Tuesday, August 17, 2021

ଜୀବନସାଥୀ (ଭାଗ 39)

                            ସୁଧାକରଙ୍କ ଘରୁ ଫେରିବାପରେ ଉଭୟ ହୃଷୀକେଶ ଓ ନିର୍ମଳା ବହୁତ ଖୁସି ଥିଲେ |ଘରେ ପହଞ୍ଚି ନିର୍ମଳା ଲୁଗା ବଦଳେଇବା ପୂର୍ବରୁ ନନ୍ଦିନୀକୁ ଫୋନ କରି ସବୁକଥା କହିଲେ ଓ ଆଉ ମଧ୍ୟ କହିଲେ ଯେ,ଲିପିକୁ ରାଜି କରାଇବା ଦାୟିତ୍ତ୍ୱ ନନ୍ଦିନୀର |ନନ୍ଦିନୀ ନିର୍ମଳାଙ୍କ କଥା ଶୁଣି ବହୁତ ଖୁସି ହୋଇଗଲା |କହିଲା,ତୁ ବ୍ୟସ୍ତ ହୁଅନା |ସେମାନେ ଆଜି ଲିପି ସାଙ୍ଗେ ନିଶ୍ଚୟ କଥା ହେବେ |ମୁଁ ଦୁଇ ଚାରିଦିନ ଛାଡି କିମ୍ବା ଆସନ୍ତା ରବିବାର ଦିନ ତାଙ୍କ ଘରକୁ ଯାଇ କଥା ହେବି |

               ନିର୍ମଳା ହଉ କହି ଫୋନ ରଖିଦେଲେ |କିନ୍ତୁ ତାଙ୍କୁ ସାତଟା ଦିନ ସାତଟା ଯୁଗ ପରି ଲାଗୁଥିଲା |ଚାହୁଁ ଚାହୁଁ  ରବିବାର ଆସିଗଲା |ସକାଳେ  ନିର୍ମଳା ନନ୍ଦିନୀର ଏକ ମେସେଜ ପାଇଲେ,ଯେଉଁଥିଲେ ସେ "ଲିପି ଘରକୁ ଯାଉଛି" ବୋଲି ଲେଖିଥିଲା | ତାକୁ ପଢି ନିର୍ମଳାଙ୍କ ମନ ଖୁସି ହୋଇଗଲା |ସେ ମନେ ମନେ କେତେ କଣ ଭାବିଗଲେ |ଉତ୍କଣ୍ଠାରେ ତାଙ୍କର ଭୋକ ଶୋଷ ମରିଯାଇଥିଲା  ଓ ସବୁ କାମ ଭୁଲଭାଲ ହୋଇଯାଉଥିଲା | ଅନ୍ୟମନସ୍କ ହୋଇ  ଜିନିଷ ସବୁ ତାଙ୍କ ହାତରୁ ବାରମ୍ବାର ଖସି ପଡୁଥିଲା  |ସେ ମନେ ମନେ  କେବଳ ନନ୍ଦିନୀର ଫୋନକୁ ଅପେକ୍ଷା କରି ବସିଥିଲେ  |

              ମଧ୍ୟାନ୍ନ ଯାଇ ସନ୍ଧ୍ୟା ଉପନୀତ ହେଲା,କିନ୍ତୁ ନନ୍ଦିନୀର ଫୋନ ଆସିଲାନି |ନିର୍ମଳାଙ୍କ ମନକୁ ପାପ ଛୁଇଁଲା |ସେ ଭାବୁଥିଲେ,ନନ୍ଦିନୀ ଯାଉଛି ବୋଲି କହି କଣ ଗଲାନାହିଁ ??ତାଙ୍କର ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା |ସେ ନନ୍ଦିନୀକୁ ଫୋନ ଲଗାଇଲେ |ଦୁଇ ତିନିଟା କଲ କରିବା ପରେ ନନ୍ଦିନୀ ଫୋନ ଉଠାଇଲା |ସେ ହ୍ୟାଲୋ କହିବା ମାତ୍ରେ ନିର୍ମଳା କହିଲେ,ଫୋନ ଟା ଉଠେଇବାକୁ ତତେ ଏତେ କଷ୍ଟ ଲାଗୁଛି ?ତୁ ମତେ ଫୋନ କରିବୁ ବୋଲି କହିଥିଲୁ ନାଁ ?ଆଜି ତା ଘରକୁ ତୁ ଗଲୁନାହିଁ ??

                  ନନ୍ଦିନୀ କହିଲା,ହଁ ଅପା ଯାଇଥିଲି |କିନ୍ତୁ ସେ ବାହାହେବାପାଇଁ ମନା କରିଦେଲା |ନନ୍ଦିନୀ କଥା ଶୁଣି ନିର୍ମଳାଙ୍କ ହୃତସ୍ପନ୍ଦନ ବଢିଗଲା |ସେ କିଛି କହିବା ପୂର୍ବରୁ ନନ୍ଦିନୀ ପୁଣି କହିଲା,ଲିପି କହିଲା,ଆଜି ସିନା ସୌମ୍ୟା ଚାଲିଗଲା ବୋଲି,ଯଦି ସେ ବଞ୍ଚିଥାଆନ୍ତା,ତାହେଲେ କଣ ହୋଇଥାନ୍ତା ?କିମ୍ବା ତାର ମୁଣ୍ଡଦୋଷ ନଥାଇ ସେ ଯଦି ସବୁ ଦିଗରୁ ଭଲ ହୋଇଥାଆନ୍ତା ,ତାହେଲେ କଣ ହୋଇଥାଆନ୍ତା ?ପ୍ରଥମ ପସନ୍ଦରେ ରିଜେକ୍ଟ ହୋଇଯିବାପରେ ମୁଁ ଆଉ ଦ୍ୱିତୀୟ ପସନ୍ଦରେ ଗ୍ରହଣୀୟ ହେବାକୁ ଚାହୁଁନି ଓ ପ୍ରତ୍ୟାଖ୍ୟାନର ଲାଂଛନାକୁ ମୁଁ ଆଦୌ ଭୁଲି ପାରୁନି କି ଭୁଲି ପାରିବିନି ମଧ୍ୟ |

              ନିର୍ମଳା ନୀରବରେ ନନ୍ଦିନୀର କଥା ଶୁଣି ଯାଉଥିଲେ |ନନ୍ଦିନୀ କହିଲା,ମୁଁ ତତେ ଏଇଥିପାଇଁ ଫୋନ କରୁନଥିଲି |ତାକୁ ମୁଁ ବହୁତ ବୁଝେଇଲି  |କିନ୍ତୁ ସେ ଜମା ବୁଝିଲାନି,ମୋର ସବୁ କଥାକୁ ଯୁକ୍ତି ଦେଇ,କାଟି ଦେଲା  |

             ନନ୍ଦିନୀର ପ୍ରତିଟି ବାକ୍ୟ ନିର୍ମଳାଙ୍କ ହୃଦୟରେ ବିଷ ବାଣ ପରି ଭେଦ କରି ଯାଉଥିଲା | ସବୁ ଆଶା ସ୍ୱପ୍ନ ତାଙ୍କର ଚୁରମାର ହୋଇ ଯାଉଥିଲା ଓ ଏହା ଭିତରେ କେତେବେଳେ ତାଙ୍କ ହାତରୁ ମୋବାଇଲଟି  ଖସି ପଡିଥିଲା ସେ ନିଜେ ବି ଜାଣି ପାରିନଥିଲେ |(କ୍ରମଶଃ)

No comments:

Post a Comment