Wednesday, September 1, 2021

ଜୀବନସାଥୀ (ଭାଗ 52)(ଶେଷଭାଗ)

                        ଅଙ୍କିତର ଅପହରଣ ଖବର ପାଇବା ପରେ, ହୃଷୀକେଶଙ୍କ ଘର ପରି ସୁଧାକରଙ୍କ ଘରେ ମଧ୍ୟ ଶୋକର ଛାୟା ଖେଳି ଯାଇଥିଲା | ଖଟରେ ମୁହଁମାଡି ଶୋଇ ଲିପି ଅନବରତ କାନ୍ଦି ଚାଲିଥିଲା |ଯେତେବେଳେ ହୃଷୀକେଶ ଅଙ୍କିତ ମିଳିଯିବା ଖବର ସୁଧାକରଙ୍କୁ ଫୋନ କରି ଜଣାଇଦେଲେ,ସମସ୍ତେ ଉଚ୍ଛ୍ୱସିତ ଆନନ୍ଦରେ ଅଭିଭୂତ ହୋଇ ଈଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇ ମୁଣ୍ଡିଆ ମାରିଲେ |ପ୍ରାଚୀ ଦଉଡିଯାଇ ଲିପିକୁ ଉଠାଇ କହିଲା,ଦେଈ ଉଠ ଲୋ,ଅକି ଭାଇ ମିଳିଗଲେ |ଲିପି ଧଡ଼ପଡ଼  ହୋଇ ଉଠିପଡ଼ି କହିଲା,ତୁ ସତ କହୁଛୁ ?  ପ୍ରାଚୀ କହିଲା,ସତ ଲୋ ଦେଈ ସତ | ଆସ ଦେଖିବୁ,ସାନ ଦେଈ କେମିତି ନ୍ୟୁଜ 36 କୁ  ହୁଲସ୍ତୁଲ କରି ସାରିଲାଣି, ବାହାଘରକୁ ସେ ଆଜି ଆସିବ କି ନାଁ ସନ୍ଦେହ |ଲିପି ଖୁସିରେ ପ୍ରାଚୀକୁ କୁଣ୍ଢେଇ ପକାଇଲା |ପ୍ରାଚୀ ତାକୁ ଟିଭି ପାଖକୁ ଟାଣି ଟାଣି ନେଇଗଲା |ଅଙ୍କିତ ପୋଲିସ ଗାଡ଼ିରୁ ଓହ୍ଲାଇବାର ଦୃଶ୍ୟ ଟିଭିରେ ବାରମ୍ବାର ପ୍ରସାରଣ ହେଉଥିଲା ଓ ଟିକକ ପୂର୍ବରୁ ପୋଲିସକୁ ଅପାରଗ ନିକମା କହି ନିନ୍ଦା କରୁଥିବା ଟିଭି ଆଙ୍କର ,ପୋଲିସର ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ |

                    ଆଉ ବିଳମ୍ବ ନକରି ଅନେକବେଳୁ ଅପେକ୍ଷା କରି ଫେରିବାକୁ ବସିଥିବା ପାର୍ଲର ଝିଅ ବ୍ରାଇଡାଲ ମେକଅପ ଆରମ୍ଭ କରିଦେଲା |ପାର୍ଲରର ଅନ୍ୟ ଦୁଇ ଝିଅ ବାକି ମାନଙ୍କୁ ଯେତେ ଶୀଘ୍ର ସମ୍ଭବ ମେକଅପ କରିବାକୁ ଲାଗିଲେ |

                   ପୋଲିସ ଘେରାବନ୍ଦୀରେ  ବର ଶୋଭାଯାତ୍ରା ପହଞ୍ଚିବା ବେଳକୁ ରାତି ଦଶଟାରୁ ଉର୍ଦ୍ଧ୍ୱ ହୋଇଯାଇଥିଲା |ଭାବବିହ୍ୱଳ ହୋଇ ବରଯାତ୍ରୀଙ୍କ ସାଙ୍ଗରେ ପ୍ରାଚୀ ବି ଯାଇ ନାଚିବାକୁ ଲାଗିଲା |କିଛିସମୟପରେ ପ୍ରାଚୀ ଅନୁଭବ କଲା,ତା କାନ୍ଧରେ କିଏ ହାତ ପକାଇଛି |ସେ ବିରକ୍ତ ହୋଇ ବୁଲିପଡ଼ି ଚାହିଁବା ବେଳକୁ ଦେଖିଲା,ପ୍ରଜ୍ଞା ହସି ହସି ତାକୁ ଇଶାରାରେ ନାଚିବାକୁ କହୁଛି |ପ୍ରାଚୀ ତାକୁ କହିଲା,ତୋ ଡ୍ରେସ ନାହିଁ,ମେକଅପ ନାହିଁ,ସେମିତି ଚାଲିଆସିଲୁ ?ପ୍ରଜ୍ଞା କହିଲା,ମାର ଗୁଲି ସେ ନୂଆ ଡ୍ରେସ ଆଉ ମେକଅପକୁ ,ସେଥିରେ ସମୟ ନଷ୍ଟ କରି,ମୁଁ ଏଇ ବହୁ ପ୍ରତିକ୍ଷିତ ସୁବର୍ଣ୍ଣ ମୁହୂର୍ତ୍ତକୁ ମିସ କରିବାକୁ ଚାହୁଁନି |ଦୁହେଁ ପାଗଳଙ୍କ ପରି ନାଚି ଚାଲିଥିଲେ |ନ୍ୟୁଜ 36 ସେଠାକୁ ଆସି ବର ପ୍ରସେସନର ଲାଇଭ ଟେଲିକାଷ୍ଟ କରିବା ସଙ୍ଗେ ସଙ୍ଗେ ପ୍ରାଚୀ ଓ ପ୍ରଜ୍ଞା ନାଚୁଥିବାର ଦୃଶ୍ୟ ବାରମ୍ବାର ପ୍ରସାରଣ କରୁଥିଲା |

                    ବର ପହଞ୍ଚିବାକ୍ଷଣି ଆବଶ୍ୟକୀୟ ବିଧିବିଧାନ ସହ,ତୁରନ୍ତ ବିବାହ କାର୍ଯ୍ୟ ଆରମ୍ଭ ହୋଇଗଲା |ହସ୍ତଗଣ୍ଠି ପଡ଼ିବାପରେ ଯେତେବେଳେ ଅଙ୍କିତ ଲିପି ସିଂଥାରେ ସିନ୍ଦୂର ଭରି ତାକୁ ମଙ୍ଗଳସୂତ୍ର ପିନ୍ଧାଇଲା,ସେତେବେଳେ ଉଭୟଙ୍କ ଆଖିରୁ ଏକ ପରେ ଅନେକ  ଉଷ୍ମ ଲୁହଧାର ଝରିଗଲା |ଚେଷ୍ଟାକରି ବି ସେମାନେ ତାକୁ ରୋକିପାରୁ ନଥିଲେ |ଅଙ୍କିତ ମନେ ମନେ ଈଶ୍ୱରଙ୍କୁ ପାର୍ଥନା କରି କହୁଥିଲା,ମୋ ପ୍ରିୟାକୁ ଆଉ ମୋଠାରୁ ଅଲଗା କରନାହିଁ ପ୍ରଭୁ ,ସେ ମୋ ପୂର୍ବଜନ୍ମର ସାଥୀ ,ମୋ ଜୀବନସାଥୀ |

            "ପୁଅ ପସନ୍ଦରେ ବୋହୂ ହୋଇଥିବ,ବାପା ମାଆଙ୍କର ଥିବ ସମ୍ମତ୍ତି ,ସଭିଙ୍କୁ ଆଦରି ମନ ତୋଷୁଥିବ,ମିଠା କଥା କହି,ମନ ମୋହୁଥିବ,ଆଉ କିଆଁ ଲୋଡ଼ା ସରଗ ସମ୍ପତ୍ତି |" (ସମାପ୍ତ)

          ବି:ଦ୍ର:  ପାଠକ/ପାଠିକାଙ୍କ  ମୂଲ୍ୟବାନ ମତାମତ ଗ୍ରହଣ କରି ମୁଁ ମୋ ମୂଳ ଲେଖାରେ ଅନେକ ପରିବର୍ତ୍ତନ କରିଛି |ସମସ୍ତ ପାଠକ/ପାଠିକାଙ୍କୁ  ମୋର ହୃଦୟରୁ କୋଟି କୋଟି ଧନ୍ୟବାଦ,କୃତଜ୍ଞତା ଓ ଶୁଭକାମନା ଜଣାଉଛି |ମୋର ସବୁ ଲେଖା "mamatagapakabita.blogspot.com"ରେ ପଢିପାରିବେ |

No comments:

Post a Comment