ସୌମ୍ୟା ଯେତେବେଳେ ବିରିୟାନୀ ଆସିବା କଥା ନିର୍ମଳାଙ୍କୁ କହୁଥିଲା,ଅଙ୍କିତ ସେକଥା ଶୁଣୁଥିଲା |ସୌମ୍ୟା ଯିବାପରେ ସେ ଆସି ନିର୍ମଳାଙ୍କୁ କହିଲା,ମାମା,କାଲି ମୋପାଇଁ ଭାତ,ଡାଲି,ଆଳୁ ଚଟଣୀ ବନେଇ ଦେବ,ମୁଁ ବିରିୟାନୀ ଖାଇବିନି |ନିର୍ମଳା କହିଲେ,ମୋର ବି କାଲି ଚତୁର୍ଦ୍ଦଶୀ,ମୁଁ ଆମିଷ ଖାଇବିନି ;ମୋ ପାଇଁ ଯାହା ବନେଇବି,ତୋପାଇଁ ବନେଇ ଦେବି ,ଦୁଇଜଣ ମିଶି ଖାଇବା |କିଛି ଦୂରରେ ଥାଇ, ମାଆ ପୁଅଙ୍କ କଥୋପକଥନ ସୌମ୍ୟା ଶୁଣି ମନେ ମନେ ରାଗରେ ଜଳୁଥିଲା |
ସକାଳେ ଯେତେବେଳେ ନିର୍ମଳା ରୋଷେଇ ଆରମ୍ଭ କଲେ,ସୌମ୍ୟା ତାଙ୍କୁ ପଚାରିଲା,ମାମା,ସତକୁ ସତ ଆପଣ ଆଜି ବିରିୟାନୀ ଖାଇବେନି ?ନିର୍ମଳା କହିଲା,ନାଁ ମାଆ ,ଆଜି ମୋର ଚତୁର୍ଦ୍ଦଶୀ |ଅକି ବି ଖାଇବନି କହୁଛି,ବିରିୟାନୀ ଆସିଲେ,ତୁ ଓ ବାବା ଖାଇଦେବ |ସୌମ୍ୟା ଆଉ କିଛି ନକହି ସେଠାରୁ ଚାଲିଗଲା | |
ବାରଟା ପାଖାପାଖି ସୁବ୍ରତଙ୍କ ଡ୍ରାଇଭର ଆସି ବିରିୟାନୀ ପ୍ୟାକେଟ ଦେଇଗଲା |ଡାଇନିଂ ଟେବଲ ରେ ଯେତେବେଳେ ହୃଷୀକେଶ ମାଆ ପୁଅଙ୍କର ଅଲଗା ଖାଦ୍ୟ ଓ ସେମାନଙ୍କ ପାଇଁ ଅଲଗା ଖାଦ୍ୟ ଦେଖିଲେ,ସେ ନିର୍ମଳାଙ୍କୁ ପଚାରିଲେ,ତମ ଦୁଇଜଣଙ୍କର କଣ ହେଲା ?ନିର୍ମଳା କହିଲେ,ମୋର ଆଜି ଚତୁର୍ଦ୍ଦଶୀ,ଅକି ବି ବିରିୟାନୀ ଖାଇବାକୁ ମନା କଲା |ହୃଷୀକେଶ କହିଲେ, ଏଇ ରିଚ ଫୁଡ ମୋ ଦେହରେ ଯାଏନି ବୋଲି ତମେ ଜାଣିଛ |ସମୁଦୀଙ୍କୁ ହଁ କହିବା ପୂର୍ବରୁ ମୋର ତମମାନଙ୍କୁ ପଚାରିବାର ଥିଲା | ହୃଷୀକେଶଙ୍କ ପ୍ରତିଟି କଥା ସୌମ୍ୟାର ଦେହରେ ଛୁଞ୍ଚି ପରି ଫୋଡି ହୋଇ ଯାଉଥିଲା |ସମସ୍ତେ ଖାଇ ସାରିବାପରେ ସେ ବଳିଥିବା ବିରିୟାନୀ ଫ୍ରିଜରେ ରଖିଦେଲା |
ନିର୍ମଳା ରୋଷେଇଘରେ ତାଙ୍କ କାମରେ ବ୍ୟସ୍ତ ଥିବାବେଳେ, ସେ ତାଙ୍କ ପାଖକୁ ଆସି କହିଲା,ତମେମାନେ କେହି ନଖାଇଲେ ନାହିଁ,ସବୁଯାକ ବିରିୟାନୀ ମୁଁ ଖାଇବି |ନିର୍ମଳା ଆଶ୍ଚର୍ଯ୍ୟ ହୋଇ କହିଲେ,କଣ କହିଲୁ,ସବୁ ତୁ ଖାଇବୁ ? କେତେଦିନ ଖାଇବୁ ?ସୌମ୍ୟା କହିଲା,ଯେତେଦିନ ହେଉ, ଓଭାନରେ ଗରମ କରିଦେଲେ ସବୁ ଫ୍ରେଶ |ମୋ ବାପା ଏତେ ଶ୍ରଦ୍ଧାରେ ଦେଇଛନ୍ତି,ମୁଁ ଜମା ନଷ୍ଟ କରିବିନି |ନିର୍ମଳା କହିଲେ ,ଅତ୍ୟଧିକ ତେଲ ମସଲା,ବାହାର ଜିନିଷ ଖାଇ ଖାଇ ବୟସ ପୂର୍ବରୁ ତୁ 'ଆଣ୍ଟି'ଙ୍କ ପରି ଦେଖା ଗଲୁଣି |ତୋ ସାଙ୍ଗ ମାନଙ୍କୁ ଦେଖିଲୁ,ସେମାନେ କେମିତି ଫିଗର ମେଣ୍ଟେନ କରି ରହୁଛନ୍ତି ??
ନିର୍ମଳାଙ୍କ ମୁହଁରୁ 'ଆଣ୍ଟି' ଶବ୍ଦ ଶୁଣି ସୌମ୍ୟା ଆହତ ବାଘୁଣୀ ପରି ଗର୍ଜି ଉଠି କହିଲା,ଆପଣଙ୍କୁ ମୁଁ 'ଆଣ୍ଟି'ଙ୍କ ପରି ଦେଖା ଯାଉଛି ?ତାହେଲେ ଆପଣ କାହିଁକି ମତେ ବୋହୂ କରୁଥିଲେ ?ସେ 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ' ଲିପି କୁ ବାହା କଲେନି ??ନିର୍ମଳା ରାଗିଯାଇ କହିଲେ,ମୁହଁ ସମ୍ଭାଳି କଥା କହ,କାହାକୁ କେମିତି ବ୍ୟବହାର କରାଯାଏ ଶିଖିନୁ ?ତାଙ୍କ କଥା ଶୁଣି ସୌମ୍ୟା ଥର ଥର ହୋଇ କମ୍ପିବାକୁ ଲାଗିଲା |କ୍ରୋଧରେ ଆଖି ଦୁଇଟି ତାର ରକ୍ତବର୍ଣ୍ଣ ଧାରଣ କରିଥିଲା |ତାର ଭୟଙ୍କର ରୂପ ଦେଖି ନିର୍ମଳା ଡରିଗଲେ | ସଙ୍ଗେ ସଙ୍ଗେ ସୌମ୍ୟାର ହାତ ଧରି ପକାଇ ସେ କହିଲେ,କହୁ କହୁ କଣ କହିଦେଲି,ତୁ ରାଗନା |
କିନ୍ତୁ ସୌମ୍ୟା ଆଉ ବୁଝିବା ଅବସ୍ଥାରେ ନଥିଲା |ସେ ନିର୍ମଳାଙ୍କ ହାତ ଛାଟି ଭିତରକୁ ଚାଲିଗଲା ଓ ମଶା ନିବାରକ ଲିକ୍ୟୁଡ଼ ବୋତଲ କେଉଁଠି ଥିଲା,ଖୋଜି ଖୋଜି ନେଇ ଆସିଲା |ତାକୁ ସେ ନିର୍ମଳାଙ୍କ ସାମ୍ନାରେ ଖୋଲି ସବୁଯାକ ତରଳ ପଦାର୍ଥ ପାଟିରେ ପୁରାଇ ଦେଲା |ନିର୍ମଳା ଚିତ୍କାର କରି ସମସ୍ତଙ୍କୁ ଡକା ପକାଇଲେ |ହୃଷୀକେଶ ସେଠାକୁ ଦୌଡ଼ି ଆସିଲେ ଓ ସମସ୍ତ ଘଟଣା ଜାଣି ଆଚମ୍ବିତ ହୋଇଗଲେ |ଅଙ୍କିତ ଇତି ମଧ୍ୟରେ ଟାକ୍ସି ନେଇ ଆସିଥିଲା |ସେମାନେ ସେଥିରେ ତୁରନ୍ତ ସୌମ୍ୟାକୁ ହସ୍ପିଟାଲ ନେଇଗଲେ |ଉପଯୁକ୍ତ ଚିକିତ୍ସା ପରେ ସୌମ୍ୟା ବିପଦମୁକ୍ତ ହେଲା |କିନ୍ତୁ ଏହା ଆତ୍ମହତ୍ୟା କେଶ ହୋଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସଙ୍କୁ ଖବର ଦେଲେ |
ପୋଲିସ ଆସିବା କଥା ଶୁଣି ହୃଷୀକେଶ,ନିର୍ମଳା ଓ ଅଙ୍କିତ ଭୟ ଆଶଙ୍କାରେ ଜଡ଼ସଡ଼ ହୋଇଯାଉଥିଲେ |ଝିଅ ବିଦା କରିବାବେଳେ ସୁବ୍ରତ ତାଙ୍କୁ କହିଥିବା କଥା ହୃଷୀକେଶଙ୍କର ବାରମ୍ବାର ମନେ ପଡିଯାଉଥିଲା |
ପୋଲିସ ଆସିବାପରେ ତାଙ୍କୁ ଦେଖି ହୃଷୀକେଶ ଟିକେ ଆଶ୍ୱସ୍ତ ହେଲେ |କାରଣ ସେ ତାଙ୍କର ପୁରାତନ ବନ୍ଧୁ ଅନୁପ ଥିଲେ |ସେ ହୃଷୀକେଶଙ୍କୁ ପଚାରିଲେ ,ବାହାଘର ପୂର୍ବରୁ ତୁ ଝିଅର 'antecedent ଭେରିଫିକେସନ'କରି ନଥିଲୁ କି ?ହୃଷୀକେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,ମାନେ ??
ଅନୁପ କହିଲେ,ମାନେ ଆଉ କଣ !ପ୍ରତି ତିନି/ଚାରି ମାସରେ ଥରେ ଏଇ ଝିଅ ଏମିତି ଆତ୍ମହତ୍ୟା ଉଦ୍ୟମ କରେ | ଏହା ଏକପ୍ରକାର ମାନସିକ ରୋଗ | ଏଣିକି ତମମାନଙ୍କୁ ବହୁତ ହୁସିଆରରେ ରହିବାକୁ ପଡିବ |ଏ ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅ ଓ ସେହି ଅନୁସାରେ କାମ କର |(କ୍ରମଶଃ)
No comments:
Post a Comment