Sunday, April 11, 2021

ଅନନ୍ୟା (ଭାଗ 47)

        ମାସକ ପରେ ନିର୍ବନ୍ଧ ଓ ତା ପରମାସ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା | ଏଥିରେ ସମସ୍ତେ ବହୁତ ଖୁସି ଥିଲେ |ଅନିଷ ଓ ଦିବ୍ୟାଶାଙ୍କ କଥା ନ କହିଲେ ଭଲ,ସେମାନେ ସ୍ଵର୍ଗରେ ବିଚରଣ କରୁଥିଲେ |ନନାଙ୍କ ଠାରୁ ତାଲିକା ନେଇ ଅନସୂୟା ପୂଜା ଜିନିଷ ଯୋଗାଡ଼ରେ ବ୍ୟସ୍ତ ଥିଲେ |କାରଣ ପଛକୁ ସବୁ ରଖିଲେ,ଭୁଲଭାଲ ହୋଇଯିବାର ସମ୍ଭାବନା ଅଧିକ ଥିଲା |

         ବଡ଼ ମାର୍କେଟର ପୂଜା ସାମଗ୍ରୀ ଦୋକାନକୁ ଯିବାବେଳେ କେହିଜଣେ ତାଙ୍କୁ ମାଡାମ ମାଡାମ ଡାକି ତାଙ୍କ ସାମ୍ନାରେ ଛିଡ଼ା ହୋଇ ହସି ହସି କହିଲେ,ମତେ ଚିହ୍ନି ପାରୁଛନ୍ତି ?ଭଦ୍ରମହିଳା ଏକ ନାଲି ରଙ୍ଗର ସିଫନ ଶାଢ଼ୀ ପିନ୍ଧିଥିଲେ |ହାତରେ ତାଙ୍କର ସପିଂ ବ୍ୟାଗ ଥିଲା |ଆଖିରେ କଳା ଚଷମା ଓ ମୁକୁଳା କେଶରେ ସେ ଅପରୂପା ଦିଶୁଥିଲେ |ଅନସୂୟା ମନେ ପକାଇବାକୁ ଚେଷ୍ଟା କରି ବିଫଳ ହୋଇ କହିଲେ,ନାଁ ମାଡାମ,ମୁଁ ଜମା ମନେ ପକାଇ ପାରୁନି |

         ଭଦ୍ରମହିଳା ହସି ହସି କହିଲେ,ମୁଁ କିନ୍ତୁ ଆପଣଙ୍କୁ ଆଦୌ ଭୁଲି ପାରିବିନି |କେଉଁ ଯୋଗରେ ଆପଣ ସେଦିନ ଆମ ଘରକୁ ଆସିଥିଲେ ଯେ ମୋ ଝିଅର ଜୀବନର ମୋଡ଼ ସମ୍ପୂର୍ଣ୍ଣଭାବେ ବଦଳିଗଲା |ଜିରୋରୁ ସେ ହିରୋ ପାଲଟି ଗଲା |ଯାହାକୁ ଦିନେ ଆମର ବୋଝ ବୋଲି ଭାବୁଥିଲୁ ସେ ଆମପାଇଁ ଗର୍ବ ଓ ଗୌରବ ଆଣିଦେଲା  |

        ସେ ଦାସ ସାରଙ୍କ ପତ୍ନୀ ବୋଲି,ଏତେବେଳେ ଯାଇଁ ଅନସୂୟା ଜାଣିଲେ |ସେ କହିଲେ,କ୍ଷମା କରିବେ,ସେଦିନ ଘରେ ଆପଣଙ୍କୁ ଡ୍ରେସ ପିନ୍ଧିଥିବା ବେଳେ ଦେଖିଥିଲି ,ଆଜି ଶାଢୀରେ ଆପଣ ଏତେ ସୁନ୍ଦର ଦେଖା ଯାଉଛନ୍ତି ଯେ, ହଠାତ ଚିହ୍ନି ପାରିଲିନି |ଦାସ ସାରଙ୍କ ପତ୍ନୀ ହସି ହସି ଅନସୂୟାଙ୍କ ଦୁଇ ହାତ ନିଜ ହାତ ମୁଠାରେ ଧରି କହିଲେ,ଏତେ ପ୍ରଶଂସା କରନ୍ତୁନି,ମୁଁ ଏହାର ଯୋଗ୍ୟା ନୁହେଁ  |ଅନସୂୟା କହିଲେ,କଣ କରିବି ମାଡାମ,ମୋର ଗୋଟିଏ ଦୁର୍ଗୁଣ ଅଛି,କିଛି ଭଲ ଦେଖିଲେ,ମୁଁ ସାଙ୍ଗେ ସାଙ୍ଗେ ମୁହଁ ଖୋଲି କହିଦେବାକୁ କୁଣ୍ଠା ବୋଧ କରେନାହିଁ  |  ସେ କହିଲେ,ନାଁ ନାଁ ,ସେମିତି କହିଦେଲି,ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା  |ଅନସୂୟା କହିଲେ,ଏଥର ଆପଣଙ୍କ ସେଇ ଗୁଣୀ ଝିଅ କଥା କୁହନ୍ତୁ  |

        ଦାସ ସାରଙ୍କ ପତ୍ନୀ କହିଲେ,ସେଦିନ ଆପଣ ଯିବାପରେ,ମୁଁ ଝିଅର ସ୍ୱପ୍ନ ସାକାର କରିବା ପାଇଁ,ମନେ ମନେ ପ୍ରତିଜ୍ଞା କଲି ଓ ସେଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ନିଜକୁ ପ୍ରସ୍ତୁତ କରିନେଲି  |ଝିଅ ମୋର ଭାରି ପରିଶ୍ରମୀ |ସେ ରାଜନୀତି ବିଜ୍ଞାନରେ ଏମ.ଏ.କରି,ଫାର୍ଷ୍ଟ ଚାନ୍ସରେ ଓ.ଏ.ଏସ ପାଇଗଲା |ଗତବର୍ଷ  ତାର ବାହାଘର ବାହାଘର ହେଲା  |ଜ୍ୱାଇଁ ଆମର ଡାକ୍ତର |ଏବେ ଆଇ .ଏ.ଏସ.ପରୀକ୍ଷା ଦେବାପାଇଁ ଝିଅ  ପଢାପଢି କରୁଛି ଓ  ଶାଶୁଘରର ସମସ୍ତେ  ତାକୁ ଏଥିପାଇଁ ସାହାଯ୍ୟ ସହଯୋଗ କରୁଛନ୍ତି |ଅନସୂୟା କହିଲେ,ଶୁଣି ବହୁତ ଖୁସି ଲାଗିଲା |ଝିଅକୁ  ଆମର କଙ୍ଗ୍ରାଚୁଲେସନସ ଜଣେଇ ଦେବେ |

        ଅନସୂୟା ଏଥର ଅନିଷର ନିର୍ବନ୍ଧ କଥା କହି,ସେମାନଙ୍କୁ ଆସିବା ପାଇଁ ନିମନ୍ତ୍ରଣ କଲେ |ଦାସ ସାରଙ୍କ ପତ୍ନୀ କହିଲେ,ମୋ ସ୍ୱାମୀ ଆଦିକନ୍ଦ ବାବୁଙ୍କୁ  ଯେପରି ବେଜ୍ଜିତ ଓ ହଇରାଣ କଲେ ,ସେଠାକୁ ଯିବା ପାଇଁ ଆମର ମୁହଁ ନାହିଁ |  କାହାର ଅଭିଶାପ ପଡିଲା କେଜାଣି,ଏପର୍ଯ୍ୟନ୍ତ ତାଙ୍କ ଭଙ୍ଗା ଗୋଡ଼ ଠିକ ହୋଇ ପାରିଲା ନାହିଁ |ଈଶ୍ୱରଙ୍କ ଦୟାରୁ ଆପଣଙ୍କ ସହିତ ଦେଖା ହେବାର ସୁଯୋଗ ମିଳିଲା |ଯଦି ପାରିବେ,ସାରଙ୍କୁ କ୍ଷମା କରିଦେବେ ;ମୋର ବିଶ୍ୱାସ,ଆପଣଙ୍କ ଶୁଭକାମନାରେ ସେ ନିଶ୍ଚୟ ଭଲ ହୋଇଯିବେ |(କ୍ରମଶଃ)

No comments:

Post a Comment