Saturday, August 14, 2021

ଜୀବନସାଥୀ (ଭାଗ 36)

                              ଏତେ ସମୟ ଧରି ସେମାନଙ୍କ କଥା ଶୁଣି ଟିଭି ଦେଖୁଥିବା ହୃଷୀକେଶଙ୍କ ମୃତପ୍ରାୟ ଶରୀରରେ ସତେକି ପ୍ରାଣ ସଞ୍ଚାର ହେଲା |ସେ ନିର୍ମଳାଙ୍କୁ କହିଲେ,ମତେ ସେ ପାଣି ବୋତଲ ଦେଲ |ନିର୍ମଳା ଧୀରେ ଧୀରେ ଉଠି,ତାଙ୍କ ପାଖରେ ଏକ ପାଣି ବୋତଲ ଓ ଗ୍ଲାସ ରଖିଦେଲେ |ହୃଷୀକେଶ ବୋତଲ ଟେକି ସବୁ ପାଣି ଢକ ଢକ କରି ପିଇଗଲେ |ତାପରେ ଆଉ ଗୋଟିଏ ବୋତଲ,ଏହିପରି ତିନି ବୋତଲ ପାଣି ପିଇଦେଇ କହିଲେ,ଟିଭି ଭଲ୍ୟୁମ ଆଉ ଟିକେ ବଢ଼େଇ ଦିଅ |

         ନିୟୁଜ 36 ରେ ପ୍ରଜ୍ଞା ସେହିପରି ବ୍ରେକିଂ ନିୟୁଜ ପରେ ବ୍ରେକିଂ ନିୟୁଜ ଦେଇ ଚାଲିଥିଲା |"ବିଶୁଦ୍ଧ ସମ୍ବାଦ ପାଇଁ ଦେଖନ୍ତୁ ନିୟୁଜ 36"|"ଏଇମାତ୍ର ମିଳିଥିବା ସମ୍ବାଦ ଅନୁଯାୟୀ ଥାନା ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି" |"ଥାନା ଅଧିକାରୀ ଶ୍ରୀଯୁକ୍ତ ବିମ୍ବାଧର ଦାସଙ୍କର ବଦଳି ହୋଇଯାଇଛି ଓ ତାଙ୍କୁ ତାଙ୍କ ନୂଆ ସ୍ଥାନରେ ଚବିଶ ଘଣ୍ଟା ଭିତରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି |"

             ପୁଣିଥରେ ତଦନ୍ତ କରିବାପାଇଁ ଏକ ନୂତନ ଟିମ ଗଠନ କରାଗଲା  ଓ ସେମାନେ ସୁବ୍ରତଙ୍କ ଘରକୁ ଗଲେ |ସେତେବେଳେ ସିଦ୍ଧାର୍ଥ ଖବର ପାଇ ରାଜ୍ୟ ବାହାରକୁ ଚାଲିଯିବା ପାଇଁ ଟ୍ରେନରେ ବସି ସାରିଥିଲା |କିନ୍ତୁ ଟ୍ରେନ ଛାଡିବା ପୂର୍ବରୁ ଠିକ ସମୟରେ ପୋଲିସ ସେଠାରେ ପହଞ୍ଚି ତାକୁ ଥାନାକୁ ଆଣିଲେ |ପୋଲିସକୁ ବେଶି କଷ୍ଟ କରିବାକୁ ପଡିଲା ନାହିଁ |ତାକୁ  ପଚରାଉଚୁରା କରିବାବେଳେ ସେ ଖୁବ କମ ସମୟ ମଧ୍ୟରେ ସବୁ ସତ ଓଗାଳି ଦେଲା |ସେ କହିଲା,ଜାଣିଶୁଣି ସେ ତା ଅପାକୁ ମାରିନାହିଁ |ଅପା ତା ହାତକୁ କାମୁଡି ଦେବାବେଳେ ତାକୁ ବହୁତ କଷ୍ଟ ହେବାରୁ ସେ ତାକୁ ଜୋରରେ ଠେଲି ଦେଇଥିଲା ଓ ଅକସ୍ମାତ ତାର ମୁଣ୍ଡ କାନ୍ଥରେ ବାଡେଇ ହୋଇଯିବାରୁ ସଙ୍ଗେ ସଙ୍ଗେ ତାର ମୃତ୍ୟୁ ହୋଇଯାଇଥିଲା |ସେତେବେଳେ ସେ ବହୁତ ଡରିଯାଇଥିଲା ଓ କାଳେ ପୋଲିସ ତା ମୃତ୍ୟୁ ପାଇଁ ତାକୁ ଦାୟୀ କରି ଆରେଷ୍ଟ କରିବ,ଏଇ ଭୟରେ ସେ ତାର ଶବକୁ ନେଇ, ଦୂରରେ ଫିଙ୍ଗି ଦେଇ ଆସିଥିଲା |ଯେହେତୁ ତାର ମୁଣ୍ଡଦୋଷ ପାଇଁ ଅଙ୍କିତର ପରିବାର ତାକୁ ଘରକୁ ନେଉ ନଥିଲେ,ସେମାନଙ୍କୁ ପାନେ  ଦେବାପାଇଁ ସେମାନେ ଅଙ୍କିତ ଉପରେ ସବୁ ଦୋଷ ଢାଳି ପୋଲିସକୁ ମିଛ କାହାଣୀ କହିଥିଲେ  |କିନ୍ତୁ ଏତେ ଶୀଘ୍ର  ଧରା ପଡିଯିବେ ବୋଲି ସେମାନେ ଆଦୌ ଜାଣି ନଥିଲେ |ସିସିଟିଭି ସେମାନଙ୍କ ପାଇଁ କାଳ ହେଲା |ନ୍ୟୁଜ 36 ବାରମ୍ବାର ଏହି ଖବର ପ୍ରସାରଣ କରୁଥିଲା ଓ ଖବର ଜାଣିବା ପାଇଁ ସମସ୍ତେ କେବଳ ଏହି ଚ୍ୟାନେଲ ହିଁ ଦେଖୁଥିଲେ ||

         ଏହାପରେ ଏକ ନାମୀ ସିସିଟିଭି କମ୍ପାନୀର ବିଜ୍ଞାପନ ଆସିଲା |ସେମାନେ କହୁଥିଲେ,ସଚ୍ଚୋଟ ହୁଅନ୍ତୁ ଓ ନିଜକୁ ସଚ୍ଚୋଟ ପ୍ରମାଣ କରିବାପାଇଁ ଘରେ *******ସିସିଟିଭି ଲଗାନ୍ତୁ |ତାପରେ ସେମାନଙ୍କର ଠିକଣା ଓ ଫୋନ ନମ୍ବର |ହୃଷୀକେଶ ନିର୍ମଳାଙ୍କୁ  କହିଲେ,ଦେଖିଲ ?ଘରେ ସିସିଟିଭି ଲଗାଇଲା ବେଳେ ତମେ ବାଜେ ଖର୍ଚ୍ଚ କହି ଅଶାନ୍ତି ହେଉଥିଲ |ଏବେ ଦେଖ,ତାରି ଯୋଗୁଁ ଆମ ପୁଅ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବାକୁ ଯାଉଛି |ଏତିକି କହିସାରି ସେ ନିର୍ମଳାଙ୍କ ଆଡକୁ ଚାହିଁବା ବେଳକୁ ଦେଖିଲେ,ସେ କେତେବେଳୁ ସେଠାରୁ ଚାଲିଗଲେଣି |ହୃଷୀକେଶ ସୋଫାରେ ଶୋଇ ଟିଭି ଦେଖିବାରେ ଲାଗିଲେ |କିଛିସମୟ ପରେ ନିର୍ମଳା  ସେଠାକୁ ଆସି କହିଲେ,ମୁଁ ଖିଚିଡି କରି ଦେଇଛି |ଗାଧୋଇବା ଦରକାର ନାହିଁ,ତମେ ଖାଲି ଦାନ୍ତ ଘଷିଦେଇ ଆସ,ଖାଇବା |ଏହାକହି ସେ ଶଙ୍ଖ ଫୁଙ୍କି,ଘଣ୍ଟି ବଜାଇ,ଠାକୁର ପୂଜା ଆରମ୍ଭ କଲେ | (କ୍ରମଶଃ)          

No comments:

Post a Comment