Thursday, April 1, 2021

ଅନନ୍ୟା (ଭାଗ 41)

            ମାସକ ଭିତରେ ଆଦିକନ୍ଦ ତାଙ୍କର ପରବର୍ତ୍ତୀ ପଦବୀକୁ ପଦୋନ୍ନତି ପାଇଗଲେ |ଘରେ ଥାଇ ଦାସ ସାର ଏହି ଖବର ପାଇ,ମନେ ମନେ ରକ୍ତ ଚାଉଳ ଚୋବାଉବା ଛଡ଼ା ତାଙ୍କ ପାଖରେ ଆଉ ଦ୍ୱିତୀୟ ବିକଳ୍ପ କିଛି ନଥିଲା  |ଛଅ ସପ୍ତାହ ପରେ ଯେତେବେଳେ ତାଙ୍କ ଗୋଡ଼ରୁ ପ୍ଳାଷ୍ଟର ଖୋଲାଗଲା,ସେତେବେଳେ ସେ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କ ପାଦ ତଳେ ରଖି  ପାରିଲେ ନାହିଁ |ଡାକ୍ତର ତାଙ୍କୁ ଫିଜିଓଥେରାପି କରିବାପାଇଁ ପରାମର୍ଶ  ଦେଲେ |ବାଧ୍ୟ ହୋଇ ସେଥିପାଇଁ ତାଙ୍କୁ ଆହୁରି ମାସେ ଛୁଟି ନେବାକୁ ପଡ଼ିଲା |ଫିଜିଓଥେରାପିରୁ ତାଙ୍କୁ ସୁଫଳ ମିଳିଲା ଓ ସେ  କାନ୍ଥ ଧରି ଚାଲୁ ଚାଲୁ କ୍ରମେ ବାଡ଼ି ଧରି ଚାଲିଲେ |କିନ୍ତୁ ତାଙ୍କ ପାଇଁ ଆଉ ଅଧିକ ଦିନ ଛୁଟି ନେଇ ଘରେ ରହିବା  ଅସହ୍ୟ ଥିଲା |ତେଣୁ ସେ ସେହି ଅବସ୍ଥାରେ, ଆଉ ଛୁଟି ନ ବଢ଼େଇ,କାର୍ଯ୍ୟରେ ଯୋଗ ଦେଲେ |

       ଅଫିସରେ  ଜଏନ କରିବା ଦିନ ତାଙ୍କୁ ସର୍ବପ୍ରଥମେ ଆଦିକନ୍ଦ ଅଭିବାଦନ ଜଣାଇଲେ |ଦାସ ସାର ଗମ୍ଭୀର ହୋଇ,କିଛି ପ୍ରତିକ୍ରୀୟା ନ ଜଣେଇ ତାଙ୍କ ରୁମକୁ ଚାଲିଗଲେ |ନିର୍ଦ୍ଦେଶକ ଆସିବା ପରେ ସେ ତାଙ୍କ ପାଖକୁ ଯାଇ ଘଣ୍ଟାଏ ରୁ ଉର୍ଦ୍ଧ୍ୱ ସମୟ ଆଲୋଚନା କଲେ |ଆଦିକନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଇନିସିଏଟ ହେଉଥିବା ଜାଣି ମଧ୍ୟ କିପରି ତାଙ୍କୁ ପ୍ରମୋଶନ ଦିଆଗଲା,ସେକଥା ପଚାରିବାକୁ ସେ ଭୁଲିଲେ ନାହିଁ |ଜଣେ ବିଚାରବନ୍ତ ଆଇ.ଏ.ଏସ.ଅଧିକାରୀ ଭାବେ ନିର୍ଦ୍ଦେଶକଙ୍କୁ ଦାସ ସାରଙ୍କ ପ୍ରଶ୍ନର ଉତ୍ତର ଭଲଭାବେ ଜଣା ଥିଲା |ସେ କହିଲେ,କିଛି ପ୍ରମାଣ ନଥାଇ, ବେସଲେସ ଆଲିଗେସନକୁ ମୁଁ ଗୁରୁତ୍ତ୍ଵ ଦିଏ ନାହିଁ |  ଆଦିକନ୍ଦ ବାବୁଙ୍କ ବ୍ୟକ୍ତିଗତ ଫାଇଲ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ମୁଁ ତାଙ୍କ ବିଷୟରେ ସବୁ ଖବର ସଂଗ୍ରହ କରିଛି |ତାଙ୍କ ଚରିତ୍ର କାଚ ପରି ନିଷ୍କଳଙ୍କ |ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ |ଯଦି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି,ତାହେଲେ ଛୁଟି ଏକଷ୍ଟେନ୍ସନ କରନ୍ତୁ ;ଆଦିକନ୍ଦ ବାବୁ ଅଛନ୍ତି,କିଛି ଅସୁବିଧା ହେବ ନାହିଁ |

        ନିର୍ଦ୍ଦେଶକଙ୍କ କଥା ଶୁଣି,ଅପମାନରେ ଦାସ ସାରଙ୍କ ମୁହଁ କଳା ପଡ଼ିଗଲା |ଆଉ ମୁହୂର୍ତ୍ତେ ସେଠାରେ ନରହି,ସେ ଚାଲି ଆସିଲେ |ସବୁ ପ୍ରମୋଶନ ଅର୍ଡର ପରି,ଆଦିକନ୍ଦଙ୍କ ପ୍ରମୋଶନରେ ଏକବର୍ଷ ପ୍ରୋବେସନରେ ରହିବାର ନିର୍ଦ୍ଦେଶ ଥିଲା |ଯାହା କିଛି  କରିବା କଥା,ବର୍ଷକ ଭିତରେ କରିବାକୁ ପଡ଼ିବ ବୋଲି ଦାସ ସାର ମନେ ମନେ ନିଷ୍ପତ୍ତି ନେଲେ |

     କିଛିଦିନପରେ ସଚ୍ଚିବାଳୟରୁ ଏକ ବେନାମୀ ଚିଠି ଆସିଲା,ଯେଉଁଥିରେ କମେଣ୍ଟସ ଦେବାପାଇଁ ଅଫିସକୁ କୁହାଯାଇଥିଲା |ସେଥିରେ ଉଲ୍ଲେଖ ଥିଲା ଯେ,ଆଦିକନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ ଥିବା ସତ୍ତ୍ୱେ ତାଙ୍କୁ କିପରି ବେଆଇନ ଭାବରେ ପଦୋନ୍ନତି ଦିଆଗଲା |ଏହା ଏକ ବ୍ୟକ୍ତିଗତ ବିଦ୍ୱେଷ ଓ ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି ନିର୍ଦ୍ଦେଶକ ରୋକଠୋକ ଜଣେଇ ଦେବାରୁ,ସେଇଠାରେ ବେନାମୀ ଚିଠିର ଅପାତତଃ ପରିସମାପ୍ତି ଘଟିଲା |

        ବିଲେଇ କପାଳକୁ ଶିକା ଛିଣ୍ଡିବା ପରି,ଦେଢ଼ମାସ ପରେ,ନିର୍ଦ୍ଦେଶକଙ୍କର ବଦଳି ହୋଇଗଲା |ତାଙ୍କ ସ୍ଥାନରେ ଯେଉଁ ନୂଆ ନିର୍ଦ୍ଦେଶକ ଆସିଲେ,ସେ ଦାସ ସାରଙ୍କ ଜଣା ଶୁଣା ଥିଲେ |ନୂଆ ନିର୍ଦ୍ଦେଶକ କାର୍ଯ୍ୟରେ ଯୋଗ ଦେଉ ଦେଉ, ଦାସ ସାର ତାଙ୍କର ମନମୁଖୀ କାର୍ଯ୍ୟକଳାପ  ଆରମ୍ଭ କରିଦେଲେ |ମିଛକୁ ବାଗେଇ,ସତ୍ୟ ବୋଲି ପ୍ରମାଣିତ କରିବାର ଅଦ୍ଭୁତ କ୍ଷମତା ଦାସ ସାରଙ୍କ ଥିଲା |(କ୍ରମଶଃ)

        

No comments:

Post a Comment