Sunday, August 22, 2021

ଜୀବନସାଥୀ (ଭାଗ 44)

                  ହୃଷୀକେଶଙ୍କ କଥା ଶୁଣି ନିର୍ମଳା ଆଶ୍ଚର୍ଯ୍ୟ ହୋଇ କହିଲେ,ମୁଁ ତମକୁ ଗୋଟିଏ ଝଟକା ଦେଲି,ତମେ ତ ମତେ ହଜାରେ ଝଟକା ଦେଇ ସାରିଲଣି !କଥା କଣ ?ଏମିତି ହଠାତ ଏତେ କାମ କେମିତି କରି ପକେଇଲ,ଟିକିଏ ନିଶ୍ଵାସ ମାରିବାକୁ ବି ସମୟ ଦେଲନାହିଁ ?ଆଉ ସପ୍ତାହେ ଡେରି ହୋଇଥିଲେ,କଣ ଅସୁବିଧା ହୋଇଥାଆନ୍ତା ?

              ହୃଷୀକେଶ କହିଲେ,ଅସୁବିଧା ମାନେ ?ଘୋର ଅସୁବିଧା ହୋଇଥାଆନ୍ତା |ତମେ କଣ ସେକଥା ବୁଝି ପାରିବ ?ବର୍ତ୍ତମାନ ସମୟ ଭଲନାହିଁ |ସମୁଦୀ ଆମକୁ ଶକୁନି  ପରି ଜଗି ବସିଛି,ଟିକେ କେଉଁଠି କଣା ଦେଖିଲେ,ତା ଭିତରେ ପଶି ଆମକୁ ପୁଣି ଯନ୍ତାରେ ପକେଇ ଦେବ |ଲିପି,ତମେ,ନନ୍ଦିନୀ ସମସ୍ତେ ଏଇଠି ଅଛ,ଆଉ ତିନିଟା ଅଧିକା ଲୋକ ଆସିଲେ,କଥାଟା ପ୍ରଘଟ ହେବ ନାହିଁ |କାରଣ ମୁଁ ମୋ ଅଭିଜ୍ଞତାରୁ ଜାଣିଛି,ଶୁଭ କାମ ଯେତେ ଗୁପ୍ତ ରହିବ ସେତେ ଭଲ |ଦ୍ୱିତୀୟ କଥା ହେଲା,କରୋନା ମହାମାରୀ |ଏବେ ତାର ପ୍ରକୋପ  ଟିକିଏ କମିଛି,ତେଣୁ ଏହାରି ଭିତରେ ଶୁଭ କାମ ସାରିଦେବା ଭଲ |ତୃତୀୟ କଥା ହେଉଛି,ଲିପି ପାଇଁ ପରିଜା ବାବୁ ଓ ତାଙ୍କ ମିସେସ  ମନଦୁଃଖରେ ଥିଲେ,ଆମେ ବି ଅକି ପାଇଁ ମନଦୁଃଖରେ ଥିଲୁ |ଚତୁର୍ଥ ଆଉ ଶେଷକଥା ହେଲା,କାଲି ହେଉଛି,ରବିବାର,ସମସ୍ତଙ୍କର ଛୁଟି |ତେଣୁ ଶୁଭସ୍ୟ ଶିଘ୍ରମ |

              ନିର୍ମଳା କହିଲେ,ହେଲେ ନିର୍ବନ୍ଧ ବେଳେ କେତେଗୁଡିଏ ଜିନିଷ ନିହାତି ଦରକାର ହୁଏ,ତମେ କଣ ସେକଥା ଜାଣିନ ?ହୃଷୀକେଶ ବିରକ୍ତ ହୋଇ କହିଲେ,ଓହୋଃ !ତମେ ପୁଣି ସେ ମାନ୍ଧାତା ଅମଳର କଥାକୁ ଧରି ବସିଲ ?ପୁଅର ସୁଖ ହେଉଛି ଆମପାଇଁ ସବୁଠାରୁ ବଡ଼ ଓ ପ୍ରଥମ ପ୍ରାଥମିକତା |ଏତେଦିନ ପରେ ପୁଅ ଓଠରୁ ଚୋରେଇ ନେଇଥିବା ହସ ମୁଁ ତାକୁ ଫେରାଇ ଦେବାର ସୁଯୋଗ ପାଇଛି |ସେଥିରେ ବିଳମ୍ବ କରିବି କାହିଁକି ?ହଉ ମୁଁ ଫୋନ ରଖୁଛି,ମୋର ଆହୁରି ବହୁତ କାମ ବାକି ପଡିଛି,କାଲି ପୁଣି ବଡ଼ି ଭୋରରୁ ଉଠି ଆମକୁ ଯିବାକୁ ପଡିବ ! ବାହାରିବା ବେଳେ ମୁଁ ତମକୁ ଫୋନ କରିବି |ତମକୁ ଯେଉଁ ଦାୟିତ୍ତ୍ୱ ଦେଇଛି,ଆମେ ଯିବା ପୂର୍ବରୁ ଠିକ ସେ କରିଥିବ |

             ହୃଷୀକେଶ ଫୋନ ରଖିଦେଲେ |ପାଖରେ ଛିଡ଼ାହୋଇ ନନ୍ଦିନୀ ସବୁକଥା ଶୁଣି ମନେ ମନେ କୁରୁଳି ଉଠୁଥିଲା |ସେ ନିର୍ମଳାଙ୍କୁ କହିଲା,ଅପା.ମୋର ତ ଆଜି ନାଚିବାକୁ ଇଚ୍ଛା ହେଉଛି |ଭଗବାନ ଆମ ଝୋଲିରେ ଏତେ ସୁଖ ହଠାତ ଅଜାଡି ପକେଇବେ,ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି |ଅକି ଟା ଆମର କେତେ କାନ୍ଦୁଥିଲା,ଏବେ ପୁଣି ତା ଓଠକୁ  ହସ ଫେରିବ |ନିର୍ମଳା ଦୀର୍ଘ ନିଶ୍ଵାସ ଛାଡି କହିଲେ,ତୁ ଠିକ କହିଛୁ |ଗୋଟିଏ ବଡ଼ ପାପରୁ ଭଗବାନ ମତେ ବଞ୍ଚେଇ ଦେଲେ |ସେହି ଅଦୃଶ୍ୟ ସର୍ବ ଶକ୍ତିମାନ କର୍ତ୍ତାଙ୍କୁ ମୋର କୋଟି କୋଟି ପ୍ରଣାମ |ଦୁଇ ହାତ ଯୋଡି ସେ ଶୂନ୍ୟକୁ ପ୍ରଣାମ କଲେ  |

              ତା ପରଦିନ ସକାଳେ ନନା ଦେଇଥିବା ଲିଷ୍ଟ ଅନୁସାରେ ନନ୍ଦିନୀ ସମରକୁ କହି,ସବୁ ପୂଜା ସାମଗ୍ରୀ ଯୋଗାଡ଼ କରିଦେଲା  |ଏଗାରଟା ପୂର୍ବରୁ ଏକ ଇନୋଭା କାର ଆସି ନନ୍ଦିନୀ ଘର ସାମ୍ନାରେ ରହିଗଲା |ସେଥିରୁ ସୁଧାକର,ସୁଲୋଚନା,ଅଙ୍କିତ ଓ ହୃଷୀକେଶ ବାହାରି ଆସିଲେ |ନନ୍ଦିନୀ,ନିର୍ମଳା ଓ ସମର, ସୁଧାକର ଓ ସୁଲୋଚନାଙ୍କୁ ଭିତରକୁ ପାଛୋଟି ଆଣିଲେ |ଅଙ୍କିତ ନନ୍ଦିନୀ ଓ ସମରଙ୍କୁ ପ୍ରଣାମ କଲା |ସେ ନନ୍ଦିନୀକୁ ଦେଖି ମୁରୁକି ମୁରୁକି ହସୁଥିଲା |ନନ୍ଦିନୀ ତାକୁ ଭିତରକୁ ଡାକି ନେଇ ଖଟ ଉପରେ ବସାଇ କହିଲା,ତୋର 'ଖୁସି' ତ ତତେ ମିଳିଗଲା,ଏବେ କି ଗୀତ ଗାଇବୁ କହିଲୁ  ?ଅଙ୍କିତ ସ୍ମିତ ହସି କହିଲା,ଏବେ ନୁହେଁ,ନିର୍ବନ୍ଧ ସରିବା ପରେ କହିବି |(କ୍ରମଶଃ)

No comments:

Post a Comment