Sunday, July 25, 2021

ଜୀବନସାଥୀ (ଭାଗ 15)

                            ନନ୍ଦିନୀ ତାର ଟିପାଖାତା କାଢି ଲିଷ୍ଟ ଅନୁସାରେ ମଙ୍ଗଳକୃତ୍ୟ,ଦିଅଁମଙ୍ଗୁଳା ଓ ବେଦୀରେ ସମସ୍ତ କର୍ମ ପାଇଁ ଆବଶ୍ୟକ  ହେଉଥିବା ସାମଗ୍ରୀ ଗୋଟିକ ପରେ ଗୋଟିଏ ସଜାଡି ରଖିଲା |ଯାହା ନଥିଲା,ତାର ଗୋଟିଏ ତାଲିକା ପ୍ରସ୍ତୁତ କରି ଦୁଇଭଉଣୀ ବଡ଼ ମାର୍କେଟକୁ ଯାଇ କିଣି ଆଣିଲେ |

                   ପରଦିନ ସକାଳେ ଭାଇଭାଉଜ ପ୍ରଥମେ ଆସିଲେ |ତାପରେ ପରେ ଅନ୍ୟ ସମସ୍ତେ ଧୀରେ ଧୀରେ ଆସିଗଲେ |ଶଙ୍ଖ ହୁଳହୁଳି ଓ ବାଦ୍ୟ ସହ ସେମାନଙ୍କୁ ସ୍ୱାଗତ କରାଗଲା |ନିର୍ମଳାଙ୍କ ସାନ ଯାଆ ସେମାନଙ୍କ ଘରେ ପ୍ରଚଳିତ ହେଉଥିବା ବିଧି କହୁଥିଲେ ଓ ସେହି ଅନୁସାରେ  ସମସ୍ତ କର୍ମ ସୁରୁଖୁରୁରେ ସମ୍ପନ୍ନ ହେବାରେ  ଲାଗିଥିଲା |ଯେହେତୁ ଷ୍ଟୋରରୁମ ବିଭାଗ  ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ,ନିର୍ମଳା ତାର ଦାୟିତ୍ତ୍ୱ ନନ୍ଦିନୀକୁ ଦେଇଥିଲେ |ନିର୍ମଳା ତାଙ୍କର ସମସ୍ତ ସମ୍ପର୍କୀୟ ଓ ପାଖ ସାଇ ପଡିଶାଙ୍କ ପାଇଁ ମନଖୋଲି  ଲୁଗାପଟା କରିଥିଲେ |ସେମାନେ ମନ ମୁତାବକ ଶାଢ଼ୀ ପାଇ ଖୁସି ହେଉଥିଲେ ଓ ସେମାନଙ୍କ ଖୁସି ଦେଖି,ନିର୍ମଳାଙ୍କ  ମନ କୁଣ୍ଢେମୋଟ ହୋଇଯାଉଥିଲା |ମଙ୍ଗଳକୃତ୍ୟଠାରୁ ଆରମ୍ଭ କରି ଚତୁର୍ଥୀ ପର୍ଯ୍ୟନ୍ତ ଦିନକୁ ଚାରିବେଳା ସମସ୍ତଙ୍କପାଇଁ ନିର୍ମଳାଙ୍କ ଘରେ ଖାଇବାର ବନ୍ଦୋବସ୍ତ ହୋଇଥିଲା |ତାଙ୍କର ଏକମାତ୍ର ପୁଅର ବାହାଘରକୁ ସ୍ମରଣୀୟ କରି ରଖିବାପାଇଁ ନିର୍ମଳା କୌଣସି ମୌକା ଛାଡୁନଥିଲେ |ପ୍ରତ୍ୟେକ କାର୍ଯ୍ୟର ଭିଡିଓ ରେକଡିଂ ହେଉଥିଲା |

                  ଏଗାରଟା ବେଳକୁ ସୌମ୍ୟାର ଭାଇ ସିଦ୍ଧାର୍ଥ ତାଙ୍କର ପୁରୋହିତ,ଅବଧାନ,ବାରିକ ଓ ଶଙ୍ଖୁଆ ସହ ବରଧରା ହୋଇ ଆସିଲା |ସାଙ୍ଗରେ ସେ ବିଧି ମୁତାବକ କଂସାଥାଳି,ଢାଳ,ରୂପାଗିନାରେ ଚନ୍ଦନ ସିନ୍ଦୂର ସହ ପିଲିସଜ, ଆସନ,ଗାଲିଚା,ସୁନାମୁଦୀ ,ଯୋଡ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ଉପକରଣ  ଆଣିଥିଲା |ଉପଯୁକ୍ତ ସମ୍ମାନ ସହକାରେ ବରଧରା ବିଦାୟ ନେବା ପରେ ଦିଅଁମଙ୍ଗୁଳା ପର୍ବ ଆରମ୍ଭ ହେଲା |ଅନୁକୂଳ କୁଲାରେ ଠାକୁରାଣୀଙ୍କ ଶାଢ଼ୀ,ଓଢଣୀ,ଗୁଆ,ଚନ୍ଦନ,ସିନ୍ଦୂର ,ଶଙ୍ଖା,ଫୁଲଶଙ୍ଖା ,ଝୁଣ୍ଟିଆ,ଚକିବାକି,କଜ୍ଵଳପାତି ସାତଦୀପ,ନନ୍ଦସୁତା ,ପାଟଅଳତା,କାଠପାନିଆ,ଏକୋଇଶ ଗୋଟି କଉଡ଼ି,ମୁକୁଟ,ଧୂପକାଠି,ଦିଆସିଲି ଇତ୍ୟାଦି ସମସ୍ତ ଉପକରଣ  ସଜଡା ହୋଇ ରହିଲା ଓ ଗହଣା ସବୁ ନନ୍ଦିନୀ ତା ପର୍ସରେ ନେଲା  |ସୁଦୃଶ୍ୟ ମାଟି କଳସୀରେ ବାଉଁଶ ଦଣ୍ଡ,କାଣ୍ଡ,ଆମ୍ବଡାଳ,ପଇଡ଼ ରଖି ବେଦିରେ ପୂଜା ହେବାପରେ ଭାଉଜ ବୋହୂ ବେଶ ସାଜି ମୁଣ୍ଡରେ ଓଢଣୀ ପକାଇ,କାଖରେ ସେହି କଳସୀ ଧରି ସ୍ଥାନୀୟ ମନ୍ଦିରକୁ ବାହାରିଲେ |ତାଙ୍କ ସହିତ ବାଦ୍ୟ ପାର୍ଟି ବାଜା ବଜାଇ ଓ ଅନ୍ୟ ମହିଳାଗଣ କ୍ରମାଗତ ଶଙ୍ଖ ହୁଳହୁଳୀ ପକେଇ ଗଲେ |ମନ୍ଦିରରେ ନନା ସେମାନଙ୍କ ପ୍ରତୀକ୍ଷାରେ ଥିଲେ |ସେ ଝଅଟ ଝଅଟ ପୂଜା ସାରି ଦକ୍ଷିଣା ନେଇ ସେମାନଙ୍କୁ ବିଦାୟ ଦେଲେ |ମନ୍ଦିରରୁ ଫେରିବାବେଳେ ସେମାନେ ସାତଘରୁ ପାଣି ନେଇ ଘରକୁ ଫେରିଲେ  |

                  ଦିଅଁ ମଙ୍ଗୁଳା ପାଣିରେ ଅନ୍ୟ ପାଣି ମିଶାଇ,ବଟା ହଳଦୀ ଲଗାଇ ଅଙ୍କିତ ଯେତେବେଳେ ବାଡ଼ୁଅପାଣି ଗାଧୋଇଲା,ସେ କାନ୍ଦୁଥିଲା କି ହସୁଥିଲା,କେହି ଜାଣିପାରୁନଥିଲେ |ସେଠାରେ  ସବୁ ମହିଳା ବରକୁ ହଳଦୀ ଲଗେଇଦେବା ସହିତ ପରସ୍ପର ମଧ୍ୟରେ ହଳଦୀ ବୋଳାବୋଳି ହୋଇ ଅମୋଦିତ ହେଉଥିଲେ ଓ ପ୍ରବଳ ହାସ୍ୟରୋଳରେ ସେ ସ୍ଥାନ ମୁଖରିତ ହୋଇ ଉଠୁଥିଲା  |ଅଙ୍କିତକୁ ଦେଖି ନନ୍ଦିନୀ ଆଖିରୁ ତାର ଅଜାଣତରେ ଅମାନିଆ ଲୁହ ଝରି ଯାଉଥିଲା |ମିଛ ହସ ହସି ସେ ଛଳନା କରିବାକୁ ଚାହୁଁ ନଥିଲା  |ମନେ ମନେ ସେ ଭାବୁଥିଲା,ସବୁ କଥା ଜାଣିକରି ବି ମୁଁ ଅକି ପାଇଁ କିଛି କରି ପାରିଲିନି |ଏବେ ଖାଲି ଲୁହ ଝରାଇବା ଛଡ଼ା ଆଉ କଣ ବା ମୁଁ କରି ପାରିବି ?

                 ସନ୍ଧ୍ୟା ସାତଟା ବେଳକୁ ବ୍ୟାଣ୍ଡ ପାର୍ଟି ସହିତ  ବର ଅନୁକୂଳ କରି ବାହାରିଲା |ବରଯାତ୍ରୀ ମାନଙ୍କପାଇଁ ବସ ସହିତ କାରର ବନ୍ଦୋବସ୍ତ କରାଯାଇଥିଲା |ଉଭୟ ମହିଳା ଓ ପୁରୁଷ ବରଯାତ୍ରୀରେ ସାମିଲ ଥିଲେ |ବର  ସାଙ୍ଗରେ ଯିବାପାଇଁ ନନ୍ଦିନୀ ନିର୍ମଳାଙ୍କୁ ଅନେକ ବାଧ୍ୟ କରିବା ସତ୍ତ୍ୱେ ନିର୍ମଳା ବିଭିନ୍ନ ଆଳ ଓ ନିୟମ ଦେଖାଇ ଯିବାକୁ ରାଜି ହେଲେ ନାହିଁ |ଖାଲି ଏତିକି କହିଲେ,ମୋ ପୁଅକୁ ଛାଡି କୁଆଡେ ଯିବୁନି,ତା ପାଖେ ପାଖେ ଥିବୁ | (କ୍ରମଶଃ)

                

No comments:

Post a Comment