Sunday, August 22, 2021

ଜୀବନସାଥୀ (ଭାଗ 43)

                      ଲିପି ଅଙ୍କିତ ସହିତ କଥା ହେଉଥିବାବେଳେ ନିର୍ମଳା ବାହାରକୁ ଯାଇ ନନ୍ଦିନୀର ଫୋନରେ ହୃଷୀକେଶଙ୍କୁ କଲ କଲେ  |ନନ୍ଦିନୀର ଫୋନ୍ରୁ କଲ ଆସିବା ଦେଖି ହୃଷୀକେଶ ଭାବିଲେ ନିର୍ମଳା ଲିପିକୁ ମନେଇ ପାରି ନାହାନ୍ତି ,ସେଥିପାଇଁ ନନ୍ଦିନୀ ଫୋନ କରିଛି |କିନ୍ତୁ ନନ୍ଦିନୀ ପରିବର୍ତ୍ତେ ନିର୍ମଳାଙ୍କ ଆନନ୍ଦରେ ଉତ୍ଫୁଲ୍ଲିତ କଣ୍ଠସ୍ୱର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ  |ତାଙ୍କ ଆଶ୍ଚର୍ଯ୍ୟକୁ ଦ୍ଵିଗୁଣିତ କରି ନିର୍ମଳା ତାଙ୍କୁ ଲିପି ରାଜି ହେବା ଖବର ଜଣେଇ ଦେଇ କହିଲେ,ସେମାନେ ତ ଲିପି ଉପରେ ସବୁ ଛାଡିଥିଲେ |ଏବେ ପରିଜା ବାବୁଙ୍କୁ କହିବ ଶୀଘ୍ର ନିର୍ବନ୍ଧ ଓ ବାହାଘର ଦିନ ଫାଇନାଲ କରିବେ | ମୁଁ କାଲି ଗଲେ କଥା ହେବା,ତମେ ଖାଲି ଏ କଥାଟା ତାଙ୍କ କାନରେ ପକେଇ ଦେଇଥିବ |ହୃଷୀକେଶ କହିଲେ,ଆରେ ତମେ ତ କମାଲ କରିଦେଲ,ମୁଁ ବିଶ୍ୱାସ କରି ପାରୁନି,ସତରେ ଲିପି ରାଜି ହୋଇଗଲା ?ମୁଁ ଜାଣେ ,ନିର୍ମଳା କେବେ ହାରେନା,ସେ ହାରୁ ହାରୁ ଜିତିଯାଏ !!  ନିର୍ମଳା ଲାଜେଇ ଯାଇ,ଅନୁଚ୍ଚ ଗଳାରେ କହିଲେ,ଆମେ ଏବେ ତାଙ୍କ ଘରେ ଅଛୁ,ନନ୍ଦିନୀ ଘରକୁ ଗଲେ କଥା ହେବି |ଏତିକି କହି ସେ ଫୋନ କାଟି ଭିତରକୁ ଗଲେ |

                  ଲିପି ସେପର୍ଯ୍ୟନ୍ତ ଅଙ୍କିତ ସହିତ କଥା ହେଉଥିଲା ଓ ବାରମ୍ବାର ଆଖିରୁ ଲୁହ ପୋଛୁଥିଲା |ଇତି ମଧ୍ୟରେ ପ୍ରାଚୀ ସେମାନଙ୍କ ପାଇଁ ଚା', ବିସ୍କୁଟ ଓ ମିକଶ୍ଚର ଆଣି ଦେଲା ଓ ଲିପି ପାଖକୁ ଯାଇ କଣ କହିଲା |ଅଳ୍ପ ସମୟ ପରେ ଲିପି ଆସି ତାଙ୍କ ସାମ୍ନା ଚେୟାରରେ ଆସି ବସିଲା |କାନ୍ଦି କାନ୍ଦି ଆଖି ଦୁଇଟି ତାର ଲାଲ ପଡି ଯାଇଥିଲା |କିନ୍ତୁ ମୁହଁଟି ତାର ସଦ୍ୟ ଫୁଟିଥିବା କାକର ଭିଜା ଗୋଲାପ ଫୁଲ ପରି ଅତି ସୁନ୍ଦର ଦେଖା ଯାଉଥିଲା |ନିର୍ମଳା ତାକୁ ଡାକି ତାଙ୍କ ପାଖରେ ବସାଇଲେ ଓ ତାଙ୍କ ହାତ,ବେକ  ଓ ଆଙ୍ଗୁଠିରୁ ସୁନା କଙ୍ଗନ,ହାର ଓ ମୁଦି କାଢି ଲିପିକୁ ଅତି ଯତ୍ନରେ ପିନ୍ଧାଇ ଦେଇ କହିଲେ,ଆଜିଠାରୁ ମୋର ବୋହୂ ରୂପେ ମୁଁ ତତେ ସ୍ୱୀକାର କଲି |ଆନନ୍ଦବିଭୋର ହୋଇ ଲିପି ଆଖିରୁ ଲୁହ ଦୁଇଟୋପା ଝରି ପଡିଲା |ସେ ନିର୍ମଳା ଓ ନନ୍ଦିନୀଙ୍କୁ  ଭୂମିଷ୍ଠ ପ୍ରଣାମ ଜଣାଇଲା |  ନିର୍ମଳା ତାକୁ ଅତି ଆଦରରେ କୋଳେଇ ନେଇ ତା କପାଳରେ ଚୁମା ଦେଲେ |

              ତାପରେ ସେମାନେ ସେଠାରେ ଆଉ କିଛି ସମୟ ରହି ସେମାନଙ୍କଠାରୁ ବିଦାୟ ନେଇ ଘରକୁ ଫେରିଲେ |ଘରେ ପହଞ୍ଚି ସେ ହୃଷୀକେଶଙ୍କୁ ଯେତେଥର ଫୋନ ଲଗେଇଲେ,ସବୁଥର 'ବିଜି' ଆସିଲା |ରାତି ଦଶଟାରେ ହୃଷୀକେଶ ଫୋନ କଲେ  |ନିର୍ମଳା ହ୍ୟାଲୋ କହିବା ମାତ୍ରେ ହୃଷୀକେଶ କହିଲେ,ନନ୍ଦିନୀ ଘର ପାଖରେ ଥିବା ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ କାଲି  ଅକିର ନିର୍ବନ୍ଧ ହେବ | ଏଗାରଟା ସୁଦ୍ଧା ଆମେ ସେଠାରେ ପହଞ୍ଚି ଯିବୁ |ପରିଜା ବାବୁଙ୍କର ଜଣେ ଚିହ୍ନା ପୁରୋହିତ ଅଛନ୍ତି |ସେ ସବୁ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି |ଯୋଗକୁ ମଝିଆଁ ଝିଅ ବାହାଘର ତାର ମାମୁଁ ମାଇଁ କରିଥିଲେ |ଲିପି ବାହାଘର ପରିଜା ବାବୁ କରିବେ |ନନାଙ୍କ ଫୋନ ନମ୍ବର ଦେଉଛି |ତମେ ନନ୍ଦିନୀକୁ କହି,ତାଙ୍କ ସାଙ୍ଗେ  କଥାବାର୍ତ୍ତା କରି,ସବୁ ପୂଜା ସରଞ୍ଜାମ ଯୋଗାଡ଼ କରି ରଖିଥିବ |(କ୍ରମଶଃ)

No comments:

Post a Comment