ବଡ଼ବୋଉଙ୍କ ଦେହାନ୍ତ ଖବର ପାଇଁ ଅନିଷ ଦୁଃଖରେ ଭାଙ୍ଗି ପଡିଲା |ପରଦିନ ସେ ଫ୍ଲାଇଟ ଯୋଗେ ଆସି ଘରେ ପହଞ୍ଚିଗଲା |ନିଜ ସ୍ଵଭାଵ ବଶତଃ ତାକୁ କୋଳେଇ ନେବା ପାଇଁ ଖୁସିରେ ଅନସୂୟା ଧାଇଁ ଯାଉ ଯାଉ ଅଟକି ଗଲେ |ଆଦିକନ୍ଦ କହିଲେ,ତୁ ଆମକୁ ଛୁଆଁଛୁଇଁ ନକରି ଏବେ ମାମୁଁଙ୍କ ଘରକୁ ଚାଲିଯା |ଆମେ ନିଷ୍ପତ୍ତି ନେଇ ସାରିଛୁ,ବାହାଘର ବନ୍ଦ ହେବନାହିଁ,ମାମୁଁଘର ବାହାଘର କରିବେ |
ଅନିଷ ତାଙ୍କ କଥା ନମାନି ତାର ବ୍ୟାଗ ତଳେ ରଖି ଆଦିକନ୍ଦଙ୍କୁ କୁଣ୍ଢେଇ ପକାଇ କହିଲା,ନାଁ,ମୋ ବାବା ମମି କେବେହେଲେ ଅଛୁଆଁ ହେବେନି |ଯେଉଁ ବାବା ମମି,ମୋ ଖୁସି ପାଇଁ ତାଙ୍କର ସବୁ ଖୁସିକୁ ଜଳାଞ୍ଜଳି ଦେଇଛନ୍ତି,ସେମାନଙ୍କ ଅନୁପସ୍ଥିତିରେ ମୁଁ କେମିତି ବାହା ହୋଇ ପାରିବି ?ନାଁ,କଦାପି ନୁହେଁ |ଅନିଷ ପିଲାଙ୍କ ଭଳି କାନ୍ଦୁଥିଲା |ତା କଥା ଶୁଣି ଅନସୂୟା ମଧ୍ୟ ଅନିଷ କୁ କୁଣ୍ଢେଇ ପକାଇ କାନ୍ଦିବାକୁ ଲାଗିଲେ |
ଆଦିକନ୍ଦ ନିଜକୁ ସମ୍ଭାଳି ନେଇ କହିଲେ,ସେମିତି କଣ ବାହାଘର ହେଉନି ?ବାପା ମରିଗଲେ ବି ବାହାଘର ଅଟକୁ ନାହିଁ |ସବୁ ଆୟୋଜନ ସରିଛି,ତୁ ଅବୁଝା ହୁଅନା |ଅନିଷ ତା ଆଖିରୁ ଲୁହ ପୋଛି କହିଲା, ବାବା,ବାହାଘରରେ ପିନ୍ଧିବା ପାଇଁ,ଜେଜୀମା କେତେ ଖୁସିରେ ନିଜେ ଶାଢ଼ୀ ବାଛିଥିଲେ,ସେକଥା ମୁଁ କେମିତି ଭୁଲି ପାରିବି ?ବାରମ୍ବାର ସେ ଦିନର ଦୃଶ୍ୟ ମୋ ଆଖି ଆଗରେ ନାଚି ଯାଉଛି |ମୁଁ ବି ନିଷ୍ପତ୍ତି ନେଇ ସାରିଛି | ତାଙ୍କ ପାଇଁ ମୁଁ ଶୋକ ପାଳିବି |ଏ ବାହାଘର ଯେମିତି ହେଲେ ବି ଘୁଂଚେଇବାକୁ ପଡିବ |ମୋ ଜୀବନର ଏତେବଡ଼ ଖୁସିକୁ ମୁଁ ଦୁଃଖରେ ସେଲିବ୍ରେଟ କରିବାକୁ ଚାହୁଁନି |
ଆଦିକନ୍ଦ କହିଲେ,ବାହାଘର ପାଇଁ ହୋଟେଲ ବୁକ ହୋଇଛି,ବରଯାତ୍ରୀଙ୍କ ପାଇଁ ଟ୍ରେନ ଟିକେଟ ବି ରିଜର୍ଭେସନ ସରିଛି |ଝିଅଘର ବି ସେମିତି କେତେ କଣ ଆରେଞ୍ଜମେଣ୍ଟ କରିଥିବେ |ଉଭୟ ପକ୍ଷରୁ କେତେ ଟଙ୍କା ଲସ ହେବ ଜାଣିଛୁ ?ଅନିଷ କହିଲା,ମୋ ବାବା ମମିଙ୍କ ଖୁସି ଆଗରେ ଏ କ୍ଷତି ଅତି ନଗଣ୍ୟ ବାବା |ଯାହା ବି ହୋଇଯାଉ, ବାହାଘରରେ ମୋ ବାବା ମମିଙ୍କୁ ପାର୍ଟୀସିପେଟ କରିବାକୁ ହିଁ ପଡ଼ିବ |ତୁମମାନଙ୍କ ଖୁସିକୁ ମୁଁ ହରାଇବାକୁ ଚାହେଁନା |
ଏହି ସମୟରେ ଭାରତୀଙ୍କ ଫୋନ ଆସିଲା |ସବୁ ଶୁଣି ସେ ଆଦିକନ୍ଦଙ୍କୁ କହିଲେ,ଭାଇନା,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ |ଏହି ଦୁଃଖ ଠାରୁ ଅଧିକ ଦୁଃଖ ମୁଁ ଅଙ୍ଗେ ନିଭେଇଛି |ଆପଣମାନଙ୍କ ଅନୁପସ୍ଥିତିରେ ବାହାଘର କରିବାକୁ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରିବିନି |ଆର୍ଥିକ କ୍ଷତି ଅପେକ୍ଷା ସମସ୍ତଙ୍କ ମିଳିତ ଖୁସି ସର୍ବଶ୍ରେଷ୍ଠ | ଶୁଦ୍ଧି କାମ ସରିଯାଉ,ମାସେ ପରେ ଆଉ ଗୋଟିଏ ଶୁଭଦିନ ଦେଖି ନିରାଡ଼ମ୍ବର ଭାବରେ ଆମେ ବାହାଘର କରିବା;ବୋଧହୁଏ ଏହାହିଁ ଈଶ୍ୱରଙ୍କ ଇଛା |ତାଙ୍କଠାରୁ ଏକଥା ଶୁଣି ଖୁସିରେ ଆଦିକନ୍ଦଙ୍କ ଆଖି ଛଳ ଛଳ ହୋଇଗଲା |ସେ କହିଲେ,ଆପଣ ମୋର ବୋଝ ହାଲୁକା କରିଦେଲେ,ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ |(କ୍ରମଶଃ )
No comments:
Post a Comment