Monday, August 9, 2021

ଜୀବନସାଥୀ (ଭାଗ 31)

                              ଶୁଭ୍ରା କେତେବେଳୁ ସୌମ୍ୟା ପାଖରେ ଶୋଇବାକୁ ଚାଲିଗଲେଣି |ସୁବ୍ରତ ଆଉ ଶୋଇବାର ବୃଥା ପ୍ରୟାସ କରୁନଥିଲେ |ଅନ୍ଧକାର କୋଠରୀରେ ଏପଟ ସେପଟ କଡ଼ ଲେଉଟାଇ ସେ ନିଜର  କଳା ଅତୀତକୁ  ରୋମନ୍ଥନ କରି ଚାଲିଥିଲେ |

                                ସେତେବେଳେ  ପିଙ୍କି ନାମକ ଏକ ଝିଅ ତାଙ୍କର ପାଖ ଗାଆଁରେ ଥିବା ଏକ ସମ୍ପର୍କୀୟଙ୍କ ଘରେ ରହି ପ୍ଲସ ଟୁ ରେ ଆଡମିଶନ ନେଇଥିଲା  |ସେହି କଲେଜରେ ସୁବ୍ରତ ବି.ଏ.ପଢୁଥିଲେ |ଭଲ ପଢୁଥିଲେ ବି ସେତେବେଳେ ସେ ଟିକେ ରଙ୍ଗୀନ ମିଞ୍ଜାସର ଥିଲେ |ପ୍ରେମ ତାଙ୍କ ଦୃଷ୍ଟିରେ କେବଳ ଏକ ଶାରୀରିକ ସମ୍ପର୍କ ଛଡ଼ା ଆଉ କିଛି ନଥିଲା |ପିଙ୍କି ଶାନ୍ତ,ସରଳ ଓ ଅତି ସୁନ୍ଦରୀ ଥିଲା |ସୁବ୍ରତ ବି କମ ନଥିଲେ |ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ଯାଇଥିଲେ |ସୁବ୍ରତ ପାଠପଢା ଛାଡି ତାରି ପ୍ରେମରେ ବୁଡ଼ିଗଲେ |ଯେତେବେଳେ ତାଙ୍କର ମନବୋଧ ହୋଇଗଲା,ସେ ତାଠାରୁ ଦୂରେଇବାକୁ ଲାଗିଲେ |କିନ୍ତୁ ପିଙ୍କି ତାଙ୍କ ପିଛା ଛାଡୁ ନଥିଲା |ସେ ଯୁଆଡେ ଯାଉଥିଲେ,ପିଙ୍କି ତାଙ୍କୁ ଖୋଜି ଖୋଜି ଯାଇ ସେଇଠି ହାଜର ହୋଇ ଯାଉଥିଲା |ଶେଷରେ ସବୁଦିନ ପାଇଁ ତାକୁ ତାଙ୍କ ରାସ୍ତାରୁ ହଟାଇ ଦେବା ପାଇଁ ସେ ତାଙ୍କର  ଚାରିଜଣ ଅନ୍ତରଙ୍ଗ ବନ୍ଧୁଙ୍କ  ସହିତ ମିଶି ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କଲେ |ସେଇ ଅନୁସାରେ ସୁବ୍ରତ ପିଙ୍କି ମନରେ ବିଶ୍ୱାସ ଜନ୍ମାଇ ରାତି ବାରଟା ପରେ ତାକୁ ଘରୁ ଲୁଚି ଚାଲି ଆସିବାକୁ କହିଲେ | ଦୁହେଁ ମିଶି କେଉଁ ଏକ ଦୂରସ୍ଥାନକୁ  ଯାଇ ବିବାହ କରିବା କଥା ମଧ୍ୟ ତାକୁ କହିଲେ |ପିଙ୍କି ତାଙ୍କ ପ୍ରେମରେ ଏପରି ଅନ୍ଧ ହୋଇଯାଇଥିଲା ଯେ ଆଗ ପଛ ନ ବିଚାରି ତାଙ୍କ କଥାରେ ରାଜି ହୋଇଯାଇଥିଲା  |

                            ରାତି  ବାରଟାରେ ସମସ୍ତେ ଶୋଇ ସାରିବା ପରେ ପିଙ୍କି ଘରୁ ବାହାରି ଆସିଲା |ବାହାରେ ସୁବ୍ରତ ତାକୁ ଅପେକ୍ଷା କରିଥିଲେ |ପିଙ୍କି ତାଙ୍କୁ ଦେଖି ଖୁସିରେ କୁଣ୍ଢେଇ ପକାଇଲା |ତା ମନର ମଣିଷ ସାଙ୍ଗେ ସେ ସବୁଦିନ ପାଇଁ ରହିବାକୁ ଯାଉଛି ଭାବି, ସେ ଖୁସିରେ ଆତ୍ମହରା ହୋଇ ଯାଇଥିଲା  |ଖଣ୍ଡେ ବାଟ ଯିବାପରେ ପୂର୍ବରୁ ସେଠାରେ ଲୁଚିଥିବା ସୁବ୍ରତଙ୍କ ଚାରି ବନ୍ଧୁ ବାହାରି ଆସିଲେ |ପିଙ୍କି ସେମାନଙ୍କୁ ଦେଖି ଭୟରେ ସୁବ୍ରତଙ୍କୁ ଜାବୁଡି ଧରିଲା |କିନ୍ତୁ ନରାଧାମ ସୁବ୍ରତ ତାକୁ ଅତି ନିର୍ମମ ଭାବରେ ସେହି ମାଂସଲୋଭୀ ଶିଆଳଙ୍କ ପାଖରେ ସମର୍ପଣ କରି ଘରକୁ ଫେରିଆସି  ସୁନାପୁଅ ପରି ଶୋଇପଡିଥିଲେ |

                   ପରଦିନ ସକାଳେ ଗାଆଁ ମୁଣ୍ଡ ଆମ୍ବଗଛ ଡାଳରେ ଝୁଲୁଥିବା ଅବସ୍ଥାରେ ପିଙ୍କିର ମୃତଦେହ ଉଦ୍ଧାର କରାଯାଇଥିଲା  |ସମସ୍ତଙ୍କ ପରି ସୁବ୍ରତ ବି ତାକୁ ସେଦିନ ଦେଖିବାକୁ ଯାଇଥିଲେ |ସେ ସେଠାରେ ପହଞ୍ଚିବା କ୍ଷଣି ଏକ ଅଲୌକିକ ଘଟଣା ଘଟିଥିଲା |ତାଙ୍କୁ ଦେଖି ନିଶ୍ଚଳ ହୋଇ ଝୁଲୁଥିବା ପିଙ୍କିର ଶରୀର ହଠାତ ହଲଚଲ ହେବାକୁ ଲାଗିଲା ଓ ତାର ଡାହାଣ ହାତଟି ଧୀରେ ଧୀରେ ଉପରକୁ ଉଠି ସୁବ୍ରତଙ୍କ ଆଡକୁ ଇଙ୍ଗିତ କରି,ତାପରେ ତଳକୁ ଖସି ଆସି ପୂର୍ବପରି ନିଶ୍ଚଳ ହୋଇଗଲା |ସତେ ଯେପରି ସେ ସୁବ୍ରତଙ୍କ ଆଡକୁ ହାତ ଦେଖାଇ କହୁଥିଲା,ତୁମେ ମୋର ହତ୍ୟାକାରୀ |ମୁଁ ଦିନେ ନାଁ ଦିନେ ନିଶ୍ଚୟ ପ୍ରତିଶୋଧ ନେବି !!! ଭୂତ ସବାର ହୋଇଛି ଭାବି ସମସ୍ତଙ୍କ ସହିତ ସୁବ୍ରତ ମଧ୍ୟ  ସେଦିନ ସେ ସ୍ଥାନ ଛାଡି ଭୟରେ ଦୌଡ଼ି ପଳାଇଥିଲେ |ଆଜି ପର୍ଯ୍ୟନ୍ତ ସେ ସେହି ଘଟଣାକୁ ଭୁଲିପାରି ନାହାନ୍ତି |ତାଙ୍କର ଦୁର୍ବଳ ମୁହୂର୍ତ୍ତରେ ସେ ସବୁବେଳେ ଅନୁଭବ କରନ୍ତି,ସତେ ଯେମିତି  ପିଙ୍କିର ଅତୃପ୍ତ ଆତ୍ମା ତାଙ୍କୁ ଅନୁସରଣ କରୁଛି !!

                     ପୋଲିସ ଆସି ଯେତେବେଳେ ପିଙ୍କି ବଳାତ୍କାର ଓ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କଲେ,ତାଙ୍କ ସନ୍ଧାନୀ ଚକ୍ଷୁ ବୁଲି ବୁଲି ଆସି ସୁବ୍ରତଙ୍କ ପାଖରେ ଅଟକି ଯାଇଥିଲା  |କିନ୍ତୁ ସୁବ୍ରତଙ୍କ ପିତା ଜଣେ ପ୍ରଭାବଶାଳୀ ନେତା ହୋଇଥିବାରୁ ମାମଲା ଆଗକୁ ନ ବଢି ସେହିଠାରେ ଦଫା ରଫା ହୋଇଯାଇଥିଲା  |

                ମଣିଷ ସବୁ ଆଇନକୁ ଫାଙ୍କି ଖସି ଯାଇପାରେ,କିନ୍ତୁ ନିଜ ଅବଚେତନ ମନର ଆଇନକୁ  କଦାପି ଫାଙ୍କିଦେଇ  ପାରେନାହିଁ |ସେ ହିଁ ତାକୁ ବାରମ୍ବାର ଆସି ଚେତାଇ ଦେଇ କହେ,ତୁ ଭୁଲ କରିଛୁ,ଅନ୍ୟାୟ କରିଛୁ,ପାପ କରିଛୁ,ତତେ ଦଣ୍ଡ ଭୋଗିବାକୁ ପଡିବ,ଆଜି ନହେଲେ କାଲି  |

                  ଆଜି ଏତେ ବର୍ଷ  ପରେ ତାଙ୍କୁ ଲାଗୁଛି,ପିଙ୍କିର ଆତ୍ମା ସତେକି ରକ୍ତମୁଖା ହୋଇ ତାଙ୍କ ପଛରେ ଧାଇଁଛି  ଆଉ କହୁଛି, ବିଶ୍ୱାସଘାତକକୁ ଶାସ୍ତି ଦେବାର ସମୟ ଆସିଯାଇଛି !!! (କ୍ରମଶଃ)

                     

No comments:

Post a Comment