Tuesday, August 24, 2021

ଜୀବନସାଥୀ (ଭାଗ 46)

                            ତାଙ୍କ ପାଖରେ ଥିବା ହୃଷୀକେଶ ତାଙ୍କୁ ସାହାରା ଦେଇ କହିଲେ,ଦେଖିଚାହିଁ ଚାଲୁନ ?ଆଉ ଟିକକରେ ମୁଣ୍ଡ ଫାଟି ଦୁଇଫାଳ ହୋଇ ଯାଇଥାଆନ୍ତା !ଏତେ  ଜୋରରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯାଇଥିବ ବୋଲି ନିର୍ମଳା ଭାବିଥିଲେ |କିନ୍ତୁ ସୌଭାଗ୍ୟକ୍ରମେ ସେମିତି କିଛି ଅଶୁଭ ଘଟଣା ଘଟି ନଥିଲା |କଣ ହେଲା କହି, ସୁଲୋଚନା କ୍ଷିପ୍ର ଗତିରେ ତାଙ୍କ ପାଖକୁ  ଆସି ତଳୁ ଚଷମା ଉଠେଇ ତାଙ୍କ ହାତରେ ଦେଲେ ଓ ତାଙ୍କୁ ଆଉଁସି ପକାଇ  କହିଲେ,ଅପା,ଠିକ ଠାକ ଅଛନ୍ତି ତ ?ତାଙ୍କ ପରେ ପରେ ସେଠାକୁ ଅଙ୍କିତ,ଲିପି ,ନନ୍ଦିନୀ, ସମର ଓ ସୁଧାକର ଆସି ତାଙ୍କୁ ଘେରିଗଲେ |

                  ସେମାନଙ୍କୁ ଦେଖି,ନିର୍ମଳା ଅଳ୍ପ ହସି କହିଲେ, କିଛି ହୋଇନି,ମୁଁ ଠିକ ଅଛି,ଚାଲ ଯିବା |ଏସବୁ ଘଟଣା ଲକ୍ଷ୍ୟ କରୁଥିବା ଜଣେ ବୟସ୍କ ପୂଜାରୀ ନନା ନିର୍ମଳାଙ୍କୁ କହିଲେ,ଏହି ଠାକୁର ଭାରି ପ୍ରତ୍ୟକ୍ଷ ମା' |ଦୁର୍ଘଟଣା ମାଧ୍ୟମରେ ସେ ଆପଣଙ୍କୁ କିଛି ସନ୍ଦେଶ ଦେଇଛନ୍ତି |ନିର୍ମଳା ତାଙ୍କୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁବାରୁ ସେ କହିଲେ,ଆଗକୁ ଆପଣଙ୍କର  ବହୁତ ବଡ଼ ବିପଦ ଆସିବାର ଅଛି |ତାଙ୍କ କଥା ଶୁଣି ଭୟରେ ନିର୍ମଳାଙ୍କ ଗୋଡ଼ହାତ ଥରିବାକୁ ଲାଗିଲା |ନନା ହସି ଦେଇ କହିଲେ,ବ୍ୟସ୍ତ ହେବାର ନାହିଁ ,ବିପଦ ପଥର ପରି ଆସି ପତର ପରି ଉଡିଯିବ |ଆପଣମାନଙ୍କୁ ଖାଲି ଟିକେ ସତର୍କ ରହିବାକୁ ପଡିବ |ନିର୍ମଳା  ସେହିକ୍ଷଣି ନନାଙ୍କୁ ମୁଣ୍ଡିଆ ମାରି ତାଙ୍କ ପାଦଧୂଳୀ ନେଇ କହିଲେ,ଆପଣଙ୍କ ଆଶୀର୍ବାଦରେ ଆମର ସବୁ ବାଧାବିଘ୍ନ ଦୂର ହୋଇଯିବ,ସବୁ ଅଶୁଭ ଶୁଭ ହୋଇଯିବ | 

                  ପରେ ପରେ ନିର୍ବନ୍ଧ କାମ ଆରମ୍ଭ ହୋଇ ବିନା ବାଧାବିଘ୍ନରେ ଶେଷ ହେଲା |ନନାଙ୍କ ନିର୍ଦ୍ଦେଶରେ ସମସ୍ତେ ଠାକୁରଙ୍କୁ ମୁଣ୍ଡିଆ ମାରିଲେ | ନିର୍ମଳା ଠାକୁରଙ୍କୁ  ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ କହିଲେ,ପ୍ରଭୁ ଆମ ଦୁଇ ପରିବାରଙ୍କୁ ଘଣ୍ଟ ଘୋଡାଇ ରଖ ,ତୁମ ଚରଣରେ ଏତିକି ମିନତୀ | ସେ ତାପରେ  ଅଙ୍କିତକୁ କହିଲେ,ତମେ ଦୁଇଜଣ ନନାଙ୍କୁ, ସବୁ ଗୁରୁଜନଙ୍କୁ ଓ  ମନ୍ଦିରର ସବୁ ଦେବାଦେବୀଙ୍କୁ ପ୍ରଣାମ କରି ଆସ,ଆମେ ଏଇଠି ଅଛୁ | ଅଙ୍କିତ ସମ୍ମତ୍ତି ଜଣାଇବାବେଳେ ତା ମୁଖମଣ୍ଡଳର ପ୍ରଫୁଲ୍ଲତା ଓ ଉଜ୍ଜଳତାକୁ ଦେଖି ନିର୍ମଳାଙ୍କ ମନ ପ୍ରସନ୍ନତାରେ ଭରିଗଲା | ଲିପି ଓ ଅଙ୍କିତ ଯେତେବେଳେ ନନାଙ୍କୁ ଓ ସମସ୍ତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ସମସ୍ତ ଦେବାଦେବୀଙ୍କୁ ଭକ୍ତି ସହକାରେ ମୁଣ୍ଡିଆ ମାରୁଥିଲେ,ନିର୍ମଳା ଏକ ଲୟରେ ସେମାନଙ୍କୁ ଚାହିଁ ରହିଥିଲେ |ମନେ ମନେ ଈଶ୍ୱରଙ୍କୁ ଗୁହାରି କରି କହୁଥିଲେ,ମୋ ପିଲାମାନେ ତମକୁ ଲାଗିଲେ,ପ୍ରଭୁ,ତମେ ହିଁ ଏକା ସାହା ଭରସା !!!

               ଏହାପରେ  ସମସ୍ତେ ଏକାସାଙ୍ଗରେ ବସି,ମନ୍ଦିରରେ ପ୍ରସାଦ ସେବନ କଲେ |ହୃଷୀକେଶ ସୁଧାକରଙ୍କୁ କହିଲେ,ଆଜି ତ ଆମର କାହାରି ଭୁବନେଶ୍ୱର ଫେରିବାର ନାହିଁ |ଏବେ ସମସ୍ତେ ନନ୍ଦିନୀ ଘରକୁ ଯିବା |ସେଇଠି ବାହାଘର ବିଷୟରେ ଆଲୋଚନା କରିବା |ତାପରେ ସମସ୍ତେ ଏକାଠି ଡିନର ଖାଇବା  |କାଲି ସକାଳେ  ବ୍ରେକଫାଷ୍ଟ ଖାଇ ଆମେ ସମସ୍ତେ ଏକା ସାଙ୍ଗରେ ବାହାରି ଯିବା,ନାଁ କଣ କହୁଛନ୍ତି ? ସୁଧାକର କହିଲେ,ଆପଣ ଠିକ କହୁଛନ୍ତି,କିନ୍ତୁ ଡିନର କାର୍ଯ୍ୟକ୍ରମ ଏଥିରୁ ବାଦ ଦେଲେ ଚଳନ୍ତା ନାହିଁ ?ସମସ୍ତେ କ୍ଲାନ୍ତ ହୋଇଛନ୍ତି,ଅଯଥା ଆପଣମାନଙ୍କୁ ହଇରାଣ କରିବା କଥା !ହୃଷୀକେଶ କହିଲେ,ସେମିତି କେମିତି ହେବ ?ଆପଣମାନଙ୍କୁ ନ ଖୁଆଇ ଆମେ କଣ ଛାଡି ପାରିବୁ ?ଆମର ଆଲୋଚନା ସରୁ ସରୁ ରୋଷେଇ ସରି ଯାଇଥିବ,ତାପରେ ଆପଣମାନେ ଖାଇଦେଇ ଘରକୁ ଯାଇ ଖାଲି ଶୋଇବା କଥା |ଏ ସୁଯୋଗ କଣ ବାରବାର ଆସିବ ?ତାଙ୍କ କଥା ଶୁଣି ସୁଧାକର ଖୁସି ହୋଇ କହିଲେ,ହଉ ଠିକ ଅଛି,ଯାହା ଆପଣଙ୍କ ଇଚ୍ଛା |(କ୍ରମଶଃ)

                 

                     

                

No comments:

Post a Comment