟ ପାଖକୁ ଯାଇ ଦେଖିଲେ,ଗେଟର ଚାବି  ଖୋଲାଅଛି |ସେ ନିଜେ ସବୁଦିନ ଗେଟରେ ଚାବି ଦେବାପରେ ଶୋଇବାକୁ ଯାଆନ୍ତି |କିନ୍ତୁ ଏତେ ସକାଳୁ ଚାବି ଖୋଲିଲା କିଏ ?କିଛି ଅଘଟଣ ଆଶଙ୍କା କରି ସେ ଭୟ ପାଇଗଲେ |କିନ୍ତୁ ପର ମୁହୂର୍ତ୍ତରେ ସାହସ ସଞ୍ଚୟ କରି ନିରେଖି ଚାହିଁବାରୁ  ଜାଣି ପାରିଲେ,ସୌମ୍ୟା ମର୍ଣ୍ଣିଙ୍ଗ ୱାକ କରୁଛି |ସେ ହାପ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଥିଲା |ନିର୍ମଳା  ମନକୁ ମନ କହିଲେ,ଏ ନୂଆ ଅବତାର ପୁଣି  ମୋର ଦେଖିବାକୁ ବାକି ଥିଲା ?କିନ୍ତୁ ଯେଉଁଠି ସମସ୍ୟାର ସମାଧାନ ନାହିଁ,ସେଇଠି ନୀରବ ରହିବା ଉତ୍ତମ ମନେକରି ସେଇ ଫୁଲତୋଳାରେ ମନ ଦେଲେ ଓ ତାପରେ ଚୁପଚାପ ଘରକୁ ଚାଲିଆସିଲେ |

                  ଅଧଘଣ୍ଟା ପରେ ସୌମ୍ୟା ଆସିଲା |ଝାଳରେ ତାର ଦେହ ଓଦା ହୋଇ ଯାଇଥିଲା |ସେ ନିର୍ମଳାଙ୍କୁ କହିଲା,ଆଜି ମୁଁ ବହୁତ ଚାଲିଲି ମାମା |ନିର୍ମଳା ଉତ୍ତର ଦେଲେ,ବହୁତ ଭଲ କଲୁ ମାଆ |ସେ ପୁଣି କହିଲା,ମାମା,କେଟଲରେ ପାଣି ଗରମ ଅଛି ?ମୁଁ ଉଷୁମ ପାଣି ପିଇଥାନ୍ତି |ନିର୍ମଳା କହିଲେ,ହଁ,ପାଣି ଗରମ ଅଛି |ତୁ ଝାଳରେ ବୁଡି ଯାଇଛୁ ,ଆଗେ ଡ୍ରେସ ଚେଞ୍ଜ କରି ଆସ,ତାପରେ ପିଇବୁ |

            ସୌମ୍ୟା ତାର ପୋଷାକ ବଦଳେଇ,ଏକ ଢିଲା ମାକ୍ସି ପିନ୍ଧି ଆସିଲା |ରୋଷେଇଘରେ ନିର୍ମଳା  ତାପାଇଁ ଗ୍ଲାସରେ ରଖିଥିବା ଉଷୁମ ପାଣି ପିଉ ପିଉ ସେ ତାଙ୍କୁ  କହିଲା,ମାମା,ଛଅଟା ବାଜିଲାଣି,ୟାଙ୍କୁ ଉଠେଇ ଦେବି  ?ନିର୍ମଳା ସେଠାରୁ ଯାଉ ଯାଉ ଈଷତ ବିରକ୍ତ ହୋଇ କହିଲେ,ଉଠାଉନୁ,ମତେ କଣ ପଚାରୁଛୁ?ତାପରେ ସେ ତାଙ୍କର କାମରେ ବ୍ୟସ୍ତ ହୋଇଗଲେ |

                ସବୁଦିନ ପରି ସେଦିନ ମଧ୍ୟ ଅଙ୍କିତ ଟିଭି ରୁମରେ ଆରାମରେ ଶୋଇ ପଡିଥିଲା |ସୌମ୍ୟା ସେଠାକୁ ଯାଇ ତାକୁ ବଡ଼ ପାଟିରେ ଡାକିଲା,ଶୀଘ୍ର ଉଠ,ଏତେବେଳ ଯାଏଁ କଣ ଶୋଇଛ ?ମାମା ଡାକୁଛନ୍ତି |ଅଙ୍କିତ ତା କଥା ଶୁଣି ନ ଶୁଣିବା ପରି କଡ଼ ଲେଉଟାଇ ଶୋଇ ପଡିଲା |ଏତିକିରେ ସୌମ୍ୟା ରାଗିଯାଇ ରୋଷେଇଘରକୁ ଗଲା ଓ ଗୋଟିଏ ଷ୍ଟିଲ ଚଟୁ କୁ ଗ୍ୟାସରେ ଜୋରରେ ତତେଇ ଆଣି ଅଙ୍କିତ ଗୋଡ଼ରେ  ଚିଆଁ ଦେଇଦେଲା |ଅଙ୍କିତ ଯନ୍ତ୍ରଣାରେ ଚିତ୍କାର କରି ଗୋଡ଼ ଛାଟି ଦେଲା ଓ ତାହା ସୌମ୍ୟା ଜଙ୍ଘରେ ବାଜିଲା |ସେ ଭେଁ କରି ରଡି ଛାଡି କାନ୍ଦିବାକୁ ଲାଗିଲା || ଅଙ୍କିତର ଚିତ୍କାର ଓ ସୌମ୍ୟାର କାନ୍ଦ ଶୁଣି ନିର୍ମଳା  ସେଠାକୁ ଦୌଡ଼ି ଯାଇ ଦେଖିଲେ,ଅଙ୍କିତ ହାତରେ ଚିଆଁ ଲାଗିଛି ଓ ସୌମ୍ୟା ହାତରେ ଏକ ଷ୍ଟିଲ ଚଟୁ ଧରି ତା ଜଙ୍ଘ ଆଉଁସି କାନ୍ଦୁଛି  |ତାଙ୍କୁ ଦେଖି ସୌମ୍ୟା ସେମିତି କାନ୍ଦି କାନ୍ଦି କହିଲା,ମାମା,ସେ ମତେ ଗୋଇଠା ମାରିଲେ |ତା କଥା ନ ସରୁଣୁ ଅଙ୍କିତ ଚିଆଁ ଲାଗିଥିବା ତାର ଗୋଡ଼କୁ ନିର୍ମଳାଙ୍କୁ ଦେଖାଇ କହିଲା,ମତେ ଉଠେଇବାକୁ ତମେ ତାକୁ କହିଥିଲ ନାଁ ?ଦେଖ,ସେ ମତେ କେମିତି ଉଠେଇଛି !ଚିଆଁ ଦେଇ ମୋ ଗୋଡ଼ରୁ ଛାଲ ଉତ୍ତାରି ଦେଇଛି | 

               ଏହା ଦେଖି,ନିର୍ମଳାଙ୍କ ରାଗ ପଞ୍ଚମକୁ ଉଠିଗଲା |ସେ ବିରକ୍ତ ହୋଇ ସୌମ୍ୟାକୁ କହିଲେ,ଅଲକ୍ଷଣୀ,ତୋରି ହାତରେ ମୋ ପୁଅର ଜୀବନ ଯିବ |ବାସ ,ତାପରେ ଆଉ କଣ ?ସାଙ୍ଗେ ସାଙ୍ଗେ  ସୌମ୍ୟାର ଅଧିବେଶନ ଆରମ୍ଭ ହୋଇଗଲା |ସେ କାନ୍ଦି କାନ୍ଦି କହିଲା,ଏ ଘରେ ମତେ କେହି ଭଲ ପାଆନ୍ତି  ନାହିଁ |ମୋର ଆଉ ବଞ୍ଚିବା ଦରକାର ନାହିଁ,ଆଜି ମୁଁ ମରିବି |ଏତିକି କହି ସେ ମଶା ନିବାରକ ଲିକ୍ୟୁଡ଼ ବୋତଲ ଖୋଜିଲା |ତାକୁ ନପାଇ ଫିନାଇଲ ଖୋଜିଲା |ତାକୁ ବି ପାଇଲାନି |ଶେଷରେ ରୋଷେଇଘରେ ତାକୁ ଏକ ଛୁରୀ  ମିଳିଗଲା |ସେ ତାକୁ ଡାହାଣ ହାତରେ ଧରି କିଛି କାଣ୍ଡ କରିବା ପୂର୍ବରୁ,ନିର୍ମଳା ପଛପଟୁ ଆସି ତାକୁ କାବୁ କରିନେଲେ  ଓ ଏହି ଅବସରରେ ଅଙ୍କିତ ଛୋଟେଇ ଛୋଟେଇ ଆସି ତା ହାତରୁ ହୁସିଆରରେ ଛୁରୀ ଛଡ଼େଇ ନେଇ ଲୁଚେଇ ଦେଲା  |(କ୍ରମଶଃ)

     

No comments:

Post a Comment