ମୋ ମନ ସେମିତି ଶୋଇଥାଉ ଆଜି,
ନିଦ୍ରାଭଙ୍ଗ ତାର କରନାହିଁ |
ଉଠିଲେ ପୁଣି ସେ ସେନେହ ଚାହିଁବ,
ସର୍ବେ ରୁଷ୍ଟ ହେବେ ତାହାପାଇଁ ||
ସ୍ନେହପାତ୍ର ତାର ଅନେକ ବିରାଟ,
ସାଗରର ଜଳ ଊଣା ତହିଁ |
ଯେତେ ଦେଉଥିଲେ,ପୁଣି ଲୋଡ଼ୁଥାଇ,
ପିପାସାର ତାର ଅନ୍ତ ନାହିଁ ||
ସରଗର ସୁଖ ତୁଚ୍ଛ ତାହାଆଗେ ,
ସ୍ନେହ ଯଦି ଟିକେ ମିଳିଅଛି |
ସେହି ଗୌରବରେ ଗରୀୟାନ ହୋଇ,
କହିବ, ଆଉ କି ଲୋଡ଼ା ଅଛି !!!
କାହାର କି ବନ୍ଧୁଜନ କେହିନାହିଁ,
ଏକଇ ତାହାକୁ ସେନେହିବ |
କେଉଁ ଉପକାର କରିଛି ବା ସିଏ,
ତାପାଇଁ କେ ଜଗତ ଭୁଲିବ ??
ଦୁଃଖୀ ମନ ସିଏ,ଦୁଃଖେ ରହିଥାଉ,
ସେଇ ଅଟେ ତାର ଉଚିତ ଶାସ୍ତି |
ସ୍ଵଭାଵ ଯେପରି,ଭୋଗୁଛି ସେପରି,
ସେପରି ବି ଦିନେ ହୋଇବ ଇତି ||
ଯେତେ ଇଛା ସେତେ ଭଲପାଉ ସିଏ,
ପ୍ରତିଦାନେ କର ଘୃଣା ତାକୁ |
ନିନ୍ଦା ଅପମାନେ ଜର୍ଜରିତ କରି,
ରୁଦ୍ଧକର ତାର ବକ୍ତବ୍ୟକୁ ||
ତାହେଲେ ତୁମକୁ ସେନେହ ନମାଗି,
ସେବା କରୁଥିବ,ନିରନ୍ତର |
ଆପଣାକୁ ଶୂନ୍ୟ ,ନିଃସ୍ୱ କରିଦେଇ,
କହିବ,ଏଇତ ପ୍ରାପ୍ୟ ମୋହର !!!
No comments:
Post a Comment