Tuesday, April 13, 2021

ଅନନ୍ୟା (ଭାଗ 50)

         ଚା' ପିଉ ପିଉ ଅନେକ ଆଲୋଚନା ହେଲା |ବଡ଼ବୋଉ ବି ସେହି ଆଲୋଚନାରେ ଭାଗ ନେଲେ |ଘଣ୍ଟାଏ ପରେ ସେମାନେ ଯେତେବେଳେ ଯିବାକୁ ବାହାରିଲେ,ଅନସୂୟା କହିଲେ,'ଆନି' ଥାଉ....କହୁ କହୁ ନିଜ ଭ୍ରମ ସଂଶୋଧନ କରି କହିଲେ,'ଦେବୁ' ଥାଉ,ଆମେ ଛାଡ଼ିଦେଇ ଆସିବୁ |ଭାରତୀ ହସି ହସି କହିଲେ,ଆପଣ ସେହି 'ଆନି' ନାମରେ ଡାକନ୍ତୁ |ସେ ସିନା ଆମର 'ଦେବୁ' ଆପଣଙ୍କର ତ 'ଆନି' | ତାଙ୍କ କଥା ଶୁଣି ସମସ୍ତେ ହସିଲେ,ଅନସୂୟା ମଧ୍ୟ ହସିଦେଲେ |କହିଲେ, ଡିନର ପାଇଁ ଅର୍ଡର କରି ନଥିବେ,ଆମେ ପଠେଇବୁ |

       ଭାରତୀ କହିଲେ,କାହିଁକି ଏତେ କଷ୍ଟ କରିବେ ?ହଉ ଠିକ ଅଛି,ଆପଣ କହିଲେଣି ଯେତେବେଳେ,କିନ୍ତୁ ବେଶୀ ପଠେଇବେ ନାହିଁ,ଦିନର ଖାଇବା ଏପର୍ଯ୍ୟନ୍ତ ହଜମ ହୋଇନାହିଁ |ଅନସୂୟା କହିଲେ,ହଁ,ହଁ ,ଜାଣିଛି  |

      ଭାରତୀ  ଯିବାକୁ ବାହାରିଲେ |କହିଲେ,ଆମେ ଯାଉଛୁ,ଦେବୁକୁ ଶୀଘ୍ର ପଠେଇଦେବେ |

        ସେମାନେ ଯିବା ପରେ ପରେ ଅନିଷ ଦିବ୍ୟାଶାକୁ ଆସିବାକୁ କହି,ତାର ବାଇକ ବାହାର କଲା |ଅନସୂୟା ପଚାରିଲେ,ପୁଣି କୁଆଡ଼େ ବାହାରିଲୁ ?ଅନିଷ ବାଇକ ରଖିଦେଇ ତାଙ୍କ ପାଖକୁ ଆସି ଧୀର ସ୍ୱରରେ କହିଲା,ଆଜି ତମେ ମତେ ରୋକି ପାରିବ ନାହିଁ |ମୋ ମନ ଆଜି ବହୁତ ଖୁସି,ମୁଁ ଯୁଆଡେ ଇଛା,ସିଆଡେ ବୁଲିବି |ଟିକିଏ ରହି ପୁଣି କହିଲା,ଡୋଣ୍ଟ ୟୋରି,ଠିକ ଟାଇମରେ ଚାଲି ଆସିବି |ଆଉ ଗୋଟିଏ କଥା, ତମେ ରାତିରେ ରୋଷେଇ କରିବନି,ମୁଁ ଅର୍ଡର କରି ଦେଇଛି,ଆସିଲେ,ସାଙ୍ଗ ହୋଇ ଖାଇବା |ହେଲା ?

             ଅନସୂୟା କହିଲେ,ହଉ,ଟିକେ ରହ |ଅନିଷ ପଚାରିଲା,ପୁଣି କଣ ହେଲା ?ସେତେବେଳକୁ ଅନସୂୟା ଭିତରକୁ ଯାଇ,ଆଲମିରାରେ ସାଇତି ରଖିଥିବା ମୁଦି ଆଣି ଦିବ୍ୟାଶା ହାତକୁ ବଢ଼ାଇ ଦେଇ କହିଲେ,ନେ ତୋର ଅମାନତ |ଏବେ ନେବାରେ କିଛି ଆପତ୍ତି ନାହିଁ ତ ?ଦିବ୍ୟାଶା ଲାଜୁଆ ହସ ହସି ତାର ଆଙ୍ଗୁଠି ଅନସୂୟାଙ୍କ ଆଡକୁ ବଢ଼େଇ ଦେଇ କହିଲା,ଆପଣ ପିନ୍ଧେଇ ଦିଅନ୍ତୁ |

      ଅନିଷ ପ୍ରତିବାଦ କରି କହିଲା,ଇଏତ ମୁଁ ଦେଇଥିବା ମୁଦି,ମମି କାହିଁକି ପିନ୍ଧେଇବେ ଯେ ?ଦିବ୍ୟାଶା କହିଲା,ମୁଁ ଆଣ୍ଟିଙ୍କୁ ରଖିବାକୁ ଦେଇଥିଲି,ଆଣ୍ଟି  ମତେ ଫେରେଇଲେ |ତେଣୁ ସେ ମତେ ପିନ୍ଧେଇଦେବା କଥା ନାଁ ?ଅନସୂୟା ଅନିଷକୁ କହିଲେ,ଦେଖିଲୁ,ମୋ ଝିଅ କେମିତି କହୁଛି ?ଅନିଷ କହିଲା,ହଉ ଠିକ ଅଛି ମୋ ମା |ମୁଁ ତାକୁ ମୋ ପାଇଁ ବାଛି ଆଣିଲି,ଦେଖିଲା ବେଳକୁ  ସେ ଗୋଟାପଣେ ତମର ହୋଇ ଗଲାଣି !ତା କଥା ଶୁଣି ଅନସୂୟା ହସି କରି କହିଲେ,ପୁଣି ଚଗଲାମି ବାହାରିଲା ? 

       ଯିବା ପୂର୍ବରୁ ଦିବ୍ୟାଶା ବଡ଼ବୋଉ ଓ ଅନସୂୟାଙ୍କୁ ପ୍ରଣାମ କଲା |  ତାଙ୍କ ଯିବା ବାଟକୁ ଚାହିଁ ଅନସୂୟା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ମନେ ମନେ କହିଲେ,ହେ,ମା ମଙ୍ଗଳା ,ମୋ ପିଲା ଦୁଇଟିଙ୍କୁ ରକ୍ଷା କର |

        ବଡ଼ବୋଉଙ୍କୁ କଣ ଉତ୍ତର ଦେବେ,ଏହା ଭାବି ସେ ଭିତରକୁ ଗଲେ |ସେ କିଛି କହିବା ପୂର୍ବରୁ ବଡ଼ବୋଉ କହିଲେ, ଆଜି ଦିନଟା ଗଲେ,କିଏ କୁଆଡେ ଚାଲିଯିବେ,ପୁଣି ମାସକ ପରେ ଦେଖା ,ନିର୍ବନ୍ଧ ତ ସରି ଯାଇଛି,ଯାଆନ୍ତୁ ଘେରାଏ ବୁଲି ଆସିବେ,ତୁ କାହିଁକି ବ୍ୟସ୍ତ ହଉଛୁ ?

          ନଅଟା ବେଳକୁ ହୋମ ଡେଲିଭରି ଖାଦ୍ୟ ପହଞ୍ଚିଗଲା |ତାକୁ ଦେଖି ଆଦିକନ୍ଦ କହିଲେ,ଅନିଷ କୁଆଡେ ଗଲା ?ଏତେ ରାତି ହେଲାଣି,ଗାଡି ମଟର ଚାଲିଛି,ସେ ପୁଣି ଯେତେ ଜୋରରେ ଗାଡି ଚଲାଏ,ମାଆ ପୁଅ ତ ଭଲ ଯୋଡ଼ି କରିଛ ,କାହା କଥା କଣ ମାନିବ ?ଅନସୂୟା କିଛି ଉତ୍ତର ନଦେଇ ମନେ ମନେ ଠାକୁରଙ୍କୁ ଡାକୁଥିଲେ,ପୁଅ ମୋର ଭଲରେ ଘରେ ପହଞ୍ଚି ଯାଉ |

         ଦଶଟା ବାଜିବାକୁ ଯାଉଥିଲା,ଅନିଷ ଆସି ପହଞ୍ଚିଲା |ସେତେବେଳେ ଯାଇଁ ଅନସୂୟା ଶାନ୍ତିର ନିଃଶ୍ୱାସ ନେଲେ |ପଚାରିଲେ,ଆନି କାହିଁ ?ଅନିଷ କହିଲା,ତାକୁ ଛାଡ଼ିଦେଇ ଆସିଲି,ତାକୁ ଏଠିକି ଆଣିଲେ,ପୁଣି ଛାଡ଼ିଥାନ୍ତି କେତେବେଳେ ?ସେମାନେ ତାକୁ ଶୀଘ୍ର ଛାଡିବାକୁ କହିଥିଲେ ପରା ! ତମେ ଖାଇବା ବାଢ,ମୁଁ ଚଟାପଟ ଡ୍ରେସ ଚେଞ୍ଜ କରି ଆସୁଛି |ସେ ଭିତରକୁ ଯିବାବେଳେ ବଡ଼ବୋଉଙ୍କୁ ଚକଲେଟ ଆଇସକ୍ରିମ ଦେଇ କହିଲା,ଏଇଟା ତମ ପାଇଁ ଜେଜୀମା ,ଡିନର ଖାଇ ସରିଲା ପରେ ଖାଇବ |ହେଲା ??ବଡ଼ବୋଉ ଖୁସି ହୋଇ,ତା ମୁଣ୍ଡରେ  ହାତ ଆଉଁସି କହିଲେ,ବୁଢ଼ା ଟିଏ ହୋଇଥାଆ ବାପା,ଭଗବାନ ତତେ ସକଳ ସୁଖ ଐଶ୍ଵର୍ଯ୍ୟ ଦିଅନ୍ତୁ !!!(କ୍ରମଶଃ)

       

No comments:

Post a Comment