Thursday, April 15, 2021

ଅନନ୍ୟା (ଭାଗ 51)

           ଡିନର ପାଇଁ ଅନିଷ ଫୁଲ୍କା ରୁଟି ସହ ଚିଲି ଚିକେନ, ପନିର ମସଲା ଓ ରାଇତା ମଗେଇ ଥିଲା |ବଡ଼ବୋଉ ପନିର ଭଲ ପାଆନ୍ତି  |ସେ ଖୁବ ଖୁସିରେ ପନିର ମସଲା ଖାଇଲେ ଓ ଅନିଷକୁ ବହୁତ ଆଶୀର୍ବାଦ ଦେଲେ |ଖାଇ ସାରିବା ପରେ ଅନିଷ ଅନସୂୟାଙ୍କୁ କହିଲା,କାଲି ବାବାଙ୍କର ଛୁଟି ଅଛି |ଆମେ ଖରାବେଳେ ଯାଇ ବାବାଙ୍କ ପାଇଁ,ତମପାଇଁ ଓ ଜେଜୀମାଙ୍କ ପାଇଁ ଡ୍ରେସ ଓ ଲୁଗା ନେଇଆସିବା |ଅନସୂୟା କହିଲେ,ଆମ ଲୁଗାପଟା ପରେ କିଣାଯିବ ,ଆମେ ବରଂ କାଲି ଯାଇ ଆନିର ଅର୍ନାମେଣ୍ଟସ ଓ  ରିସେପ୍ସନ ଲୁଗା ନେଇ ଆସିବା |

      ଅନିଷ କହିଲା,ଓହୋଃ ମମି,ଆନି କଥା ମୋ ଉପରେ ଛାଡିଦିଅ |ତା ଡ୍ରେସ ସିଏ ପସନ୍ଦ କରିବ,ଅକାରଣେ ଆମର ମୁଣ୍ଡ ବିନ୍ଧେଇବା ଦରକାର ନାହିଁ |ଖାଲି ବାବାଙ୍କ ପାଇଁ ମୋର ଟେନସନ ଅଛି,କାରଣ ବାବା ନିଜ ଜିନିଷ କିଣିବାରେ ଭାରି କଞ୍ଜୁସୀ କରନ୍ତି |ଆଦିକନ୍ଦ ସେଠାରେ ଛିଡା ହୋଇ ତା କଥା ଶୁଣୁଥିଲେ |କହିଲେ,ମୋର ଏତେ ବଦନାମ କରନା |ତୁ ମୋ ପାଇଁ ଯାହା କିଣିଦେବୁ,ମୁଁ ଖୁସିରେ ପିନ୍ଧିବି |ଅନିଷ ହସି ହସି କହିଲା ,ପ୍ରୋବ୍ଲେମ ସଲ୍ଭ ହୋଇଗଲା |କାଲି ବେଳାବେଳି  ସପିଂ କାମ ସାରିଦେବା ,ମୋର ପୁଣି ସନ୍ଧ୍ୟା ଫ୍ଲାଇଟରେ ଯିବାର ଅଛି |

      ପରଦିନ ଜୋରଦାର କିଣାକିଣି ହେଲା |ବଡ଼ବୋଉ ତାଙ୍କ ପସନ୍ଦରେ ମଠା ରଙ୍ଗର ସମ୍ବଲପୁରୀ ଶାଢ଼ୀ କିଣିଲେ |ନିଜପାଇଁ ଲୁଗା  ପସନ୍ଦ କରିବାବେଳେ  ଅନସୂୟାଙ୍କ ନଜର ଏକ ସମ୍ବଲପୁରୀ ଟସର ସିଲ୍କ ଶାଢ଼ୀ ପାଖରେ ଅଟକି ଗଲା |ସେ ମୁଗ୍ଧ ହୋଇ ତାକୁ କିଛି ସମୟ ଚାହିଁ ରହିଲେ |ଦୋକାନୀ କହୁଥିଲା,ସେଇଟା କାଳେ ହଜାର ବୁଟି ସମ୍ବଲପୁରୀ ଟସର ସିଲ୍କ |କିନ୍ତୁ ତା ଦାମ ତାଙ୍କ ହିସାବରେ ବହୁତ ଅଧିକ ଥିଲା |ଅଯଥାରେ ପୁଅକୁ ଖର୍ଚ୍ଚାନ୍ତ କରିବାକୁ ତାଙ୍କର ଇଛା ହେଲା ନାହିଁ |ତେଣୁ ସେ ନିଜ ପାଇଁ ଏକ ପିଓର ସିଲ୍କ ଶାଢ଼ୀ କିଣିଲେ | ଆଦିକନ୍ଦ ଅନିଷର  ପସନ୍ଦ ଅନୁଯାୟୀ ଡ୍ରେସ କିଣିଲେ |ସମସ୍ତେ ଖୁସି ଥିଲେ |ସପିଂ ମଲରେ ଥିବାବେଳେ ସେମାନଙ୍କ ଖୁସିକୁ  ଶତଗୁଣିତ କରି ଦିବ୍ୟାଶା ପାଖରୁ ଫୋନ ଆସିଲା |ଅଫୁରନ୍ତ ଆନନ୍ଦରେ  ତାର ହାଇଦ୍ରାବାଦ ଟ୍ରାନ୍ସ୍ଫର ହୋଇ ଯାଇଛି ବୋଲି ସେ କହୁଥିଲା |ଏହି ଖବର ସେମାନଙ୍କ ପାଇଁ କୌଣସି ଦୈବୀ ଆଶୀର୍ବାଦ ଠାରୁ କମ ନଥିଲା |ଖୁସିରେ ଅନସୂୟାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରିଗଲା   |ସେ ତାଙ୍କର ଦୁଇ ହାତ ଉପରକୁ ଟେକି,ଇଶ୍ୱରଙ୍କୁ ବାରମ୍ବାର କୃତଜ୍ଞତା ଜଣାଇଲେ  |

        ଆବଶ୍ୟକୀୟ ଦରକାରୀ ସାମଗ୍ରୀ କିଣିବା ପରେ, ଜାଇ ଅନୁକୂଳ ପାଇଁ ସମସ୍ତେ ଗାଆଁକୁ ଗଲେ  |ବିଧି ବିଧାନ ସହିତ ଧୁମଧାମରେ ଜାଇ ଅନୁକୂଳ ହେବାପରେ ଉଭୟ ଆଦିକନ୍ଦ ଓ ଅନସୂୟା ପୁରୀ ଯାଇ,ସେମାନଙ୍କ ପ୍ରଥମ ବିବାହ ନିମନ୍ତ୍ରଣ ପତ୍ର  ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦେଇ ଆସିଲେ |ଏହା ଭିତରେ ଅନିଷ ବାରମ୍ବାର ଫୋନ କରି ଆୟୋଜନ କେତେଦୂର ଆଗେଇଲା,ସେ ବିଷୟରେ ଖବର ନେଉଥାଏ |

        କିନ୍ତୁ ଯେଉଁ କଥାକୁ ଅନସୂୟାଙ୍କ ଭୟ ଥିଲା,ସେଇଆ ହେଲା |ବାହାଘର ଆଠଦିନ ବାକି ଥିବାବେଳେ ବଡ଼ବୋଉଙ୍କର ଅକସ୍ମାତ ହୃଦଘାତରେ ପରଲୋକ ହୋଇଗଲା |ଏହି ଦାରୁଣ ଦୁଃସମ୍ବାଦ ପାଇ ଆଦିକନ୍ଦ ଓ ଅନସୂୟା ଦୁଃଖରେ ଭାଙ୍ଗି ପଡ଼ିଲେ |ବଡ଼ବୋଉଙ୍କ ପରଲୋକରେ ଅନସୂୟା ଯେତେ ଦୁଃଖୀ ନଥିଲେ,ନିଜର ଏକମାତ୍ର ପୁଅର  ବାହାଘରରେ ଅଂଶ ଗ୍ରହଣ କରି ପାରିବେନାହିଁ  ବୋଲି ତାଠାରୁ ଅଧିକ ଦୁଃଖୀ ଥିଲେ |ସେ କାନ୍ଦି କାନ୍ଦି ଆକାଶ ଧରିତ୍ରୀ ଏକ କରି ଦେଉଥିଲେ |ଆଦିକନ୍ଦ ତାଙ୍କୁ ବହୁତ ବୁଝାଇଲେ ଓ  କହିଲେ,ଆମ ଇଛାରେ କିଛି ନାହିଁ,ସବୁ ଈଶ୍ୱରଙ୍କ ଇଛା |ତାଙ୍କ ଇଛା ଆଗରେ ଆମେ ବା କଣ କରି ପାରିବା  ?

         ଅନେକ ଆଲୋଚନା ଓ ପଣ୍ଡିତଙ୍କ ପରାମର୍ଶ କ୍ରମେ,ବାହାଘର ଅଟକିବ ନାହିଁ,ମାମୁଁଘର ବାହାଘର କରିବେ ଓ ଅନିଷ  ଆସିଲେ,କାହାକୁ ଛୁଆଁ ଛୁଇଁ ନକରି,ସିଧା ମାମୁଁଘରକୁ ଯିବ ବୋଲି ନିଷ୍ପତ୍ତି ନିଆଗଲା | (କ୍ରମଶଃ)

         

No comments:

Post a Comment