Saturday, July 31, 2021

ଜୀବନସାଥୀ (ଭାଗ 23)

                             ତା ପରଦିନ ସକାଳେ ନିର୍ମଳାଙ୍କର ନିଦ ଭାଙ୍ଗିଲା ବେଳକୁ ଛଅଟା ବାଜି ଗଲାଣି |ଏତେ ସମୟ ଯାଏଁ ସେ କେବେ ବି ଶୁଅନ୍ତି ନାହିଁ |ତର ତର ହୋଇ ଉଠି ଦେଖିଲେ,ଅଙ୍କିତ ଉଠି ଟି.ଭି.ଦେଖୁଛି |ସକାଳେ ଏତେ ଶୀଘ୍ର ସେ କେବେହେଲେ ଉଠେନାହିଁ |ରାତିରେ ଶୋଇଥିଲା କି ନାହିଁ,ଭଗବାନଙ୍କୁ ଜଣା |ତାଙ୍କୁ ଉଠିବାର ଦେଖି ଅଙ୍କିତ କହିଲା,ମାମା ,ଆମ ରୁମଟା ଭାରି ଗନ୍ଧ ହେଉଛି,ଟିକେ ଝଡାଝଡି କରି ସଫା କରିଦେବ ତ!ସେ ବାସନ୍ତୀ (କାମବାଲୀ)ଜମା ସଫା କରୁନି |ନିର୍ମଳା କହି ଆସୁଥିଲେ,ବାସନ୍ତୀ ଆସିଲା ବେଳକୁ ତ ମାଡାମଙ୍କ ପହଡ଼ ଭାଙ୍ଗି ନଥିବ,କବାଟ ଖୋଲା ହେଲେ ସିନା ବାସନ୍ତୀ ସଫା କରିବ !କିନ୍ତୁ ଏସବୁ କିଛି କହି ନପାରି ସେ କହିଲେ,ହଉ ମୁଁ ଦେଖୁଛି | 

                          ବାହାଘର ପରଠାରୁ ନିର୍ମଳା  ପୁଅବୋହୂଙ୍କ କୋଠରୀକୁ ଯାଇ ନଥିଲେ |ଏତେଦିନ ପରେ ପ୍ରଥମଥର ପାଇଁ ସେ ସେମାନଙ୍କ  ରୁମରେ ପ୍ରବେଶ କରୁଥିଲେ | ସେ ସେଠାକୁ ଯାଇ ଦେଖିଲେ,ଘର ସାରା ଅଳିଆ ଓ ଅଳନ୍ଧୁ ଭର୍ତ୍ତି |ସୌମ୍ୟାର ଆଲମିରା ଅଧା ଖୋଲା ହୋଇ ରହିଛି,ସେଥିରୁ ତାର କିଛି ଶାଢ଼ୀ ଓ ଡ୍ରେସ ପଦାକୁ ବାହାରି ଆସିଛି |ଆଲଣା ଉପରେ ତାର  ଲୁଗାପଟା ଛିନଛତ୍ର ହୋଇ ପଡିଛି |ତା ଉପରେ ମଧ୍ୟ ଆଙ୍ଗୁଠେ ବହଳ ମଳି |ଏକପ୍ରକାର ପଚା ଦୁର୍ଗନ୍ଧରେ  ଘର ଫାଟି ପଡୁଛି |ଯେଉଁ ଦିଗରୁ ପଚା ଦୁର୍ଗନ୍ଧ ଆସୁଥିଲା,ଗନ୍ଧ ଶୁଙ୍ଘି ଶୁଙ୍ଘି ସେଠାକୁ ଯାଇ ଦେଖିଲେ ଏକ ପଲିଥିନ ବ୍ୟାଗରେ ରେ ତାର ବୋଝେ ମାସିକ ପିରିଅଡ ନାପକିନ କେଜାଣି କେବେଠାରୁ ରହିଛି !!ସେ ନାକ ବନ୍ଦ କରି ପ୍ରଥମେ ସେହି ପଲିଥିନକୁ ନେଇ  ଘର ବାହାରେ ଥିବା ଡଷ୍ଟବିନରେ ପକାଇ ଦେଇ ହାତ ସାବୁନରେ ଧୋଇ ଆସିଲେ |ସେ ରୁମରେ ଯେତେ ମଳିଆ କପଡା,ବେଡ଼ସିଟ,ତକିଆଖୋଳ ଆଦି ଥିଲା,ସେ ସବୁକୁ ସେ ୱାଶିଙ୍ଗ ମେସିନରେ ପକେଇଲେ |ସେତେବେଳକୁ ବାସନ୍ତୀ ଆସିଲା |ତାକୁ ସେ କହିଲେ,ତୁ ପ୍ରଥମେ ଏ ଘର ସଫା କରି ପୋଛ,ତାପରେ ଆଉ ଯୋଉ କାମରେ ହାତ ଦେବୁ |ବାସନ୍ତୀ କହିଲା,ମ,ବୋହୂ ସାଇବାଣୀ ତ ମୁଁ ସବୁଦିନ ଆସିଲା ବେଳକୁ ଶୋଇଥିବେ,ସେ ଉଠିଲେ ସିନା ମୁଁ ଘର ସଫା କରିବି  ?ନିର୍ମଳା ବିରକ୍ତ ହୋଇ କହିଲେ,ମୁଁ ତତେ କିଛି ପଚାରିଲି ?ଅଯଥା କଥା ନକରି,ମୁଁ ଯାହା କହିଲି,ତାହା କର |

                       ବାସନ୍ତୀ ତା କାମ ସାରି ଯିବାବେଳେ ନିର୍ମଳା ତାକୁ କହିଲେ,ତୁ କାଲିଠାରୁ ସମସ୍ତଙ୍କ ଘରେ କାମସାରି ଆମ ଘରକୁ ଆସିବୁ |ବାସନ୍ତୀ କହିଲା,ଏଗାରଟା ଉପରେ ହୋଇଯିବ ମା' |ନିର୍ମଳା କହିଲେ,ହଉ ପଛକେ |ଆଉ ଶୁଣ,ପ୍ରତ୍ୟେକ ଦିନ ପୁଅବୋହୂଙ୍କ  ରୁମରେ ଲୁଗାପଟା ସଜାଡି ଆଲଣାରେ ରଖିବୁ,ବେଡ଼ ସିଟ ଝାଡ଼ି ଭଲରେ ପକେଇବୁ,ତାପରେ ଘର ଝାଡୁ କରି, ପୋଛା ଲଗେଇବୁ  |ବାସନ୍ତୀ ପଚାରିଲା,ମା' ସବୁଦିନ ?ନିର୍ମଳା ଉତ୍ତର ଦେଲେ,ହଁ,ସବୁଦିନ |ବାସନ୍ତୀ ଗମ୍ଭୀର ହୋଇ କହିଲା,ତାହେଲେ ପାଉଣା ଅଧିକା ପଡିବ ମା' |ନିର୍ମଳା କହିଲେ,ହଉ,ଆଉ ଶହେ ଟଙ୍କା ଅଧିକା ଦେବି ,କେତେ ଫୁଲେଇ ହଉଛୁ !ବାସନ୍ତୀ କହିଲା,ନାଁ ମା' |ଭଲକାମ କରିବି ମାନେ ଭଲ ପଇସା ନେବି |ପାଁଶହରୁ କମ ହବନି  |ଆଉ ନିର୍ମଳାଙ୍କ ଉତ୍ତରକୁ ଅପେକ୍ଷା ନକରି ସେ ସେଠାରୁ ଚାଲିଗଲା |(କ୍ରମଶଃ)


Friday, July 30, 2021

ଜୀବନସାଥୀ (ଭାଗ 22)

                          ସୁବ୍ରତ କହିଲେ,ହଁ ଆପଣ ଠିକ କହିଛନ୍ତି |ଆପଣମାନେ ଅନେକ ବେଳୁଁ ଆସି କ୍ଲାନ୍ତ ହୋଇ ପଡିଥିବେ ,,ଏଥର ଆପଣମାନେ ଯାଆନ୍ତୁ ,ମୁଁ ଝିଅ ପାଖରେ ରହିବି  |ଯିବାବେଳେ ନିର୍ମଳା ସୁବ୍ରତଙ୍କୁ କହିଲେ,ଝିଅ ସମ୍ପୂର୍ଣ୍ଣ ଭଲ ହେବାପରେ ତାକୁ ଆମ ଘରକୁ ପଠେଇବେ |ସୁବ୍ରତ ହାତଯୋଡ଼ି କହିଲେ,ହଁ ସମୁଦୁଣୀ ମୁଁ ଜାଣିଛି |ମୁଁ ଆପଣଙ୍କୁ ହଇରାଣ କରିବିନି |

                         ଘରକୁ ଫେରିବାପରେ ନିର୍ମଳା ହୃଷୀକେଶଙ୍କୁ କହିଲେ,ସେ ତା ବାପଘରେ ଥାଉ, ଆମେ ତାକୁ ଆଉ ଆମ ଘରକୁ ଆଣିବା ନାହିଁ |ହୃଷୀକେଶ କହିଲେ,ଇଏ ପିଲାଖେଳ ହୋଇଛି ନାଁ କଣ ?ଆମେ ସେମିତି କିଛି ବି କରି ପାରିବାନି |ଯଦି କରିବାକୁ ଚାହିଁବା,ତାହେଲେ ଧୂର୍ତ୍ତ ସମୁଦୀ ଆମକୁ ବରବାଦ କରିଦେବ  |ନିର୍ମଳା କାନ୍ଦି ପକାଇ କହିଲେ,ଯୌତୁକ ଲୋଭ ଦେଖାଇ ସେ ବଦମାସ ତାର ରଦ୍ଦିଆ ମାଲକୁ ଆମ ବେକରେ ବାନ୍ଧିଦେଲା |ସାରା ଜୀବନ ଆମେ ଅଖା ଧୋଉଥିବା,ଗୁଣ ଗାଉଥିବା !ମତେ ସେତେବେଳେ ଗର୍ବ,ଅହଙ୍କାର ଆଉ ଲୋଭର ନିଶା ଘାରି  ଯାଇଥିଲା | ନନ୍ଦିନୀ ମତେ କେତେ ବୁଝେଇଲା |ମୁଁ କଣ ତା କଥା ଶୁଣିଲି ?ଭାବିଲି,ସେ ମୋ ଶିରୀ ଦେଖି ସହି ପାରୁନାହିଁ |ଏବେ ମୁଁ ଭୋଗିବିନି ତ ଆଉ କିଏ ଭୋଗିବ ??ଆହାଃ !ମୁଁ କେତେ ପାପ କଲି !ମୋ ଦୋଷର କ୍ଷମା ନାହିଁ |

                      ହୃଷୀକେଶ କହିଲେ,ଥାଉ,ଥାଉ |ଆଉ ବୃଥା ନାଟକ କରନି |ତମକୁ କି ଦୁର୍ବୁଦ୍ଧି ଘୋଟିଲା କେଜାଣି,ହୀରା ପରି ଝିଅଟିକୁ ପାଦରେ ଆଡେଇ ଦେଲ,କହିଲ କଣ ନାଁ,ପିଅନର ଝିଅ !!ମୁଁ ବି ଆଗ ପଛ ନ ବିଚାରି ତମ କଥାରେ ମାତିଗଲି |ଏବେ  ମନ୍ତ୍ରୀଙ୍କ ପି.ଏସ.ଙ୍କ ପାଗଳୀ ଝିଅ ଆଉ ତାଙ୍କ ଯୌତୁକକୁ  ସାରା ଜୀବନ ଚାଟୁ ଥା !ନିର୍ମଳା  ତାଙ୍କ କଥା ଶୁଣି ରାଗିଯାଇ କହିଲେ,ଏମିତି କଥା କହୁଛ,ଯେମିତି ତମେ ପୂରା ସାଧୁ |ଏଥିରେ ତମର କିଛି ଦୋଷ ନାହିଁ ନାଁ ?ନିଜେ ତ ପ୍ରମୋଶନ ପାଇଁ,ପାଗଳ ହୋଇ ଯାଇଥିଲା,ଏବେ ମତେ କଣ ଦୋଷ ଦେଉଛ ?ଯେତେ ବେନାମୀ ଚିଠି ଆସିଲା,ସତ ମିଛ ନ ପରଖି,ସାଙ୍ଗେ ସାଙ୍ଗେ  ଚିରି ଫୋପାଡ଼ି ଦେଲ  !ଆମେ ସିନା ପରସ୍ପରକୁ ଦୋଷ ଦେଇ ଖସିଯିବା,ହେଲେ,ସାରା ଜୀବନ ମୋ ପୁଅ ଭୋଗିବ |

                       ଏହି ସମୟରେ ଅଙ୍କିତ ସେଠାକୁ ଆସି ନିର୍ମଳାଙ୍କୁ କହିଲା,ମାମା,ରୋଷେଇ କରିବ ନାଁ ମୁଁ ବାହାରୁ ଆଣିବି ?ନିର୍ମଳା ଘଣ୍ଟାକୁ ଚାହିଁ କହିଲେ,ନଅଟା  ବାଜିଲାଣି ?ମୁଁ ଯାଏ ରୋଷେଇ କରେ |ସେ ଧୁଆଧୋଇ ହୋଇ ନିଜ  ଲୁଗା ବଦଳେଇ ରୋଷେଇ ଘରକୁ ଗଲେ |କିନ୍ତୁ ତାଙ୍କ ଅନ୍ତରରୁ କୋହ ଉଠୁଥିଲା  |ନିଜକୁ ସମ୍ଭାଳି ନପାରି, ରୋଷେଇଘର କାନ୍ଥରେ ମୁଣ୍ଡ ପିଟିଦେଇ ସେ କହିଲେ,ଏ ମୁଁ କଣ କଲି?ନିଜ ହାତରେ ମୋ ସୁନା ମୁଣ୍ଡା ପରି ପୁଅର ଜୀବନ ନଷ୍ଟ କରିଦେଲି !!(କ୍ରମଶଃ)


Thursday, July 29, 2021

ଜୀବନସାଥୀ (ଭାଗ 21)

                      ହୃଷୀକେଶ ଅନୁପଙ୍କ ସହ କଥା ହେଉଥିବାବେଳେ ସୁବ୍ରତ ସେଠାରେ ପହଞ୍ଚିଲେ |ସେ  ଦୁଇଜଣଙ୍କୁ ଅନ୍ତରଙ୍ଗ ଭାବରେ କଥା ହେଉଥିବାର ଦେଖି,ତାଙ୍କ ମୁହଁ ଶୁଖିଗଲା  | ସେମାନଙ୍କ ଠାରୁ ଦୂରତା ରକ୍ଷାକରି ସେ କିଛି  ଦୂରରେ ବସିଲେ |ଅନୁପ ଯିବାପରେ ସେ ହୃଷୀକେଶଙ୍କ ପାଖକୁ ଆସି ତାଙ୍କ ହାତ ଧରିପକାଇ କହିଲେ,ସମୁଦୀ,ମତେ କ୍ଷମା କରିଦେବେ |ହୃଷୀକେଶ କହିଲେ,ଆପଣ ଏମିତି କାହିଁକି କହୁଛନ୍ତି ?

                 ସୁବ୍ରତ କହିଲେ,ଆପଣ ଆଜି ସାରଙ୍କ ଠାରୁ କିଛି ସତ ଜାଣିଥିବେ  |କିନ୍ତୁ ପୂରା ସତ ଆପଣଙ୍କୁ ନ କହିବା ପର୍ଯ୍ୟନ୍ତ ମତେ ଶାନ୍ତି ମିଳିବ ନାହିଁ |ତାପରେ ସେ ତାଙ୍କ କଥା ଆରମ୍ଭ କରି କହିଲେ,ଚାରିବର୍ଷ ତଳେ ଜଣେ ଇଞ୍ଜିନିଅରିଂ ଗ୍ରାଜୁଏଟ ଚାକିରୀ ପାଇଁ ତାଙ୍କ ପାଖକୁ ଆସିଥିଲା |ସେତେବେଳେ ତାଙ୍କ ବିଭାଗରେ କେତେଗୁଡିଏ ପୋଷ୍ଟ ପୂରଣ କରିବାପାଇଁ,ଦରଖାସ୍ତ ଆହ୍ୱାନ କରାଯାଇଥିଲା |ଚାକିରୀ ପାଇଁ ସୁବ୍ରତ ଏକ ସର୍ତ୍ତ ରଖିଥିଲେ |ତା ହେଲା,ଚାକିରୀ ବଦଳରେ ସେ ତାଙ୍କ ଝିଅକୁ ବିବାହ କରିବ |ଏଥିରେ ପିଲାଟି ଅତି ଖୁସିରେ ରାଜି ହୋଇଯାଇଥିଲା |ପିଲାଟିର ପରିବାର ସହ ବିବାହ ପାଇଁ କଥାବାର୍ତ୍ତା ହୋଇଥିଲା ଓ ସେମାନେ ମଧ୍ୟ ରାଜି ଥିଲେ |ଚାକିରୀ ପାଇବା ପରେ ଦୁହିଁଙ୍କ ବିବାହ ହେବ ବୋଲି ଏକପ୍ରକାର ଚୂଡାନ୍ତ ହୋଇଯାଇଥିଲା | ପିଲାଟି ବାରମ୍ବାର ତାଙ୍କ ଘରକୁ ଆସିବା ଭିତରେ ତା ସହିତ ସୌମ୍ୟାର ସମ୍ପର୍କ ଗଢି ଉଠିଥିଲା |ଯେହେତୁ ସେମାନଙ୍କ ବାହାଘର ହେବା  କଥା ଫାଇନାଲ ହୋଇ ଯାଇଥିଲା,ସେମାନଙ୍କ ମିଳାମିଶାରେ ସୁବ୍ରତ ବାଧା ଦେଇ ନଥିଲେ |

              କିନ୍ତୁ ଚାକିରୀ ପାଇବା ପରେ ପିଲାଟି ଆଉ ଧରାଛୁଆଁ ଦେଲାନାହିଁ ଓ ତାଙ୍କ ପିତାମାତା ପୁଅର ଇଛା ବିରୁଦ୍ଧରେ କିଛି କରିପାରିବେନାହିଁ ବୋଲି ସ୍ପଷ୍ଟ ମନା  କରିଦେଲେ |ପ୍ରସ୍ତାବ  ଭାଙ୍ଗିଯିବାପରେ ସୌମ୍ୟା ପାଗଳୀ ପ୍ରାୟ ହୋଇଗଲା ଓ ସେ ମାନସିକ ବ୍ୟାଧିର ଶୀକାର ହେଲା |ତାକୁ ସବୁବେଳେ ଖୁସି ପରିବେଶରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ |ସେଥିପାଇଁ ସେ ତାକୁ ଏମ.ବି.ଏ.ପଢାଇଲେ |ଭାବିଥିଲେ,ପାଠପଢ଼ାରେ ମଜ୍ଜି ସେ ତାର ଅତୀତକୁ ପାଶୋରି ଦେବ |କିନ୍ତୁ ଯେତେ ଯାହା କଲେ ବି, ସେ ତାର ବେମାରୀରୁ ମୁକ୍ତି ପାଇଁ ପାରିଲା ନାହିଁ |ସୁବ୍ରତ ଛେପ ଢ଼ୋକି ପୁଣି କହିଲେ,ଆପଣଙ୍କ ପୁଅ ସହିତ ଯେତେବେଳେ ପ୍ରସ୍ତାବ ପଡିଲା,ମୁଁ ବହୁତ ଖୁସି ହୋଇଯାଇଥିଲି |ମୋର ଦୃଢ଼ ବିଶ୍ୱାସ ଥିଲା,ଝିଅ ମୋର ଆପଣଙ୍କ ଘରେ ଖୁବ ଖୁସିରେ ରହିବ |ସେଥିପାଇଁ ମୁଁ ଏହି ପ୍ରସ୍ତାବକୁ ହାତଛଡା କରିବାକୁ ଚାହିଁ ନଥିଲି |ଝିଅର ଖୁସି ପାଇଁ ମୁଁ ଆପଣଙ୍କୁ ତାର ଅତୀତ ଓ ବେମାରୀ କଥା ଲୁଚେଇଥିଲି |ସେଥିପାଇଁ ଆପଣ ମତେ କ୍ଷମା କରି ଦିଅନ୍ତୁ |

              ସୁବ୍ରତଙ୍କ କଥା ଶୁଣି  ଦୟା ଓ କରୁଣାରେ ହୃଷୀକେଶଙ୍କ ହୃଦୟ  ବିଗଳିତ ହୋଇଗଲା |କିନ୍ତୁ ନିର୍ମଳା ସୁବ୍ରତଙ୍କ କଥାକୁ ବିଶ୍ୱାସ କରିପାରୁ ନଥିଲେ |ସେ ଭାବୁଥିଲେ,ସହାନୁଭୂତି ପାଇବା ପାଇଁ ସେ ପୁଣି କିଛି ନୂଆ ଚାଲ ଖେଳୁ ନାହାନ୍ତି ତ ?ହୃଷୀକେଶ କିଛି କହିବା ପୂର୍ବରୁ ସେ ସୁବ୍ରତଙ୍କ ମନ ରଖିବାପାଇଁ କହିଲେ,ଆମେ  ଆପଣଙ୍କ କଥା ବୁଝିପାରୁଛୁ  |କିନ୍ତୁ ଏ ସମୟରେ ଆପଣ ଝିଅ  ପାଖରେ ରହିବା  ନିହାତି ଦରକାର |କାରଣ ତାର ହୋସ ଆସିଲେ,ଆମକୁ ଦେଖି  ହୁଏତ ତାର କିଛି ପ୍ରତିକ୍ରିୟା ସୃଷ୍ଟି ହୋଇପାରେ | (କ୍ରମଶଃ) 

ଜୀବନସାଥୀ (ଭାଗ 20)

                ସୌମ୍ୟା ଯେତେବେଳେ ବିରିୟାନୀ ଆସିବା କଥା ନିର୍ମଳାଙ୍କୁ କହୁଥିଲା,ଅଙ୍କିତ ସେକଥା ଶୁଣୁଥିଲା |ସୌମ୍ୟା ଯିବାପରେ ସେ  ଆସି ନିର୍ମଳାଙ୍କୁ କହିଲା,ମାମା,କାଲି ମୋପାଇଁ ଭାତ,ଡାଲି,ଆଳୁ ଚଟଣୀ ବନେଇ ଦେବ,ମୁଁ ବିରିୟାନୀ ଖାଇବିନି |ନିର୍ମଳା କହିଲେ,ମୋର ବି କାଲି ଚତୁର୍ଦ୍ଦଶୀ,ମୁଁ  ଆମିଷ ଖାଇବିନି ;ମୋ ପାଇଁ ଯାହା ବନେଇବି,ତୋପାଇଁ ବନେଇ ଦେବି ,ଦୁଇଜଣ ମିଶି ଖାଇବା |କିଛି ଦୂରରେ ଥାଇ, ମାଆ ପୁଅଙ୍କ କଥୋପକଥନ ସୌମ୍ୟା ଶୁଣି ମନେ ମନେ ରାଗରେ ଜଳୁଥିଲା  |

              ସକାଳେ ଯେତେବେଳେ ନିର୍ମଳା ରୋଷେଇ ଆରମ୍ଭ କଲେ,ସୌମ୍ୟା ତାଙ୍କୁ ପଚାରିଲା,ମାମା,ସତକୁ ସତ ଆପଣ ଆଜି ବିରିୟାନୀ ଖାଇବେନି ?ନିର୍ମଳା କହିଲା,ନାଁ ମାଆ ,ଆଜି ମୋର ଚତୁର୍ଦ୍ଦଶୀ |ଅକି ବି ଖାଇବନି କହୁଛି,ବିରିୟାନୀ ଆସିଲେ,ତୁ ଓ ବାବା ଖାଇଦେବ |ସୌମ୍ୟା ଆଉ କିଛି ନକହି ସେଠାରୁ ଚାଲିଗଲା | |

                  ବାରଟା ପାଖାପାଖି ସୁବ୍ରତଙ୍କ ଡ୍ରାଇଭର ଆସି ବିରିୟାନୀ ପ୍ୟାକେଟ ଦେଇଗଲା |ଡାଇନିଂ ଟେବଲ ରେ ଯେତେବେଳେ ହୃଷୀକେଶ ମାଆ ପୁଅଙ୍କର ଅଲଗା ଖାଦ୍ୟ ଓ ସେମାନଙ୍କ ପାଇଁ  ଅଲଗା ଖାଦ୍ୟ ଦେଖିଲେ,ସେ ନିର୍ମଳାଙ୍କୁ ପଚାରିଲେ,ତମ ଦୁଇଜଣଙ୍କର କଣ ହେଲା ?ନିର୍ମଳା କହିଲେ,ମୋର ଆଜି ଚତୁର୍ଦ୍ଦଶୀ,ଅକି ବି ବିରିୟାନୀ ଖାଇବାକୁ ମନା କଲା |ହୃଷୀକେଶ କହିଲେ, ଏଇ ରିଚ ଫୁଡ ମୋ ଦେହରେ ଯାଏନି ବୋଲି ତମେ ଜାଣିଛ |ସମୁଦୀଙ୍କୁ ହଁ କହିବା ପୂର୍ବରୁ ମୋର  ତମମାନଙ୍କୁ ପଚାରିବାର ଥିଲା | ହୃଷୀକେଶଙ୍କ ପ୍ରତିଟି  କଥା ସୌମ୍ୟାର ଦେହରେ ଛୁଞ୍ଚି ପରି ଫୋଡି ହୋଇ ଯାଉଥିଲା |ସମସ୍ତେ ଖାଇ ସାରିବାପରେ ସେ ବଳିଥିବା ବିରିୟାନୀ ଫ୍ରିଜରେ ରଖିଦେଲା |

                 ନିର୍ମଳା ରୋଷେଇଘରେ ତାଙ୍କ କାମରେ ବ୍ୟସ୍ତ ଥିବାବେଳେ, ସେ ତାଙ୍କ  ପାଖକୁ ଆସି କହିଲା,ତମେମାନେ କେହି ନଖାଇଲେ ନାହିଁ,ସବୁଯାକ ବିରିୟାନୀ ମୁଁ ଖାଇବି |ନିର୍ମଳା ଆଶ୍ଚର୍ଯ୍ୟ ହୋଇ କହିଲେ,କଣ କହିଲୁ,ସବୁ ତୁ ଖାଇବୁ ? କେତେଦିନ ଖାଇବୁ  ?ସୌମ୍ୟା କହିଲା,ଯେତେଦିନ ହେଉ, ଓଭାନରେ ଗରମ କରିଦେଲେ ସବୁ ଫ୍ରେଶ |ମୋ ବାପା ଏତେ ଶ୍ରଦ୍ଧାରେ ଦେଇଛନ୍ତି,ମୁଁ ଜମା ନଷ୍ଟ କରିବିନି |ନିର୍ମଳା କହିଲେ ,ଅତ୍ୟଧିକ ତେଲ ମସଲା,ବାହାର ଜିନିଷ  ଖାଇ ଖାଇ ବୟସ ପୂର୍ବରୁ ତୁ  'ଆଣ୍ଟି'ଙ୍କ ପରି ଦେଖା ଗଲୁଣି |ତୋ ସାଙ୍ଗ ମାନଙ୍କୁ ଦେଖିଲୁ,ସେମାନେ କେମିତି ଫିଗର ମେଣ୍ଟେନ କରି ରହୁଛନ୍ତି ??

               ନିର୍ମଳାଙ୍କ  ମୁହଁରୁ 'ଆଣ୍ଟି' ଶବ୍ଦ ଶୁଣି ସୌମ୍ୟା ଆହତ ବାଘୁଣୀ ପରି ଗର୍ଜି ଉଠି କହିଲା,ଆପଣଙ୍କୁ  ମୁଁ 'ଆଣ୍ଟି'ଙ୍କ ପରି ଦେଖା ଯାଉଛି ?ତାହେଲେ ଆପଣ  କାହିଁକି ମତେ ବୋହୂ କରୁଥିଲେ ?ସେ 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ' ଲିପି କୁ ବାହା କଲେନି  ??ନିର୍ମଳା  ରାଗିଯାଇ କହିଲେ,ମୁହଁ ସମ୍ଭାଳି କଥା କହ,କାହାକୁ କେମିତି ବ୍ୟବହାର କରାଯାଏ ଶିଖିନୁ ?ତାଙ୍କ କଥା ଶୁଣି  ସୌମ୍ୟା   ଥର ଥର ହୋଇ କମ୍ପିବାକୁ ଲାଗିଲା |କ୍ରୋଧରେ ଆଖି ଦୁଇଟି ତାର ରକ୍ତବର୍ଣ୍ଣ ଧାରଣ କରିଥିଲା |ତାର ଭୟଙ୍କର ରୂପ ଦେଖି ନିର୍ମଳା ଡରିଗଲେ  | ସଙ୍ଗେ ସଙ୍ଗେ ସୌମ୍ୟାର ହାତ ଧରି ପକାଇ ସେ କହିଲେ,କହୁ କହୁ କଣ କହିଦେଲି,ତୁ ରାଗନା |

           କିନ୍ତୁ ସୌମ୍ୟା ଆଉ ବୁଝିବା ଅବସ୍ଥାରେ ନଥିଲା |ସେ ନିର୍ମଳାଙ୍କ ହାତ ଛାଟି ଭିତରକୁ ଚାଲିଗଲା ଓ ମଶା ନିବାରକ  ଲିକ୍ୟୁଡ଼ ବୋତଲ କେଉଁଠି ଥିଲା,ଖୋଜି ଖୋଜି ନେଇ ଆସିଲା |ତାକୁ ସେ  ନିର୍ମଳାଙ୍କ ସାମ୍ନାରେ  ଖୋଲି ସବୁଯାକ ତରଳ ପଦାର୍ଥ ପାଟିରେ ପୁରାଇ ଦେଲା |ନିର୍ମଳା  ଚିତ୍କାର କରି ସମସ୍ତଙ୍କୁ ଡକା ପକାଇଲେ  |ହୃଷୀକେଶ ସେଠାକୁ ଦୌଡ଼ି ଆସିଲେ ଓ ସମସ୍ତ  ଘଟଣା ଜାଣି ଆଚମ୍ବିତ ହୋଇଗଲେ |ଅଙ୍କିତ ଇତି ମଧ୍ୟରେ ଟାକ୍ସି ନେଇ ଆସିଥିଲା |ସେମାନେ ସେଥିରେ ତୁରନ୍ତ ସୌମ୍ୟାକୁ ହସ୍ପିଟାଲ ନେଇଗଲେ |ଉପଯୁକ୍ତ ଚିକିତ୍ସା ପରେ ସୌମ୍ୟା ବିପଦମୁକ୍ତ ହେଲା |କିନ୍ତୁ ଏହା ଆତ୍ମହତ୍ୟା କେଶ ହୋଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ  ପୋଲିସଙ୍କୁ ଖବର ଦେଲେ |

          ପୋଲିସ ଆସିବା କଥା ଶୁଣି ହୃଷୀକେଶ,ନିର୍ମଳା ଓ ଅଙ୍କିତ ଭୟ ଆଶଙ୍କାରେ ଜଡ଼ସଡ଼ ହୋଇଯାଉଥିଲେ |ଝିଅ ବିଦା କରିବାବେଳେ ସୁବ୍ରତ ତାଙ୍କୁ କହିଥିବା କଥା ହୃଷୀକେଶଙ୍କର ବାରମ୍ବାର ମନେ ପଡିଯାଉଥିଲା |

           ପୋଲିସ ଆସିବାପରେ ତାଙ୍କୁ ଦେଖି ହୃଷୀକେଶ ଟିକେ ଆଶ୍ୱସ୍ତ ହେଲେ |କାରଣ ସେ ତାଙ୍କର ପୁରାତନ ବନ୍ଧୁ ଅନୁପ ଥିଲେ |ସେ ହୃଷୀକେଶଙ୍କୁ ପଚାରିଲେ ,ବାହାଘର ପୂର୍ବରୁ ତୁ ଝିଅର 'antecedent ଭେରିଫିକେସନ'କରି ନଥିଲୁ କି ?ହୃଷୀକେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,ମାନେ ??

     ଅନୁପ କହିଲେ,ମାନେ ଆଉ କଣ !ପ୍ରତି  ତିନି/ଚାରି  ମାସରେ ଥରେ ଏଇ ଝିଅ ଏମିତି ଆତ୍ମହତ୍ୟା ଉଦ୍ୟମ କରେ | ଏହା ଏକପ୍ରକାର ମାନସିକ ରୋଗ | ଏଣିକି ତମମାନଙ୍କୁ ବହୁତ ହୁସିଆରରେ ରହିବାକୁ ପଡିବ |ଏ ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅ ଓ ସେହି ଅନୁସାରେ କାମ କର |(କ୍ରମଶଃ) 

Wednesday, July 28, 2021

ଜୀବନସାଥୀ (ଭାଗ 19)

                        ପରଦିନ ସକାଳେ ଯେତେବେଳେ ନିର୍ମଳା ସୌମ୍ୟାକୁ ଉଠାଇବାକୁ କବାଟରେ ମୃଦୁ କରାଘାତ କଲେ, ଆଉଜା ଥିବା କବାଟଟି ମନକୁ ମନ ଖୋଲିଗଲା |ସେ ଦେଖିଲେ,ସୌମ୍ୟା ପଲଙ୍କରେ ଓ ଅଙ୍କିତ ସୋଫାରେ ଶୋଇଛନ୍ତି |ସେ ସଙ୍ଗେ ସଙ୍ଗେ  କବାଟ ଆଉଜାଇ ଦେଇ ସେଠାରୁ ଚାଲିଗଲେ |ସମୟ ଉଣ୍ଡି,ନନ୍ଦିନୀ ଯେତେବେଳେ ଅନ୍ୟ କାମରେ ବ୍ୟସ୍ତ ଥିଲା,ସେ ସୌମ୍ୟାକୁ ଆଦର କରି ଏ ବିଷୟରେ ପଚାରିଲେ |ଅଙ୍କିତ ଗତ ରାତିରେ ତାକୁ ଯାହା କହିଥିଲା,ସୌମ୍ୟା ଗୋଟି ଗୋଟି କରି ନିର୍ମଳାଙ୍କ ଆଗରେ ବଖାଣି ଗଲା ଓ କହିଲା,ତାଙ୍କର ତ ଇଚ୍ଛା ନଥିଲା,ଆପଣ କାହିଁକି ବାହାଘର କଲେ ?ନିର୍ମଳା ତାର ପିଠି ଥାପୁଡ଼େଇ କହିଲେ,ତୁ ବ୍ୟସ୍ତ ହୁଅନା କି କାହାକୁ ଏକଥା କହନା,ମୁଁ ଅକିକୁ ବୁଝାଇ ଦେବି |ଦିନକ ପରେ ନନ୍ଦିନୀ ଯିବାକୁ ବାହାରିଲା |ନିର୍ମଳା  ମନଦୁଃଖ କରି ତାକୁ  କହିଲେ,ତୁ ମୋ ପାଇଁ ଏତେ କଲୁ,,ଅଥଚ ମୁଁ ତତେ ପାଟଶାଢ଼ୀ ଖଣ୍ଡେ ଦେଇ ପାରିଲି ନାହିଁ |ନନ୍ଦିନୀ ତାର ସେଇ ପୁରୁଣା ସଂଳାପ ଦୋହରାଇ କହିଲା,ଏକା  ମାଘକେ କଣ ଶୀତ ଯାଉଛି ?ମୋ ବାକି ଖାତାରେ ଲେଖି ରଖିଥା ,ଏତେ ଶୀଘ୍ର ମୁଁ ତତେ  ଛାଡ଼ୁନି ବା  |

                    ସେଦିନ ରାତିରେ ସମସ୍ତେ ଖାଇସାରିବା ପରେ ଅଙ୍କିତ ସବୁଦିନ ପରି ଟିଭି ଦେଖୁଥିଲା |ନିର୍ମଳା ତା ପାଖରେ ବସିପଡି କହିଲେ,ଅଗ୍ନି ଦେବତାଙ୍କୁ  ସାକ୍ଷୀ ରଖି,ଆମେ ସୌମ୍ୟାକୁ  ବୋହୂ କରି ଆମ ଘରକୁ ଆଣି ସାରିଛୁ  |ଏବେ ସୌମ୍ୟା ତୋର ସ୍ତ୍ରୀ ହୋଇ ସାରିଛି |ଆଉ କଣ ଆମେ ତାକୁ ବଦଳେଇ ଦେଇ ପାରିବା  ?ତୁ ତାକୁ ସ୍ତ୍ରୀ ଭାବେ ଆଦରି ନେଲେ ଆମ ସମସ୍ତଙ୍କ ପାଇଁ ମଙ୍ଗଳ ହେବ |ପଛ କଥାକୁ ଗଣ୍ଠି କରି ଧରି ବସିଲେ,କିଛି  ଲାଭ ନାହିଁ,ବରଂ ବେଶି କ୍ଷତି  |

                     ତାଙ୍କ କଥା ଶୁଣି ଅଙ୍କିତ ଚିହିଙ୍କି ଉଠି ଖଣ୍ଡେ ଦୂରକୁ ଘୁଞ୍ଚିଯାଇ କହିଲା,ତମର ବୋହୂ ଦରକାର ଥିଲା,ବୋହୂ ଆସିଲା |ଏଥର ବୋହୂକୁ ନେଇ ତମେ ଚଳ,ମୋର ଏଥିରେ କିଛି ମତଲବ ନାହିଁ  |ଆଜି ଯାହା କହିଲ,ସେତିକି |ଆଉଦିନେ ଏ ବିଷୟରେ ମତେ କିଛି କହିବ ନାହିଁ |ନହେଲେ,ତମେ ମତେ ଯେଉଁ ଧମକ ଦେଉଥିଲ,ମୁଁ ତାକୁ କାର୍ଯ୍ୟରେ ପରିଣତ କରି ଦେଖେଇ ଦେବି |ନିର୍ମଳା ଅଙ୍କିତର ଏପରି ରୁଦ୍ର ମୂର୍ତ୍ତି କେବେହେଲେ ଦେଖି ନଥିଲେ | 'ହଉ ତୋ ଇଚ୍ଛା' କହି,ସେ ସେଠାରୁ ଉଠି ଚାଲିଗଲେ |

                       ଶାଶୁଘରକୁ ବାପଘର ବୋଲି ମନେକରି,ଚଳିବାକୁ ସୌମ୍ୟାକୁ ନିର୍ମଳା କହିଥିଲେ |ସେହି ଅନୁସାରେ ସୌମ୍ୟା    ଶୀଘ୍ର ନ ଉଠି ଆରାମରେ ଆଠଟା ପର୍ଯ୍ୟନ୍ତ ଶୋଉଥିଲା |ନିର୍ମଳା  ମଧ୍ୟ ତାକୁ ନଉଠାଇ, ନିଜ କାମରେ ବ୍ୟସ୍ତ ରହୁଥିଲେ   |ଆଠଟା ବେଳକୁ ସୌମ୍ୟା ଉଠି,ପାଣି ପିଇବା ପରେ,ଚା' ପିଏ  |ନିର୍ମଳା ତା ପାଇଁ ଫ୍ଲାସ୍କରେ ଚା' ରଖିଥାନ୍ତି  |କୁଣିଆମାନେ ଚାଲିଯାଇଥିବାରୁ ରୋଷେଇଆକୁ ବିଦା କରି ଦିଆଯାଇଥିଲା |ସେ ସୌମ୍ୟାକୁ କହିଲେ,କୁକ ନାହିଁ,ଏଥର ଆମେ ଦୁହେଁ ମିଶି ରୋଷେଇ କରିବା |ସୌମ୍ୟା କହିଲା,ମାମା ,କୁକ ଥିଲା,ଭଲ ଥିଲା,କାହିଁକି ଆମେ ଏତେ କଷ୍ଟ କରିବା ?ନିର୍ମଳା  ହସି ହସି କହିଲେ,ପାଗଳୀ ଟା |ମାସେ ହୋଇନି,ଦଶ ଲିଟର ତେଲ ସାରିଦେଲା |ସବୁଥିରେ ଗୁଣ୍ଡ ମସଲା ପକେଇ ଆମ ପେଟ  ଖରାପ କରିଦେଲା  |ଏମିତି ସବୁଦିନ ଖାଇଲେ,ଆମର ପାଞ୍ଚବର୍ଷର ଆୟୁଷ ପାଞ୍ଚ ଦିନରେ ଶେଷ ହୋଇଯିବ | ଆମେ ତ ଚାରିଜଣ ମଣିଷ,ନିଜ ପାଇଁ ଗଣ୍ଡେ ରାନ୍ଧି ପାରିବା  ନାହିଁ ଯେ,ରୋଷେଇଆ ରଖିବା!!ତାଙ୍କ କଥା ଶୁଣି ସୌମ୍ୟାର ମୁହଁ ଶୁଖିଗଲା |ସେ ଆଉ ନିର୍ମଳାଙ୍କୁ କିଛି ନ କହି ସେଠାରୁ ଚାଲିଗଲା |

                   ସୁବ୍ରତବାବୁଙ୍କୁ ମନ୍ତ୍ରୀ ବହୁତ ବିଶ୍ୱାସ କରୁଥିଲେ ଓ ଭଲ ପାଉଥିଲେ |ଅନେକ ସମୟରେ  ମନ୍ତ୍ରୀଙ୍କ ପାଖକୁ ବଡ଼ ବଡ଼ ଭି.ଆଇ .ପି. ଆସୁଥିଲେ | ସେମାନଙ୍କ ପାଇଁ ନାମକରା  ହୋଟେଲରୁ ଖାଦ୍ୟ ଆଣିବା ଦାୟିତ୍ତ୍ୱ ସୁବ୍ରତ ବାବୁଙ୍କ ଉପରେ ନ୍ୟସ୍ତ  ଥିଲା  | ଯେଉଁଦିନ ଏହିପରି କାର୍ଯ୍ୟକ୍ରମ ହେଉଥିଲା,ସୁବ୍ରତବାବୁ ଅଧିକ ଖାଦ୍ୟ ଅର୍ଡର କରି, ନିଜ ଘରକୁ ସେଥିରୁ କିଛି ପ୍ୟାକେଟ ନେଇ ଆସୁଥିଲେ |ସୌମ୍ୟା ଓ ସିଦ୍ଧାର୍ଥଙ୍କୁ  ଏହି ଖାଦ୍ୟ ବହୁତ ପସନ୍ଦ ଥିଲା | ସେମାନେ ଏହି ଖାଦ୍ୟ ଖାଇ ଏପରି ଅଭ୍ୟସ୍ତ ହୋଇ ଯାଇଥିଲେ ଯେ,ଘର ତିଆରି ଖାଦ୍ୟ ତାଙ୍କୁ  ଆଉ ଭଲ ଲାଗୁନଥିଲା | ଜନ୍ମଦିନ ଆଦି ଯେ କୌଣସି ଭଲଦିନ ଆସିଲେ, ହୋଟେଲରୁ ଖାଦ୍ୟ ଅର୍ଡର କରିବା କଥା ପ୍ରଥମେ ସେମାନଙ୍କ ମନକୁ ଆସୁଥିଲା  |

                  ଏହାର ଠିକ ବିପରୀତ ହୃଷୀକେଶଙ୍କ ଘରେ ସମସ୍ତେ ଅଳ୍ପ ତେଲ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ |ରାତିରେ ରୁଟି ସହିତ ସନ୍ତୁଳା ସେମାନଙ୍କର ମୁଖ୍ୟ ଖାଦ୍ୟ ଥିଲା |କିନ୍ତୁ ଏହି ଖାଦ୍ୟ ସୌମ୍ୟାକୁ ଆଦୌ ରୁଚୁ ନଥିଲା |ତା ମନ ସବୁବେଳେ ସେହି ହୋଟେଲ ଖାଦ୍ୟକୁ ଝୁରି ହେଉଥିଲା |ତା ମନ ଜାଣିଲା ପରି ଶନିବାର ରାତିରେ, ସୁବ୍ରତ ହୃଷୀକେଶଙ୍କୁ ଫୋନ କରି କହିଲେ,କାଲି ରବିବାର,ଛୁଟିଦିନ |ଆପଣ ଲଞ୍ଚ ପାଇଁ କିଛି ରାନ୍ଧି ନଥିବେ,ମୁଁ ସମସ୍ତଙ୍କ ପାଇଁ,ଏଠିକାର ଫେମସ ମଟନ ବିରିୟାନୀ ନେଇକରି ଯିବି |ହୃଷୀକେଶ କହି ଆସୁଥିଲେ,ନାଁ,ସେସବୁ କଣ ହେବ,କିନ୍ତୁ ହଠାତ ତାଙ୍କ ନଜର ସୌମ୍ୟା ଉପରେ ପଡିଗଲା |ସେ ତାଙ୍କ କଥା ଆଗ୍ରହ ସହକାରେ ଶୁଣୁଥିଲା |ହୃଷିକେଶ କଥା ବଦଳାଇ କହିଲେ,ହଉ ଠିକ ଅଛି,ଆପଣ ଏତେ ଆଗ୍ରହରେ କହୁଛନ୍ତି ଯେତେବେଳେ,ମୁଁ କଣ ମନା କରି ପାରିବି ?

                  ତାଙ୍କ କଥା ଶୁଣି,ଆନନ୍ଦରେ ସୌମ୍ୟାର ମୁହଁ ଝଲସି ଉଠିଲା |ସେ ଦୌଡ଼ି ଯାଇ ଏହି ସମ୍ବାଦ ନିର୍ମଳାଙ୍କୁ  ଜଣାଇଦେଲା |(କ୍ରମଶଃ)

Tuesday, July 27, 2021

ଜୀବନସାଥୀ (ଭାଗ 18)

                    ସୌମ୍ୟା  ଅଙ୍କିତକୁ ବାହାଘର ବେଳେ ଯେତିକି ଦେଖିଥିଲା ସେତିକି |ଶାଶୁଘରକୁ ଆସିବା ପରଠାରୁ ,ଅଙ୍କିତ ସହିତ ତାର ଥରେ ବି ଦେଖା ହୋଇନଥିଲା  |

              ଚତୁର୍ଥୀ ଦିନ ସକାଳେ ବେଦିରେ ହୋମ ଓ ଅନ୍ୟାନ୍ୟ କାର୍ଯ୍ୟ ବିଧି ମୁତାବକ ହେଲା |ସେଦିନ ଅନେକ ରାତିରେ ସାଧାସିଧା ପୋଷାକରେ ଅଙ୍କିତ ସୌମ୍ୟା ପାଖକୁ ଆସିଲା ଓ ପଲଙ୍କ ସାମ୍ନାରେ ପଡିଥିବା ସୋଫାରେ ବସି କିଛି ସମୟ ଚିନ୍ତାକରି କହିଲା,ମୋର ତୁମକୁ ଆଜି ଦୁଇଟି କଥା କହିବାର ଅଛି |ଭଲକରି ମନଦେଇ ଶୁଣ |ତା ଉପରେ ତମର ଯାହା ବି କହିବାର ବା ପଚାରିବାର ଅଛି,କରିପାରିବ |କିନ୍ତୁ ୟାପରେ ସେ ବିଷୟରେ ମତେ କେବେ ବି କିଛି ପଚାରିବନି କି କହିବନି |ମୋ କଥାରେ ଯଦି ରାଜି ଅଛ ତାହେଲେ ମୁଁ ମୋ କଥା କହିବି |ସୌମ୍ୟା ଉତ୍କଣ୍ଠିତ ହୋଇ କହିଲା,ହଁ ,କୁହ |ଅଙ୍କିତ କହିଲା,ମୋର ଗୋଟିଏ ଝିଅ ସହିତ ସମ୍ପର୍କ ଥିଲା ଓ ମୁଁ ତାକୁ ବହୁତ ଭଲ ପାଉଥିଲି |ତା ଛଡ଼ା ମୁଁ ଆଉ କାହାକୁ ମୋ ହୃଦୟରେ ସ୍ଥାନ ଦେଇ  ପାରିବି ନାହିଁ | ଯେପର୍ଯ୍ୟନ୍ତ ମୁଁ ମୋ ମାଇଣ୍ଡ ମେକଅପ ନ କରିଛି, ସେପର୍ଯ୍ୟନ୍ତ ତମ ସହିତ ମୋର କୌଣସି  ସମ୍ପର୍କ ରହିବ ନାହିଁ |ଅନ୍ୟଟି ହେଲା,ତମର ଯେତେବେଳେ ଯାହା କିଛି ଦରକାର ହେବ, ତମେ ମତେ ନକହି  ମାମାଙ୍କୁ କହିବ |ଏତିକି |

                 ଅଙ୍କିତ କଥା ଶୁଣି ସୌମ୍ୟା ହସିଦେଇ କହିଲା,ଓଃ !ଏଇକଥା ?ମୁଁ ଭାବିଲି ଆଉ କିଛି ସିରିଅସ କଥା କହିବ |ଶୁଣ,ଏଇ ଯେଉଁ ଭଲପାଇବା କଥା କହିଲ,ସେକଥା ଆଜିକାଲି ସମସ୍ତେ କରୁଛନ୍ତି,କିଏ ସ୍ୱୀକାର କରୁଛନ୍ତି,କିଏ କରୁନାହାନ୍ତି |ମୋ ସାଙ୍ଗରେ ଯେତେ ଝିଅ ପଢୁଥିଲେ,ସମସ୍ତଙ୍କର ବୟ ଫ୍ରେଣ୍ଡ ଥିଲେ |କିନ୍ତୁ ପାଠପଢା ସରିବା ପରେ,ଯିଏ ଯାହା ବାଟରେ ଗଲେ ଆଉ ଯାହାକୁ ଇଛା ତାକୁ ବାହାହେଲେ |ସମସ୍ତେ  ବେଶ ଖୁସିରେ ଅଛନ୍ତି ;ରାତ ଗୟି,ବାତ ଗୟି |କମ ବୟସରେ ଯେଉଁ ଭୁଲ  ହୋଇଯାଏ ,ତାକୁ କେହି ଭୁଲ ବା ଦୋଷ  ବୋଲି ମାନନ୍ତି ନାହିଁ |ଆଜିକାଲି ଏଇ ପ୍ରେମ ଫ୍ରେମ ସବୁ ବେକାର କଥା |ମୁଁ ଏସବୁ ମାନେନା |ଟିକିଏ ରହି ସେ କହିଲା,ମୋର ବି କିଛି କଥା ତମକୁ କହିବାର ଅଛି |ପ୍ରଥମଟି  ହେଲା, ସକାଳେ ଡେରିରେ ଉଠିବା ମୋର ଅଭ୍ୟାସ |ତେଣୁ ବଡ଼ି ଭୋରରୁ ମୁଁ ଉଠି ପାରିବି ନାହିଁ | ଦ୍ୱିତୀୟ ହେଲା,ହୋଟେଲ ଜିନିଷ ଓ ନନ ଭେଜ ଖାଇବାକୁ ମୁଁ ବହୁତ ଭଲପାଏ  |ସେଥିପାଇଁ ମତେ ମନା କରିବନି |ତୃତୀୟରେ,ପୂଜାପାଠ ଓ ଉପବାସ ମୁଁ କରି ପାରେନା |ତେଣୁ ମତେ ସେଥିପାଇଁ ବାଧ୍ୟ କରିବନି |ଚତୁର୍ଥରେ, ମୋର ଡାଡି ମମି ମୋର ଜୀବନ,ସେମାନଙ୍କୁ  ମୁଁ ବହୁତ ଭଲପାଏ | ମୋର ଯେତେବେଳେ ଇଛା ହେବ, ସେତେବେଳେ ମୁଁ ସେମାନଙ୍କ ପାଖକୁ ଯିବି ଓ ସେଥିରେ କାହାରି  ଆପତ୍ତି ରହିବ ନାହିଁ  | ପଞ୍ଚମରେ,ଚାକିରୀ କରିବାକୁ ମୁଁ ବହୁତ ଇଣ୍ଟରଭିଉ ଦେଇଛି,ଆଗକୁ ମଧ୍ୟ ଦେବି |ଚାକିରୀ ପାଇଗଲେ,ଚାକିରୀ କରିବାକୁ ତମେ ମତେ ଅନୁମତି ଦେବ |ଷଷ୍ଠ ଓ ସବା ଶେଷକଥାଟି ହେଲା,ମୁଁ ଯେତେବେଳେ ସପିଂ କରିବାକୁ ଯିବି,ତମ ଏଟିଏମ କାର୍ଡ ମତେ ଦେବ |

                ତାର କଥା ଶେଷ କରି ସୌମ୍ୟା  ମତାମତ ପାଇଁ ,ଅଙ୍କିତ ଆଡକୁ ଚାହିଁଲା |କିନ୍ତୁ ସେତେବେଳକୁ  ଅଙ୍କିତ ସୋଫାରେ ନିଘୋଡ଼ ନିଦରେ ଶୋଇ ଯାଇଥିଲା   |(କ୍ରମଶଃ)

Monday, July 26, 2021

ଜୀବନସାଥୀ (ଭାଗ 17)

                           ନନ୍ଦିନୀ ଫୋନ କରି ନିର୍ମଳାଙ୍କୁ ସବୁ ଘଟଣା ଜଣାଇ ଦେଇଥିଲା ଓ ଆଉ ମଧ୍ୟ କହିଥିଲା ଯେ,କେହି ଖାଇ ନାହାନ୍ତି,ସେମାନଙ୍କ ପାଇଁ ରୋଷେଇ ହେଲେ,ଖାଇବେ |ନନ୍ଦିନୀର କଥା ଶୁଣି ନିର୍ମଳାଙ୍କ ମୁଣ୍ଡ ଆଉ କାମ କରୁନଥିଲା  |ଭାବିଥିଲେ,ଦୁଇଘଣ୍ଟା ବିଶ୍ରାମ ନେଇଯିବେ ବୋଲି,କିନ୍ତୁ ଆଉ ତାହା  ସମ୍ଭବପର ହେଲାନି |ରୋଷେଇଆଙ୍କୁ ନିଦରୁ ଉଠାଇ ପୁରି ତରକାରୀ କରିବାକୁ କହି,ସେ ନିଜେ ସେମାନଙ୍କୁ ସାହାଯ୍ୟ କଲେ  |ମନେ ମନେ ସେ ଭାବୁଥିଲେ,ହେ ଭଗବାନ,ମୁଁ ବୃଥା ଅହଙ୍କାରରେ ମାତି  ନିଜ ଗୋଡ଼କୁ ଯାହା ନିଜେ ହାଣିଲି |ଯେଉଁମାନେ ମତେ  ଏତେ ସମ୍ମାନ ଦେଉଥିଲେ,ତାଙ୍କୁ ନୀଚ ସ୍ତରର କହି,ପାଦରେ ଆଡେଇ ଦେଲି  |ଅଥଚ ସବୁଦିନପାଇଁ ଯାହାସଙ୍ଗେ ବନ୍ଧୁ ବାନ୍ଧିଲି ସେ ବନ୍ଧୁ ସମ୍ମାନ ରକ୍ଷା କରିବା ଦୂରେ ଥାଉ,ପରିସ୍ଥିତିକୁ ଆହୁରି ଖରାପ କରିଦେଲେ |କିନ୍ତୁ ଏତେଶୀଘ୍ର ମନ ତାଙ୍କର ହାର ମାନିବାକୁ ପ୍ରସ୍ତୁତ ନଥିଲା |ସେ ତାଙ୍କ ନିଜ ଲୋକଙ୍କୁ ଦୋଷ ଦେଇ  ଭାବୁଥିଲେ,ଆକଳନ ଠାରୁ ଲୋକ ଅଧିକା ହୋଇଗଲେ,ତେଣୁ କିଛି ଆଇଟମ ସରିଯିବା ସ୍ୱାଭାବିକ ,ତା ବୋଲି ନଖାଇ,ଭୋଜି ବର୍ଜନ କରିବା କଣ ଉଚିତ ହେଲା ?

                       ବରଯାତ୍ରୀ ଧୀରେ ଧୀରେ ଘରକୁ ଫେରୁଥିଲେ |ତାଙ୍କଠାରୁ କନ୍ୟାଘର ବିରୁଦ୍ଧରେ ଗୋଟିକ ପରେ ଗୋଟିଏ କଥା ଶୁଣି ନିର୍ମଳା ତାର ଜୋରଦାର ବିରୋଧ କରୁଥିଲେ ଓ କନ୍ୟାଘରକୁ ସମର୍ଥନ କରି,ଓଲଟା  ସେମାନଙ୍କୁ ଦୋଷ ଦେଉଥିଲେ |ଭୋର ଚାରିଟା ବେଳକୁ ପୁଅବୋହୂଙ୍କ ସହିତ ହୃଷିକେଶ,ନନ୍ଦିନୀ,ତାର ସ୍ୱାମୀ ସମର ଇତ୍ୟାଦି ସମସ୍ତେ ଆସି ଘରେ ପହଞ୍ଚିଗଲେ |ଶଙ୍ଖ ,ହୁଳହୁଳି, ବନ୍ଦାଣ ପରେ ସେ ବୋହୂକୁ ଘର ଭିତରକୁ ନେଇଗଲେ |ସମସ୍ତେ ଫ୍ରେଶ ହୋଇ ଲୁଗା ବଦଳେଇ,ଅଳ୍ପ  ଟିକେ ଖାଇ ଶୋଇ ପଡିଲେ |ଚତୁର୍ଥୀ ହୋମ ପରେ ପୁଅ ବୋହୂ ଏକାଠି ଶୋଇବା କଥା |ତେଣୁ ବୋହୂ ନନ୍ଦିନୀ ପାଖରେ ,ତାର ପିଲାମାନେ ଯେଉଁଠି ଶୋଇଥିଲେ ସେଇଠି ନିଶ୍ଚିନ୍ତରେ ଶୋଇପଡିଲା |

                   କିନ୍ତୁ ଶାଶୁଘରେ ଏଇ କେତେଦିନ କେହି ବୋହୂକୁ ଭଲରେ ଶୁଆଇ ଦିଅନ୍ତି ନାହିଁ |ଆଖପାଖର ସମସ୍ତେ ଦଳ ଦଳ ହୋଇ ବୋହୁ ଦେଖିବାକୁ ଆସୁଥିଲେ |ସୌମ୍ୟା ଉଠୁଥିଲା,ମୁଣ୍ଡରେ ଓଢଣା ଦେଉଥିଲା,ସେମାନେ ବୋହୂ ଦେଖି ଯିବାପରେ ସେ ପୁଣି  ଶୋଇ ପଡୁଥିଲା | ଆଉ ଦଳେ ଆସିଲେ,ତାକୁ ପୁଣି ଉଠିବାକୁ ପଡୁଥିଲା  |ସୌମ୍ୟା  ଟିକିଏ ନିଦ୍ରାପ୍ରେମୀ ଥିଲା |ତେଣୁ ଏଇ ଅଦିନିଆ ଅନିଦ୍ରା ,ଓ ବାରମ୍ବାର ଶୋଇ ବାରମ୍ବାର ଉଠିବା,ତାକୁ ଭଲ ଲାଗୁନଥିଲା |ଶେଷରେ ବିରକ୍ତ ହୋଇ ସେ  ନିର୍ମଳାଙ୍କୁ କହିଲା,ମୋ ଦେହ ଭଲ ଲାଗୁନି,ମତେ ଆଉ ଉଠେଇବେ ନାହିଁ ,ମୁଁ ଟିକିଏ ଶୋଇବି |ନିର୍ମଳା ହଁ କହି,କବାଟ ଆଉଜାଇ ଦେଲେ |ତାପରେ ଯିଏ ବୋହୂ ଦେଖିବାକୁ ଆସିଲେ,ସେମାନଙ୍କୁ ନିରାଶ ହୋଇ ଫେରି ଯିବାକୁ ପଡିଲା |

                ନନ୍ଦିନୀ ନିର୍ମଳାଙ୍କୁ କହିଲା,ବୋହୂ ଶୋଇ ପଡିଲା ନାଁ କଣ ?ନିର୍ମଳା କହିଲେ,ହଁ ଶୋଉ,ରାତି ଅନିଦ୍ରା ହୋଇଛି,ଟିକେ ବିଶ୍ରାମ ନେଲେ ତାକୁ ଭଲ ଲାଗିବ |ନନ୍ଦିନୀ ହସି ହସି କହିଲା,ଆଚ୍ଛା !ହୁସିଆର ଥିବୁ ଲୋ ଅପା ,ମୁଣ୍ଡରେ ବସିଲେ,ଆଉ ଓହ୍ଲେଇବ ନାହିଁ |ନିର୍ମଳା କହିଲେ,ନ ଓହ୍ଲାଉ |ସେ ବୋହୂ ନୁହେଁ,ମୋ ଝିଅ |ତାକୁ ଏମିତି ସ୍ନେହଶ୍ରଦ୍ଧା ଦେବି ଯେ,ସେ ତା ବାପା ମାଆଙ୍କୁ ଭୁଲିଯିବ |ନନ୍ଦିନୀ ହସି ହସି କହିଲା,ହଉ ତୋ ପାରିଲାପଣିଆ ଅତି ଶୀଘ୍ର ଜଣା ପଡ଼ିଯିବ ଯେ !(କ୍ରମଶଃ)

ଜୀବନସାଥୀ (ଭାଗ 16)

                   ଧମାକାଦାର ବାଦ୍ୟ ରୋଷଣୀ ଓ ବରଯାତ୍ରୀଙ୍କ ମତୁଆଲା ନୃତ୍ୟ ସହ ପ୍ରସେସନ ଆଗେଇ ଚାଲିଥିଲା |ବିବାହମଣ୍ଡପ ଆଉ ଅଧ କିଲୋମିଟର ପାଖାପାଖି  ଥିବାବେଳେ  ଖବର ଆସିଲା,ମନ୍ତ୍ରୀ ମହୋଦୟ ମଣ୍ଡପକୁ ଡେରିରେ ଆସିଲେ ଓ ଯେହେତୁ ସେ ଯାଇନାହାନ୍ତି ,ତାଙ୍କର  ଯିବା ପର୍ଯ୍ୟନ୍ତ ପ୍ରସେସନକୁ ଟିକିଏ ଅପେକ୍ଷା କରିବାକୁ ପଡିବ | ଘଟଣା କଣ ବୁଝିବାପାଇଁ,ହୃଷିକେଶ ଭିତରକୁ ଚାଲିଗଲେ |ସେତେବେଳେ ମନ୍ତ୍ରୀ ତାଙ୍କୁ ଦେଖା କରିବାକୁ ଆସିଥିବା କିଛି ପରିଚିତ ବ୍ୟକ୍ତିଙ୍କ ସହ ଆଲୋଚନାରେ ବ୍ୟସ୍ତ ଥିଲେ |ସେ  ସୁପ ପିଉଥିଲେ,କିନ୍ତୁ ତାଙ୍କ ଚେଲା ଚାମୁଣ୍ଡା ଆକଣ୍ଠ ଭୋଜନରେ ମଗ୍ନ ଥିଲେ |ପ୍ରାୟ ଅଧଘଣ୍ଟାପରେ ମନ୍ତ୍ରୀ ବିଦାୟ ନେଲେ |କିନ୍ତୁ ସେତେବେଳକୁ ଦଶଟା ବାଜି ଯାଇଥିବାରୁ,ଆଉ ଜାକଜମକ ପ୍ରସେସନ ହୋଇ ପାରିଲାନାହିଁ |

               ମଣ୍ଡପରେ ପହଞ୍ଚିବାପରେ,  ବିଧି ମୁତାବକ କନ୍ୟାକର୍ତ୍ତା ବରକୁ ଗାଡ଼ିରୁ ପାଛୋଟି ନେଇ ତାଙ୍କୁ ସମ୍ମାନର ସହ  ଶୂନ୍ୟେ ଶୂନ୍ୟେ ଭିତରକୁ ଟେକି ନେଇଯିବା କଥା |କିନ୍ତୁ ସେଠାରେ ସେପରି କିଛି ବନ୍ଦୋବସ୍ତ ହୋଇନଥିଲା |ଏପରିକି ବରଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓ ହୁଳହୁଳୀ ପକାଇବା ପାଇଁ ମଧ୍ୟ କନ୍ୟାପକ୍ଷର କେହି ଉପସ୍ଥିତ ନଥିଲେ |ପଛରେ ଜଣା ପଡିଲା,ସମସ୍ତେ ଫଟ ଉଠେଇବାରେ ବ୍ୟସ୍ତ ଥିଲେ |କଥା ଏତିକିରେ ସରି ନଥିଲା | ବରଯାତ୍ରୀମାନେ ଡାଇନିଂ ହଲରେ ଖାଇବାକୁ ଯାଇ ଦେଖିଲେ,ଷ୍ଟାର୍ଟରରେ ଚିକେନ ପକୋଡା,ଚିକେନ ଲଲିପପ,ପନିର ଟିକା ସରିଯାଇଛି |ସେମିତି ମେନ କୋର୍ସର ଚିକେନ,ମଟନ ,ଫିସ ଫ୍ରାଏ ଆଦି ସମସ୍ତ ନନ ଭେଜ ଆଇଟମ ବି ସରିବା ଉପରେ | ଅଙ୍କିତର ବନ୍ଧୁ ସମ୍ବିତ ରାଗିଗଲେ ତାର ହିତାହିତ ଜ୍ଞାନ ରହେନାହିଁ |ସେ ରାଗ ତମତମ ହୋଇ ଆସି ଅଙ୍କିତ କୁ କହିଲା,ପୁଳାଏ ଡାଉରୀ ନେଇ ଆମକୁ ଏଠିକି ବେଜ୍ଜିତ କରିବାକୁ ଆଣିଛୁ ?ଯାହାତ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଲେ,ଖାଇବାକୁ ମୁଠାଏ ବି ଦେଲେନି ?ଭାରି ମନ୍ତ୍ରୀପଣିଆ ଦେଖେଇ ହେଉଛନ୍ତି !ଛିଃ !ଧିକ !ଏକଥା ଆଗରୁ ଜାଣିଥିଲେ,ଆମେ କଦାପି ଏଠିକି ଆସି ନଥାନ୍ତୁ  |ପରିସ୍ଥିତି ଖରାପ ଆଡକୁ ଯାଉଥିବାର ଦେଖି ସୁବ୍ରତ ଓ ସିଦ୍ଧାର୍ଥ କୁଆଡେ ଲୁଚିଗଲେ,ତାଙ୍କ ପତ୍ତା  ମିଳିଲା ନାହିଁ |

               ସୁବ୍ରତଙ୍କ ଏପରି ଆଚରଣ  ଦେଖି, କ୍ରୋଧ ଓ ଅପମାନରେ ହୃଷିକେଶ ଜଳି ଯାଉଥିଲେ |କିନ୍ତୁ ଅବାଞ୍ଛନୀୟ ପରିସ୍ଥିତି ଏଡ଼ାଇବାକୁ ସେ  ଧୈର୍ଯ୍ୟ ଧରି  ଜଣ ଜଣ କରି ସମସ୍ତଙ୍କୁ ବୁଝାଇ କନ୍ୟାଘର ତରଫରୁ କ୍ଷମା ମାଗି କହିଲେ,ଆମେ ଫେରିଗଲେ,କଥାଟା ବହୁତ ଅସୁନ୍ଦର ହୋଇଯିବ |ଏବେ ଯାହା ଖାଇବା ଜିନିଷ ଅଛି,ଭଦ୍ରାମି ଦୃଷ୍ଟିରୁ ଖାଇଦିଅ,କାଲି ମୁଁ ତମ ସମସ୍ତଙ୍କୁ ସ୍ପେଶାଲ ଲଞ୍ଚ ପାର୍ଟି ଦେବି |ପ୍ଲିଜ,ମୋ ମୁହଁକୁ ଚାହିଁ ଟିକେ ଆଡ଼ଜଷ୍ଟ କରିନିଅ |ବିଶେଷ କରି ସମ୍ବିତକୁ ସେ ବହୁତ ଅନୁରୋଧ କଲେ |

             ସମସ୍ତେ ବୁଝିଗଲେ,କିନ୍ତୁ କେହି ଆଉ ଖାଇବା ମୁଡ ରେ ନଥିଲେ | ନଖାଇ ସମସ୍ତେ ଫେରିଗଲେ |ସବୁ ଆନନ୍ଦ ଉଚ୍ଛ୍ୱାସ କୁଆଡେ ଉଭେଇ ଯାଇଥିଲା |ସବୁବେଳେ ସମୁଦୀଙ୍କ ପ୍ରଶଂସାରେ ଶତମୁଖ ହେଉଥିବା ହୃଷୀକେଶଙ୍କ ମୁଣ୍ଡ ତଳକୁ ହୋଇ ଯାଇଥିଲା |ବାହାଘର ଆରମ୍ଭ ହେବା  ବେଳକୁ ସୁବ୍ରତ କେଉଁଠି ଥିଲେ,ଆସି ପହଞ୍ଚିଗଲେ |କିନ୍ତୁ ତାଙ୍କ ମୁହଁକୁ ଚାହିଁବାକୁ ହୃଷୀକେଶଙ୍କ ଇଚ୍ଛା ହେଉନଥିଲା | ଯେନ ତେନ ପ୍ରକାରେଣ ବାହାଘର ସାରି ପୁଅ ବୋହୂକୁ ନେଇ ସେମାନେ ଯେତେବେଳେ ଯିବାକୁ ବାହାରିଲେ,ସୁବ୍ରତବାବୁ,ହୃଷୀକେଶଙ୍କ ହାତ ଧରି ଲୁହ ଛଳଛଳ ଆଖିରେ କହିଲେ,ସମୁଦୀ,ମୋ ଝିଅକୁ ମୁଁ ଅତି ଗେଲବସରରେ ବଢେଇଛି,ତାକୁ କଡ଼ା କଥା କହିବେ ନାହିଁ  |ସେଇଠି ତା ଆଖିରୁ ଲୁହ ଝରିଲେ,ଏଇଠି ମୋ ଆଖିରୁ ରକ୍ତ ଝରିବ |ଏହା ଯେ ପ୍ରକାରାନ୍ତରେ ତାଙ୍କ ପ୍ରତି ସୁବ୍ରତବାବୁଙ୍କ ଧମକ ଥିଲା, ହୃଷିକେଶ ବୁଝିପାରୁଥିଲେ  |(କ୍ରମଶଃ)

Sunday, July 25, 2021

ଜୀବନସାଥୀ (ଭାଗ 15)

                            ନନ୍ଦିନୀ ତାର ଟିପାଖାତା କାଢି ଲିଷ୍ଟ ଅନୁସାରେ ମଙ୍ଗଳକୃତ୍ୟ,ଦିଅଁମଙ୍ଗୁଳା ଓ ବେଦୀରେ ସମସ୍ତ କର୍ମ ପାଇଁ ଆବଶ୍ୟକ  ହେଉଥିବା ସାମଗ୍ରୀ ଗୋଟିକ ପରେ ଗୋଟିଏ ସଜାଡି ରଖିଲା |ଯାହା ନଥିଲା,ତାର ଗୋଟିଏ ତାଲିକା ପ୍ରସ୍ତୁତ କରି ଦୁଇଭଉଣୀ ବଡ଼ ମାର୍କେଟକୁ ଯାଇ କିଣି ଆଣିଲେ |

                   ପରଦିନ ସକାଳେ ଭାଇଭାଉଜ ପ୍ରଥମେ ଆସିଲେ |ତାପରେ ପରେ ଅନ୍ୟ ସମସ୍ତେ ଧୀରେ ଧୀରେ ଆସିଗଲେ |ଶଙ୍ଖ ହୁଳହୁଳି ଓ ବାଦ୍ୟ ସହ ସେମାନଙ୍କୁ ସ୍ୱାଗତ କରାଗଲା |ନିର୍ମଳାଙ୍କ ସାନ ଯାଆ ସେମାନଙ୍କ ଘରେ ପ୍ରଚଳିତ ହେଉଥିବା ବିଧି କହୁଥିଲେ ଓ ସେହି ଅନୁସାରେ  ସମସ୍ତ କର୍ମ ସୁରୁଖୁରୁରେ ସମ୍ପନ୍ନ ହେବାରେ  ଲାଗିଥିଲା |ଯେହେତୁ ଷ୍ଟୋରରୁମ ବିଭାଗ  ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ,ନିର୍ମଳା ତାର ଦାୟିତ୍ତ୍ୱ ନନ୍ଦିନୀକୁ ଦେଇଥିଲେ |ନିର୍ମଳା ତାଙ୍କର ସମସ୍ତ ସମ୍ପର୍କୀୟ ଓ ପାଖ ସାଇ ପଡିଶାଙ୍କ ପାଇଁ ମନଖୋଲି  ଲୁଗାପଟା କରିଥିଲେ |ସେମାନେ ମନ ମୁତାବକ ଶାଢ଼ୀ ପାଇ ଖୁସି ହେଉଥିଲେ ଓ ସେମାନଙ୍କ ଖୁସି ଦେଖି,ନିର୍ମଳାଙ୍କ  ମନ କୁଣ୍ଢେମୋଟ ହୋଇଯାଉଥିଲା |ମଙ୍ଗଳକୃତ୍ୟଠାରୁ ଆରମ୍ଭ କରି ଚତୁର୍ଥୀ ପର୍ଯ୍ୟନ୍ତ ଦିନକୁ ଚାରିବେଳା ସମସ୍ତଙ୍କପାଇଁ ନିର୍ମଳାଙ୍କ ଘରେ ଖାଇବାର ବନ୍ଦୋବସ୍ତ ହୋଇଥିଲା |ତାଙ୍କର ଏକମାତ୍ର ପୁଅର ବାହାଘରକୁ ସ୍ମରଣୀୟ କରି ରଖିବାପାଇଁ ନିର୍ମଳା କୌଣସି ମୌକା ଛାଡୁନଥିଲେ |ପ୍ରତ୍ୟେକ କାର୍ଯ୍ୟର ଭିଡିଓ ରେକଡିଂ ହେଉଥିଲା |

                  ଏଗାରଟା ବେଳକୁ ସୌମ୍ୟାର ଭାଇ ସିଦ୍ଧାର୍ଥ ତାଙ୍କର ପୁରୋହିତ,ଅବଧାନ,ବାରିକ ଓ ଶଙ୍ଖୁଆ ସହ ବରଧରା ହୋଇ ଆସିଲା |ସାଙ୍ଗରେ ସେ ବିଧି ମୁତାବକ କଂସାଥାଳି,ଢାଳ,ରୂପାଗିନାରେ ଚନ୍ଦନ ସିନ୍ଦୂର ସହ ପିଲିସଜ, ଆସନ,ଗାଲିଚା,ସୁନାମୁଦୀ ,ଯୋଡ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ଉପକରଣ  ଆଣିଥିଲା |ଉପଯୁକ୍ତ ସମ୍ମାନ ସହକାରେ ବରଧରା ବିଦାୟ ନେବା ପରେ ଦିଅଁମଙ୍ଗୁଳା ପର୍ବ ଆରମ୍ଭ ହେଲା |ଅନୁକୂଳ କୁଲାରେ ଠାକୁରାଣୀଙ୍କ ଶାଢ଼ୀ,ଓଢଣୀ,ଗୁଆ,ଚନ୍ଦନ,ସିନ୍ଦୂର ,ଶଙ୍ଖା,ଫୁଲଶଙ୍ଖା ,ଝୁଣ୍ଟିଆ,ଚକିବାକି,କଜ୍ଵଳପାତି ସାତଦୀପ,ନନ୍ଦସୁତା ,ପାଟଅଳତା,କାଠପାନିଆ,ଏକୋଇଶ ଗୋଟି କଉଡ଼ି,ମୁକୁଟ,ଧୂପକାଠି,ଦିଆସିଲି ଇତ୍ୟାଦି ସମସ୍ତ ଉପକରଣ  ସଜଡା ହୋଇ ରହିଲା ଓ ଗହଣା ସବୁ ନନ୍ଦିନୀ ତା ପର୍ସରେ ନେଲା  |ସୁଦୃଶ୍ୟ ମାଟି କଳସୀରେ ବାଉଁଶ ଦଣ୍ଡ,କାଣ୍ଡ,ଆମ୍ବଡାଳ,ପଇଡ଼ ରଖି ବେଦିରେ ପୂଜା ହେବାପରେ ଭାଉଜ ବୋହୂ ବେଶ ସାଜି ମୁଣ୍ଡରେ ଓଢଣୀ ପକାଇ,କାଖରେ ସେହି କଳସୀ ଧରି ସ୍ଥାନୀୟ ମନ୍ଦିରକୁ ବାହାରିଲେ |ତାଙ୍କ ସହିତ ବାଦ୍ୟ ପାର୍ଟି ବାଜା ବଜାଇ ଓ ଅନ୍ୟ ମହିଳାଗଣ କ୍ରମାଗତ ଶଙ୍ଖ ହୁଳହୁଳୀ ପକେଇ ଗଲେ |ମନ୍ଦିରରେ ନନା ସେମାନଙ୍କ ପ୍ରତୀକ୍ଷାରେ ଥିଲେ |ସେ ଝଅଟ ଝଅଟ ପୂଜା ସାରି ଦକ୍ଷିଣା ନେଇ ସେମାନଙ୍କୁ ବିଦାୟ ଦେଲେ |ମନ୍ଦିରରୁ ଫେରିବାବେଳେ ସେମାନେ ସାତଘରୁ ପାଣି ନେଇ ଘରକୁ ଫେରିଲେ  |

                  ଦିଅଁ ମଙ୍ଗୁଳା ପାଣିରେ ଅନ୍ୟ ପାଣି ମିଶାଇ,ବଟା ହଳଦୀ ଲଗାଇ ଅଙ୍କିତ ଯେତେବେଳେ ବାଡ଼ୁଅପାଣି ଗାଧୋଇଲା,ସେ କାନ୍ଦୁଥିଲା କି ହସୁଥିଲା,କେହି ଜାଣିପାରୁନଥିଲେ |ସେଠାରେ  ସବୁ ମହିଳା ବରକୁ ହଳଦୀ ଲଗେଇଦେବା ସହିତ ପରସ୍ପର ମଧ୍ୟରେ ହଳଦୀ ବୋଳାବୋଳି ହୋଇ ଅମୋଦିତ ହେଉଥିଲେ ଓ ପ୍ରବଳ ହାସ୍ୟରୋଳରେ ସେ ସ୍ଥାନ ମୁଖରିତ ହୋଇ ଉଠୁଥିଲା  |ଅଙ୍କିତକୁ ଦେଖି ନନ୍ଦିନୀ ଆଖିରୁ ତାର ଅଜାଣତରେ ଅମାନିଆ ଲୁହ ଝରି ଯାଉଥିଲା |ମିଛ ହସ ହସି ସେ ଛଳନା କରିବାକୁ ଚାହୁଁ ନଥିଲା  |ମନେ ମନେ ସେ ଭାବୁଥିଲା,ସବୁ କଥା ଜାଣିକରି ବି ମୁଁ ଅକି ପାଇଁ କିଛି କରି ପାରିଲିନି |ଏବେ ଖାଲି ଲୁହ ଝରାଇବା ଛଡ଼ା ଆଉ କଣ ବା ମୁଁ କରି ପାରିବି ?

                 ସନ୍ଧ୍ୟା ସାତଟା ବେଳକୁ ବ୍ୟାଣ୍ଡ ପାର୍ଟି ସହିତ  ବର ଅନୁକୂଳ କରି ବାହାରିଲା |ବରଯାତ୍ରୀ ମାନଙ୍କପାଇଁ ବସ ସହିତ କାରର ବନ୍ଦୋବସ୍ତ କରାଯାଇଥିଲା |ଉଭୟ ମହିଳା ଓ ପୁରୁଷ ବରଯାତ୍ରୀରେ ସାମିଲ ଥିଲେ |ବର  ସାଙ୍ଗରେ ଯିବାପାଇଁ ନନ୍ଦିନୀ ନିର୍ମଳାଙ୍କୁ ଅନେକ ବାଧ୍ୟ କରିବା ସତ୍ତ୍ୱେ ନିର୍ମଳା ବିଭିନ୍ନ ଆଳ ଓ ନିୟମ ଦେଖାଇ ଯିବାକୁ ରାଜି ହେଲେ ନାହିଁ |ଖାଲି ଏତିକି କହିଲେ,ମୋ ପୁଅକୁ ଛାଡି କୁଆଡେ ଯିବୁନି,ତା ପାଖେ ପାଖେ ଥିବୁ | (କ୍ରମଶଃ)

                

Friday, July 23, 2021

ଜୀବନସାଥୀ (ଭାଗ 14)

                        ନିର୍ମଳା କିଛି ସମୟ ଏପଟ ସେପଟ ହେବାପରେ ନିଘୋଡ଼ ନିଦରେ ଶୋଇଗଲେ |କିନ୍ତୁ ନନ୍ଦିନୀ ଆଖିକୁ ନିଦ ଆସୁନଥିଲା |ଆଖି ଖୋଲି ସେ ସେମିତି ଛାତକୁ ଚାହିଁ ରହିଥିଲା |ଭୋର ହେବାକ୍ଷଣି  ସେ ବିଛଣା ଛାଡି ଧଡ଼ପଡ଼ ହୋଇ ଉଠିପଡିଲା  ଓ  ନିଜ ନିତ୍ୟକର୍ମ ଶେଷକରି ବାହାରେ ଖୋଲା ପବନରେ ବୁଲିବାକୁ ଲାଗିଲା |ଭାବୁଥିଲା, ଅପା ତାର କେତେ ବଦଳି ଯାଇଛି ସତେ !!ପାପଧନ ବୋଧହୁଏ ସବୁ ମଣିଷଙ୍କୁ ଏମିତି ଅନ୍ଧ ଓ ହୃଦୟହୀନ କରିଦିଏ |ଅପା ଦିନେ ନାଁ ଦିନେ ନିଶ୍ଚୟ ତାର  ଭୁଲ ବୁଝିପାରିବ କିନ୍ତୁ ସେତେବେଳକୁ ଆଉ କିଛି ନଥିବ !!ଅବୁଝା ଲୋକ ନିଜେ ନବୁଝିଲେ ତାଙ୍କୁ ଶତ ଚେଷ୍ଟା କରି ବୁଝାଇ ହୁଏନା  |ଅପା କଥା ଅନୁସାରେ ଯଦି ଯାହା ହେଉଛି,ଭଲ ହେଉଛି,ତାହେଲେ ତ ବହୁତ ଭଲ  |

                  ଅନେକସମୟ ପରେ ନିର୍ମଳା ତାକୁ ଖୋଜି ଖୋଜି ଆସି ତା ପାଖରେ ପହଞ୍ଚି କହିଲେ,ତୁ ଏଇଠି ?ମୁଁ ତତେ ଚାରିଆଡେ ଖୋଜି ସାରିଲିଣି |ତୋ ପିଲାମାନେ ଏପର୍ଯ୍ୟନ୍ତ ଉଠିନାହାନ୍ତି |ଏତିକିବେଳେ କିଛି କାମ ସାରିଦେବା |ନନ୍ଦିନୀ କହିଲା,ନାଇଁ ଅପା,ଅଧାରୁ ଉଠିଲେ ସବୁ ବେଙ୍ଗା ହୋଇଯିବ |ଆଗେ  ପିଲାଙ୍କ କାମ ସାରିଦେଇ ,ତାପରେ ବସିବା ଯେ,ଏକା ଥରକେ କାମ ସାରି ଉଠିବା |ନିର୍ମଳା ମୁଣ୍ଡ ହଲେଇ କହିଲେ,ହଁ,ଠିକ କହିଛୁ |ଖାଲି ପେଟରେ ରହିଲେ,ଦେହ ଖରାପ ହେବ,ଆସ ଖାଇବୁ,ବ୍ରେକଫାଷ୍ଟ ରେଡି ହୋଇ ଗଲାଣି |

                  ନନ୍ଦିନୀ ଭିତରକୁ ଯାଇ ଦେଖିଲା,ପିଲାମାନେ ଉଠି ଖଟ ଉପରେ ଖେଳୁଛନ୍ତି |ସେ ସେମାନଙ୍କୁ ନିତ୍ୟକର୍ମ ଶେଷ କରିବାରେ ସାହାଯ୍ୟ କଲା ଓ ତାପରେ ଦୁହେଁ ଖାଇ ବସିଲେ |ଅଙ୍କିତ ତାର ନିତ୍ୟକର୍ମ ଶେଷକରି ବ୍ରେକଫାଷ୍ଟ ଖାଇ ଚାଲିଗଲା |ତାପରେ ଦୁଇଭଉଣୀ ଜଳଖିଆ ଖାଇବା ପରେ ନନ୍ଦିନୀ ତାର ବ୍ୟାଗରୁ  ବେଦୀ  ଉପକରଣ  ଲିଷ୍ଟ ଟିପାଖାତା ଆଣି ନିର୍ମଳାଙ୍କ ପାଖରେ ବସିଲା |ନିର୍ମଳା କହିଲେ,ତତେ ଅସଲ ଜିନିଷ ଦେଖେଇବାକୁ ଭୁଲି ଯାଇଛି |ଏହା କହି,ସେ ଆଲମୀରାରୁ ଏକ ପର୍ସ ଆଣି ବୋହୂ ପାଇଁ କିଣାଯାଇଥିବା ଗହଣା ନନ୍ଦିନୀକୁ ଦେଖେଇଲେ |ସେଥିରେ ମଙ୍ଗଳସୂତ୍ର,ବାହୁଟି,କାନଫୁଲ, ହାର ଓ ମୁଦି ଥିଲା |ସବୁଗୁଡିକ ଓଜନଦାର ଥିଲା |

                 ନନ୍ଦିନୀ କହିଲା,ମଙ୍ଗଳସୂତ୍ର ଦେଲୁ,ପୁଣି ହାର କାହିଁକି ଦେଉଛୁ ?ନିର୍ମଳା କହିଲେ,ସବୁତ ଗୋଟିଏ ସେଟ,ନଦେବି କେମିତି ?ତାପରେ ସେମାନେ ନିର୍ବନ୍ଧରେ ପୁଅକୁ ଓଜନିଆ ଚେନ ଆଉ ମୁଦି ଦେଇଛନ୍ତି |ଆମେ ପୁଅଘର ହୋଇ ତାଙ୍କଠାରୁ ନୀଚରେ ରହିବୁ କେମିତି ,କହିଲୁ ?ନନ୍ଦିନୀ କହିଲା ବହୁତ ବଢିଆ |ସେମାନେ ଯେଉଁ ପାଞ୍ଚଲକ୍ଷ ଟଙ୍କା ଦେଇଥିଲେ,ତାକୁ ଏଇଥିରେ ଉଡେଇ ଦେଲୁ ?ନିର୍ମଳା କହିଲେ,ତୁ ଭାବିଛୁ,ଆମ ପାଖରେ ଗହଣା କିଣିବାକୁ ଟଙ୍କା ନାହିଁ ?ନନ୍ଦିନୀ କହିଲା,ନାଁ ନାଁ,ମୁଁ କଣ ସେକଥା କହିପାରିବି ?ତୁମର ରାଜାଘର,ଉଭା ଯେତେ,ପୋତା ସେତେ |ହେଲେ,ନୋ ଡିମାଣ୍ଡରେ ବାହାଘର କରିଥିଲେ,ତମର  ବଡ଼ପଣ ରହିଥାଆନ୍ତା |

              ନିର୍ମଳା କହିଲେ,ତୁ ମୋ ବଇରୀ ପରି କଥା କହନା |ଗୋଟିଏ ବୋଲି ପୁଅ ମୋର,ମୁଁ ମାଗଣାରେ ବାହାଘର କରିବି ?ସମୁଦୀ ଯେଉଁ କୋଟି କୋଟି ଟଙ୍କା ପୋତିଛି,ତାକୁ କଣ କରିବ ?ଲୋକ ଧନ ସଞ୍ଚନ୍ତି,ଘର କରିବାକୁ ,ଆଉ ଝିଅ ବାହାଘର କରିବାକୁ |ସିଏ ଘର କରି ସାରିଛି,ଏବେ ଝିଅ ବାହାଘରରେ ବାକିତକ ଖଲାସ କରିବା କଥା  !ନନ୍ଦିନୀ କହିଲା,ହେଲେ ଅପା,ଅକି ବଡ଼ ଚାକିରୀ କରୁନି,ବ୍ୟବସାୟ କରୁଛି |ତତେ ଲାଗୁନି,ସେମାନେ ଯାହା ଦେବାକଥା ତାହାଠାରୁ ଅଧିକ ଦେଉଛନ୍ତି ?ମୋର ତ ମନେ ହେଉଛି,ତାଙ୍କର କିଛି ବଡ଼ ଖୁଣ ଅଛି,ଯାହାକୁ ଲୁଚାଇବାକୁ ସେମାନେ ତମକୁ ଲାଞ୍ଚ ଦେଉଛନ୍ତି |

            ନିର୍ମଳା ପ୍ରତିବାଦ କରି କହିଲେ,ପୁଅ ମୋର ଚାକିରୀ ନକଲେ କଣ ହେଲା,ବହୁତ ପଢିଛି |ତାର ବ୍ୟବସାୟ ଭଲ ଚାଲିଛି |ସେ ଆମର ଗୋଟିଏ ବୋଲି ପୁଅ,ଆମ ଅନ୍ତେ,ଆମର ସବୁ ସମ୍ପତ୍ତି ତାର | ତାଙ୍କ ଝିଅ ସାଙ୍ଗେ ବାଦ  କରିବାକୁ ଆମ ଘରେ ଦ୍ୱିତୀୟ ଆଉ କେହି ନାହିଁ |ସେଇଥିପାଇଁ ତ ସମୁଦୀ ଏ ପ୍ରସ୍ତାବକୁ ହାତଛଡା କଲେ ନାହିଁ |ଆଉ ଶୁଣ,ତୁ ଅକି ସାଙ୍ଗରେ ଯେତେବେଳେ କଥା ହେବୁ,ୟାଡୁ ସାଡୁ କିଛି କହିବୁନି,ମୋ ପଟିଆ ହୋଇ କହିବୁ,ନହେଲେ,ସେ ମତେ ତା ଶତ୍ରୁ ବୋଲି ଭାବିବ |(କ୍ରମଶଃ)

                  

ଜୀବନସାଥୀ (ଭାଗ 13)

                          ଅଙ୍କିତର କଥା ଶୁଣି ନନ୍ଦିନୀର ମନ ଭାରାକ୍ରାନ୍ତ  ଯାଇଥିଲା ଓ ତାର ଭୋକ ମରି ଯାଇଥିଲା |ପିଲାଙ୍କୁ ନେଇ ସେ ଡାଇନିଂ ଟେବଲ ପାଖକୁ ଯାଇ ଦେଖିଲା,ସେଠାରେ କେବଳ ତିନିଜଣଙ୍କ ପାଇଁ ଖାଇବା ବଢ଼ା ଯାଇଛି |ସେ ପଚାରିଲା,ଅପା,ତମେମାନେ କେହି ଖାଇବନି ??

             ନିର୍ମଳା କହିଲେ,ଅକି ତା ରୁମରେ ମୋବାଇଲ ଦେଖି ଦେଖି ଖାଇବ |ଭାଇ କାମ ସାରି ଫେରିବାବେଳକୁ ଡେରି ହେବ |ତମେମାନେ ଗାଡି ମଡ଼ା ହୋଇ ଆସିଛ,ତେଣୁ ଶୀଘ୍ର ଖାଇ ଶୋଇପଡ |କାଲି ମାର୍କେଟକୁ ଯାଇ ତୋ  ଲୁଗାଟା କିଣି ଆଣିଲେ,ମୋର ବଡ଼କାମ ଶେଷ ହେବ |ଶାଢ଼ୀ କଥା ଶୁଣି ନନ୍ଦିନୀକୁ ବିରକ୍ତ ଲାଗିଲା  |ଗୋଟିଏ ବୋଲି ପୁଅର ଏମିତି ବାହାଘର କରୁଛି ଯେ,ପୁଅ ମନରେ ଖୁସି ନାହିଁ ,ସେ ପୁଣି ପିନ୍ଧିବ ପାଟଶାଢ଼ୀ !! ସେ ନିର୍ମଳାଙ୍କୁ କହିଲା,ଅପା ,ମାର୍କେଟ କୁଆଡେ ପଳେଇ ଯାଉନି କି ମୁଁ ବି କୁଆଡେ ଯାଉନି |ବାହାଘର ପାଇଁ ମଝିରେ ଗୋଟିଏ ଦିନ ବାକି ରହିଲା |ଆମେ ପ୍ରଥମେ ଲିଷ୍ଟ ଅନୁସାରେ ବେଦୀ ଜିନିଷ ସଜାଡି ରଖିଦେବା,ତାପରେ ଯେଉଁକଥା |

            ସେ ପୁଣି କହିଲା,ପିଲାମାନେ ଖାଇ ଶୋଇ ପଡନ୍ତୁ,ମୁଁ ତମମାନଙ୍କ ସାଙ୍ଗରେ ଖାଇବି,ଏକୁଟିଆ ଖାଇବାକୁ ମୋର ଇଛା ହେଉନି  |ନିର୍ମଳା କହିଲେ,ନାଁ,ନାଁ,ଗହଳି ବେଳେ ଜଗା ଜଗି କରିବା ଭଲ ନୁହେଁ |ମୋ କଥା ମାନ,ତୁ ଚୁପଚାପ ଖାଇ ଶୋଇପଡ଼ | ନନ୍ଦିନୀ ଆଉ କିଛି ନକହି ତାର ପିଲାମାନଙ୍କ ସାଙ୍ଗରେ ଖାଇ ଶୋଇବାକୁ ଗଲା |

             ବେଡରୁମରେ ଆଉ ଗୋଟିଏ ଅତିରିକ୍ତ ଖଟ ପକେଇ,ନିର୍ମଳା ସେମାନେ ଦୁଇ ଭଉଣୀ ଓ ନନ୍ଦିନୀର ଦୁଇ ପିଲାଙ୍କ  ଶୋଇବା ପାଇଁ ସୁବନ୍ଦୋବସ୍ତ କରିଥିଲେ  |ପିଲାମାନେ ସାଙ୍ଗେ ସାଙ୍ଗେ ଶୋଇପଡିଲେ |କିନ୍ତୁ ନନ୍ଦିନୀ ଆଖିକୁ ନିଦ ଆସୁ ନଥିଲା | ରାତି ବାରଟା ବେଳକୁ ନିର୍ମଳା ଶୋଇବାକୁ ଆସିଲେ |ନନ୍ଦିନୀ ଶୋଇ ନଥିବାର ଦେଖି ପଚାରିଲେ,ତୁ ଏପର୍ଯ୍ୟନ୍ତ ଶୋଇନୁ ?ନନ୍ଦିନୀ କହିଲା,ନୂଆ ଜାଗା ତ,ସେଥିପାଇଁ ନିଦ ଆସୁନି |ନିର୍ମଳ ଲାଇଟ ଅଫ କରି ନନ୍ଦିନୀ ପାଖରେ ନିଜ ଅବଶ ଶରୀରକୁ ଲୋଟାଇ ଦେଇ କହିଲେ,ରାତି ବହୁତ ହେଲାଣି,ଶୋଇପଡ଼ |

            ନନ୍ଦିନୀ ନିର୍ମଳାଙ୍କୁ ଚାହିଁ ପଚାରିଲା ,ଅପା,ଅକି ଏତେ ଶୁଖି ଯାଇଛି,ତାର କଣ ହୋଇଛି ?ନିର୍ମଳା କହିଲେ,ତାରି ଗୁଣରୁ ସେ ସେମିତି ହେଉଛି |ଖାଇବା ଜିନିଷ ଛାଡି,ସବୁବେଳେ  ନାଲି ଚା',କଫି  ପିଇ ପିଇକା ସେଇ ଅବସ୍ଥା ହୋଇଛି,କଥା ମାନିଲେ ସିନା ହେବ ?ନନ୍ଦିନୀ କହିଲା,ଆଗରୁ ତ ପିଉ ନଥିଲା,ଏବେ କଣ ହେଲା ?ନିର୍ମଳା  କହିଲେ,ସେ ଏକ ଲମ୍ବା କାହାଣୀ,ଏବେ ସେକଥା କହି ପାରିବିନି,ରାତି ବହୁତ ହେଲାଣି,ମୁଁ ପରେ କହିବି |ନନ୍ଦିନୀ ଅଳି କରି କହିଲା,ବନେଇ ଚୁନେଇ କହିବି ଦରକାର ନାହିଁ,ସଂକ୍ଷେପରେ କହି ଦେ |ନିର୍ମଳା କହିଲେ,ସେ ଗୋଟେ ଝିଅକୁ ବାହା ହେବାକୁ କହୁଥିଲା,ମୁଁ ମନାକଲି |

"କାହିଁକି?"ନନ୍ଦିନୀ ପଚାରିଲା |

"କାହିଁକି ନାଁ ସେ ଆମ ଷ୍ଟାଣ୍ଡାର୍ଡର ନଥିଲା |ଆମର କଣ ମାନସମ୍ମାନ ବୋଲି କିଛି ନାହିଁ,ଚପରାଶିକୁ ସମୁଦୀ ଡାକିବୁ ?"ନିର୍ମଳା କହିଲେ |

           ସେ ପୁଣି କହିଲେ,ଆଛା,ମତେ ଗୋଟେ କଥା କହ,ତୁ ଯଦି ଦିନେ ଜାଣିବୁ ତୋ ପୁଅ ତମ ଘରେ କାମ କରୁଥିବା ଚାକରାଣୀକୁ ବାହା ହେବାକୁ ଚାହୁଁଛି,ତୁ ରାଜି ହୋଇଯିବୁ ??ନନ୍ଦିନୀ ଏ ପ୍ରଶ୍ନର ଉତ୍ତର ଦେଇ ପାରିଲା ନାହିଁ,ଚୁପ ରହିଲା  |ନିର୍ମଳା କହିଲେ,ଏତେବେଳକୁ ଅକଲ ଗୁଡ଼ୁମ ହୋଇଗଲା ନାଁ ?ଏସବୁ ଜିନିଷ ସିନେମାରେ ସମ୍ଭବ,ବାସ୍ତବ ଜୀବନରେ ନୁହେଁ | 

       ନନ୍ଦିନୀ କହିଲା,ତାହେଲେ ତାକୁ ପ୍ରଥମରୁ ଆକଟ କଲୁନାହିଁ କାହିଁକି ?କାହିଁକି ତାକୁ ଘରେ ପୁରେଇ ଏତେ ପ୍ରଶ୍ରୟ ଦେଉଥିଲୁ ?ନିଆଁ ପାଖରେ ଘିଅ ତରଳି ଯିବ ବୋଲି ତୁ କଣ ଜାଣି ନଥିଲୁ ?ନିର୍ମଳା କହିଲେ,ହଉ ଠିକ ଅଛି,ସବୁ ଭୁଲ ମୋର |କିନ୍ତୁ ଆଉ ଦିନକ ପରେ ବାହାଘର,ଏବେ ଆଉ କଣ କରାଯାଇ ପାରିବ ?ଭାବିନେ,ଯାହା ହେଲା,ଭଲ ହେଲା ,ଯାହା ହେଉଛି ଭଲ ହେଉଛି,ଆଉ ଭବିଷ୍ୟତରେ ଯାହା ହେବ,ତାହା ବହୁତ ଭଲ ହେବ |ଆମ  ସମୁଦୀଙ୍କର ନେତା,ମନ୍ତ୍ରୀ,ଅଫିସର,ସବୁ ବଡ଼ ଲୋକଙ୍କ ସାଙ୍ଗେ ଭଲ ସମ୍ପର୍କ ରହିଛି |ମୁଁ ଆମ ଭବିଷ୍ୟତ ଦେଖିବି ନାଁ,ପୁଅ କଥାରେ ଭାସିଯିବି ?ତୁ କଣ ଜାଣିନୁ ,"କଦମ ଗଛ ମହା ବୁରୁଛ,ଲେଉଟି ପଡ଼ଇ ଛାଇ,ବଡ଼ଲୋକ ସାଙ୍ଗେ ପୀରତି କଲେ,ଉତ୍ତମ ପଦାର୍ଥ ପାଇ |" ???ତାଙ୍କ  କଥା ଶୁଣି ନନ୍ଦିନୀ ଗୁଣୁ ଗୁଣୁ ହୋଇ କହିଲା,ତୋର  ବରବାଦ ହେବାର ସମୟ ଆସିଗଲା ଲୋ  ଅପା,ଏବେ ତତେ ଆଉ କେହି ରକ୍ଷା କରି ପାରିବେ ନାହିଁ |ନିର୍ମଳା ପଚାରିଲେ,ମତେ କିଛି କହିଲୁ ?ନନ୍ଦିନୀ ଚିଡ଼ିଯାଇ କହିଲା,ନାଁ,କାନ୍ଥକୁ କହୁଥିଲି | (କ୍ରମଶଃ)

         

          

Wednesday, July 21, 2021

ଜୀବନସାଥୀ (ଭାଗ 12)

                        ଅତି ଆନନ୍ଦରେ ଦୁଇଭଉଣୀ ସେମାନଙ୍କର ଗପର ପସରା ମେଲେଇ ଦେଇଥିଲେ |ହସଖୁସିରେ ଘର ଫାଟି ପଡ଼ୁଥିଲା |ନିର୍ମଳା ଚମକି ପଡିବାପରି କହିଲେ,ଆରେ, ଖାଲିପେଟରେ ଆମେ ଏମିତି ଗପୁଥିବା ନାଁ କଣ ?ବାହାଘର ପାଇଁ ହୃଷିକେଶ ଅସ୍ଥାୟୀ ଭାବରେ ଏକ ରୋଷେଇଆ ରଖିଥିଲେ |ଏହାଦ୍ୱାରା ନିର୍ମଳାଙ୍କୁ ରୋଷେଇ କାମରୁ  ରିହାତି ମିଳିବା  ସଙ୍ଗେ ସଙ୍ଗେ ସେ ଅନ୍ୟ କାର୍ଯ୍ୟରେ ମନୋନିବେଶ କରି ପାରୁଥିଲେ |ସେ ସେଠାରୁ ଯାଉ ଯାଉ ନନ୍ଦିନୀକୁ କହିଲେ,ତୁ ଅକି ସାଙ୍ଗରେ ଗପୁଥା,ମୁଁ ଆସୁଛି | ନନ୍ଦିନୀ ତା ରୁମକୁ ଆସିବା ବେଳକୁ, ଅଙ୍କିତ ବିଛଣାରେ ଶୋଇ, କାନରେ ଇଅର ଫୋନ ଦେଇ,ଗୀତ ଶୁଣୁଥିଲା | ନନ୍ଦିନୀ ତା ପାଖରେ ବସି ପଡି କହିଲା,ମୁଁ ଏତେବେଳୁ ଆସିଲିଣି,ତୁ  ଏପର୍ଯ୍ୟନ୍ତ ମତେ ଦେଖା କରିନୁ ?ମୋ ଉପରେ ରାଗିଛୁ ନାଁ କଣ ?

                 ନନ୍ଦିନୀ କଥା ଶୁଣି ଅଙ୍କିତ ତତକ୍ଷଣାତ ବିଛଣାରୁ ଉଠି ପଡି ତାର ପାଦ ଛୁଇଁ ପ୍ରଣାମ କଲା |କହିଲା,ନାଇଁ ସେମିତି କିଛି ନୁହେଁ, ତମେ ତ ମୋ ମାମାଙ୍କର ଅତି ପ୍ରିୟ ସାନ ଭଉଣୀ,ତମ ଉପରେ ମୁଁ କାହିଁକି ରାଗିବି ?ନନ୍ଦିନୀ କହିଲା,ତାର ସାନ ଭଉଣୀ ହେଲେ,ତୋର ମାଉସୀ ନାଁ ?ଅଙ୍କିତ କିଛି ନକହି ନିରୁତ୍ତର ରହିଲା |

                  ନନ୍ଦିନୀ କହିଲା,ମୁଁ ଗତ ଥର ତତେ ଯେମିତି ଦେଖିଥିଲି,ଏବେ ଆହୁରି ବେଶି  ଶୁଖି କଳାକାଠ ପଡି ଗଲୁଣି !ତୋର ବାହାଘର ହେଉଛି,ତୁ ଏତେବେଳକୁ ଚୁଡାରେ ପାଣି ପଡିବା  ପରି ଫୁଲି ଉଠିବା କଥା,ଦେଖିଲା ବେଳକୁ ଓଲଟା |ଡ଼ାକ୍ତରଙ୍କ ପାଖକୁ ଯାଇ ଟୋଟାଲ ଚେକ ଅପ କରା |ଏଡ଼େ ସୁନ୍ଦର ଚେହେରା ,ଏବେ ଚାହିଁ ହେଉନି |କଣ ହୋଇଛି କହିଲୁ ??

                  ଅଙ୍କିତ କହିଲା,ତମକୁ କହି ଲାଭ କଣ ?ତଥାପି ପଚାରିଲଣି ଯେତେବେଳେ ମୋ କଥା ଶୁଣିବ ?ନନ୍ଦିନୀ କହିଲା,କି କଥା କହୁଛୁ,ତୋ କଥା ଶୁଣିବିନି ତ  ଆଉ କାହା କଥା ଶୁଣିବି ?ଅଙ୍କିତ କାନରୁ ଇଅର ଫୋନ କାଢି କହିଲା,ମୁଁ ପ୍ରଣବ ପଟ୍ଟନାୟକଙ୍କ ଗୋଟିଏ ଗୀତ ବୋଲିବି,ତମେ ସେଥିରୁ ଯାହା ବୁଝିବ |ନନ୍ଦିନୀ ମୃଦୁ ହସି କହିଲା,ଏମିତି କଥା ?ଆଚ୍ଛା କହ |

            ଅଙ୍କିତ ଆବୃତ୍ତି କଲା,"ମାଟିର ଦେହରୁ ପ୍ରାଣ ଚାଲିଗଲେ,ସିଏ ତ ମରଣ ନୁହେଁ |ଏ ମଣିଷ ମରେ ଜୀବନରେ ଯେବେ,ନୂତନତା ଚାଲିଯାଏ |ବାକି ରହିଯାଏ ଜୀବନର ବୋଝ,ଯାହା ଅତି ଦୂରୁବହ  ||"

                    " ଅନ୍ତରେ କାନ୍ଦେ ବାହାରେ ହସେ ମୁଁ ଏଇ ମୋର ପରିଚୟ,ମରି ସାରିଛି ମୁଁ ,ତେବେ ବି କରୁଛି,ବଞ୍ଚିବା ଅଭିନୟ ||"ନନ୍ଦିନୀ କହିଲା,ଆରେ ବାଃ,ବଢିଆ ତ |ଅଙ୍କିତ କହିଲା,ସରିନି,ଆଉ ଅଛି |ସେ ପୁଣି ଆବୃତ୍ତି କଲା,"ମୋର ଏଇ ଜନ୍ମେ ଭାଗ୍ୟ ମୋ ପାଇଁ,ଅଦିନ ଝଞ୍ଜା ହୋଇ,ଅଧରରୁ ହସ,ଆଖିରୁ ସପନ,ଗଲା ତ ଉଡାଇ ନେଇ |କରିଦେଇଗଲା ଦୁନିଆଁରେ ମତେ,ଚିରଦିନ ଅସହାୟ,ଏଇ ମୋର ପରିଚୟ ......... ||" 

                ନନ୍ଦିନୀ ଆଶ୍ଚର୍ଯ୍ୟ ହୋଇ ଅଙ୍କିତ ଉପରେ ଗଭୀର ଦୃଷ୍ଟି ନିକ୍ଷେପ କଲା |ସେ ଦେଖିଲା,ଅଙ୍କିତ ଆଖିରେ ଲୁହ ଟଳମଳ ହେଉଛି |ସେ ପଚାରିଲା,ତୁ କାନ୍ଦୁଛୁ ?ଅଙ୍କିତ ସଙ୍ଗେ ସଙ୍ଗେ ତା ଆଖିରୁ ଲୁହ ପୋଛିଦେଇ କହିଲା,କାଇଁ ନାଁ ତ |ନନ୍ଦିନୀ କହିଲା,ତୁ କଣ ମତେ ଏତେ ହୁଣ୍ଡୀ ବୋଲି ଭାବିଛୁ ନାଁ କଣ ?ତୁ ଯଦି ଆଉ କାହାକୁ ଭଲ ପାଉଥିଲୁ , ବାହାଘର ପାଇଁ ସଫା ସଫା ମନା କରି ଦେଲୁନାହିଁ କାହିଁକି ?କାହିଁକି ଏତେ ନାଟକ ଚାଲିଛି ???

              ଅଙ୍କିତ କହିଲା,ତମେ ବୁଝିନ ମାଉସୀ,ବାବାଙ୍କର  ପ୍ରମୋଶନ ଦରକାର ଥିଲା,ଆଉ ମାମାଙ୍କର ଦରକାର ଥିଲା ବଂଶ ମର୍ଯ୍ୟାଦା |ଏଇ ଦୁଇଟା ଭିତରେ  ବଳି ପଡ଼ିଗଲି ମୁଁ  |ନନ୍ଦିନୀ କହିଲା,ଆଜିକାଲି ପୁଅଝିଅ ପ୍ରେମ ପାଇଁ କେତେ କଣ କରି ପକାଉଛନ୍ତି,ତୁ ଏମିତି କେଉଁଠୁ ଆସିଲୁ କି ?ତତେ ଧମକ ଦେଇ ଆସିଲାନି ?ଅଙ୍କିତ କହିଲା,ମୁଁ ଧମକ ଦେବା ଆଗରୁ ମାମା ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଲେ |ତାପରେ ବି ମୋ ପାଖରେ ବାଟ ଥିଲା,କିନ୍ତୁ ସେ ଝିଅ ଦୁଇ ପରିବାର ବିରୁଦ୍ଧରେ ଯିବାପାଇଁ ମନାକରି ମୋ ସାଙ୍ଗେ ସବୁଦିନ ପାଇଁ ସମ୍ପର୍କ କାଟିଦେଲା,ଆଉ ବାହା ହୋଇଯିବା ପାଇଁ ମତେ ବାଧ୍ୟ କରି, ଟ୍ରାନ୍ସ୍ଫର ନେଇ ଭୁବନେଶ୍ୱର ଛାଡି ଚାଲିଗଲା   |

              ନନ୍ଦିନୀ କହିଲା,ଦୁନିଆଁରେ ଏମିତି ପୁଣି ଝିଅ ଅଛନ୍ତି ? ଏମିତି ଝିଅକୁ ହାତ ପାହାନ୍ତାରେ ପାଇ ଅପା ହାତଛଡ଼ା କରିଦେଲା କେମିତି ?ଅଙ୍କିତ  କାଠ ପରି ବସିଥିଲା,ଆଉ କିଛି କହୁ ନଥିଲା |ଏଇ ସମୟରେ ନିର୍ମଳା  ଆସି କହିଲେ,ମାଉସୀ ପୁତୁରାଙ୍କ ଗପ ଏପର୍ଯ୍ୟନ୍ତ ସରିନି ?ଶୀଘ୍ର ଆସ ଖାଇବ |

             କିନ୍ତୁ ନନ୍ଦିନୀର ଉତ୍ସୁକତା ବଢି ଯାଇଥିଲା |ମନେ ମନେ ନିଜକୁ ଦୋଷ ଦେଇ ଭାବୁଥିଲା,ସେ ଏତେଥର ଆସିଲାଣି,ଅଥଚ ଅଙ୍କିତକୁ ତା ପସନ୍ଦ ବିଷୟରେ ପଚାରି ପାରିଲାନି ??ଏମିତି ଅଵିଵେକୀ,ହୃଦୟହୀନା ସେ ହୋଇପାରିଲା କେମିତି ? ଅଙ୍କିତକୁ ରାଣ ପକାଇ,ବାଧ୍ୟ କରି,ସେ  ଲିପି ବିଷୟରେ ସବୁ ତଥ୍ୟ ଆଦାୟ କଲା  |ଯେତେବେଳେ ଅଙ୍କିତ ତାକୁ ବାରିପଦା ଗାର୍ଲସ ସ୍କୁଲରେ ଲିପି ଟିଚର ଅଛି ବୋଲି କହିଲା,ସେତେବେଳେ ତାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ,କାରଣ ସେହି ସ୍କୁଲ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥିଲା |(କ୍ରମଶଃ)

               

           

Tuesday, July 20, 2021

ଜୀବନସାଥୀ (ଭାଗ 11)

                          ଜାଇ ଅନୁକୂଳ ପରେ ବିବାହ ନିମନ୍ତ୍ରଣପତ୍ର ବଣ୍ଟନ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଗଲା |ହୃଷିକେଶ ଓ ନିର୍ମଳା କେତେବେଳେ ଏକାଠି ଯାଉଥିଲେ ତ କେତେବେଳେ ପୃଥକ ଯାଇ ନିମନ୍ତ୍ରଣପତ୍ର ଦେଉଥିଲେ |ଅନେକଦିନ ପରେ ସେଦିନ ମାର୍କେଟରେ ଅଙ୍କିତକୁ ଦେଖି  ସରୋଜ ପଚାରିଲା,ଏଇ କେଇଟା ଦିନରେ ତୁ ତ ଏକଦମ ଶୁଖି ଡାଙ୍ଗ ହୋଇ ଗଲୁଣି ?କଣ ହୋଇଛି,ଦେହ ଭଲ ନାହିଁ ??ଅଙ୍କିତ ଫିକା ହସି କହିଲା,ଆଉ ଏ ଜୀବନରେ କଣ ସୁଖ ବାକି ରହିଲା ଯେ ଦେହ ଭଲ ରହିବ ?ଏଣିକି ଖାଲି ମୃତ୍ୟୁ ପାଇଁ ଅପେକ୍ଷା କରିବା କଥା |

                        ସରୋଜ କହିଲା,ତୋପରି ଏମିତି କେତେ ରଥି ମହାରଥୀ କେତେ ବଡ଼ ବଡ଼ ଭାଷଣ ଦେଇ ଶେଷରେ ଲାଙ୍ଗୁଡ଼ ଜାକି ଆତ୍ମସମର୍ପଣ  କରିଛନ୍ତି |ତୋର ବି ସେଇଆ ହେବ |ବାହାଘର ପରେ ,ମିସେସ ଆସିଲେ ତତେ ଯେତେବେଳେ ସାବାଡ଼ କରିଦେବ,ତୁ ଯିବୁ କୁଆଡେ  ??ତା କଥାରେ ଉଠ ବସ ହେବା ବ୍ୟତୀତ ତୋର ଆଉ କିଛି ଉପାୟ ନଥିବ |ଅଙ୍କିତ ରାଗିଯାଇ  କହିଲା,କିଏ ସେ ମିସେସ,କାହାର ମିସେସ  ?ଯାହାକୁ ଜାଣିନି,ଚିହ୍ନିନି,ସିଏ  ??ମୁଁ କେବଳ ଏକମାତ୍ର ଜଣକୁ ମୋ ଜୀବନସାଥୀ ରୂପେ ସ୍ଵୀକାର କରି ସାରିଛି,ସେ ମୋର ଲିପି |ସେ ଯଦି ମୋ ଜୀବନକୁ ନ ଆସିଲା,ତାହେଲେ ବଞ୍ଚିଥିବା ଯାକେ  କାହାକୁ ମୁଁ ଏ ଅଧିକାର ଦେଇ ପାରିବିନି  |ମାମା ଯେମିତି ତାଙ୍କ ଜିଦ୍ଦି ରଖିଲେ,ମୁଁ ବି ସେମିତି ମୋ ଜିଦ୍ଦି ରଖିବି |ସରୋଜ ପଚାରିଲା,ତୋର ପୁଣି କି ଜିଦ୍ଦି ଅଛି,ମତେ କହିଲୁ ?ଅଙ୍କିତ କହିଲା,ନାଁ,ମୋର କାହାକୁ କିଛି କହିବାର ନାହିଁ,ଯାହା କରିବାର କଥା ମୁଁ କରିବି |ତା କଥା ଶୁଣି ସରୋଜର ମନ ଭାରାକ୍ରାନ୍ତ ହୋଇଗଲା |ସେ ପଚାରିଲା,ଏହାର କଣ ସମାଧାନ ନାହିଁ ?ଅଙ୍କିତ ଫିକା ହସ ହସି କହିଲା,କିଛି ସମାଧାନ ନାହିଁ ,ଯାହା ହୋଇବାର କଥା,ହୋଇ ସାରିଛି |ଯେଉଁମାନେ ମତେ ଜାଣିଶୁଣି ଅନ୍ଧାରୀକୂପକୁ ଠେଲି ଦେଇଛନ୍ତି,ମୁଁ ଯିବାପରେ ସେମାନଙ୍କୁ ଦିନେ ନାଁ ଦିନେ ଏହାର ଉତ୍ତର ଦେବାକୁ ପଡିବ | 

                        ବାହାଘରର  ଦୁଇଦିନ ପୂର୍ବରୁ ନନ୍ଦିନୀ ଆସି ପହଞ୍ଚିଗଲା |ସେ ନିର୍ମଳାଙ୍କର  ଡାହାଣ ହାତ,ନିର୍ମଳା ତା ଆସିବା ବାଟକୁ ଚାତକ ପରି ଚାହିଁ ବସିଥିଲେ |ସେ ଘରେ ପାଦ ଦେଉ ଦେଉ ଘରେ ଗହଳି ଜମିଗଲା |ଆସିଲାବେଳେ ସାଙ୍ଗରେ ସେ ଗୋଟିଏ ହାତଲେଖା ଖାତା ଆଣିଥିଲା |ସେଥିରେ ବେଦୀର ସମସ୍ତ କର୍ମ ପାଇଁ କି କି ସାମଗ୍ରୀ ଦରକାର,ବିସ୍ତୃତ ଭାବରେ ଲେଖା ହୋଇଥିଲା |ସେଇ ଅନୁସାରେ ସବୁ ପରକୁ ପର ସବୁ ଯୋଗାଡ଼ କରି ରଖିଦେଲେ,ଠିକଣା ବେଳେ ଆଉ ବ୍ୟସ୍ତ ହେବାକୁ ପଡିବ ନାହିଁ |ନିର୍ମଳା  ତା କଥା ଶୁଣି ଖୁସି ହୋଇ କହିଲେ,ମୁଁ ଜାଣେ ପରା ମୋ ଭଉଣୀ ମୁଣ୍ଡରେ ବହୁତ ବୁଦ୍ଧି !ସେ ନ ଆସିଲେ କଣ କିଛି କାମ ହୋଇ ପାରିବ ?ଓହୋଃ ,ମୋ ଚିନ୍ତା ଗଲା |

                      ନନ୍ଦିନୀ କହିଲା,ମୋ ଶାଢ଼ୀ ଆଗେ ଦେଖା,ତାପରେ ଯୋଉ କଥା |ନିର୍ମଳା କହିଲେ,ତୁ କଣ ମତେ ଏତେ ବୋକୀ ବୋଲି ଭାବିଛୁ ?ତୋ ଶାଢ଼ୀ ତୁ ପସନ୍ଦ କରିବୁ,ମୁଁ ଜମା ସେ ଭୁଲ କରିବି ନାହିଁ |ତୁ ତ ଡେରିରେ ଆସିଲୁ,ଆଗରୁ ଆସିଥିଲେ,ବ୍ଲାଉଜ ଟେଲରକୁ ଦେଇଥିଲେ,ସେ କରି ଦେଇଥାନ୍ତା |ନନ୍ଦିନୀ କହିଲା,ଆଜିକାଲି ରେଡ଼ିମେଡ଼ ବ୍ଲାଉଜର ବହୁତ ଡିମାଣ୍ଡ |ମୋ ପାଖରେ ସେମିତି ବହୁତ ବ୍ଲାଉଜ ଅଛି,ତୁ ଆଦୌ ବ୍ୟସ୍ତ ହୁଅନା |(କ୍ରମଶଃ)

ଜୀବନସାଥୀ (ଭାଗ 10)

                     ଲିପି ମୋବାଇଲ  ବନ୍ଦକରି ସୁଇଚ ଅଫ କରିଦେଲା |ଭାବପ୍ରବଣ ହୋଇ ଅନେକ ସମୟ ନିଶ୍ଚଳ ହୋଇ ବସିବା ପରେ ସେ ବିଛଣାରୁ ଉଠି ପାଣି ପିଇଲା ଓ ପୁଣି ଶୋଇପଡି ନିଜ ବିଷୟରେ ଚିନ୍ତା କରିବାକୁ ଲାଗିଲା |ସେ ବାପା ବୋଉଙ୍କର ବଡ଼ଝିଅ |ବାପା ସବୁବେଳେ ଗର୍ବ କରି ସମସ୍ତଙ୍କୁ କହନ୍ତି ,ସେ ମୋର ଝିଅ ନୁହେଁ,ମୋ ପୁଅ |ଜର୍ଣ୍ଣାଲିଜମ ପଢିବା ପାଇଁ,ମଝିଆ  ଭଉଣୀ ପ୍ରଜ୍ଞାର କେବେଠାରୁ ଇଛା ଅଛି |ସାନଭଉଣୀ ପ୍ରାଚୀ ସମସ୍ତଙ୍କର ଗେହ୍ଲା |ଇଞ୍ଜିନିଅର ହେବାପାଇଁ ତାର ଲକ୍ଷ୍ୟ ରହିଛି  |ବାପା ସ୍ୱଳ୍ପ ବେତନଭୋଗୀ  କର୍ମଚାରୀ |ଗାଆଁରୁ କିଛି ଆସେ ନାହିଁ,ସବୁ କିଣା ହୁଏ |ସେ ଚାକିରୀ କରିବା ପୂର୍ବରୁ ସେମାନେ ଧାର କରଜରେ ବୁଡି ଯାଇଥିଲେ |ଶିକ୍ଷୟତ୍ରୀ ଚାକିରୀ ମିଳିବା ଖବର ପାଇ ବାପା କିପରି ଖୁସିରେ ଅଭିଭୂତ ହୋଇ ଯାଇଥିଲେ,ସେଦିନ କଥା ତାର ଏବେ ବି ସ୍ପଷ୍ଟ ମନେଅଛି | ଚାକିରୀ କରିବା ପରେ,ଧୀରେ ଧୀରେ ତାଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିଲା |ସମସ୍ତଙ୍କ ସ୍ୱପ୍ନ ପୂରଣ ହେବାର କେନ୍ଦ୍ରବିନ୍ଦୁ ସେ ପାଲଟି ଯାଇଥିଲା |ହୁଏତ ଅଙ୍କିତ ସହିତ ପ୍ରେମ ତା ପାଇଁ ଏକ  ଅଭିଶାପ ଥିଲା | ପ୍ରକୃତରେ ଅଙ୍କିତର ମାମା ଠିକ କହୁଥିଲେ |ଅଙ୍କିତକୁ ବାହା ହୋଇଥିଲେ,ତାର ଦୁଇ ଭଉଣୀଙ୍କ ସ୍ୱପ୍ନ ଅଧୁରା ରହିଯାଇ ଥାଆନ୍ତା |କିମ୍ବା ସେମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଇ,ସେ ଅଯଥା ଅଙ୍କିତ ଉପରେ ବୋଝ ହୋଇଯାଇଥାଆନ୍ତା, ଯେଉଁଥିପାଇଁ ତାଙ୍କ ପରିବାରରେ ଅଶାନ୍ତିର ଝଡ଼ ସୃଷ୍ଟି ହେବାର ସମ୍ଭାବନା ବି ଥାଆନ୍ତା |ମାଉସୀ  ଭାବିଚିନ୍ତି  ଯେଉଁ ନିଷ୍ପତ୍ତି ନେଲେ,ତାହା ବୋଧହୁଏ ଉଭୟ ପରିବାର ପାଇଁ ସଠିକ ପଦକ୍ଷେପ ଥିଲା |ଏବେ ସେ ନିଶ୍ଚିନ୍ତରେ ଶତ ପ୍ରତିଶତ ନିଜ ପରିବାର ଉପରେ ଧ୍ୟାନ ଦେଇ ପାରିବ  |ମନେ ମନେ ସେ  ନିର୍ମଳାଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି କହିଲା,ମାଉସୀ, ମୋ ଅଜାଣତରେ ସ୍ୱାର୍ଥପର ହୋଇ କିଛିଦିନ ପାଇଁ,ମୁଁ ମୋ କର୍ତ୍ତବ୍ୟକୁ ଭୁଲି ଯାଇଥିଲି |ଆପଣଙ୍କ ପାଇଁ ମୁଁ ମୋ ଭୁଲି ଯାଇଥିବା କର୍ତ୍ତବ୍ୟକୁ ପୁଣି ମନେ ପକାଇ ପାରିଛି |ସେଥିପାଇଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଓ କୋଟି କୋଟି ଜୁହାର ମାଉସୀ |ଆପଣଙ୍କର ଏହି ଉପକାର ମୁଁ ଜୀବନସାରା ଭୁଲି ପାରିବି ନାହିଁ |

                  ସେ ନିଜ ବେଡ଼ ପାଖରେ ଥିବା ସୁଇଚ ଟିପି ଲାଇଟ ଅଫ କଲା |ନିଦ୍ରା ପରିବର୍ତ୍ତେ କ୍ରମେ ଅନେକ ଭାବନା ତାର ମନ ରାଜ୍ୟକୁ ଅକ୍ତିଆର କରିନେଲେ |ସେ ଭାବୁଥିଲା,ଲିପି ପରି ଝିଅମାନେ କେବଳ ସ୍ୱପ୍ନ ଦେଖନ୍ତି,ସ୍ୱପ୍ନକୁ ସାକାର କରିବା ଅଧିକାର ବୋଧହୁଏ ତାଙ୍କର ନଥାଏ | ପରିବାରର ଆଉ ଚାରିଜଣଙ୍କ ମୁହଁରେ ହସ ଫୁଟାଇବା ପାଇଁ,ସେମାନଙ୍କୁ ଅନେକ ତ୍ୟାଗ କରିବାକୁ ପଡେ |ଏହାକୁ ଅନ୍ୟ ଅର୍ଥରେ କହିବାକୁ ଗଲେ,ପରମସୌଭାଗ୍ୟ ନୁହେଁ ତ ଆଉ କଣ କୁହାଯାଇ ପାରିବ  ? 

               ସେ ଘଣ୍ଟାକୁ ଚାହିଁ ଦେଖିଲା,ରାତି ଗୋଟାଏ ଉପରେ ହେଲାଣି |ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି ସେ ଶୋଇବାକୁ  ଚେଷ୍ଟା କଲା |କିନ୍ତୁ ନିଦ୍ରାଦେବୀ ବୋଧହୁଏ ତା ଉପରେ ପ୍ରସନ୍ନ ନଥିଲେ |ବିଛଣାରେ ଏପଟ ସେପଟ ହୋଇ କେତେବେଳେ ରାତି ପାହିଗଲା ସେ ଜାଣି ପାରିଲା ନାହିଁ |(କ୍ରମଶଃ)

Monday, July 19, 2021

ଜୀବନସାଥୀ (ଭାଗ 09)

                      ବାହାଘର ଆଉ ଅଳ୍ପଦିନ ବାକି ଥିଲା |ସୁବ୍ରତ ବାବୁ କେତେକ ବିଷୟରେ ଆଲୋଚନା କରିବାପାଇଁ ହୃଷିକେଶଙ୍କ ଘରକୁ ଆସିଥିଲେ |ଚା' ପାନ ପର୍ବ ସରିବା ପରେ ସୁବ୍ରତ ପକେଟରୁ ଏକ ଚେକ କାଢି ହୃଷୀକେଶଙ୍କ ହାତରେ ଧରାଇ ତାଙ୍କୁ ହାତଯୋଡ଼ି କହିଲେ ,ବାଟ ଖର୍ଚ୍ଚ ବାବଦରେ ଏଇ ସାମାନ୍ୟ କିଛି ଭେଟି ଗ୍ରହଣ କରନ୍ତୁ |ହୃଷୀକେଶଙ୍କ ଦୃଷ୍ଟି ଚେକ ଉପରେ ବୁଲି ଆସିଲା |ତାହା ପାଞ୍ଚଲକ୍ଷ ଟଙ୍କାର ଚେକ ଥିଲା |ସେ ଚେକ ତାଙ୍କୁ ଫେରେଇ ଦେଇ କହିଲେ,ଏତେ ଟଙ୍କା ମୁଁ ନେବିନି,ଆପଣ ତ ଜିନିଷ ଆକାରରେ ବହୁତ କିଛି ଦେଇ ସାରିଲେଣି  |ସୁବ୍ରତ ହସି ହସି କହିଲେ,ସିଏ ଅଲଗା କଥା,ଇଏ ଅଲଗା କଥା |ଦୁଇଟା ଯାକ ମିଶାଇଲେ କେମିତି ହେବ ?ଏହା କହି ସେ ଚେକ ଟିକୁ ହୃଷୀକେଶଙ୍କ  ପକେଟରେ ଜବରଦସ୍ତି ରଖିଦେଇ କହିଲେ, ବୁଝିଲେ,ଆମେ ଝିଅଘର ହେଲୁ,ଲେଉଟିଆ ଶାଗ ;ଯେତେ କାଟୁଥିବ,ସେତେ ଖାଉଥିବ |ଇଏ ଆରମ୍ଭ ମାତ୍ର |ଏହାର ଅନ୍ତ  ନାହିଁ |ଏମିତି ଦେବା ନେବା ଯେତେ ଚାଲିଥିବ,ସମ୍ପର୍କ ସେତେ ମଧୁର ହେଉଥିବ |ତାଙ୍କ କଥା ଶୁଣି  ହୃଷିକେଶ ହସି ପକାଇଲେ |

                    ସୁବ୍ରତ କହିଲେ,ବାହାଘରକୁ ଆମେ ପାଖାପାଖି ହଜାରେ ଲୋକଙ୍କୁ ଡାକିଛୁ |ମନ୍ତ୍ରୀ ଆସିବେ ବୋଲି ପ୍ରତିଶୃତି ଦେଇଛନ୍ତି |ସେ ଆସିଲେ,ତାଙ୍କ ସାଙ୍ଗରେ ଆଉ କେତେ ଲୋକ ଆସିବାର ସମ୍ଭାବନା ରହିଛି |ଆପଣଙ୍କର ବରଯାତ୍ରୀ କେତେ ଆସିବେ କୁହନ୍ତୁ |ହୃଷିକେଶ କହିଲେ,ଆମର ସେଇ ଦୁଇଶହ ଭିତରେ ହେବେ ,ତା ଠାରୁ କମ ସିନା,ବେଶି ନାହିଁ |ସୁବ୍ରତ କହିଲେ,ଆପଣ ଆପଣଙ୍କ ଫାଇନାଲ ପ୍ରୋଗ୍ରାମ ମତେ ଦେବେ,ସେଇ ଅନୁସାରେ ମୁଁ ଆରେଞ୍ଜମେଣ୍ଟ କରିବି |

                    ସୁବ୍ରତ ଯିବାପରେ ହୃଷିକେଶ ପକେଟରୁ ଚେକ କାଢି ଆଉଥରେ ମନ ପୁରେଇ ଦେଖିନେଲେ |ତାକୁ ନିର୍ମଳାଙ୍କ ଦେଇ କହିଲେ,ୟାକୁ ହୁସିଆରି ରଖ |କାଲି ମୁଁ ଅଫିସ ଯିବାବେଳେ ମନେ ପକାଇ ଦେବ,ବ୍ୟାଙ୍କରେ ଡିପୋଜିଟ କରିଦେବା  |ନିର୍ମଳା  ଖୁସି ମନରେ ତାକୁ ନେଇ ତାଙ୍କ ପର୍ସରେ ଆଲମାରୀ ଭିତରେ ରଖିଦେଲେ |

                  ବାହାଘରର ଜୋରଦାର ଆୟୋଜନ ଦେଖି  ଅଙ୍କିତ ମନେ ମନେ କୁହୁଳୁ ଥିଲା  |ଖାଇବା ପିଇବା ତାକୁ ବିଷ ପରି ଲାଗୁଥିଲା |ଶୟନେ ସ୍ୱପନେ ଜାଗରଣେ ସେ କେବଳ ଲିପି କଥାହିଁ ଭାବୁଥିଲା |ସେଦିନ ରାତିରେ ଖାଇସାରି ଶୋଇବାକୁ ଯିବାବେଳେ ସେ ଭିତରପଟୁ କବାଟ ବନ୍ଦକରି ଲିପିକୁ ଫୋନ ଲଗାଇଲା |ସେ ଭାବିଥିଲା ଫୋନ ତାର ବ୍ଲକ ଥିବ |କିନ୍ତୁ ଲିପି ବୋଧହୁଏ ଫୋନ ଅନବ୍ଲକ କରିଦେଇଥିଲା |ଫୋନ ରିଂ ହେଲା ଓ ଲିପି ସାଙ୍ଗେ ସାଙ୍ଗେ ଫୋନ ଉଠାଇ ହ୍ୟାଲୋ କହିଲା |ଅନେକଦିନ ପରେ ତାର ସୁମଧୁର କଣ୍ଠସ୍ୱର ଶୁଣି ଅଙ୍କିତର ହୃଦୟ ବିଗଳିତ ହୋଇଗଲା |ତା ଆଖିରୁ ଅବିରତ ଲୁହ ଝରିବାରେ ଲାଗିଲା |ଲିପି କହିଲା,ତୁମେ ପିଲାଙ୍କ ପରି କାନ୍ଦୁଛ କାହିଁକି ? ତମକୁ ମୋରାଣ, ତମେ କାନ୍ଦନା |ଏ ଜନ୍ମରେ ମୁଁ ତୁମପାଇଁ ନଥିଲି | ହୁଏତ କିଛି ପାପ କରିଥିଲି,ତମକୁ ପାଇ ପାରିଲିନି |ତୁମେ  ଖୁସିରେ ଘରସଂସାର କର ଓ ମତେ ଭୁଲିଯାଅ |ଶେଷ ଆଡକୁ ସ୍ୱର ତାର ମୋଟା ଶୁଭୁଥିଲା,ହୁଏତ ସେ ବି କାନ୍ଦୁଥିଲା |ଅଙ୍କିତ ତାକୁ କିଛି କହିବା ପୂର୍ବରୁ ସେ  ଫୋନ କାଟି ସାରିଥିଲା |(କ୍ରମଶଃ)

                 

Sunday, July 18, 2021

ଜୀବନସାଥୀ (ଭାଗ 08)

                     ହୃଷିକେଶଙ୍କ  ଘରେ ତିନିଟି  ରୁମ ଥିଲା |ଗୋଟିକରେ ଅଙ୍କିତ ରହୁଥିବାବେଳେ ଦ୍ୱିତୀୟ ରୁମରେ ସେମାନେ ସ୍ୱାମୀ ସ୍ତ୍ରୀ ରହୁଥିଲେ |ତୃତୀୟ ରୁମ ସେମାନେ ତାଙ୍କର ଅତିଥି ମାନଙ୍କ ବ୍ୟବହାର ପାଇଁ ରଖିଥିଲେ |ବାହାଘର ଆଉ ଅଳ୍ପଦିନ ବାକିଥିବାବେଳେ ସୁବ୍ରତ ପ୍ରାୟ ପ୍ରତିଦିନ କିଛି ନାଁ କିଛି  ଯୌତୁକ ସାମଗ୍ରୀ ପଠାଇବାରେ ଲାଗିଥିଲେ |ତେଣୁ ନିର୍ମଳା  ସେମାନେ ରହୁଥିବା ବଡ଼ରୁମଟି ପୁଅବୋହୂଙ୍କ ପାଇଁ ଛାଡିଦେବାକୁ ନିଷ୍ପତ୍ତି କରି ସେହି ରୁମ ଖାଲି କରିଦେଲେ  |ଇତିମଧ୍ୟରେ ସୁବ୍ରତ ନୂଆ ଏ.ସି.,ସ୍ମାର୍ଟ ଏଲଇଡି ଟିଭି, ଫ୍ରିଜ ଇତ୍ୟାଦି ଆଣି ତାକୁ ଯେଉଁଠି ଯାହା ଲାଗିବା କଥା ଲଗେଇ ସେହି ରୁମକୁ ସୁନ୍ଦର ଭାବରେ ସଜେଇବାରେ ଲାଗିଲେ | ଅଙ୍କିତ ଏସବୁ ଦେଖୁଥିଲା,କିନ୍ତୁ କିଛି କହୁ ନଥିଲା |ହୁଏତ ତା ମନରେ ଅନ୍ୟ କିଛି ଯୋଜନା ଚାଲିଥିଲା |

                     ଦିନେ ସେ ତା ଅଫିସରେ ବ୍ୟସ୍ତ ଥିବାବେଳେ ଏକ କଲ ଆସିଲା |truecaller ରେ ଫୋନ କରିଥିବା ବ୍ୟକ୍ତିର ନାମ ସୌମ୍ୟା ସଙ୍ଗୀତା ଦର୍ଶାଉଥିଲା  |ସୌମ୍ୟା ଫୋନ କରିଛି ବୋଲି ଅଙ୍କିତ ଜାଣିପାରିଲା |ସେ ଫୋନକୁ ସାଙ୍ଗେ ସାଙ୍ଗେ ସାଇଲେଣ୍ଟ ମୋଡରେ ରଖି ନିଜ କାମ କରିବାକୁ ଲାଗିଲା |

                     ରାତିରେ ଘରକୁ ଫେରିବାପରେ ନିର୍ମଳା କହିଲେ,ତୋ ପାଇଁ ଗୋଟିଏ ଖୁସି ଖବର ଅଛି |ଅଙ୍କିତ ପଚାରିଲା,ତୁମର ଲଟେରୀ ଉଠିଗଲା ନାଁ କଣ ?କେତେ କୋଟି ଉଠିଲା ?ନିର୍ମଳା କୃତ୍ତିମ ଅଭିମାନରେ କହିଲେ,ତୋର  ସବୁବେଳେ ସେଇକଥା |ଶୁଣ,ସମୁଦୀ କହୁଥିଲେ,ତୋର ମିନେରାଲ ୱାଟର ପ୍ଲାଣ୍ଟକୁ ଲାର୍ଜ ସ୍କେଲ ଇଣ୍ଡଷ୍ଟ୍ରିଜ କରିବାପାଇଁ ଚେଷ୍ଟା କରୁଛନ୍ତି |ଅଙ୍କିତ କହିଲା,ଆରେ ଭଲ ଖବର ତ ,କେବେ କରିବେ ?ଆଜି,କାଲି,ନାଁ ତା ପରଦିନ ??

                     ନିର୍ମଳା  ଜାଣିପାରିଲେ ଅଙ୍କିତ ତାଙ୍କର ସବୁକଥା ମଜାରେ ନେଉଛି |ସେ କହିଲେ,ଆରେ ମୁଁ ମଜାରେ କହୁନି ,ସତରେ କହୁଛି |

                    ଅଙ୍କିତ କହିଲା,ମୁଁ ବି ମଜାରେ କହୁନି ମାମା,ସତରେ କହୁଛି |ଆଛା ଏଥିପାଇଁ ସେ କଣ ସବୁ ସର୍ତ୍ତ ରଖିଛନ୍ତି କହିଲ ?ନିର୍ମଳା କହିଲେ,ସେସବୁ କଥା ମୁଁ ଜାଣିନି |ଖାଲି କହୁଥିଲେ,ଏବେ ସେ ବାହାଘର ପାଇଁ ବ୍ୟସ୍ତ ଅଛନ୍ତି,ବାହାଘର ପରେ ଭାବିଚିନ୍ତି ଯାହା କରିବାର କଥା,କରିବେ |

                ଅଙ୍କିତ କହିଲା,ବାସ ,ତମେ ବି ଆଉ ବ୍ୟସ୍ତ ନହୋଇ,ସେ ବିଷୟରେ ଆଲୋଚନା ନକଲେ ଭଲ |ଟିକିଏ ନୀରବ ରହି ନିର୍ମଳା ପଚାରିଲେ,ତତେ ଆଜି ସୌମ୍ୟା ଫୋନ କରିଥିଲା କି ?ଅଙ୍କିତ ନଜାଣିବା ପରି କହିଲା,ସେ କାହିଁକି ମତେ ଫୋନ କରିବ?ମୋଠାରେ ତାର କି କାମ ଅଛି ??ନିର୍ମଳା କହିଲେ,ସମୁଦୁଣୀ କହୁଥିଲେ ,ବାହାଘର ପୂର୍ବରୁ ପୁଅଝିଅ ଟିକେ କଥା ହୋଇଗଲେ ଭଲ,ସେଥିପାଇଁ ତୋ ଫୋନ ନମ୍ବର ମୁଁ ତାଙ୍କୁ ଦେଇଥିଲି |

              ଅଙ୍କିତ ନିର୍ମଳାଙ୍କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲା,ଯାହା ସାଙ୍ଗେ ବେଶି କଥା ହୋଇଥିଲି,ତାକୁ ତ ତମେ ପସନ୍ଦ କଲନାହିଁ, ଏବେ ସୌମ୍ୟା  ସାଙ୍ଗେ ଟିକେ କଥା ହୋଇଗଲେ,କୋଉ ତ୍ରିଭୁବନ ବିଜୟୀ ହୋଇଯିବି ଯେ ???(କ୍ରମଶଃ)

                     

              

Saturday, July 17, 2021

ଜୀବନସାଥୀ (ଭାଗ 07)

     ସେମାନେ ଯେ ସୌମ୍ୟା ବିଷୟରେ ଆଲୋଚନା କରୁଛନ୍ତି,ଏହା  ନନ୍ଦିନୀର  ବୁଝିବାକୁ ବାକି ରହିଲାନି |ସେମାନେ ତା ବିଷୟରେ ଅଧିକା  କଣ କହିବେ,ଏହା ଶୁଣିବାକୁ ସେ ସେଠାରେ ଅପେକ୍ଷା କଲା |କିନ୍ତୁ କେହି ଜଣେ ଠାରି ଦେବାରୁ ଆଲୋଚନା ସେହିଠାରେ ବନ୍ଦ ହୋଇଗଲା ଓ ସମସ୍ତେ ହାତ ଧରାଧରି ହୋଇ ଖାଇବାକୁ ଚାଲିଗଲେ |ନନ୍ଦିନୀର ମନ ଖରାପ ହୋଇଗଲା | ସେ ସେମାନଙ୍କ କଥା ବାରମ୍ବାର ଚିନ୍ତା କରିବାକୁ ଲାଗିଲା ଓ କେମିତି ଅତି ଶୀଘ୍ର ସେକଥା ନିର୍ମଳାଙ୍କ କାନରେ ପକାଇବ,ସେଥିପାଇଁ ବ୍ୟସ୍ତ ହେଲା |

        ଅପରାହ୍ନରେ ସମସ୍ତେ ଘରକୁ ଫେରି ଆସିବା ପରେ,ନନ୍ଦିନୀ ନିର୍ମଳାଙ୍କୁ କହିଲା,ଅପା,ତୁ ଫ୍ରି ହେଲେ ମତେ କହିବୁ,ତତେ ଗୋଟିଏ କଥା କହିବାର ଅଛି |ନିର୍ମଳା ଜାଣିଥିଲେ, ସେ ଦେଇଥିବା ନିର୍ବନ୍ଧ ଶାଢ଼ୀ ନନ୍ଦିନୀର ପସନ୍ଦ ହୋଇନି |ସେ  ହସିଦେଇ କହିଲେ,କଣ ତୋର ଶାଢ଼ୀ କଥା କହିବୁ ତ ?ନନ୍ଦିନୀ ବିରକ୍ତ ହୋଇ କହିଲା,ଓହୋଃ ଅପା,ତୋର ସବୁବେଳେ ଶାଢ଼ୀ,ଟଙ୍କା,ସୁନା ଉପରେ ଲକ୍ଷ୍ୟ |ମୁଁ ଅଲଗା କଥା କହିବି,ଶୁଣିଲେ ତୋ ମୁଣ୍ଡ ଚକ୍କର ଖାଇଯିବ  |ନିର୍ମଳା ତା କଥା ଶୁଣି ଆଖି ବଡ଼ ବଡ଼ କରି କହିଲେ,ଆଚ୍ଛା ,ଏମିତି କଥା ?ଠିକ ଅଛି,ସନ୍ଧ୍ୟାଧୂପ  ଦେଇସାରିବା ପରେ ମତେ କହିବୁ | 

          କିନ୍ତୁ ସେପର୍ଯ୍ୟନ୍ତ ନିଜ ମନରେ ଫୁଟୁଥିବା କଥାକୁ ରୋକିବା ନନ୍ଦିନୀ ପକ୍ଷରେ କଷ୍ଟକର ଥିଲା | ସନ୍ଧ୍ୟାଧୂପ ଦେବାପରେ ନିର୍ମଳା କହିଲେ,ଆ ,ଛାତ ଉପରକୁ ଯିବା ,ସେଇଠି ଯାହା କହିବାର କଥା କହିବୁ |ଛାତ ଉପରକୁ ଯାଇ ନନ୍ଦିନୀ ସେ ଶୁଣିଥିବା କଥା ପ୍ରକାଶ କରି କହିଲା,ଏମିତି ନବୁଝି ନଶୁଝି ତୁ କେମିତି ନିର୍ବନ୍ଧ କରି ପକେଇଲୁ ?ଏବେ ବି ସମୟ ଅଛି,ତୁ କଥାର ସତ୍ୟାସତ୍ୟ ଅନୁସନ୍ଧାନ କର ଓ ଦରକାର ପଡିଲେ ବାହାଘର ଭାଙ୍ଗି ଦେ |ପୁଅର ଜୀବନସଉଦା କଥା,ଇଏ କଣ ପିଲାଖେଳ ହୋଇଛି ନାଁ କଣ ?

           ନିର୍ମଳା କହିଲେ,କିଛି ଭୁଲଭାଲ ନାହିଁ,ସବୁ ଠିକ ଅଛି |ଖାଲି ହିଂସାରେ ସେମାନେ ସେମିତି ବାଉଳି ହେଉଛନ୍ତି | ତାଙ୍କ ଘର ଲୋକ କଣ,ଆମଘର ଲୋକ କୋଉ କମ କି ?ସେ ଝିଅ  ନାଆଁରେ  କମ ବେନାମୀ ଚିଠି ଆସିଲାଣି ?ଆମେ  ତାକୁ ପଢି ଏମିତି ଚିରି ଦେଉଛୁ,ନିର୍ମଳା ହାତ ଦେଖାଇ କହିଲେ |ନନ୍ଦିନୀ କହିଲା,ଏମିତି କଣ ଦେଖିଲ ଯେ, ତମେ ତା ବିଷୟରେ ଦୃଢ଼ନିଶ୍ଚିତ ହୋଇଗଲ ? 

             ନିର୍ମଳା କହିଲେ,ୟାଙ୍କର ଅଫିସରେ ବହୁତ ଶତ୍ରୁ,ତାଙ୍କର ପ୍ରମୋଶନ କରେଇ ଦେଉ ନଥିଲେ |ଶେଷରେ ବହୁତ କଷ୍ଟରେ ଫାଇଲ ଯେତେବେଳେ  ଡି.ପି.ସି.ଦିନ ଧାର୍ଯ୍ୟ କରିବାପାଇଁ ଗଭର୍ଣ୍ଣମେଣ୍ଟକୁ  ଗଲା,ତାକୁ ଫନ୍ଦିଫିକର କରି କେଉଁଠି ଲୁଚେଇ ଦେଲେ ଯେ,ତାର ପତ୍ତା ମିଳିଲାନି  |ସମୁଦୀ କିନ୍ତୁ ଆମର କରିତକର୍ମା |ତାଙ୍କ ଝିଅ ସାଙ୍ଗେ ପ୍ରସ୍ତାବ ପଡୁ ପଡୁ ସେ  ଏମିତି ଚକ୍ର ବୁଲେଇଲେ ଯେ,ଡିପିସି ଡେଟ ଫିକ୍ସ ହେଲା,ଆଉ ଇଏ ପ୍ରମୋଶନ ପାଇଲେ |ଖାଲି ସେତିକି ନୁହେଁ,ୟାଙ୍କୁ ଡେପୁଟେସନରେ ଗୋଟିଏ ଭଲ ପୋଷ୍ଟକୁ ପଠେଇବା ଚେଷ୍ଟାରେ ସେ ଲାଗିଛନ୍ତି |ମୁଁ ଡିଟେଲସ ଏବେ କହିବିନି,ହେଲେ,ତୁ ବଳେ ଜାଣିବୁନି କି? ଏତିକିବେଳେ ତଳେ ଗାଡି ରହିବା  ଶବ୍ଦ ଶୁଭିଲା |ନିର୍ମଳା ତଳକୁ ଚାହିଁ ଖୁସି ହୋଇ କହିଲେ,ତାଙ୍କ ଗାଡି ଆସିଲାଣି,ମୁଁ ଯାଏଁ ଦେଖେ କିଏ ଆସିଛି |

             ଗାଡି ନେଇ ସୁବ୍ରତବାବୁଙ୍କ ଡ୍ରାଇଭର ଆସିଥିଲା |ସେ ତା ସାଙ୍ଗରେ ଆସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଘର ଭିତରକୁ ଦୁଇଟି ପେଟି ଆଣି ରଖିଲା |କହିଲା,ସାର ପଠେଇଛନ୍ତି |ସେ ଯିବାପରେ ନିର୍ମଳା ପେଟି ଖୋଲିଲେ |ଗୋଟିଏ ପେଟିରେ ଲଡ଼ୁ ଓ ଅନ୍ୟାନ୍ୟ ମିଠା ଥିବାବେଳେ ଅନ୍ୟ ପେଟିରେ ବିଭିନ୍ନ ପ୍ରକାର ଫଳ ଭର୍ତ୍ତି  ହୋଇଥିଲା |ନିର୍ମଳା  ନନ୍ଦିନୀକୁ ଚାହିଁ ହସି ହସି  କହିଲେ,ଦେଖୁଛୁ ଆମ ସମୁଦୀଙ୍କୁ ?ଯାହା ତାଙ୍କ ମନକୁ ଆସୁଛି,ଆମ ଘରେ କୁଢ଼େଇ  ପକାଉଛନ୍ତି,କିଛି ବାକି ରଖୁ ନାହାନ୍ତି  |

             ନନ୍ଦିନୀ ଦୀର୍ଘଶ୍ଵାସ ଛାଡି କହିଲା,ଦେଖୁଛି ଲୋ ଦେଖୁଛି,ଭଲକରି ଦେଖୁଛି ଆଉ ସବୁ ଜାଣି ପାରୁଛି  |ବାଘ ତା ଶୀକାରକୁ ଝାମ୍ପ ମାରିବା ପରି,ସେ ତମମାନଙ୍କୁ ପୂରା କାବୁ କରି ସାରିଲେଣି,ଆଉ ମୁକୁଳିବାର ବାଟ ଦେଖା ଯାଉନାହିଁ |ଏକା  ହରି ଭରସା |(କ୍ରମଶଃ)

              

Thursday, July 15, 2021

ଜୀବନସାଥୀ (06)

                         ଅଙ୍କିତର ଏକ କ୍ଷୁଦ୍ର ମିନେରାଲ ୱାଟର ପ୍ଲାଣ୍ଟ ବିଜିନେସ  ଥିଲା |ଏହାଛଡା ଭବିଷ୍ୟତରେ ପେପର କପ ,ପ୍ଲେଟ,ଓ ଟିସୁ ପେପର ଇତ୍ୟାଦି ଉତ୍ପାଦନ କରିବାର ଯୋଜନା ସେ କରୁଥିଲା  |ତାର ବ୍ୟବସାୟିକ ବୁଦ୍ଧିମତ୍ତାକୁ  ଭାବି ଶ୍ୱଶୁର ସୁବ୍ରତ ବାବୁ ଭଲଭାବେ ଆକଳନ କରି ପାରିଥିଲେ |ସେଥିପାଇଁ ସେ ଏପରି ପ୍ରସ୍ତାବକୁ ହାତଛଡା କରିବାକୁ ଚାହୁଁ ନଥିଲେ |ପୁଅ ଚାହିଁଲେ ଝିଅ ସହିତ କଥାବାର୍ତ୍ତା କରି ପାରିବ ବୋଲି ସେ ଶୁଭ୍ରାଙ୍କ ଜରିଆରେ ନିର୍ମଳାଙ୍କୁ ଜଣାଇ ଦେଇଥିଲେ ଓ ସୌମ୍ୟାର ଫୋନ ନମ୍ବର ମଧ୍ୟ ତାଙ୍କୁ ଦେଇଥିଲେ |ନିର୍ମଳା ଏକଥା ଅଙ୍କିତକୁ କହିବା ପାଇଁ ଅନେକଥର ଚେଷ୍ଟାକରି ମଧ୍ୟ ତାକୁ କହିବାକୁ ସାହସ ଜୁଟାଇ ପାରିନଥିଲେ |ତେଣୁ ଏହି ପ୍ରସ୍ତାବ କେବଳ ପ୍ରସ୍ତାବରେ ହିଁ ରହି ଯାଇଥିଲା |

                          ନିର୍ମଳାଙ୍କ ଏକମାତ୍ର ବିବାହିତା ସାନଭଉଣୀ ନନ୍ଦିନୀ ତାର ପରିବାର ସହ ବାରିପଦାରେ ରହୁଥିଲା |ସେ ଅତ୍ୟନ୍ତ କର୍ମଚଞ୍ଚଳ ଓ ଏହିସବୁ କାମରେ ବିଶେଷ ଜ୍ଞାନ ରଖିଥିଲା |ଏକୁଟିଆ ସବୁକାମ ବୁଝାବୁଝି କରିବା ନିର୍ମଳାଙ୍କ ପକ୍ଷରେ  କଷ୍ଟକର ଥିବାରୁ  ନିର୍ବନ୍ଧର ଦୁଇଦିନ ପୂର୍ବରୁ ସେ ନନ୍ଦିନୀକୁ ଡକେଇ ଆଣିଲେ  |ନନ୍ଦିନୀ ତାର ଦୁଇ ପିଲାଙ୍କ ସହ ଘରକୁ ଆସିଯିବା ପରେ ନିସ୍ତବ୍ଧ  ଘରଟି  ଆନନ୍ଦ ମୁଖରିତ ହୋଇ ଉଠିଲା |ଦୁଇଭଉଣୀ ମିଶି ନିର୍ବନ୍ଧ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଲେ |ବାହାଘରରେ ଅଙ୍କିତର ଇଚ୍ଛା ନାହିଁ ବୋଲି ନିର୍ମଳା ନନ୍ଦିନୀକୁ ଜଣେଇ ନଥିଲେ  |

                       ନିର୍ବନ୍ଧରେ ରିଙ୍ଗ ସେରିମନି କରିବାପାଇଁ ଶୁଭ୍ରାଙ୍କର  ବିଶେଷ ଅନୁରୋଧକୁ ହୃଷିକେଶ ଓ ନିର୍ମଳା ଗ୍ରହଣ କରିଥିଲେ |ଝିଅଘର ପୁଅକୁ  ହୀରା ମୁଦି ଦେଉଥିବା କଥା ସେମାନଙ୍କ କାନରେ  ପଡି ସାରିଥିଲା |ପୁଅଘର ହୋଇ ସେମାନେ ବି ପଛରେ ରହିଥାନ୍ତେ କେମିତି ?ନିର୍ମଳା  ନନ୍ଦିନୀ ସହିତ ମାର୍କେଟ ଯାଇ ନିଜ ପସନ୍ଦରେ ସୌମ୍ୟା ପାଇଁ ମୂଲ୍ୟବାନ ହୀରା ମୁଦି ବାଛି ଆଣିଲେ |

                       ନନ୍ଦିନୀ ଆସିଥିବାରୁ ନିର୍ମଳାଙ୍କୁ ବହୁତ ସୁବିଧା ହେଉଥିଲା |ବିଶେଷ କରି ନିର୍ବନ୍ଧ ପାଇଁ ତାଙ୍କର ଯେଉଁ କଥା ଅଙ୍କିତକୁ କହିବାକୁ ପଡୁଥିଲା,ସେ ନନ୍ଦିନୀ ଦ୍ୱାରା ସେ କାମ କରାଇ  ନେଉଥିଲେ |ଅଙ୍କିତ ନନ୍ଦିନୀକୁ କୌଣସି ଜିନିଷ ମନା କରିପାରୁନଥିଲା |ଏଥିପାଇଁ  ନିର୍ମଳାଙ୍କ ଆନନ୍ଦର ସୀମା ନଥିଲା |ପୁଅ ଶେଷକୁ ବୁଝିଗଲା ଭାବି ମନେ ମନେ ସେ ବହୁତ ଖୁସି ହେଉଥିଲେ |କିନ୍ତୁ ତା ମନରେ କଣ ବିତୁଛି,ସେକଥା କେବଳ ଅଙ୍କିତ ହିଁ ଜାଣିଥିଲା |ତାର ଭୋକ ଶୋଷ ମରିଯାଇଥିଲା |ସେ କେବଳ ଲିପି କ|ଥା ଚିନ୍ତା କରି ତାକୁ ମନେ ମନେ ଝୁରି ହେଉଥିଲା | 

                   ପୁଅଘର ଓ ଝିଅଘର ତରଫରୁ ତିନିଶହ ପାଖାପାଖି ଲୋକ ଆସିଥିଲେ |ସେମାନେ ସମସ୍ତେ ଯେପରି ଭଲରେ ଖାଇବେ ଓ କାହାର ଯେପରି କିଛି ଅସୁବିଧା ନହେବ  ଉଭୟ ନିର୍ମଳା ଓ ନନ୍ଦିନୀ ସେକଥା ବୁଝୁଥିଲେ |ରିଙ୍ଗ ସେରିମନି ପରେ ଖାଇବା ପର୍ବ ଆରମ୍ଭ ହୋଇଗଲା |ଗୋଟିଏ ସ୍ଥାନରେ ଝିଅଘର ତରଫରୁ ଆସିଥିବା କିଛି  ମହିଳା କୌଣସି ଏକ  ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଥିବାର ଦେଖି,ନିର୍ମଳା କୌତୂହଳୀ  ହୋଇ ନିଃଶବ୍ଦରେ ସେଠାକୁ ଯାଇ ତାଙ୍କ ପଛପଟେ ନ ଜାଣିବା ପରି ଛିଡ଼ାହେଲେ  |ସେମାନଙ୍କ ଭିତରେ ଥିବା ଅପେକ୍ଷାକୃତ ବୟସ୍କା ମହିଳା ଜଣକ କହୁଥିଲେ,  ପୁଅଘର କଣ ଦେଖି ଝିଅ ସାଙ୍ଗେ  ବାହାଘର କରିବାପାଇଁ ରାଜି ହେଲେ କେଜାଣି,ପଛକୁ ଭଲକରି ନାମ ନେବେ ଯେ |ଅଖା ଧୋଉଥିବେ,ଗୁଣ ଗାଉଥିବେ |ବାହାଘର କଣ ପିଲାଖେଳ ହୋଇଛି,ସବୁ ଵୁଝିଵାଝି କରିବା କଥା ନାଁ !ତାଙ୍କ ସାମ୍ନାରେ ବସିଥିବା ଅନ୍ୟ ଜଣେ ମହିଳା ତାଙ୍କ କଥା ଶୁଣି କହିଲେ ,ଝିଅଟା କଣ ଏତେ ବଦନାମ ହୋଇ ଯାଇଛି ?କଣ ଏମିତି କାଣ୍ଡ କରିଛି କହିଲ,ଆମେ ବି ଟିକେ ଜାଣିବା | (କ୍ରମଶଃ)

                        

                

ଜୀବନସାଥୀ (ଭାଗ 05)

                       ପିଇବା ମଝିରେ ହଠାତ ଅଙ୍କିତକୁ କାଶ ଆସିଲା |ସେ କାଶି କାଶି  ବେଦମ ହୋଇ ପଡିଲା ଓ ଅକସ୍ମାତ ତାର ବାନ୍ତି ହେଲା |ସରୋଜ ତାକୁ ବାଥରୁମକୁ ନେଉ ନେଉ ସେ ବାଟ ସାରା ବାନ୍ତି କରି ଚାଲିଲା |ସେ ତାକୁ ପାଣି ପିଇବାକୁ ଦେଇ କହିଲା,ଟିକେ ପାଣି ପିଇଦେ,ବାନ୍ତି କମିଯିବ |ଅଙ୍କିତ ତା କଥା ନଶୁଣି ତଣ୍ଟିରେ ହାତ ଗଳେଇ  ପେଟରେ ଯାହା ଥିଲା,ସବୁ ବାନ୍ତି କରି କାଢି ପକାଇଲା |ସେ ସରୋଜକୁ କହିଲା,ମତେ ଉଷୁମ ପାଣିରେ ଫାଳେ ଲେମ୍ବୁ  ଚିପୁଡ଼ି ଦେ |ସରୋଜ କହିଲା,ଟିକେ ବସି ବିଶ୍ରାମ ନେ,କାହିଁକି ଏମିତି ବ୍ୟସ୍ତ ହେଉଛୁ ?ଅଙ୍କିତ କହିଲା,ମୁଁ ଯାହା କହୁଛି ତାହା କର | ସରୋଜ ସାଙ୍ଗେ ସାଙ୍ଗେ ଯାଇ ଅଙ୍କିତ ପାଇଁ  ଲେମ୍ବୁ ପାଣି ଆଣିଲା   |

               ଲେମ୍ବୁ ପାଣି ପିଇ,ସୋଫାରେ  ଅଙ୍କିତ ଆଉଜି ବସିଲା |ତାର ଅବସ୍ଥା ଦେଖି,ସରୋଜ ଡରି ଯାଇଥିଲା |ସେ କାକୁସ୍ଥ ହୋଇ ତାକୁ କେବଳ ଚାହିଁ ରହିଥିଲା |ଅନେକ ସମୟ ସେହିପରି ବସିବା ପରେ ନୀରବତା ଭଙ୍ଗ କରି ଅଙ୍କିତ କହିଲା,ବୁଝିଲୁ ସାଙ୍ଗ,ମୁଁ ଯାହା ନକରିବା କଥା ଆଜି କଲି |ମୋ ଜୀବନର ଗତି କୁଆଡେ ମୁଁ ଜାଣି ପାରୁନାହିଁ |ଜଣେ ମୋ ହୃଦୟକୁ ଖିନଭିନ କରି ଚାଲିଗଲା;ଆଉଜଣେ ମତେ ମଦ ପିଆଇ,ନର୍କକୁ ଯିବାର ବାଟ ସୁଗମ କରିଦେଲା |ଗୋଟିଏ ଭୁଲକୁ ଭୁଲିବାକୁ ଯାଇ,ମୁଁ କଣ ଏମିତି ଗୋଟିକ ପରେ ଗୋଟିଏ ଭୁଲ କରି ଚାଲିଥିବି ?ଭୁଲ ମଣିଷକୁ ଭଲପାଇ ଯାହା ତ କଷ୍ଟ ପାଇଲି,ଏବେ ଭୁଲ ବାଟରେ ଯାଇ ମୁଁ ମୋ ଜୀବନକୁ  ନଷ୍ଟ କରିଦେବି ? ନାଁ |ମୁଁ ବଞ୍ଚିବାକୁ ଚାହେଁ,କାହା ପାଇଁ ନହେଲା ନାହିଁ,ମୋ ବାବା ମାମାଙ୍କ ପାଇଁ ମତେ ବଞ୍ଚିବାକୁ ପଡିବ | ଦୁଃଖ ଭୁଲିବାର ଆଶ୍ୱାସନା ଦେଇ,ତୁ ମତେ ପ୍ଲିଜ,ଅବାଟକୁ ନେଇ ଯାଆନା |

                ସରୋଜ ତାର ଦୁଇହାତ ଧରି ପକାଇ କହିଲା,ମତେ କ୍ଷମା କରି ଦେ ଅକି,ଆଉ ଦିନେ ମୁଁ ସେମିତି କରିବିନି |ଅଙ୍କିତ କହିଲା,ନାଁ ନାଁ ,ତୁ ମୋର ସାଙ୍ଗ,ତୁ କଣ କେବେ ମୋର ଶତ୍ରୁ ହୋଇ ପାରିବୁ ?ଏହା କହି ସେ ତା ପକେଟରୁ ପର୍ସ ଆଣି  ସେଥିରେ ଅତି ଯତ୍ନରେ ସାଇତି  ରଖିଥିବା  ଲିପିର ଫଟ କାଢି କହିଲା,ସବୁ ଦୋଷ ଏଇ ଫଟର |ୟାକୁ ବାରମ୍ବାର ଦେଖିବାରୁ ସିନା ମୋର ଲିପି କଥା ମନେ ପଡୁଛି !! ତାକୁ ଚିରିଦେଲେ,ମୋର ସବୁ ସମସ୍ୟାର ସମାଧାନ ହୋଇଯିବ |ଏହା କହି ସେ ଫଟ ଟିକୁ ମଝିରୁ ଦୁଇଫାଳ କରି ଚିରିବାକୁ ଯିବାବେଳେ ତା ହାତ ଅଟକି ଗଲା |ସେ ଫଟକୁ ତା ଛାତିରେ ଚିପିଧରି କହିଲା,ନାଁ ,ଇଏ ମୋର ଫାର୍ଷ୍ଟ ଲଭ ,ମୋର ଅଭୁଲା ଅତୀତ |ୟାକୁ ମୁଁ କଦାପି ଚିରି ପାରିବିନି | ଯେତେବେଳେ ମୋର ଜୀବନ ପ୍ରତି ବିତୃଷ୍ଣା ଆସୁଛି,ସେତେବେଳେ ଏଇ ଫଟ ଦେଖି ମୁଁ ବଞ୍ଚିବାର ପ୍ରେରଣା ପାଉଛି  !ତାକୁ  ଚିରିଦେଲେ ମୁଁ ବଞ୍ଚିବି କେମିତି ??ଅତି ଦୁଃଖରେ ଆଖିରୁ ତାର ଲୁହ ଝରି ଯାଉଥିଲା  |(କ୍ରମଶଃ)

Tuesday, July 13, 2021

ଜୀବନସାଥୀ (ଭାଗ 04)

                ଲିପିର ଦୁଇଭଉଣୀ ଥିଲେ |ମଝିଆଁ ଭଉଣୀର ନାମ ପ୍ରଜ୍ଞା ଓ ସାନଭଉଣୀର ନାମ ଥିଲା ପ୍ରାଚୀ |ପ୍ରଜ୍ଞାର ବି.ଏସ.ସି ଶେଷବର୍ଷ ଥିବାବେଳେ ପ୍ରାଚୀ ମାଟ୍ରିକ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲା |ପ୍ରାଚୀ ଟିଉସନରୁ ଫେରିବାବେଳେ ଅଙ୍କିତ ତାକୁ ଦେଖି ଅଭ୍ୟାସବଶତଃ ତା ପାଖରେ ବାଇକ ରଖି କହିଲା,ଏ ପୁଚି, (ଡାକନାମ )ଶୁଣ |ପ୍ରାଚୀ କହିଲା,ନାଁ ମୋର କିଛି ଶୁଣିବାର ନାହିଁ,ଡେରି ହେଲାଣି ବୋଉ ବ୍ୟସ୍ତ ହେଉଥିବ |ଅଙ୍କିତ କହିଲା,ମୋ ସାଙ୍ଗେ କଥା ହେବାକୁ ଦେଈ ମନା କରିଛି ନାଁ ?ହଉ,ତୋ ଦେଈକୁ କହିଦେବୁ,ଭଲକରି କ୍ଷୀରି ପିଠା ଖାଇବ,ମୋ ବାହାଘର ଠିକ ହୋଇଗଲା |ଆଉ କହିବୁ,ଠାକୁରଙ୍କୁ ଡାକିବ,ମୁଁ ଯେମିତି ଶୀଘ୍ର ମରିଯାଏ,ତାହେଲେ ଆହୁରି ଭଲକରି ଭୁରି ଭୋଜନ ଖାଇବ |

                ପ୍ରାଚୀ ବିରକ୍ତ ହୋଇ କହିଲା,ସେମିତି କାହିଁକି କହୁଛ ,ମୋ ଦେଈ କଣ କଲା ?ଆମର ଭାଇ ନାହିଁ,ଚପରାଶି ଝିଅ ବୋଲି ତ ଆଣ୍ଟି ମନା କରିଦେଲେ,ଏଥିରେ ମୋ ଦେଈର  କଣ ଭୁଲ ରହିଲା ?

             ଅଙ୍କିତ କହିଲା,ତୋ ଦେଈ କିଛି ଭୁଲ କରିନି ?ବାପା ମାଆ  କଣ ସବୁ ବାହାଘରରେ ରାଜି ଥାଆନ୍ତି ?ପଛରେ ସେମାନେ ରାଜି ହୁଅନ୍ତି |ହେଲେ ତୋ ଦେଈ ମୋ ସାଙ୍ଗେ କଥାବାର୍ତ୍ତା କରିବା ଦୂରର କଥା,ମତେ ଦେଖୁ ଦେଖୁ ଚୋର ଚଣ୍ଡାଳ ପରି  ଘଉଡ଼େଇ ଦେଲା |ମୁଁ କଣ ଏତେ ଖରାପ ?ମୋ ମାମା କଣ କହିଲେ,ସେଥିପାଇଁ ମୁଁ କେମିତି ଦୋଷୀ ହେଲି ?ହଉ ଠିକ ଅଛି,ମୁଁ ବହୁତ  ଖରାପ,ଦେଈକୁ କହିବୁ, ଭଲ ମଣିଷଟିଏ ଖୋଜି ତାକୁ ବାହାହୋଇ ,ତା ସାଙ୍ଗେ ଭଲରେ ରହିବ |

                ପ୍ରାଚୀ କହିଲା,ସେ ବାହା ହେଉ କି ନହେଉ ତମର କି ଯାଏ ଆସେ ?ତମେ ପୁଳାଏ ଯୌତୁକ ଆଣି ଯାହାକୁ ବାହା ହଉଛ,ତା ସାଙ୍ଗେ ଭଲରେ ରୁହ |ଯୌତୁକ କଥା ଶୁଣି ଅଙ୍କିତର ମୁହଁ ଶୁଖିଗଲା |ସେ କହିଲା, ତୁ ବି ଶେଷରେ ସେଇୟା  କହିଲୁ ?ପ୍ରାଚୀ କହିଲା,ହଁ କହିବି,ଆହୁରି କହିବି,ଭଲକରି କହିବି |ଦେଈକୁ ତମେ ବହୁତ ବଦନାମ କରି ସାରିଲଣି, ବାଟରେ ଘାଟରେ କଥା ହୋଇ,ଆମକୁ ଆଉ ବଦନାମ କରନା |ସେ ତା ସାଇକେଲ ଚଲାଇ ଚାଲିଗଲା |

                   ଅଙ୍କିତର ମନ ଖରାପ ହୋଇଗଲା |ଯେଉଁ କାମପାଇଁ ସେ ଯାଉଥିଲା,ତାର ଆଉ ଯିବାକୁ ମନ ହେଲାନାହିଁ | ସେ ଘରକୁ ଫେରି ଆସିବାକୁ ବାହାରିଥିବା ବେଳେ,ସରୋଜ ଆସି ସେଠାରେ ପହଞ୍ଚିଲା |କହିଲା,ଆରେ ତୁ ଏପର୍ଯ୍ୟନ୍ତ ଦୋକାନକୁ ଯାଇନୁ ?କଷ୍ଟମର ଆସି ଫେରି ଯାଉଛନ୍ତି |ଅଙ୍କିତ କହିଲା,ଫେରି ଯାଆନ୍ତୁ |ମୋ ମନ ଭଲନାହିଁ,ଆଜି ମୁଁ ଯିବିନି |ସେ ପୁଣି କହିଲା,ମୁଁ ନ ମରି କାହିଁକି ବଞ୍ଚିଛି କେଜାଣି !ସବୁଦିନ ଏତେଲୋକ ମରୁଛନ୍ତି,ମତେ କାହିଁକି ମରଣ ଆସୁନି ?କଣ ପାଇଁ ଠାକୁର ମତେ ବଞ୍ଚେଇ ରଖିଛନ୍ତି ??ସରୋଜ ହସି ହସି  କହିଲା,କାହିଁକି ସେମିତି ପିଲାଙ୍କ ପରି ହେଉଛୁ ?ଦୁଃଖ ଆଉ କାହାକୁ ଆସୁନି,ଖାଲି ତତେ ଏକା  ଆସୁଛି |ମନ ଭଲ ହେବାର ମେଡ଼ିସିନ ମୋ ପାଖରେ ଅଛି |ଚାଲ ଆମ ଘରକୁ ଯିବା |ସେ ଅଙ୍କିତକୁ ତା ଘରକୁ ନେଇଗଲା |ସେଠାରେ ସେ ତାକୁ ମଦ ଅଫର କଲା |ଅନ୍ୟ ଦିନ ହୋଇଥିଲେ,ଅଙ୍କିତ ତା ଉପରେ ବିରକ୍ତ ହୋଇଥାନ୍ତା |କିନ୍ତୁ ସେଦିନ ସେ  ବିନା ପ୍ରତିବାଦରେ ପେଗ ପରେ ପେଗ ପିଇ ଚାଲିଲା |(କ୍ରମଶଃ)

Monday, July 12, 2021

ଜୀବନସାଥୀ (ଭାଗ 03)

                    ଅନ୍ତରଙ୍ଗ ବନ୍ଧୁ ସରୋଜ ଆଗରେ ନିଜର  ଦୁଃଖ ବଖାଣି ଅଙ୍କିତ କହୁଥିଲା ,ମୋ ଜୀବନ ନଷ୍ଟ ହୋଇଗଲାରେ ସାଙ୍ଗ |ବାଧ୍ୟ ବାଧ୍ୟକତାରେ ସିନା ବାହା  ହେବାକୁ ହଁ କହିଦେଲି,ଏବେ ଭାବୁଛି,ଘର ଛାଡି କୁଆଡେ ଚାଲିଯିବି,ଆଉ ଘରକୁ ଫେରିବିନାହିଁ |ସରୋଜ କହିଲା,ସେମିତି ବେକାର କଥା ଗୁଡା ମତେ ଆଉ କହିବୁନି  |ଦେଖ,ତୁ ଯେହେତୁ ମାଉସୀଙ୍କୁ ହଁ କହି ସାରିଛୁ,ଆଉ ସେଥିରୁ ଓହରି ପାରିବୁ ନାହିଁ |କାରଣ ତୋ ଠାରୁ ହଁ ଶୁଣି ମାଉସୀ ଆଗେଇଛନ୍ତି |ଏଥିରେ ତମ ଘରର ସମ୍ମାନ ମଧ୍ୟ ଜଡ଼ିତ ଅଛି |ଏବେ ଏମିତି କିଛି ପିଲାଳିଆମୀ କାମ କରନା,ଯେଉଁଥିରେ ତୁମ ପରିବାର ବଦନାମ ଓ ବରବାଦ ହୋଇଯିବ |ତା ଛଡ଼ା ମୁଁ ଜାଣେ,ତୁ ମାଉସୀଙ୍କୁ ଏତେ ଭଲପାଉ ଯେ,ଯେତେ ନାହିଁ କଲେ ବି, ଶେଷରେ ମାଉସୀଙ୍କ କଥା ମାନିବୁ |ତେଣୁ ଟଣା ଓଟରାରେ ଯେଉଁ କଥା କାଲି କରିବୁ,ଆଜି ସେହି କଥା ଖୁସି ମନରେ ନକରିବୁ କାହିଁକି ?ଜୀବନରେ ଏମିତି କେତେ ଘଟଣା ଦୁର୍ଘଟଣା ଘଟେ,ଯିଏ ଭୁଲିଯାଏ ସିଏ ଜିତିଯାଏ | ଆଉ ଯିଏ ଭୁଲି ପାରେନାହିଁ,ସେ ହାରିଯାଏ |ତୁ ମତେ କହ,ତୋର ଆଗକୁ ବଢିବାର ଅଛି ନାଁ ଏଇଠି ଜୀବନ ଶେଷ କରିଦେବାର ଅଛି ?

                   ଅଙ୍କିତ ଦୀର୍ଘନିଃଶ୍ୱାସ ଛାଡି କହିଲା,ମରିବାର କଥା ହୋଇଥିଲେ,ମୁଁ ତ ସେଇଦିନ ମରି ସାରିଥାନ୍ତି,ଯେଉଁଦିନ ଲିପି ମତେ ନାହିଁ କରିଦେଇଥିଲା |ଆଜି ତୋ ସାମ୍ନାରେ ଯେଉଁ 'ଅକି' କୁ ଦେଖୁଛୁ,ସେ ହେଉଛି ଗୋଟେ ଜିଅନ୍ତା ଶବ |ସରୋଜ ତାକୁ ସାନ୍ତ୍ୱନା ଦେଇ କହିଲା,ଏତେ ଭାବପ୍ରବଣ ହୁଅନା |ସଂସାର ଭିତରେ ଥରେ ପଶିଗଲେ, ତୁ ଆଉ ସେଥିରୁ ବାହାରି ପାରିବୁ ନାହିଁ, | ନିଜକୁ ଖୁସି ରଖିବାର ଗୋଟିଏ ବାଟ ରହିଛି |ତା ହେଲା,ଯେତେ ପାରେ ସେତେ ଅନ୍ୟକୁ ଦେଇ ଚାଲିବା |ସେ ସ୍ନେହ,ପ୍ରେମ,ଶ୍ରଦ୍ଧା,ଯାହା କିଛି ବି ହୋଇପାରେ |ଦେବାରେ ଯେତେ ସୁଖ ରହିଛି,ତାହା ନେବାରେ ନାହିଁ |ତୁ ଯଦି ସେତିକି କରିପାରିବୁ,ତୋ ଜୀବନରେ ଦୁଃଖ ବୋଲି କିଛି ରହିବ ନାହିଁ |

               ଅଙ୍କିତ କହିଲା,ତାହେଲେ ଲିପି କଥା କଣ ହେବ ?ସରୋଜ କହିଲା,ତୁ ଭାବିନେ,ସେ ଏକ ଦୁଃସ୍ୱପ୍ନ ଥିଲା,ସେ ତୋ ପାଇଁ ନଥିଲା |ଯିଏ ଯାହାପାଇଁ ନଥାଏ,ସେ ତାକୁ କଦାପି ମିଳେନାହିଁ |

              ଅଙ୍କିତ ଫିକା ହସ ହସି କହିଲା,କେତେ ସହଜରେ ତୁ କଥାଗୁଡା କହିଦେଉଛୁ |ଭଗବାନ କରନ୍ତୁ,ତୁ ଭଲପାଇ ଧୋକା ଖାଆ,ତାହେଲେ ମୋ ଦୁଃଖ ମର୍ମେ ମର୍ମେ ଅନୁଭବ କରିପାରିବୁ |ସରୋଜ କହିଲା,ତାହେଲେ ତୁ ଏବେ କଣ କରିବୁ ବୋଲି ଭାବିଛୁ ?ଅଙ୍କିତ କହିଲା,କଣ ଆଉ କରିବି ,ତୁ ଯାହା କହିଲୁ,ସେଇକଥା କରିବାକୁ ଚେଷ୍ଟା କରିବି |କିନ୍ତୁ ମନକୁ ବୁଝେଇବା ଭାରି କଷ୍ଟ,ନୁହେଁ ସାଙ୍ଗ ?ତା କଥା ଶୁଣି,ସରୋଜ କିଛିସମୟ ଚୁପ ହୋଇ ରହିଗଲା |ତାପରେ ମୁଣ୍ଡ ହଲେଇ, କହିଲା,ହଁ |କିନ୍ତୁ ତା ଛଡ଼ା  ଆମ ପାଖରେ ଆଉ ଦ୍ୱିତୀୟ ରାସ୍ତା  ବା କଣ ଅଛି ???(କ୍ରମଶଃ)

ଜୀବନସାଥୀ (ଭାଗ 02)

                      ବିବାହ ପାଇଁ ଅଙ୍କିତ ରାଜି ହେବାରୁ ନିର୍ମଳାଙ୍କ ଖୁସିର ସୀମା ରହିଲାନାହିଁ |ପୁଅପାଇଁ ସେ ସୁନ୍ଦରୀ ଝିଅ ଖୋଜିବାରେ ଲାଗିପଡ଼ିଲେ |କିନ୍ତୁ ସବୁଠାରେ ସେହି ଗୋଟିଏ ପ୍ରଶ୍ନ ଥିଲା,ପୁଅ କି ଚାକିରୀ କରୁଛି |ବିବାହ ବଜାରରେ ପୁଅ ବ୍ୟବସାୟ କରିବା ଟା ଏତେ ଭଲ ଶୁଭେନାହିଁ |ତେଣୁ ଭଲ ଭଲ ପ୍ରସ୍ତାବ ତାଙ୍କ ହାତରୁ ଚାଲି ଯାଉଥିଲା |କିନ୍ତୁ ନିର୍ମଳା ଏତେ ଶୀଘ୍ର ହାର ମାନିବାକୁ ପ୍ରସ୍ତୁତ ନଥିଲେ ଓ ସେ ନିଜ ପ୍ରୟାସ ଜାରି ରଖିଥିଲେ |ଏଣିକି ସେ ସୁନ୍ଦରୀ ଝିଅଙ୍କ ପଛରେ ନପଡ଼ି ଚାକିରୀଆ ଝିଅ କିମ୍ବା ଚାକିରୀ କରିବାର ଯୋଗ୍ୟତା ଥିବା ଝିଅ  ଖୋଜିଲେ |

                    ଦିନେ ମଧ୍ୟସ୍ଥି ଏକ ପ୍ରସ୍ତାବ ଆଣି ପହଞ୍ଚିଲା |ଝିଅଟି ଗ୍ରାଜୁଏସନ ପରେ ଏମ.ବି.ଏ. କରିଥିଲା ଓ ଚାକିରୀ ପାଇଁ ବିଭିନ୍ନ ସ୍ଥାନରେ ଇଣ୍ଟରଭିଉ ଦେଉଥିଲା |ଟିକିଏ ମୋଟି କିନ୍ତୁ ଚେହେରା ତାର ଚଳନୀୟ ଥିଲା |ପ୍ରସ୍ତାବଟି ନିର୍ମଳାଙ୍କ ମନକୁ ପାଇଲା | ସେ ହୃଷୀକେଶଙ୍କ ସଙ୍ଗେ ଝିଅ ଦେଖିବାକୁ ଗଲେ |ଝିଅର ନାଁ ସୌମ୍ୟା ଥିଲା |ବାପା ସୁବ୍ରତ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସହାୟକ ତଥା ଖାସ ଲୋକ ଥିଲେ |ଝିଅର ସାନଭାଇ ସିଦ୍ଧାର୍ଥ ଇଂଞ୍ଜିନିୟରିଂ ପାଶ କରି ଚାକିରୀ ଅପେକ୍ଷାରେ ଥିଲା |ସୁବ୍ରତ ଓ ତାଙ୍କର ପତ୍ନୀ ଶୁଭ୍ରା ଚାହୁଁଥିଲେ,ଯଦି ବିବାହ ପରେ ସୌମ୍ୟାକୁ ଚାକିରୀ ମିଳେ,ସେମାନଙ୍କର ଯେପରି ଚାକିରୀ କରିବାରେ ଆପତ୍ତି ରହିବ ନାହିଁ |ହୃଷିକେଶ କିଛି କହିବା ଆଗରୁ ନିର୍ମଳା କହିଲେ,ଆମର ତ ଝିଅ ନାହିଁ,ଆମ ଘରକୁ ଯିଏ ବୋହୂ ହୋଇ ଆସିବ,ସେ ବୋହୂ ନୁହେଁ,ବରଂ ଝିଅ ପରି ରହିବ |ଅନ୍ୟାନ୍ୟ ବିଷୟରେ ପୁଅ ବୋହୂ ଯାହା ନିଷ୍ପତ୍ତି ନେବେ,ଆମର କିଛି କହିବାର ନାହିଁ  |ଦେବା ନେବା ବିଷୟରେ କିଛି ଆଲୋଚନା ହେଲାନାହିଁ |କିନ୍ତୁ ସେମାନେ ଭଲ ଯୌତୁକ ଦେବେ ବୋଲି ସୁବ୍ରତ ପରୋକ୍ଷରେ ଜଣାଇ ଦେଲେ |ରାତିରେ ଘରକୁ ଫେରି ନିର୍ମଳା  ଖୁସିହୋଇ ଝିଅ ପସନ୍ଦ ହେଲା ବୋଲି ଅଙ୍କିତକୁ  ଜଣାଇ କହିଲେ,ତୁ ତ ଝିଅ ଦେଖିବୁନି ବୋଲି କହିଲୁ,ନହେଲେ ତୁ ବି ଆମସାଙ୍ଗେ ଯାଇ ଝିଅ ଦେଖି ଆସିଥାନ୍ତୁ |

                    ସେଦିନ ରାତିରେ ଲିପିକଥା  ମନେପକାଇ ଅଙ୍କିତ ବହୁତ କାନ୍ଦିଲା ଓ,ମନେ ମନେ ଲିପିକୁ  କହିଲା,ତୁମେ ସିନା ଅଭିମାନ କରି ମୋଠାରୁ  ଦୂରେଇ ଗଲ,ମୁଁ କିନ୍ତୁ ମୋର ଶେଷ ନିଃଶ୍ୱାସ ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ  ତୁମକୁ ମୋ ହୃଦୟରେ ସାଇତି ରଖିବି ଓ ସେଠାରେ ଆଉ କାହାକୁ ପ୍ରବେଶର ଅଧିକାର ଦେବିନାହିଁ |(କ୍ରମଶଃ)

Saturday, July 10, 2021

ଜୀବନସାଥୀ (ଭାଗ 01)

                  ଅଙ୍କିତ ତାର ପିତା ହୃଷିକେଶ ଓ ମାତା  ନିର୍ମଳାଙ୍କ ଏକମାତ୍ର ସନ୍ତାନ ଥିଲା |ତାକୁ ଡାକ୍ତର କରିବାପାଇଁ ହୃଷିକେଶଙ୍କର ସ୍ୱପ୍ନ ଥିଲା |ନିର୍ମଳା  ଭାବୁଥିଲେ ପୁଅ ତାଙ୍କର ଇଞ୍ଜିନିଅର ହେବ ଓ  ଜଣେ ଦକ୍ଷ ଆଇ .ଏ.ଏସ. ଅଫିସର ହେବାପାଇଁ ଅଙ୍କିତର ଇଚ୍ଛା ଥିଲା |କିନ୍ତୁ ଏସବୁ କିଛି ନହୋଇପାରି ଶେଷରେ ସେ ସ୍ୱାଧୀନ ଭାବରେ ନିଜର ବ୍ୟବସାୟ ଆରମ୍ଭ କଲା |ଅଙ୍କିତ ତାଙ୍କ ପଛପଟ ଲାଇନର ଲିପିକୁ ବହୁତ ଭଲ ପାଉଥିଲା |ଲିପି ଏକ ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲା ଓ ବାପା ତାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ |ସେମାନେ ତିନି ଭଉଣୀ ଥିଲେ,ତାଙ୍କର ଭାଇ ନଥିଲା |ଉଭୟ ନିର୍ମଳା  ଓ ହୃଷିକେଶ  ଲିପିକୁ ଭଲଭାବେ ଜାଣିଥିଲେ ଓ ତାକୁ ବହୁତ ଭଲ ପାଉଥିଲେ |କିନ୍ତୁ ଯେଉଁଦିନ ଲିପିକୁ ବାହାହେବାପାଇଁ ଅଙ୍କିତ ନିର୍ମଳାଙ୍କୁ କହିଲା,ସେଦିନ ସତେକି  ଘରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଗଲା |ନିର୍ମଳା କହିଲେ,ସେମାନେ ଆମର ସମାସ୍କନ୍ଧ ନୁହନ୍ତି |  ବାପା ତାର ଚପରାଶି,ସେ ଝିଅ ତଳେ ଆଉ ଦୁଇଟା ଭଉଣୀ,ଭାଇ ନାହିଁ ,ସେମାନେ ସମସ୍ତେ ତୋ ବେକରେ ବନ୍ଧା ହେବେ,ତୋଠାରୁ ସବୁ ପଇସା ଲୁଟି ନେବେ |ମୁଁ ଏକରୁ ଆରେକକୁ ବଳି ଲକ୍ଷ ଲକ୍ଷ ପ୍ରସ୍ତାବ ଆଣି ତୋ ପାଦତଳେ ଗଦେଇ ଦେବି,ତୁ ତା କଥା ଭୁଲିଯା |

               ଅଙ୍କିତ ରାଗିଲା,ରୁଷିଲା ,ନଖାଇ ଉପାସ ରହିଲା;ତଥାପି ତା ବାପା ମାଆଙ୍କୁ ମନେଇ ପାରିଲା ନାହିଁ |ନିରାଶ ହୋଇ ସେ ଦିନେ ଲିପିକୁ କହିଲା,ଚାଲ ଆମେ ରେଜିଷ୍ଟ୍ରି ମ୍ୟାରେଜ କରିନେବା |ଲିପି କିନ୍ତୁ ରାଜି ହେଲା ନାହିଁ |କହିଲା,ଗୁରୁଜନମାନଙ୍କ  ଆଶୀର୍ବାଦ ନନେଇ,ମୁଁ କଦାପି ବାହା ହୋଇ ପାରିବି ନାହିଁ,ତମେ ମଉସା ମାଉସୀଙ୍କ  କଥାରେ ରାଜି ହୋଇଯାଅ ଓ ମତେ ଭୁଲିଯାଅ  |କିନ୍ତୁ ଉଭୟଙ୍କ ପାଇଁ ଭୁଲିବା ଏତେ ସହଜ ନଥିଲା |ଅଙ୍କିତ ପ୍ରାୟବେଳେ ଲିପି  ଘରକୁ ଚାଲି ଆସୁଥିଲା ଓ କେହି ତା ସହିତ କଥା ନହେଲେବି ସେ ସେଠାରେ  ଘଣ୍ଟା ଘଣ୍ଟା ଧରି ବସି ରହୁଥିଲା |ଦିନେ ଲିପିର ବାପା ବାଧ୍ୟ ହୋଇ ମୁହଁ ଖୋଲିଲେ ଓ ଅଙ୍କିତକୁ କହିଲେ,ବାପା,ଆମର ବହୁତ ବଦନାମ ହେଲାଣି ,ତୁମେ ଆଉ ଏଠିକି ଆସିବ ନାହିଁ |ଏହାପରେ  ଲିପି କୁହାବୋଲା କରି ଦୂର ସ୍ଥାନକୁ ତାର ଟ୍ରାନ୍ସଫର କରାଇନେଲା  |ଅଙ୍କିତ ଲିପିକୁ ଫୋନ କରିବାକୁ ବହୁତ ଚେଷ୍ଟା କଲା କିନ୍ତୁ ଲିପି ତା ଫୋନକୁ ବ୍ଲକ କରିଦେଇଥିଲା | ତାର ଠିକଣା ଖୋଜି ଖୋଜି ଦିନେ ସେ ତା ପାଖରେ ପହଞ୍ଚିଗଲା |ତାକୁ ଦେଖି ଲିପି ବହୁତ ବିରକ୍ତ ହେଲା ଓ କହିଲା ଆଉଥରେ  ତା ପାଖକୁ ଆସିଲେ ସେ ପୋଲିସକୁ ଖବର ଦେବ |ଅଙ୍କିତ ମନଦୁଃଖରେ ସେଠାରୁ ଫେରି ଆସିଲା |

              ଏଣେ ନିର୍ମଳା ଅଙ୍କିତକୁ ଚରମବାଣୀ ଶୁଣାଇ କହିଲେ,ଯଦି ସେ ତାଙ୍କଦ୍ୱାରା ମନୋନୀତ ଝିଅକୁ ବାହା ନହୁଏ ତାହେଲେ ସେ ଆତ୍ମହତ୍ୟା କରିଦେବେ  |ଲିପି ବିନା ଅଙ୍କିତର ଜୀବନ ମୂଲ୍ୟହୀନ ଥିଲା |ତାର ବି ଆତ୍ମହତ୍ୟା କରିଦେବାକୁ ଇଚ୍ଛା ହେଉଥିଲା ,କିନ୍ତୁ ପାରିଲାନାହିଁ |ତା ଭାଗ୍ୟରେ ବୋଧହୁଏ ଅଧିକ ଦୁଃଖ ଲେଖାଥିଲା  | ଘରେ ସବୁବେଳେ ତାର ବିବାହକୁ  ଅଶାନ୍ତି ଉପୁଜୁ ଥିଲା |ଏହି କଥାରେ ପୂର୍ଣ୍ଣଛେଦ ଟାଣିବା ପାଇଁ ସେ  ନିର୍ମଳାଙ୍କୁ କହିଲା,ମୁଁ ତମ କଥାରେ ରାଜି ଅଛି,କିନ୍ତୁ ମତେ ଝିଅ ଦେଖିବାକୁ କହିବ ନାହିଁ,ତମେ ଯେଉଁଠି କହିବ ,ମୁଁ ଆଖିବୁଜି ସେଇଠି ବାହା ହୋଇଯିବି |କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିଥିବ,ସେ କେବଳ ତମର ବୋହୂ ହୋଇ ରହିବ, କଦାପି ମୋ ସ୍ତ୍ରୀହୋଇ ପାରିବନି |ନିର୍ମଳା ଅଙ୍କିତର କଥା ଏ କାନରେ ଶୁଣି ସେ କାନରେ ବାହାର କରିଦେଲେ |କାରଣ ସେ ଭଲଭାବେ ଜାଣିଥିଲେ,ଥରେ ବାହା ହୋଇଗଲେ,ବିବାହ ବନ୍ଧନରୁ ମୁକୁଳିବା ଅଙ୍କିତ ପାଇଁ ଏତେ ସହଜ ହେବନାହିଁ |(କ୍ରମଶଃ)

Saturday, July 3, 2021

ସୁନାସଂସାର

              ରାଧା ଓ ବାସନ୍ତୀଙ୍କର ସବୁଦିନ ଅପରାହ୍ନରେ ପାର୍କରେ ଦେଖାହୁଏ |ସେଠାକୁ କଲୋନୀର ଅଧିକାଂଶ ମହିଳା ଆସନ୍ତି |  |ସେଠାରେ ଚଲାବୁଲା ସହିତ ହାଲ୍କା ଫୁଲ୍କା ବ୍ୟାୟାମ କରିବା ପରେ ସମସ୍ତେ ଗପର ପସରା ମେଲାଇ ଦେଇ ଦିନଯାକର କ୍ଲାନ୍ତି ମେଣ୍ଟାଇ ଦିଅନ୍ତି  |ବାସନ୍ତୀଙ୍କ ଦୁଇ ଝିଅ ଓ ପୁଅ ବାହା ହୋଇ ଗଲେଣି ;ରାଧାଙ୍କର ଏକମାତ୍ର ପୁତ୍ର ରାଜୀବ ପାଇଁ କନ୍ୟା ଖୋଜା ଚାଲିଥିଲା |ସେଥିପାଇଁ ରାଧାଙ୍କ ଚିନ୍ତା କହିଲେ ନସରେ |କାରଣ ତାଙ୍କର ସଂସ୍କାରୀ  ଘର |ସେମାନେ ନିରାମିଷାଶୀ ,ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ |ପ୍ରତ୍ୟହ ରାତି ତିନିଟାରୁ ଉଠି ନିତ୍ୟକର୍ମ ଶେଷ କରି ସେମାନଙ୍କୁ  ପୂଜାପାଠ କରିବାକୁ ପଡିଥାଏ |ତେଣୁ ଏମିତି ବୋହୂଟିଏ ଆସିବା ଦରକାର ଯିଏ କି ତାଙ୍କ ପରିବାର ସଙ୍ଗେ  ଖାପ ଖୁଆଇ ଚଳି ପାରୁଥିବ |
     କୋଡ଼ିଏ ବର୍ଷ ତଳେ ରାଧାଙ୍କ ପରିବାର ଏପରି ନଥିଲେ |ସ୍ୱାମୀ ବିଦ୍ୟାଧର ଏପରି  ଆମିଷପ୍ରିୟ ଥିଲେ ଯେ,ସେ ବାର ଅବାର କିଛି ମାନୁ ନଥିଲେ ଓ  ଜଣେ ଲାଞ୍ଚୁଆ କିରାଣୀ ଭାବରେ ଅଫିସରେ ତାଙ୍କର ବହୁତ ଦୁର୍ନାମ ଥିଲା |ଥରେ ଅଫିସରେ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ି ସସ୍ପେଣ୍ଡ ହେଲେ  |ଯେତେବେଳେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଆଗତ ହେଲା ତାଙ୍କର ଚାକିରୀ ଯିବା ଥୟ ବୋଲି ଅଫିସରେ ସମସ୍ତେ ଜାଣିଥିଲେ |କାରଣ  ଅଭିଯୋଗ ତଦନ୍ତ କରିବାପାଇଁ ଦାୟିତ୍ତ୍ୱ ଦିଆଯାଇଥିବା  ତଦନ୍ତ ଅଧିକାରୀ ଭାରି କଡ଼ା ଥିଲେ |ବିଦ୍ୟାଧର ଖବର ନେଇ ଜାଣିଲେ,ତଦନ୍ତ ଅଧିକାରୀ ଜଣେ ଧର୍ମପରାୟଣ ବ୍ୟକ୍ତି ଓ ସେ ଏକ ଧାର୍ମିକ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅଛନ୍ତି |ସେ  କାଳ ବିଳମ୍ବ ନକରି,ସେହି ଅନୁଷ୍ଠାନର ସଦସ୍ୟ ହୋଇଗଲେ ଓ ଅନୁଷ୍ଠାନକୁ ମୋଟା ରକମର ଚାନ୍ଦା ଦେଇ ତଦନ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ | ତଦନ୍ତ ଅଧିକାରୀ ବିଦ୍ୟାଧରଙ୍କ ଚାଲିଚଳନ ଓ ଅମାୟିକ ବ୍ୟବହାରରେ ବେଶ ସନ୍ତୁଷ୍ଟ ହେଲେ |ତାପରେ ଆଉ କଣ !ବିଦ୍ୟାଧର ସବୁ ଅଭିଯୋଗରୁ ମୁକ୍ତ ହୋଇଗଲେ ଓ ତାଙ୍କୁ କେବଳ ଗୋଟିଏ 'ଚେତାବନୀ' ଦେଇ ଘଟଣାକୁ ସେଇଠି ପରିସମାପ୍ତି କରି ଦିଆଗଲା |ତା ପରଠାରୁ ବିଦ୍ୟାଧର ଆଉ ପଛକୁ ଫେରି ଚାହିଁ ନାହାନ୍ତି |ସେ ଅନୁଷ୍ଠାନର ଆଜୀବନ ସଦସ୍ୟ ହୋଇ ତାଙ୍କର ନୀତି ନିୟମ ମାନି ଚଳିଲେ ଓ ସବୁଦିନପାଇଁ ଆମିଷ ପରିତ୍ୟାଗ କରିଦେଲେ | 
         ରାଧା ତାଙ୍କର ପୁଅ ରାଜୀବକୁ ଭାରି ଭଲ ପାଉଥିଲେ |ରାଜୀବ ମଧ୍ୟ ତାର ମାଆକୁ ବହୁତ ଭଲ ପାଉଥିଲା |ପିତାମାତାଙ୍କ ପଥ ଅନୁସରଣ କରି ସେ ପ୍ରତ୍ୟହ ପୂଜାପାଠ କରୁଥିଲା ଓ ଆମିଷ ଭୋଜନ କରୁନଥିଲା |ତାର  ଟୁରିଙ୍ଗ ଜବ ଥିଲା ,ମାସର ଅଧିକାଂଶ ଦିନ ତାକୁ ଟୁରରେ ଯିବାକୁ ପଡୁଥିଲା  |କିନ୍ତୁ ଯେତେ ଅସୁବିଧା ହେଲେ ବି ସେ ସଂଘର ନିୟମ ମାନି ଚଳୁଥିଲା ଓ ଆମିଷ ଭୋଜନରୁ ଦୂରେଇ ରହୁଥିଲା |ବାହାରେ ଥିଲେ, ସେ ସମୟ କରି,ଦିନକୁ ଥରେ ଯେମିତି ହେଲେ ନିଜ ପିତାମାତାଙ୍କ ସହିତ କଥା ହେବାକୁ ଭୁଲୁନଥିଲା  | 
            ପୁଅପାଇଁ ଉପଯୁକ୍ତ ଝିଅ ଖୋଜି ଖୋଜି ଶୁଖିଲାରେ ଚାରିବର୍ଷ ବିତିଗଲା |କେଉଁଠି ଜାତକ ପଡୁନଥିଲା ତ,କେଉଁଠି ପୁଅ ନିରାମିଷାଶୀ ଜାଣି ଝିଅଘର ରାଜି ହେଉନଥିଲେ |ଶେଷରେ ଗୋଟିଏ ଝିଅ ତାଙ୍କର ବହୁତ ପସନ୍ଦ ଆସିଲା  |ଝିଅକୁ ମୁଦି ପିନ୍ଧାଇ ଆସିବା ପରେ ସେ ଏହି ଖୁସିଖବର ପ୍ରଥମେ ତାଙ୍କର ଅତିପ୍ରିୟ ବାସନ୍ତୀଅପାଙ୍କୁ ଜଣେଇ ଦେଲେ |ବାସନ୍ତୀ ଖୁସି ହୋଇ ତାଙ୍କୁ ଅଭିନନ୍ଦନ ଜଣେଇ କହିଲେ,ଭଲ ହେଲା ,ତମର ଚିନ୍ତା ଗଲା |ତାଙ୍କ କଥା ଶୁଣି ରାଧା ମୁହଁ ଶୁଖେଇ କହିଲେ,ଚିନ୍ତା ଗଲା ନାଁ ଆହୁରି  ବଢ଼ିଲା ?ବାସନ୍ତୀ ହସିଦେଇ ପଚାରିଲେ ,କେମିତି ? ଏଥର ରାଧାଙ୍କ ଆଖିରୁ ଲୁହ ଝରି ଆସିଲା |ସେ କାନ୍ଦି କାନ୍ଦି କହିଲେ,ମୋ ପୁଅ ମତେ କେତେ ଭଲ ପାଉଛି,ବାହା ହେଲାପରେ ଆଉ କଣ ମତେ ଭଲ ପାଇବ |ତମେ କଣ ଢଗ ଶୁଣିନ ,ପୁଅ ବାହା ନହେଲା ଯାଏଁ ବାପା ମାଆଙ୍କର ,ବାହା ହେଲାପରେ,ଗୋଟାପଣେ ମାଇପର !ତମେ ପୁଅ ବାହା କରିଛ,ଜାଣି ନଥିବ କି ?
              ବାସନ୍ତୀ ଅସନ୍ତୁଷ୍ଟ ହୋଇ କହିଲେ,ଏମିତି ଖରାପ କଥା ତୋ  ମନକୁ ଆସୁଛି କେମିତି ?ପୁଅ ବୋହୂ ହସ ଖୁସିରେ ରହିଲେ,ତୁ ବରଂ ଖୁସି ହେବାକଥା ନାଁ !!ରାଧା ତାଙ୍କ ମତରେ ଦୃଢ଼ ରହି କହିଲେ,ପୁଅ ବାହାହେବାକୁ ଯିବାବେଳେ ମାଆ ଯେତେବେଳେ ତାକୁ ଚାଉଳ ଆଞ୍ଜୁଳି ଟେକିଦିଏ,ସେତେବେଳେ କାହିଁକି କାନ୍ଦେ ଜାଣିଛ ?ଏଇଥିପାଇଁ କାନ୍ଦେ |ବାସନ୍ତୀ କହିଲେ,କୋଉ ଯୁଗରେ କଣ ହେଉଥିଲା,ଏବେ ଚତୁର ଲୋକେ  ଉଦାରମନା ହେବା  ଶିଖି ଗଲେଣି |ପୁଅ ବୋହୂ ଭଲରେ ରହିଲେ,ଆମେ ବରଂ ଟେନ୍ସନ ଫ୍ରି ହୋଇ ଅବଶିଷ୍ଟ ଜୀବନ ଶାନ୍ତିରେ ରହି ପାରିବା |
             ବାସନ୍ତୀ ପୁଣି କହିଲେ,ବୋହୂପିଲାଟି କେମିତି ଏଥର କହ ,ପୁଅ ମନକୁ ଯାଇଛି ତ ?ରାଧା ହସିଦେଇ କହିଲେ,ଆଉ ସେକଥା କହିବାକୁ ଅଛି ?ସେଥିପାଇଁ ପରା,ଆମିଷ ନିରାମିଷ କଥା ବିଲକୁଲ ଉଠେଇଲି ନାହିଁ |ଯଦି ଆମିଷ ଖାଉଥିବ,ଛାଡ଼ିଦେବ,ଆମେ କେମିତି ଛାଡ଼ିଦେଲୁ ?ବାହାଘର ପରେ ଝିଅମାନଙ୍କୁ ଏମିତି ବହୁତ କିଛି ତ୍ୟାଗ କରିବାକୁ ପଡେ |ମୋ କଥା ଦେଖୁନ !ଝିଅବେଳେ ସିନେମା ଦେଖିବାକୁ,ବୁଲାବୁଲି ଆଉ ସପିଂ କରିବାକୁ ମୁଁ କେତେ ଭଲ ପାଉଥିଲି !ବାବୁ କିନ୍ତୁ ଏସବୁର ଘୋର ବିରୋଧୀ |ବାଧ୍ୟହୋଇ ମତେ ସେସବୁ ଛାଡିବାକୁ ପଡିଲା ନାଁ !! ବାସନ୍ତୀ କହିଲେ,ଠିକ କହିଛୁ,କିନ୍ତୁ ,ଯାହାହେଲେ ବି ପିଲାଲୋକ ,ଖାଦ୍ୟାଭାସ ଛାଡିବା ଟିକେ ମୁସ୍କିଲ ହେବ |
                ଖୁବ ଧୂମଧାମରେ ରାଧା ଓ ବିଦ୍ୟାଧର ପୁଅ ବାହାଘର କଲେ |ରିସେପ୍ସନରେ ନିରାମିଷ ଭୋଜନ ଦେଖି ସମସ୍ତେ ନାକ ଟେକିଲେ |ଆଚ୍ଛା କଥା,ତମେ ଖାଇବନି ବୋଲି କଣ ଆମକୁ ଖାଇବାକୁ ଦେବନି?ଗୋଟିଏ ବୋଲି ପୁଅ,ଏମିତି ସାଧାସିଧା ଭୋଜିଦେଇ ଆମକୁ ଠକି ଦେଲ ?ବିଦ୍ୟାଧର ଏକଥା ଶୁଣି ହସିଦେଇ କହୁଥିଲେ,ତମେ ଯିଏ ଯେତେ ଯାହା କହୁଛ କୁହ,ମୋ ଉପରେ କିଛି ପ୍ରଭାବ ପଡିବ ନାହିଁ |ମୁଁ ଯାହା ଖାଉନାହିଁ,ତମକୁ ଯାଚିବି କାହିଁକି ?
                 ପୁଅ ବାହାଘର ପରେ ରାଧାଙ୍କୁ ଆଉ ପାର୍କରେ ଦେଖାଗଲା ନାହିଁ |ତାଙ୍କର ଅନୁପସ୍ଥିତିରେ ପାର୍କରେ କେବଳ ତାଙ୍କରି  ବିଷୟରେ ଆଲୋଚନା ହେଉଥିଲା |ତାଙ୍କ ବୋହୂ ରୁହି କିପରି ସୁନ୍ଦରୀ,ଅଳ୍ପବୟସୀ |ବେଶୀ କଥା କୁହେ ନାହିଁ |ରାଧା ଯେଉଁ କାମ କରିବାକୁ କହନ୍ତି,ତୁରନ୍ତ ସେହି କାମ କରିଦିଏ |କିଛିଦିନ ପରେ ଶୁଣାଗଲା,ରାଧା ଆଉ କିଛି କାମ କରୁନାହାନ୍ତି,ପୂଜାପାଠ ଠାରୁ ଆରମ୍ଭ କରି ଶ୍ଵଶୁରଙ୍କ ଗୋଡ଼ ଘଷିବା ଯାଏଁ ସବୁ ସେହି ବୋହୂ କରୁଛି |ଆଉ କିଛିଦିନ ପରେ ଶୁଣାଗଲା,ବୋହୂ କାଳେ ଭାରି ଆମିଷପ୍ରିୟ ଥିଲା ;କିନ୍ତୁ ଶାଶୁଘର କେହି ଆମିଷ ଖାଉନାହାନ୍ତି ଜାଣି ସେ ବିନାଦ୍ଵିଧାରେ ଆମିଷ ଛାଡିଦେଲା |ବୋହୂ ବିଷୟରେ ଏତେଗୁଡାଏ ଭଲକଥା ଶୁଣି ସମସ୍ତେ କହିଲେ,କେତେ ଜନ୍ମ ପୁଣ୍ୟ କରି ରାଧା ଏପରି ବୋହୂ ପାଇଛି !ରାଧାଙ୍କ ପାଖ ଘରେ ରୁନି ରହେ |ସେଇ ଆସି ସବୁକଥା ଗପେ |ଦିନେ ସେ କହିଲା,ପୁଅ ଟୁରରୁ ଫେରିଲେ,ରାଧା କାଳେ ଜାଣିଶୁଣି ଅନେକ ରାତିଯାଏଁ ପୁଅ ସାଙ୍ଗରେ ଅଯଥା ଗପନ୍ତି,ବୋହୂ ପାଖକୁ ଛାଡ଼ନ୍ତିନାହିଁ |
             ରୁନି ମସଲା ଦେଇ ଏତେ ସୁନ୍ଦର କଥା କହେ ଯେ,ନ ଶୁଣିବା ଲୋକ ବି ତାକୁ ଆଗ୍ରହରେ ଶୁଣିବାକୁ ବସିଯାଏ   |ତାର ଶାରୀରିକ ଅସୁସ୍ଥତା ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ସେ ଗୁଡ଼ାଏ ଦିନ ପାର୍କକୁ ଆସିପାରିନଥିଲା |ତେଣୁ ତା ଅନୁପସ୍ଥିତିରେ 'ଖଟି ମହଲ' ମାନ୍ଦା ପଡିଯାଇଥିଲା ଓ ପୂର୍ବପରି ଗପର ଆସର ଏତେ ଜମିପାରୁନଥିଲା |ଅନେକ ଦିନ ପରେ ସେ ଯେତେବେଳେ ଆସିଲା,ସମସ୍ତେ ତାକୁ ଘେରିଗଲେ |ରୁନି କହିଲା,ବୋହୂ ତା ବାପଘରକୁ  ଚାଲିଯାଇଛି,ଆଉ ଆସୁନି |ତା ଭାଇ ଜନ୍ମଦିନକୁ ଯାଇ ଥିଲା,ଏପର୍ଯ୍ୟନ୍ତ ଫେରିନି |କୁନା ବୋଉ କହିଲେ,ଗୋଟେ ମଣିଷକୁ ଏତେ ଖଟେଇଲେ,ସେ ଆଉ କଣ କରିଥାନ୍ତା  ?ଯାହା କରିଛି,ଠିକ କରିଛି |ରାଧା ନାନୀ କାମ ନକରି ଗୋଡ଼ହାତ ଲମ୍ବେଇ ବସୁଥିଲା,ପାନେ ପାଉ |ରୁନି ପୁଣି କହିଲା,ବୁଢ଼ୀ ଭାରି ରାଗିଯାଇଛି ,କହୁଛି,ଛାଡପତ୍ର ଦେଇ,ପୁଅକୁ ଆଉଥରେ ବାହାଘର କରେଇବ !ମୀନା ବୋଉ କହିଲେ,ଆରେ ଇୟେ କି କଥା?ବାହାଘର କଣ ପିଲାଖେଳ ହୋଇଛି ନାଁ କଣ ?କଥା କଥାକେ ଛାଡପତ୍ର !କି ଯୁଗ ହେଲାରେ !!
                    ବୋହୂ ଥିଲାବେଳେ ରାଧା ଢେର ଅୟସ କରିଥିଲେ |ସେ  ବାପଘରକୁ ଯିବାଦିନଠାରୁ କାମ କରି କରି ତାଙ୍କ ଗୋଡ଼ହାତ ଲାଠି ହୋଇଗଲାଣି | ବେଶି କଷ୍ଟ ହେଲେ ସେ  ବୋହୂ ଓ ତାର ବାପଘରକୁ ଅନର୍ଗଳ ଅଭିଶାପ ଦିଅନ୍ତି  |ଏବେ ସେ ଆଉ ରାତିରେ ରୋଷେଇ କରୁନାହାନ୍ତି |ବିଦ୍ୟାଧର ଅଫିସରୁ ଫେରିଲାବେଳେ ରୁଟି ତରକାରୀ ନେଇ ଆସନ୍ତି |ଦୁଇପ୍ରାଣୀ ସେତକ ଖାଇ ଆରାମରେ ଶୋଇଯାଆନ୍ତି | 
                  ସେଦିନ ବିଦ୍ୟାଧର ରୁଟି,ତଡକା ଆଣିଥିଲେ |ତଡକାର ସ୍ୱାଦ ଅପୂର୍ବ ଥିଲା |ପରମ ତୃପ୍ତିରେ ରାଧା ତାକୁ ଖାଇ କହିଲେ,ଇଏତ ବଢିଆ ଲାଗୁଛି ,ଆଗରୁ ଯେଉଁ ତଡକା ଆଣୁଥିଲ,ଏତେ ଭଲ ଲାଗୁନଥିଲା |ଏଥର ଯାକୁଇ ସବୁଦିନ ଆଣିବ |ତା ପରଦିନ ବିଦ୍ୟାଧର ତଡକା ପରିବର୍ତ୍ତେ ତରକାରୀ ଆଣିଥିବାର ଦେଖି ରାଧା କହିଲେ,ତଡକା କାହିଁକି ଆଣିଲନି ?ବିଦ୍ୟାଧର କହିଲେ,ଆରେ ସେଇଟା ଅଣ୍ଡା ତଡକା ଥିଲା |ମୁଁ ଜାଣି ନପାରି ଭୁଲରେ ନେଇ ଆସିଥିଲି |ଅଣ୍ଡା ନାଁ ଶୁଣି ରାଧାଙ୍କ ଆଖି ବଡ଼ ବଡ଼ ହୋଇଗଲା |କିଛିସମୟ ଚିନ୍ତାକରି କହିଲେ,ହଉ ନଜାଣି ଖାଇଲେ ଦୋଷ ନାହିଁ |ବିଦ୍ୟାଧର କହିଲେ,ଖାଇ ସାରିଲୁଣି ଯେତେବେଳେ,ଏଥର ଖାଇବା,କଣ କହୁଛ ?ବୟସ ହେଲାଣି,ଭଲ ଜିନିଷ ଖାଇବାକୁ ଭାରି ମନ ହେଉଛି  |ରାଧା ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ,ପରେ କିନ୍ତୁ ତାଙ୍କ କଥାରେ ରାଜି ହୋଇଗଲେ| କାରଣ ତାଙ୍କର ବି ଆମିଷରେ ମନ ଥିଲା  |ପୁଅ ଯେତେଦିନ ଘରେ ଥାଏ,ସମସ୍ତେ ନିରାମିଷ ଖାଆନ୍ତି |ପୁଅ ଟୁରରେ ଗଲେ ଆମିଷ ଖାଆନ୍ତି |କାରଣ ସତ୍ୟଭଙ୍ଗ କରି ପୁଅ ଆଗରେ ଛୋଟ ହୋଇଯିବାକୁ,ସେମାନେ ଚାହୁଁ ନଥିଲେ |ଯେହେତୁ ସେମାନେ ଠାକୁରଙ୍କ ନାମ ନେଇଥିଲେ ,ଆମିଷ ଘରେ ରାନ୍ଧୁନଥିଲେ,ବାହାରୁ  ଆଣି ଖାଉଥିଲେ  |
                  କରୋନା ଯୋଗୁଁ  ଲକଡାଉନ ହେବାପରେ ରାଜୀବ ଆଉ ଟୁରରେ ଯାଉନଥିଲା |ଯାହା କାମ ଘରେ ବସି ଫୋନ ମାଧ୍ୟମରେ ହେଉଥିଲା କିନ୍ତୁ ଦରକାର ପଡିଲେ,ସେ  ମଝିରେ ମଝିରେ ଅଫିସ ଯାଉଥିଲା |ରାଜୀବ ଘରେ ରହିଯିବା  ଯୋଗୁଁ ଅନେକ ଦିନ ହେବ,ବିଦ୍ୟାଧର  ଓ ରାଧା ଆମିଷ ଖାଇପାରିନଥିଲେ |ଶୁକ୍ରବାର ଅଚାନକ କଲ ପାଇ ରାଜୀବ ଅଫିସ ଚାଲିଗଲା |ମଧ୍ୟାନ୍ନଭୋଜନ ପାଇଁ ରାଧା ଭାତ ବାଢିବାବେଳକୁ ବିଦ୍ୟାଧର ତାଙ୍କୁ 'ଟିକିଏ ରୁହ,ମୁଁ ଆସୁଛି' କହି ଚାଲିଗଲେ |ଅଧଘଣ୍ଟା ଭିତରେ ମାଛମୁଣ୍ଡ ତରକାରୀ ଆଣି ଘରେ  ପହଞ୍ଚି  କହିଲେ,ଶୀଘ୍ର ବାଢ ଖାଇବା,ନହେଲେ ଥଣ୍ଡା ହୋଇଯିବ |ଅତି ତରବରରେ ସେ ଦାଣ୍ଡ କବାଟ ଦେବାକୁ ଭୁଲି ଯାଇଥିଲେ |ଦୁହେଁ ଆରାମରେ ବସି ଖାଉଥିବାବେଳେ,ରାଜୀବ ଆସି ପହଞ୍ଚିଗଲା |ସେମାନଙ୍କୁ ଆମିଷ ଖାଉଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା |ସେତେବେଳକୁ ଦୁହିଁଙ୍କର କାନ୍ଦୁଣୁ ମାନ୍ଦୁଣୁ ଅବସ୍ଥା |କିନ୍ତୁ ରାଜୀବ ସମଝଦାର ଥିଲା |ସେ ହସିଦେଇ କହିଲା,କାହିଁକି ମନଦୁଃଖ କରୁଛ ? |ଏବେ ତ  ତୁମର ଭଲ ଭଲ ଜିନିଷ ଖାଇବା ସମୟ |ଆଉ ଜାଣିଛ,ଜିହ୍ୱା ଲାଳସାକୁ ଦମନ କରିବା ହେଉଛି,ସବୁଠାରୁ ବଡ଼ ପାପ |ରାଧା କହିଲେ,ତୁ ଖାଇବୁ ବାପା ?ରାଜୀବ କହିଲା,ନାଁ,ମମି, ମୋର ଇଛା ନାହିଁ,ତମେମାନେ ଖାଅ |ମୋ ଦେହ ଭଲ ଲାଗୁନି,ମୁଁ ଟିକେ ଶୋଇବି |
               ସେଦିନ ରାତିରେ ରାଜୀବକୁ  ଭୀଷଣ ଜ୍ୱର ଆସିଲା |ରାତିସାରା ଜ୍ୱର ସେମିତି ରହିଲା |ସକାଳେ ଡାକ୍ତରଙ୍କୁ ପଚାରିବାରୁ ସେ ପ୍ରଥମେ କୋଭିଡ ଟେଷ୍ଟ କରାଇବାକୁ କହିଲେ |କୋଭିଡ ନାଁ ଶୁଣି ସ୍ୱାମୀ ସ୍ତ୍ରୀ ଦୁହେଁ ଭୟରେ ଥରିବାକୁ ଲାଗିଲେ |ସେମାନେ ଦୁଇଜଣ ସିନା ଟୀକା ନେଇଥିଲେ,ରାଜୀବର ସ୍ଲଟ ଆସି ନଥିବାରୁ ସେ ଟୀକା ନେଇପାରିନଥିଲା |ମେଡିକାଲ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରାଜୀବ ଔଷଧ ସେବନ କଲା ଓ ଗୋଟିଏ ରୁମରେ ଅଲଗା ରହିଲା |ରିପୋର୍ଟ ପଜିଟିଭ ଆସିବା ପରେ ଦୁହିଁଙ୍କ ହୋସ ଉଡ଼ିଗଲା |ସହଜେ ରାଧା କାମକୁ ପାରୁନଥିଲେ,ତା ଉପରେ ରାଜୀବ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପାନୀୟ ଇତ୍ୟାଦି ତିଆରି କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଲା | ଏସବୁ ସତ୍ତ୍ୱେ ବି ସେ ନିଜର ଜିଦ୍ଦି ରଖି,ବୋହୂଘରକୁ ରାଜୀବର ଅସୁସ୍ଥତା ବିଷୟରେ ଜଣେଇ ନଥିଲେ |କିନ୍ତୁ କୌଣସି ସୂତ୍ରରୁ ରାଜୀବର କରୋନା ଆକ୍ରାନ୍ତ ହେବା  ଖବର ପାଇ,ସମୁଦୀ,ସମୁଦୁଣୀ ଓ ବୋହୂ ଆସି ପହଞ୍ଚିଗଲେ  |ରାଧାଙ୍କୁ ଦେଖି,ବୋହୂ ତାଙ୍କ ପାଦତଳେ ପଡି ମୁଣ୍ଡିଆ ମାରିବା ବେଳକୁ,ସମୁଦୁଣୀ ତାଙ୍କୁ କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲେ |ରାଧାଙ୍କର ସବୁ ରାଗ କୁଆଡେ ଉଭେଇ ଗଲା |ରୁହି ସାଙ୍ଗେ ସାଙ୍ଗେ ତାର ପୋଷାକ ବଦଳେଇ,ଡବଲ ମାସ୍କ ପିନ୍ଧି,ରାଜୀବ ପାଖକୁ ଯାଇ ତାର ଦୁଇ ପାଦ ଧରିପକାଇ କହିଲା ମତେ କ୍ଷମା କରିଦିଅ |ସେଠାରେ ପହଞ୍ଚିବାର ଚାରିଦିନ ପରେ ମତେ ବି କରୋନା ହୋଇଯାଇଥିଲା |ସେକଥା ତମକୁ କହିବାପାଇଁ ମୁଁ ତମପାଖକୁ କେତେ ଫୋନ କଲି,କିନ୍ତୁ ତମେ ମୋ ଫୋନ ବ୍ଲକ କରିଦେଇଥିଲ |ଏବେ ବି ମୋର ଦୁର୍ବଳତା ପୂରାପୂରି ଯାଇନି,ଟିକେ କାମ କଲେ ହାଲିଆ ଲାଗୁଛି |ରୁନି ଭାଉଜଙ୍କ ଠାରୁ ମୁଁ ତମ କଥା ଜାଣିଲି,ନହେଲେ,ତମ ବିଷୟରେ କେବେ ବି ଜାଣିପାରିନଥାନ୍ତି |ତା କଥା ଶୁଣି, ରାଜୀବ ଆଖିରୁ ଅମାନିଆ ଲୁହଧାର ଝରିଗଲା | ରୁହିର ହାତ ଧରି ସେ ଅସ୍ପଷ୍ଟ ଗଳାରେ କେବଳ ଏତିକି କହିଲା,ସରି ରୁହି | 
               "ତାପରେ କଣ ହେଲା?"ସମସ୍ତେ ଏକସ୍ୱରରେ ରୁନିକୁ ପଚାରିଲେ |ରୁନି କହିଲା,ତାପରେ ଆଉ କଣ ?ରୁହି କି କିମିଆ କଲା କେଜାଣି,ଅଳ୍ପଦିନ ଭିତରେ ରାଜୀବ ଭଲ ହୋଇଗଲା   |''ଈଶ୍ୱରଙ୍କ ଅସୀମ କୃପା,ପିଲାଟା ରକ୍ଷା ପାଇଗଲା "|ବାସନ୍ତୀ ଈଶ୍ୱରଙ୍କୁ ସ୍ମରଣ କରି ହାତ ଯୋଡ଼ି କହିଲେ  |ମୀନାବୋଉ ପଚାରିଲେ,ତାପରେ ସେମାନେ ସମସ୍ତେ ଆଇଁଷ ଖାଇଲେ ?ରୁନି କହିଲା,ରାଜୀବର ଆମିଷ ପ୍ରତି ଆଗ୍ରହ ନଥିଲା;ଥରେ ଛାଡିଦେବାପରେ,ରୁହି ମଧ୍ୟ ଆଉ ଆମିଷ ଖାଇବାକୁ ଇଛା କଲାନାହିଁ |ବାସନ୍ତୀ କହିଲେ,ଆମିଷ ଖାଇବାଟା ବଡ଼ କଥା ନୁହେଁ,ଭାଙ୍ଗିଯାଉଥିବା ସୁନାସଂସାର ଯୋଡି ହୋଇଗଲା,ସେଇଟା ବଡ଼ କଥା ,ସନ୍ଧ୍ୟା ହେଲାଣି,ଚାଲ ଏଥର ଘରକୁ ଯିବା |ରୁନି କହିଲା,ରୁହ,ରୁହ,ଗୋଟିଏ କଥା କହିବାକୁ ଭୁଲିଯାଇଛି |ସମସ୍ତେ ଉଠୁ ଉଠୁ ପୁଣି ବସିପଡ଼ିଲେ |ରୁନି ହସିଦେଇ କହିଲା,ଏବେ ଶାଶୁ ବୋହୂ ଦୁହେଁ ମିଳିମିଶି ସବୁକାମ କରୁଛନ୍ତି |ରାଧାନାନୀ ସାଙ୍ଗେ ଦେଖା ହୋଇଥିଲା |ସେ କହୁଥିଲେ,କରୋନା ମୋ ଭଙ୍ଗାସଂସାର ଯୋଡ଼ିଦେଲା  |ବାସନ୍ତୀ ହସି ହସି ଢଗ ଗାଇଲେ,'ଦଶ ଦୋଷ ଯଦି ସହି ପାରିବୁ,ବୋହୂ ଆଣିବୁ ଘରକୁ,ହସିକରି ଯଦି କଥା କହିବୁ,ବଶ କରିବୁ ପରକୁ|'କୁନାବୋଉ ତାଙ୍କ ସାଙ୍ଗେ ସ୍ୱର ମିଶାଇ ଗାଇଲେ,'ଝିଲିମିଲି ଶାଢ଼ୀ ସାଇତି ରଖିଲେ,ଦିନେ ହେଲେ ଚିରିଯିବ|ସ୍ନେହ ମମତାକୁ ସାଇତି ରଖିଲେ,ଚିରଦିନ ପାଇଁ ଥିବ |'(ସମାପ୍ତ)