Saturday, July 3, 2021

ସୁନାସଂସାର

              ରାଧା ଓ ବାସନ୍ତୀଙ୍କର ସବୁଦିନ ଅପରାହ୍ନରେ ପାର୍କରେ ଦେଖାହୁଏ |ସେଠାକୁ କଲୋନୀର ଅଧିକାଂଶ ମହିଳା ଆସନ୍ତି |  |ସେଠାରେ ଚଲାବୁଲା ସହିତ ହାଲ୍କା ଫୁଲ୍କା ବ୍ୟାୟାମ କରିବା ପରେ ସମସ୍ତେ ଗପର ପସରା ମେଲାଇ ଦେଇ ଦିନଯାକର କ୍ଲାନ୍ତି ମେଣ୍ଟାଇ ଦିଅନ୍ତି  |ବାସନ୍ତୀଙ୍କ ଦୁଇ ଝିଅ ଓ ପୁଅ ବାହା ହୋଇ ଗଲେଣି ;ରାଧାଙ୍କର ଏକମାତ୍ର ପୁତ୍ର ରାଜୀବ ପାଇଁ କନ୍ୟା ଖୋଜା ଚାଲିଥିଲା |ସେଥିପାଇଁ ରାଧାଙ୍କ ଚିନ୍ତା କହିଲେ ନସରେ |କାରଣ ତାଙ୍କର ସଂସ୍କାରୀ  ଘର |ସେମାନେ ନିରାମିଷାଶୀ ,ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ |ପ୍ରତ୍ୟହ ରାତି ତିନିଟାରୁ ଉଠି ନିତ୍ୟକର୍ମ ଶେଷ କରି ସେମାନଙ୍କୁ  ପୂଜାପାଠ କରିବାକୁ ପଡିଥାଏ |ତେଣୁ ଏମିତି ବୋହୂଟିଏ ଆସିବା ଦରକାର ଯିଏ କି ତାଙ୍କ ପରିବାର ସଙ୍ଗେ  ଖାପ ଖୁଆଇ ଚଳି ପାରୁଥିବ |
     କୋଡ଼ିଏ ବର୍ଷ ତଳେ ରାଧାଙ୍କ ପରିବାର ଏପରି ନଥିଲେ |ସ୍ୱାମୀ ବିଦ୍ୟାଧର ଏପରି  ଆମିଷପ୍ରିୟ ଥିଲେ ଯେ,ସେ ବାର ଅବାର କିଛି ମାନୁ ନଥିଲେ ଓ  ଜଣେ ଲାଞ୍ଚୁଆ କିରାଣୀ ଭାବରେ ଅଫିସରେ ତାଙ୍କର ବହୁତ ଦୁର୍ନାମ ଥିଲା |ଥରେ ଅଫିସରେ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ି ସସ୍ପେଣ୍ଡ ହେଲେ  |ଯେତେବେଳେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଆଗତ ହେଲା ତାଙ୍କର ଚାକିରୀ ଯିବା ଥୟ ବୋଲି ଅଫିସରେ ସମସ୍ତେ ଜାଣିଥିଲେ |କାରଣ  ଅଭିଯୋଗ ତଦନ୍ତ କରିବାପାଇଁ ଦାୟିତ୍ତ୍ୱ ଦିଆଯାଇଥିବା  ତଦନ୍ତ ଅଧିକାରୀ ଭାରି କଡ଼ା ଥିଲେ |ବିଦ୍ୟାଧର ଖବର ନେଇ ଜାଣିଲେ,ତଦନ୍ତ ଅଧିକାରୀ ଜଣେ ଧର୍ମପରାୟଣ ବ୍ୟକ୍ତି ଓ ସେ ଏକ ଧାର୍ମିକ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅଛନ୍ତି |ସେ  କାଳ ବିଳମ୍ବ ନକରି,ସେହି ଅନୁଷ୍ଠାନର ସଦସ୍ୟ ହୋଇଗଲେ ଓ ଅନୁଷ୍ଠାନକୁ ମୋଟା ରକମର ଚାନ୍ଦା ଦେଇ ତଦନ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ | ତଦନ୍ତ ଅଧିକାରୀ ବିଦ୍ୟାଧରଙ୍କ ଚାଲିଚଳନ ଓ ଅମାୟିକ ବ୍ୟବହାରରେ ବେଶ ସନ୍ତୁଷ୍ଟ ହେଲେ |ତାପରେ ଆଉ କଣ !ବିଦ୍ୟାଧର ସବୁ ଅଭିଯୋଗରୁ ମୁକ୍ତ ହୋଇଗଲେ ଓ ତାଙ୍କୁ କେବଳ ଗୋଟିଏ 'ଚେତାବନୀ' ଦେଇ ଘଟଣାକୁ ସେଇଠି ପରିସମାପ୍ତି କରି ଦିଆଗଲା |ତା ପରଠାରୁ ବିଦ୍ୟାଧର ଆଉ ପଛକୁ ଫେରି ଚାହିଁ ନାହାନ୍ତି |ସେ ଅନୁଷ୍ଠାନର ଆଜୀବନ ସଦସ୍ୟ ହୋଇ ତାଙ୍କର ନୀତି ନିୟମ ମାନି ଚଳିଲେ ଓ ସବୁଦିନପାଇଁ ଆମିଷ ପରିତ୍ୟାଗ କରିଦେଲେ | 
         ରାଧା ତାଙ୍କର ପୁଅ ରାଜୀବକୁ ଭାରି ଭଲ ପାଉଥିଲେ |ରାଜୀବ ମଧ୍ୟ ତାର ମାଆକୁ ବହୁତ ଭଲ ପାଉଥିଲା |ପିତାମାତାଙ୍କ ପଥ ଅନୁସରଣ କରି ସେ ପ୍ରତ୍ୟହ ପୂଜାପାଠ କରୁଥିଲା ଓ ଆମିଷ ଭୋଜନ କରୁନଥିଲା |ତାର  ଟୁରିଙ୍ଗ ଜବ ଥିଲା ,ମାସର ଅଧିକାଂଶ ଦିନ ତାକୁ ଟୁରରେ ଯିବାକୁ ପଡୁଥିଲା  |କିନ୍ତୁ ଯେତେ ଅସୁବିଧା ହେଲେ ବି ସେ ସଂଘର ନିୟମ ମାନି ଚଳୁଥିଲା ଓ ଆମିଷ ଭୋଜନରୁ ଦୂରେଇ ରହୁଥିଲା |ବାହାରେ ଥିଲେ, ସେ ସମୟ କରି,ଦିନକୁ ଥରେ ଯେମିତି ହେଲେ ନିଜ ପିତାମାତାଙ୍କ ସହିତ କଥା ହେବାକୁ ଭୁଲୁନଥିଲା  | 
            ପୁଅପାଇଁ ଉପଯୁକ୍ତ ଝିଅ ଖୋଜି ଖୋଜି ଶୁଖିଲାରେ ଚାରିବର୍ଷ ବିତିଗଲା |କେଉଁଠି ଜାତକ ପଡୁନଥିଲା ତ,କେଉଁଠି ପୁଅ ନିରାମିଷାଶୀ ଜାଣି ଝିଅଘର ରାଜି ହେଉନଥିଲେ |ଶେଷରେ ଗୋଟିଏ ଝିଅ ତାଙ୍କର ବହୁତ ପସନ୍ଦ ଆସିଲା  |ଝିଅକୁ ମୁଦି ପିନ୍ଧାଇ ଆସିବା ପରେ ସେ ଏହି ଖୁସିଖବର ପ୍ରଥମେ ତାଙ୍କର ଅତିପ୍ରିୟ ବାସନ୍ତୀଅପାଙ୍କୁ ଜଣେଇ ଦେଲେ |ବାସନ୍ତୀ ଖୁସି ହୋଇ ତାଙ୍କୁ ଅଭିନନ୍ଦନ ଜଣେଇ କହିଲେ,ଭଲ ହେଲା ,ତମର ଚିନ୍ତା ଗଲା |ତାଙ୍କ କଥା ଶୁଣି ରାଧା ମୁହଁ ଶୁଖେଇ କହିଲେ,ଚିନ୍ତା ଗଲା ନାଁ ଆହୁରି  ବଢ଼ିଲା ?ବାସନ୍ତୀ ହସିଦେଇ ପଚାରିଲେ ,କେମିତି ? ଏଥର ରାଧାଙ୍କ ଆଖିରୁ ଲୁହ ଝରି ଆସିଲା |ସେ କାନ୍ଦି କାନ୍ଦି କହିଲେ,ମୋ ପୁଅ ମତେ କେତେ ଭଲ ପାଉଛି,ବାହା ହେଲାପରେ ଆଉ କଣ ମତେ ଭଲ ପାଇବ |ତମେ କଣ ଢଗ ଶୁଣିନ ,ପୁଅ ବାହା ନହେଲା ଯାଏଁ ବାପା ମାଆଙ୍କର ,ବାହା ହେଲାପରେ,ଗୋଟାପଣେ ମାଇପର !ତମେ ପୁଅ ବାହା କରିଛ,ଜାଣି ନଥିବ କି ?
              ବାସନ୍ତୀ ଅସନ୍ତୁଷ୍ଟ ହୋଇ କହିଲେ,ଏମିତି ଖରାପ କଥା ତୋ  ମନକୁ ଆସୁଛି କେମିତି ?ପୁଅ ବୋହୂ ହସ ଖୁସିରେ ରହିଲେ,ତୁ ବରଂ ଖୁସି ହେବାକଥା ନାଁ !!ରାଧା ତାଙ୍କ ମତରେ ଦୃଢ଼ ରହି କହିଲେ,ପୁଅ ବାହାହେବାକୁ ଯିବାବେଳେ ମାଆ ଯେତେବେଳେ ତାକୁ ଚାଉଳ ଆଞ୍ଜୁଳି ଟେକିଦିଏ,ସେତେବେଳେ କାହିଁକି କାନ୍ଦେ ଜାଣିଛ ?ଏଇଥିପାଇଁ କାନ୍ଦେ |ବାସନ୍ତୀ କହିଲେ,କୋଉ ଯୁଗରେ କଣ ହେଉଥିଲା,ଏବେ ଚତୁର ଲୋକେ  ଉଦାରମନା ହେବା  ଶିଖି ଗଲେଣି |ପୁଅ ବୋହୂ ଭଲରେ ରହିଲେ,ଆମେ ବରଂ ଟେନ୍ସନ ଫ୍ରି ହୋଇ ଅବଶିଷ୍ଟ ଜୀବନ ଶାନ୍ତିରେ ରହି ପାରିବା |
             ବାସନ୍ତୀ ପୁଣି କହିଲେ,ବୋହୂପିଲାଟି କେମିତି ଏଥର କହ ,ପୁଅ ମନକୁ ଯାଇଛି ତ ?ରାଧା ହସିଦେଇ କହିଲେ,ଆଉ ସେକଥା କହିବାକୁ ଅଛି ?ସେଥିପାଇଁ ପରା,ଆମିଷ ନିରାମିଷ କଥା ବିଲକୁଲ ଉଠେଇଲି ନାହିଁ |ଯଦି ଆମିଷ ଖାଉଥିବ,ଛାଡ଼ିଦେବ,ଆମେ କେମିତି ଛାଡ଼ିଦେଲୁ ?ବାହାଘର ପରେ ଝିଅମାନଙ୍କୁ ଏମିତି ବହୁତ କିଛି ତ୍ୟାଗ କରିବାକୁ ପଡେ |ମୋ କଥା ଦେଖୁନ !ଝିଅବେଳେ ସିନେମା ଦେଖିବାକୁ,ବୁଲାବୁଲି ଆଉ ସପିଂ କରିବାକୁ ମୁଁ କେତେ ଭଲ ପାଉଥିଲି !ବାବୁ କିନ୍ତୁ ଏସବୁର ଘୋର ବିରୋଧୀ |ବାଧ୍ୟହୋଇ ମତେ ସେସବୁ ଛାଡିବାକୁ ପଡିଲା ନାଁ !! ବାସନ୍ତୀ କହିଲେ,ଠିକ କହିଛୁ,କିନ୍ତୁ ,ଯାହାହେଲେ ବି ପିଲାଲୋକ ,ଖାଦ୍ୟାଭାସ ଛାଡିବା ଟିକେ ମୁସ୍କିଲ ହେବ |
                ଖୁବ ଧୂମଧାମରେ ରାଧା ଓ ବିଦ୍ୟାଧର ପୁଅ ବାହାଘର କଲେ |ରିସେପ୍ସନରେ ନିରାମିଷ ଭୋଜନ ଦେଖି ସମସ୍ତେ ନାକ ଟେକିଲେ |ଆଚ୍ଛା କଥା,ତମେ ଖାଇବନି ବୋଲି କଣ ଆମକୁ ଖାଇବାକୁ ଦେବନି?ଗୋଟିଏ ବୋଲି ପୁଅ,ଏମିତି ସାଧାସିଧା ଭୋଜିଦେଇ ଆମକୁ ଠକି ଦେଲ ?ବିଦ୍ୟାଧର ଏକଥା ଶୁଣି ହସିଦେଇ କହୁଥିଲେ,ତମେ ଯିଏ ଯେତେ ଯାହା କହୁଛ କୁହ,ମୋ ଉପରେ କିଛି ପ୍ରଭାବ ପଡିବ ନାହିଁ |ମୁଁ ଯାହା ଖାଉନାହିଁ,ତମକୁ ଯାଚିବି କାହିଁକି ?
                 ପୁଅ ବାହାଘର ପରେ ରାଧାଙ୍କୁ ଆଉ ପାର୍କରେ ଦେଖାଗଲା ନାହିଁ |ତାଙ୍କର ଅନୁପସ୍ଥିତିରେ ପାର୍କରେ କେବଳ ତାଙ୍କରି  ବିଷୟରେ ଆଲୋଚନା ହେଉଥିଲା |ତାଙ୍କ ବୋହୂ ରୁହି କିପରି ସୁନ୍ଦରୀ,ଅଳ୍ପବୟସୀ |ବେଶୀ କଥା କୁହେ ନାହିଁ |ରାଧା ଯେଉଁ କାମ କରିବାକୁ କହନ୍ତି,ତୁରନ୍ତ ସେହି କାମ କରିଦିଏ |କିଛିଦିନ ପରେ ଶୁଣାଗଲା,ରାଧା ଆଉ କିଛି କାମ କରୁନାହାନ୍ତି,ପୂଜାପାଠ ଠାରୁ ଆରମ୍ଭ କରି ଶ୍ଵଶୁରଙ୍କ ଗୋଡ଼ ଘଷିବା ଯାଏଁ ସବୁ ସେହି ବୋହୂ କରୁଛି |ଆଉ କିଛିଦିନ ପରେ ଶୁଣାଗଲା,ବୋହୂ କାଳେ ଭାରି ଆମିଷପ୍ରିୟ ଥିଲା ;କିନ୍ତୁ ଶାଶୁଘର କେହି ଆମିଷ ଖାଉନାହାନ୍ତି ଜାଣି ସେ ବିନାଦ୍ଵିଧାରେ ଆମିଷ ଛାଡିଦେଲା |ବୋହୂ ବିଷୟରେ ଏତେଗୁଡାଏ ଭଲକଥା ଶୁଣି ସମସ୍ତେ କହିଲେ,କେତେ ଜନ୍ମ ପୁଣ୍ୟ କରି ରାଧା ଏପରି ବୋହୂ ପାଇଛି !ରାଧାଙ୍କ ପାଖ ଘରେ ରୁନି ରହେ |ସେଇ ଆସି ସବୁକଥା ଗପେ |ଦିନେ ସେ କହିଲା,ପୁଅ ଟୁରରୁ ଫେରିଲେ,ରାଧା କାଳେ ଜାଣିଶୁଣି ଅନେକ ରାତିଯାଏଁ ପୁଅ ସାଙ୍ଗରେ ଅଯଥା ଗପନ୍ତି,ବୋହୂ ପାଖକୁ ଛାଡ଼ନ୍ତିନାହିଁ |
             ରୁନି ମସଲା ଦେଇ ଏତେ ସୁନ୍ଦର କଥା କହେ ଯେ,ନ ଶୁଣିବା ଲୋକ ବି ତାକୁ ଆଗ୍ରହରେ ଶୁଣିବାକୁ ବସିଯାଏ   |ତାର ଶାରୀରିକ ଅସୁସ୍ଥତା ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ସେ ଗୁଡ଼ାଏ ଦିନ ପାର୍କକୁ ଆସିପାରିନଥିଲା |ତେଣୁ ତା ଅନୁପସ୍ଥିତିରେ 'ଖଟି ମହଲ' ମାନ୍ଦା ପଡିଯାଇଥିଲା ଓ ପୂର୍ବପରି ଗପର ଆସର ଏତେ ଜମିପାରୁନଥିଲା |ଅନେକ ଦିନ ପରେ ସେ ଯେତେବେଳେ ଆସିଲା,ସମସ୍ତେ ତାକୁ ଘେରିଗଲେ |ରୁନି କହିଲା,ବୋହୂ ତା ବାପଘରକୁ  ଚାଲିଯାଇଛି,ଆଉ ଆସୁନି |ତା ଭାଇ ଜନ୍ମଦିନକୁ ଯାଇ ଥିଲା,ଏପର୍ଯ୍ୟନ୍ତ ଫେରିନି |କୁନା ବୋଉ କହିଲେ,ଗୋଟେ ମଣିଷକୁ ଏତେ ଖଟେଇଲେ,ସେ ଆଉ କଣ କରିଥାନ୍ତା  ?ଯାହା କରିଛି,ଠିକ କରିଛି |ରାଧା ନାନୀ କାମ ନକରି ଗୋଡ଼ହାତ ଲମ୍ବେଇ ବସୁଥିଲା,ପାନେ ପାଉ |ରୁନି ପୁଣି କହିଲା,ବୁଢ଼ୀ ଭାରି ରାଗିଯାଇଛି ,କହୁଛି,ଛାଡପତ୍ର ଦେଇ,ପୁଅକୁ ଆଉଥରେ ବାହାଘର କରେଇବ !ମୀନା ବୋଉ କହିଲେ,ଆରେ ଇୟେ କି କଥା?ବାହାଘର କଣ ପିଲାଖେଳ ହୋଇଛି ନାଁ କଣ ?କଥା କଥାକେ ଛାଡପତ୍ର !କି ଯୁଗ ହେଲାରେ !!
                    ବୋହୂ ଥିଲାବେଳେ ରାଧା ଢେର ଅୟସ କରିଥିଲେ |ସେ  ବାପଘରକୁ ଯିବାଦିନଠାରୁ କାମ କରି କରି ତାଙ୍କ ଗୋଡ଼ହାତ ଲାଠି ହୋଇଗଲାଣି | ବେଶି କଷ୍ଟ ହେଲେ ସେ  ବୋହୂ ଓ ତାର ବାପଘରକୁ ଅନର୍ଗଳ ଅଭିଶାପ ଦିଅନ୍ତି  |ଏବେ ସେ ଆଉ ରାତିରେ ରୋଷେଇ କରୁନାହାନ୍ତି |ବିଦ୍ୟାଧର ଅଫିସରୁ ଫେରିଲାବେଳେ ରୁଟି ତରକାରୀ ନେଇ ଆସନ୍ତି |ଦୁଇପ୍ରାଣୀ ସେତକ ଖାଇ ଆରାମରେ ଶୋଇଯାଆନ୍ତି | 
                  ସେଦିନ ବିଦ୍ୟାଧର ରୁଟି,ତଡକା ଆଣିଥିଲେ |ତଡକାର ସ୍ୱାଦ ଅପୂର୍ବ ଥିଲା |ପରମ ତୃପ୍ତିରେ ରାଧା ତାକୁ ଖାଇ କହିଲେ,ଇଏତ ବଢିଆ ଲାଗୁଛି ,ଆଗରୁ ଯେଉଁ ତଡକା ଆଣୁଥିଲ,ଏତେ ଭଲ ଲାଗୁନଥିଲା |ଏଥର ଯାକୁଇ ସବୁଦିନ ଆଣିବ |ତା ପରଦିନ ବିଦ୍ୟାଧର ତଡକା ପରିବର୍ତ୍ତେ ତରକାରୀ ଆଣିଥିବାର ଦେଖି ରାଧା କହିଲେ,ତଡକା କାହିଁକି ଆଣିଲନି ?ବିଦ୍ୟାଧର କହିଲେ,ଆରେ ସେଇଟା ଅଣ୍ଡା ତଡକା ଥିଲା |ମୁଁ ଜାଣି ନପାରି ଭୁଲରେ ନେଇ ଆସିଥିଲି |ଅଣ୍ଡା ନାଁ ଶୁଣି ରାଧାଙ୍କ ଆଖି ବଡ଼ ବଡ଼ ହୋଇଗଲା |କିଛିସମୟ ଚିନ୍ତାକରି କହିଲେ,ହଉ ନଜାଣି ଖାଇଲେ ଦୋଷ ନାହିଁ |ବିଦ୍ୟାଧର କହିଲେ,ଖାଇ ସାରିଲୁଣି ଯେତେବେଳେ,ଏଥର ଖାଇବା,କଣ କହୁଛ ?ବୟସ ହେଲାଣି,ଭଲ ଜିନିଷ ଖାଇବାକୁ ଭାରି ମନ ହେଉଛି  |ରାଧା ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ,ପରେ କିନ୍ତୁ ତାଙ୍କ କଥାରେ ରାଜି ହୋଇଗଲେ| କାରଣ ତାଙ୍କର ବି ଆମିଷରେ ମନ ଥିଲା  |ପୁଅ ଯେତେଦିନ ଘରେ ଥାଏ,ସମସ୍ତେ ନିରାମିଷ ଖାଆନ୍ତି |ପୁଅ ଟୁରରେ ଗଲେ ଆମିଷ ଖାଆନ୍ତି |କାରଣ ସତ୍ୟଭଙ୍ଗ କରି ପୁଅ ଆଗରେ ଛୋଟ ହୋଇଯିବାକୁ,ସେମାନେ ଚାହୁଁ ନଥିଲେ |ଯେହେତୁ ସେମାନେ ଠାକୁରଙ୍କ ନାମ ନେଇଥିଲେ ,ଆମିଷ ଘରେ ରାନ୍ଧୁନଥିଲେ,ବାହାରୁ  ଆଣି ଖାଉଥିଲେ  |
                  କରୋନା ଯୋଗୁଁ  ଲକଡାଉନ ହେବାପରେ ରାଜୀବ ଆଉ ଟୁରରେ ଯାଉନଥିଲା |ଯାହା କାମ ଘରେ ବସି ଫୋନ ମାଧ୍ୟମରେ ହେଉଥିଲା କିନ୍ତୁ ଦରକାର ପଡିଲେ,ସେ  ମଝିରେ ମଝିରେ ଅଫିସ ଯାଉଥିଲା |ରାଜୀବ ଘରେ ରହିଯିବା  ଯୋଗୁଁ ଅନେକ ଦିନ ହେବ,ବିଦ୍ୟାଧର  ଓ ରାଧା ଆମିଷ ଖାଇପାରିନଥିଲେ |ଶୁକ୍ରବାର ଅଚାନକ କଲ ପାଇ ରାଜୀବ ଅଫିସ ଚାଲିଗଲା |ମଧ୍ୟାନ୍ନଭୋଜନ ପାଇଁ ରାଧା ଭାତ ବାଢିବାବେଳକୁ ବିଦ୍ୟାଧର ତାଙ୍କୁ 'ଟିକିଏ ରୁହ,ମୁଁ ଆସୁଛି' କହି ଚାଲିଗଲେ |ଅଧଘଣ୍ଟା ଭିତରେ ମାଛମୁଣ୍ଡ ତରକାରୀ ଆଣି ଘରେ  ପହଞ୍ଚି  କହିଲେ,ଶୀଘ୍ର ବାଢ ଖାଇବା,ନହେଲେ ଥଣ୍ଡା ହୋଇଯିବ |ଅତି ତରବରରେ ସେ ଦାଣ୍ଡ କବାଟ ଦେବାକୁ ଭୁଲି ଯାଇଥିଲେ |ଦୁହେଁ ଆରାମରେ ବସି ଖାଉଥିବାବେଳେ,ରାଜୀବ ଆସି ପହଞ୍ଚିଗଲା |ସେମାନଙ୍କୁ ଆମିଷ ଖାଉଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା |ସେତେବେଳକୁ ଦୁହିଁଙ୍କର କାନ୍ଦୁଣୁ ମାନ୍ଦୁଣୁ ଅବସ୍ଥା |କିନ୍ତୁ ରାଜୀବ ସମଝଦାର ଥିଲା |ସେ ହସିଦେଇ କହିଲା,କାହିଁକି ମନଦୁଃଖ କରୁଛ ? |ଏବେ ତ  ତୁମର ଭଲ ଭଲ ଜିନିଷ ଖାଇବା ସମୟ |ଆଉ ଜାଣିଛ,ଜିହ୍ୱା ଲାଳସାକୁ ଦମନ କରିବା ହେଉଛି,ସବୁଠାରୁ ବଡ଼ ପାପ |ରାଧା କହିଲେ,ତୁ ଖାଇବୁ ବାପା ?ରାଜୀବ କହିଲା,ନାଁ,ମମି, ମୋର ଇଛା ନାହିଁ,ତମେମାନେ ଖାଅ |ମୋ ଦେହ ଭଲ ଲାଗୁନି,ମୁଁ ଟିକେ ଶୋଇବି |
               ସେଦିନ ରାତିରେ ରାଜୀବକୁ  ଭୀଷଣ ଜ୍ୱର ଆସିଲା |ରାତିସାରା ଜ୍ୱର ସେମିତି ରହିଲା |ସକାଳେ ଡାକ୍ତରଙ୍କୁ ପଚାରିବାରୁ ସେ ପ୍ରଥମେ କୋଭିଡ ଟେଷ୍ଟ କରାଇବାକୁ କହିଲେ |କୋଭିଡ ନାଁ ଶୁଣି ସ୍ୱାମୀ ସ୍ତ୍ରୀ ଦୁହେଁ ଭୟରେ ଥରିବାକୁ ଲାଗିଲେ |ସେମାନେ ଦୁଇଜଣ ସିନା ଟୀକା ନେଇଥିଲେ,ରାଜୀବର ସ୍ଲଟ ଆସି ନଥିବାରୁ ସେ ଟୀକା ନେଇପାରିନଥିଲା |ମେଡିକାଲ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରାଜୀବ ଔଷଧ ସେବନ କଲା ଓ ଗୋଟିଏ ରୁମରେ ଅଲଗା ରହିଲା |ରିପୋର୍ଟ ପଜିଟିଭ ଆସିବା ପରେ ଦୁହିଁଙ୍କ ହୋସ ଉଡ଼ିଗଲା |ସହଜେ ରାଧା କାମକୁ ପାରୁନଥିଲେ,ତା ଉପରେ ରାଜୀବ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପାନୀୟ ଇତ୍ୟାଦି ତିଆରି କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଲା | ଏସବୁ ସତ୍ତ୍ୱେ ବି ସେ ନିଜର ଜିଦ୍ଦି ରଖି,ବୋହୂଘରକୁ ରାଜୀବର ଅସୁସ୍ଥତା ବିଷୟରେ ଜଣେଇ ନଥିଲେ |କିନ୍ତୁ କୌଣସି ସୂତ୍ରରୁ ରାଜୀବର କରୋନା ଆକ୍ରାନ୍ତ ହେବା  ଖବର ପାଇ,ସମୁଦୀ,ସମୁଦୁଣୀ ଓ ବୋହୂ ଆସି ପହଞ୍ଚିଗଲେ  |ରାଧାଙ୍କୁ ଦେଖି,ବୋହୂ ତାଙ୍କ ପାଦତଳେ ପଡି ମୁଣ୍ଡିଆ ମାରିବା ବେଳକୁ,ସମୁଦୁଣୀ ତାଙ୍କୁ କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲେ |ରାଧାଙ୍କର ସବୁ ରାଗ କୁଆଡେ ଉଭେଇ ଗଲା |ରୁହି ସାଙ୍ଗେ ସାଙ୍ଗେ ତାର ପୋଷାକ ବଦଳେଇ,ଡବଲ ମାସ୍କ ପିନ୍ଧି,ରାଜୀବ ପାଖକୁ ଯାଇ ତାର ଦୁଇ ପାଦ ଧରିପକାଇ କହିଲା ମତେ କ୍ଷମା କରିଦିଅ |ସେଠାରେ ପହଞ୍ଚିବାର ଚାରିଦିନ ପରେ ମତେ ବି କରୋନା ହୋଇଯାଇଥିଲା |ସେକଥା ତମକୁ କହିବାପାଇଁ ମୁଁ ତମପାଖକୁ କେତେ ଫୋନ କଲି,କିନ୍ତୁ ତମେ ମୋ ଫୋନ ବ୍ଲକ କରିଦେଇଥିଲ |ଏବେ ବି ମୋର ଦୁର୍ବଳତା ପୂରାପୂରି ଯାଇନି,ଟିକେ କାମ କଲେ ହାଲିଆ ଲାଗୁଛି |ରୁନି ଭାଉଜଙ୍କ ଠାରୁ ମୁଁ ତମ କଥା ଜାଣିଲି,ନହେଲେ,ତମ ବିଷୟରେ କେବେ ବି ଜାଣିପାରିନଥାନ୍ତି |ତା କଥା ଶୁଣି, ରାଜୀବ ଆଖିରୁ ଅମାନିଆ ଲୁହଧାର ଝରିଗଲା | ରୁହିର ହାତ ଧରି ସେ ଅସ୍ପଷ୍ଟ ଗଳାରେ କେବଳ ଏତିକି କହିଲା,ସରି ରୁହି | 
               "ତାପରେ କଣ ହେଲା?"ସମସ୍ତେ ଏକସ୍ୱରରେ ରୁନିକୁ ପଚାରିଲେ |ରୁନି କହିଲା,ତାପରେ ଆଉ କଣ ?ରୁହି କି କିମିଆ କଲା କେଜାଣି,ଅଳ୍ପଦିନ ଭିତରେ ରାଜୀବ ଭଲ ହୋଇଗଲା   |''ଈଶ୍ୱରଙ୍କ ଅସୀମ କୃପା,ପିଲାଟା ରକ୍ଷା ପାଇଗଲା "|ବାସନ୍ତୀ ଈଶ୍ୱରଙ୍କୁ ସ୍ମରଣ କରି ହାତ ଯୋଡ଼ି କହିଲେ  |ମୀନାବୋଉ ପଚାରିଲେ,ତାପରେ ସେମାନେ ସମସ୍ତେ ଆଇଁଷ ଖାଇଲେ ?ରୁନି କହିଲା,ରାଜୀବର ଆମିଷ ପ୍ରତି ଆଗ୍ରହ ନଥିଲା;ଥରେ ଛାଡିଦେବାପରେ,ରୁହି ମଧ୍ୟ ଆଉ ଆମିଷ ଖାଇବାକୁ ଇଛା କଲାନାହିଁ |ବାସନ୍ତୀ କହିଲେ,ଆମିଷ ଖାଇବାଟା ବଡ଼ କଥା ନୁହେଁ,ଭାଙ୍ଗିଯାଉଥିବା ସୁନାସଂସାର ଯୋଡି ହୋଇଗଲା,ସେଇଟା ବଡ଼ କଥା ,ସନ୍ଧ୍ୟା ହେଲାଣି,ଚାଲ ଏଥର ଘରକୁ ଯିବା |ରୁନି କହିଲା,ରୁହ,ରୁହ,ଗୋଟିଏ କଥା କହିବାକୁ ଭୁଲିଯାଇଛି |ସମସ୍ତେ ଉଠୁ ଉଠୁ ପୁଣି ବସିପଡ଼ିଲେ |ରୁନି ହସିଦେଇ କହିଲା,ଏବେ ଶାଶୁ ବୋହୂ ଦୁହେଁ ମିଳିମିଶି ସବୁକାମ କରୁଛନ୍ତି |ରାଧାନାନୀ ସାଙ୍ଗେ ଦେଖା ହୋଇଥିଲା |ସେ କହୁଥିଲେ,କରୋନା ମୋ ଭଙ୍ଗାସଂସାର ଯୋଡ଼ିଦେଲା  |ବାସନ୍ତୀ ହସି ହସି ଢଗ ଗାଇଲେ,'ଦଶ ଦୋଷ ଯଦି ସହି ପାରିବୁ,ବୋହୂ ଆଣିବୁ ଘରକୁ,ହସିକରି ଯଦି କଥା କହିବୁ,ବଶ କରିବୁ ପରକୁ|'କୁନାବୋଉ ତାଙ୍କ ସାଙ୍ଗେ ସ୍ୱର ମିଶାଇ ଗାଇଲେ,'ଝିଲିମିଲି ଶାଢ଼ୀ ସାଇତି ରଖିଲେ,ଦିନେ ହେଲେ ଚିରିଯିବ|ସ୍ନେହ ମମତାକୁ ସାଇତି ରଖିଲେ,ଚିରଦିନ ପାଇଁ ଥିବ |'(ସମାପ୍ତ)
                 
              
              
               
               
                
                   

No comments:

Post a Comment