Saturday, April 3, 2021

ଅନନ୍ୟା (ଭାଗ 42)

        ସବୁଦିନ ପରି ସେଦିନ ଆଦିକନ୍ଦ ସକାଳୁ ଉଠି  ନିତ୍ୟକର୍ମ ଶେଷ କରିବା ପୂର୍ବରୁ ତାଙ୍କ ବଗିଚା ଭିତରେ ବୁଲୁ ବୁଲୁ କିଛି ସମୟ ପାଇଁ ଆସି ଗେଟ ପାଖରେ ଛିଡା ହୋଇଥିଲେ |ଏହି ସମୟରେ କେହି ଜଣେ ଆସି ତାଙ୍କ ଉପରକୁ କିଛି ଫିଙ୍ଗିଦେଲା |ସେ ଘଟଣା କଣ ବୁଝିବା ପୂର୍ବରୁ ତାଙ୍କ ଗେଟ ଖୋଲି ଚାରିଜଣ ବ୍ୟକ୍ତି ଖପାଖପ ତାଙ୍କୁ ମାଡି ବସିଲେ | ଏହି ସମୟରେ କେହିଜଣେ ତଳେ ପଡିଥିବା ପୁଡ଼ିଆଟିକୁ ଉଠାଇ ତାକୁ ଖୋଲି ,'ଲାଞ୍ଚ ଟଙ୍କା ମିଳିଲା' ବୋଲି ଚିତ୍କାର କଲା |ସେତେବେଳେ ଯାଇଁ ସେମାନେ ଭିଜିଲାନ୍ସ ରୁ ଆସିଛନ୍ତି ଓ ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଯାଞ୍ଚ କରାଯାଉଛି  ବୋଲି ଆଦିକନ୍ଦ ଜାଣିଲେ  |

      ଏହି ରୋମାଞ୍ଚକାରୀ ତଥା ଚମକପ୍ରଦ ଦୃଶ୍ୟ ଦେଖିବା ପାଇଁ ସାଇପଡିଶା ଓ ସେହି ବାଟ ଦେଇ ଯାଉଥିବା ଲୋକମାନେ ସେଠାରେ ଭିଡ଼ ଜମାଇଲେ |ପାଟି ଶୁଣି ଭିତରୁ ଅନସୂୟା ଆସି ଏ ପ୍ରକାର ଅଭାବନୀୟ କାଣ୍ଡ ଦେଖି ହତମ୍ବବ ହୋଇ ଛିଡା ହୋଇ ରହିଲେ |ଆଦିକନ୍ଦଙ୍କୁ ଯାଞ୍ଚ କରିବା ପରେ ସେମାନେ ଘର ଭିତରକୁ ଆସି ପ୍ରତି କୋଣ ଅନୁକୋଣ ଖାନତଲାସ କଲେ |ଆଲମିରା ଖୋଲି ସେଥିରେ ଥିବା ଯତକିଞ୍ଚିତ ସୁନାଗହଣା ଓ ଚାରିଶହ ବୟାଳିଶ ଟଙ୍କା ଜବତ କଲେ |ସୋଫା,ବେଡ ଆଦି କାଟି ପକାଇ ତାକୁ  ଖୋଜି କିଛି ନପାଇ ନିରାଶ ହେଲେ  |ଏହି କାଣ୍ଡ କାରଖାନା ଦୀର୍ଘ ୮ଘଣ୍ଟା କାଳ ଚାଲିବା ପରେ ସମାପ୍ତ ହେଲା |ସେପର୍ଯ୍ୟନ୍ତ ଉଭୟ ଆଦିକନ୍ଦ ଓ ଅନସୂୟା ଖାଇବା ଦୂରର କଥା,ପାଟିରେ ପାଣି ଟୋପାଏ ବି ଦେଇ ନଥିଲେ |ଦେଖଣାହାରୀ କୁହାକୁହି ହେଉଥିଲେ,'ଭଲ ଲୋକ ପରି ଜଣା ପଡୁଥିଲେ,ତାଙ୍କ ଭିତରେ ଏତେ ଗୁମର ଅଛି ବୋଲି କିଏ ଜାଣିଥିଲା ?ଶେଷରେ  ଲାଞ୍ଚ ନେଉଥିବା ଅଭିଯୋଗରେ ଆଦିକନ୍ଦଙ୍କୁ ଗିରଫ କରାଗଲା |

      ଆଦିକନ୍ଦଙ୍କ ସାମ୍ନା ଘରୁ ଅତୀତରେ ବଡ଼ ଧରଣର ଚୋରି ହୋଇଥିବାରୁ ସେ ଘର ଭିତରେ ଓ ବାହାରେ ସି.ସି.ଟି.ଭି.କ୍ୟାମେରା ଲଗାଇ ଥିଲେ |ମିତା ମାଡାମ ନିଖିଲ ବାବୁଙ୍କୁ କହିଲେ,ପରେଶ ବାବୁଙ୍କ ସି.ସି.ଟି.ଭି.ରୁ ତ ଡିଟେଲସ ସବୁ ଜଣା ପଡ଼ିଯିବ,ଚାଲ ପୁରା ଘଟଣା ଦେଖିବା |କଥାଟା ନିଖିଲଙ୍କ ମନକୁ ପାଇଲା |ଉଭୟେ ତାଙ୍କ ଘରକୁ ଗଲେ |ସେଠାରେ ତାଙ୍କ ଆଗରୁ ଆଉ କେତେଜଣ ଆସି ସି.ସି.ଟି.ଭି.ଫୁଟେଜ ଦେଖୁଥିଲେ |କିନ୍ତୁ ସେମାନେ ଯାହା ଭାବିଥିଲେ,ଘଟଣା ସମ୍ପୂର୍ଣ୍ଣ ବିପରୀତ ଥିଲା |ଜଣେ ଆସି ଆଦିକନ୍ଦଙ୍କ ଉପରକୁ କାଗଜ ପୁଡ଼ିଆ ଫିଙ୍ଗିବା ଓ ଆଦିକନ୍ଦ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଥିବା ବେଳେ କେତେଜଣ ଗେଟ ଖୋଲି ତାଙ୍କୁ ଅଚାନକ ମାଡି ବସିବା ସେଥିରେ ପରିଷ୍କାର ଭାବେ ରେକଡ଼ିଂ ହୋଇଥିଲା ଯେଉଁଥିରୁ ଆଦିକନ୍ଦଙ୍କୁ ଫସାଇବା ପାଇଁ ହୋଇଥିବା ଷଡଯନ୍ତ୍ର ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା |

      ସି.ସି.ଟି.ଭି.ରୁ ଖବର ନେବା ପାଇଁ ଆସିଥିବା ଜଣେ ଟିଭି ଚ୍ୟାନେଲ ରିପୋର୍ଟର ଏହାକୁ ନେଇ ବ୍ରେକିଙ୍ଗ ନିଉଜରେ ଛାଡିଦେଲେ  |ନିରୀହ ଲୋକମାନଙ୍କୁ ମିଛ କେଶରେ ଫସେଇ ଭିଜିଲାନ୍ସ ବିଭାଗ କିପରି ବାହାବା ନେଉଛି,ଏହି ଖବର ବାରମ୍ବାର ପ୍ରସାରଣ ହେଉଥିଲା |ଫଳ ସ୍ୱରୂପ ସକାଳର ହିରୋମାନେ ସନ୍ଧ୍ୟା ବେଳକୁ ଭିଲିଆନ ପାଲଟି ଗଲେ |ଗଣମାଧ୍ୟମର ପ୍ରଭାବ ଯୋଗୁଁ  ସେହିଦିନ ଆଦିକନ୍ଦଙ୍କୁ ପୋଲିସ ଛାଡିଦେଲା |

  ସ୍ୱାମୀ ଘରକୁ ନ ଫେରିବା ଯାଏଁ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ ବୋଲି ଅନସୂୟା ପ୍ରତିଜ୍ଞା କରି ଠାକୁର ଘରେ ଅଧିଆ ପଡ଼ିଥିଲେ |ଆଦିକନ୍ଦ ଘରକୁ ଫେରିବା ପରେ ତାଙ୍କୁ ଦେଖି ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖ ଲୁହ ଆକାରରେ ତାଙ୍କ ଆଖିରୁ ଅନର୍ଗଳ ଝରିବାକୁ ଲାଗିଲା |ତାଙ୍କ ସହିତ ତାଳ ଦେଇ ଆଦିକନ୍ଦ ମଧ୍ୟ କାନ୍ଦୁଥିଲେ |

  କେତେ ସମୟ ପରେ ଆଦିକନ୍ଦ କହିଲେ,ସକାଳୁ ଚା' ପିଇନି,ମତେ ଟିକେ ଚା' ଦେବ ?ଅନସୂୟା ପ୍ରକୃତିସ୍ଥ ହୋଇ ଆଦିକନ୍ଦଙ୍କୁ ଚାହିଁଲେ ଓ ମୁରୁକି ହସି ଚା' କରିବା ପାଇଁ ରୋଷେଇ ଘରକୁ ଦୌଡ଼ିଗଲେ |(କ୍ରମଶଃ)

No comments:

Post a Comment