Monday, August 16, 2021

ଜୀବନସାଥୀ (ଭାଗ 38)

                          ଲିପିଙ୍କ ଘର ପାଖରେ ଅଟୋ ରହିବାପରେ ନିର୍ମଳା ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି କହିଲେ,ପ୍ରଭୁ,କିଛି ଅଘଟଣ ନଘଟୁ | ହୃଷୀକେଶ ତାଙ୍କୁ କହିଲେ,ତମେ ତାଙ୍କୁ ୟାଡୁ ସାଡୁ କିଛି କହିବ ନାହିଁ | ଆମର ପ୍ରଥମ ଦାୟିତ୍ତ୍ୱ ହେଲା,ଅକି କୁ ଦୋଷମୁକ୍ତ କରି ତାର ଜୀବନ ବଞ୍ଚାଇ ଥିବାରୁ,ସେମାନଙ୍କୁ ଆମେ ଆମର କୃତଜ୍ଞତା ଜଣାଇବା | ଆମେ ତାଙ୍କର ଯୋଗ୍ୟ କି ନୁହେଁ,ସେକଥା ପରେ ଚିନ୍ତା କରିବା |

                   ସେମାନେ ଏପରି କଥା ହେଉ ହେଉ ଲିପିର ବାପା ସୁଧାକର ବାହାରକୁ  ଆସି ସେମାନଙ୍କୁ ନମସ୍କାର କରିବା ପୂର୍ବରୁ ହୃଷୀକେଶ ଓ ନିର୍ମଳା ଦୁହେଁ ତାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲେ |ସୁଧାକର ପ୍ରତି ନମସ୍କାର ଜଣାଇ ଲଜ୍ଜିତ ହୋଇ କହିଲେ,ଆପଣ ଏ କଣ କରୁଛନ୍ତି ?ହୃଷୀକେଶ କହିଲେ,ଆପଣ ଆମ ପ୍ରତି ଯେଉଁ ଉପକାର କରିଛନ୍ତି,ଆପଣଙ୍କ ପାଦତଳେ ପଡି ମୁଣ୍ଡିଆ ମାରିଲେ ବି ଯଥେଷ୍ଟ ହେବନାହିଁ |

                ଲିପିର ମାଆ ବାହାରକୁ ବାହାରି ଆସି କହିଲେ,ଭିତରକୁ ଆସନ୍ତୁ,ସେମିତି ବାହାରୁ ବାହାରୁ ଚାଲିଯିବେ ନାଁ କଣ ?ସୁଲୋଚନାଙ୍କୁ ବି ଦୁହେଁ ନତମସ୍ତକ ହୋଇ ନମସ୍କାର ଜଣାଇଲେ |ସେମାନେ ଭିତରକୁ ଯାଇ ସୋଫାରେ ବସିବା ପରେ,ନିର୍ମଳା ମିଠା ପ୍ୟାକେଟ ସୁଲୋଚନାଙ୍କୁ ଦେଲେ ଓ କହିଲେ,ଭଉଣୀ,ଆପଣଙ୍କ ଋଣ ଆମେ ସାତଜନ୍ମରେ ଶୁଝି ପାରିବୁ ନାହିଁ |ସୁଲୋଚନା କହିଲେ,ସେମିତି କୁହନ୍ତୁ ନାହିଁ |ଆମେ ଅକିଙ୍କୁ ଛୋଟ ବେଳୁ ଜାଣିଛୁ   |ସେ ଯେ ଏପରି କାମ କରିନଥିବେ,ଏ ଦୃଢ଼ବିଶ୍ୱାସ ଆମର ଥିଲା |ଲିପି ହିଁ ପ୍ରଜ୍ଞାକୁ ବାଧ୍ୟ କରିବାରୁ ସେ ପୁଙ୍ଖାନୁପୁଙ୍ଖ ଭାବରେ ଅନୁସନ୍ଧାନ କରି ସତ୍ୟକୁ ପଦାକୁ ଆଣିପାରିଥିଲା |ଏଥିପାଇଁ ସାରା ରାତି ଅନିଦ୍ରା ରହି,ତାକୁ ବହୁତ କଷ୍ଟ କରିବାକୁ ପଡିଛି |ତାର ସଫଳତା  ପାଇଁ ଆଜି ତାଙ୍କ ଚ୍ୟାନେଲର ଟିଆରପି ବଢି ଯାଇଛି |

            ହୃଷୀକେଶ କହିଲେ,ନହେବ ବା କାହିଁକି ?ସେ କଣ ଛୋଟିଆ କାମ କରିଛି ?ଆପଣମାନଙ୍କ ଶିକ୍ଷା,ସଂସ୍କାର ସେ ପାଇଛି |ତା ଛଡ଼ା ଏଇ ଲାଇନରେ ନିର୍ଭିକତା ଓ ସାହସିକତା ନିହାତି ଦରକାର |ଯେଉଁଟା ତା ପାଖରେ ଅଛି ବୋଲି ସେ ପ୍ରମାଣ କରି ଦେଖାଇ ଦେଲା  |ଯାହା କୁହନ୍ତୁ ପରିଜା ବାବୁ ,ଆପଣଙ୍କ ତିନି ଝିଅ ଯାକ ଗୋଟିଏ ଗୋଟିଏ ରତ୍ନ |ସର୍ବଶ୍ରେଷ୍ଠ ରତ୍ନ ହେଉଛି ଲିପି |କେତେ ଜନ୍ମର ପୁଣ୍ୟ ଫଳରେ ଆପଣ ତାକୁ ଝିଅ ରୂପେ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି !

          ଇତି ମଧ୍ୟରେ ସୁଲୋଚନା ସେମାନଙ୍କ ପାଇଁ ଚା' ଆଣିଲେ |ସମସ୍ତେ ଚା' ପିଉ ପିଉ ନିର୍ମଳା କଣ ଭାବି,ଚା' କପ ଟ୍ରେ ରେ ରଖି, ସୁଲୋଚନାଙ୍କ ହାତ ଧରି ପକାଇ  କହିଲେ,ଭଉଣୀ,ଗୋଟିଏ କଥା କହିବି,ଆପଣ କିଛି ଖରାପ ଭାବିବେ ନାହିଁ ତ ?ସୁଲୋଚନା କହିଲେ,ସେମିତି କାହିଁକି କହୁଛନ୍ତି ?କୁହନ୍ତୁ |ନିର୍ମଳା ଥର ଥର କଣ୍ଠରେ ଦୁଇହାତ ଯୋଡି କହିଲେ,ଅକି ପାଇଁ,ଆପଣଙ୍କ ଲିପିକୁ ମୁଁ ଭିକ ମାଗୁଛି |ସୁଲୋଚନା ତାଙ୍କ କଥା ଶୁଣି କିଛିସମୟ ନୀରବ ରହିଗଲେ |ତାପରେ କହିଲେ,ଲିପି କଣ ରାଜି ହେବ ?ସେ ରାଜି ହେଲେ ଆମେ ରାଜି |ସତ କହିବାକୁ ଗଲେ,ଝିଅର ଇଛା ବିରୁଦ୍ଧରେ ଆମେ କିଛି କରିବାକୁ ଚାହୁଁନା |ଆପଣ ବୋଧେ ଜାଣି ନାହାନ୍ତି,ଦୁଇମାସ ତଳେ,ଲିପି ପ୍ରଜ୍ଞାର ବାହାଘର କଲା |ପିଲାଟି ବଙ୍ଗାଳୀ ବ୍ରାହ୍ମଣ |ସେମାନେ ଯେତେବେଳେ ରାଜି,ଆମେ ବା କାହିଁକି ଆପତ୍ତି କରିବୁ ?ଆମେ ଆମ ହିସାବରେ ଜିଇଁଲୁ,ତାଙ୍କ ହିସାବରେ ଜିଇଁବା ପାଇଁ,ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଛି | 

            ହୃଷୀକେଶ କହିଲେ,ଆପଣ ବହୁତ ବଡ଼ କଥା କହିଲେ |ଏମିତି କଥା ମୁଁ ଜାଣି ନଥିଲି କି କେହି ମତେ ଆଗରୁ କହିନଥିଲେ |ଯାହାହେଉ ଆପଣ ଆମର ଆଖି ଖୋଲିଦେଲେ |ଏଠାକୁ ଆସିବା ଆମର ସାର୍ଥକ ହୋଇଗଲା |(କ୍ରମଶଃ)

No comments:

Post a Comment