Monday, April 12, 2021

ଅନନ୍ୟା (ଭାଗ 49)

           ନିର୍ବନ୍ଧ ପାଇଁ ଭାରତୀଙ୍କ ତରଫରୁ ଦଶଜଣ ଆସିଥିଲେ |ସେମାନଙ୍କୁ ହୋଟେଲରେ ରଖାଇବାର ସୁବନ୍ଦୋବସ୍ତ କରାଯାଇ ଥିଲା |ଭୁବନେଶ୍ୱରରେ  ମଧ୍ୟ ତାଙ୍କର ଆଉ କେତେ ବନ୍ଧୁବାନ୍ଧବ ଥିଲେ |ସମସ୍ତେ ମିଶି କୋଡ଼ିଏ ପାଖାପାଖି ଥିଲେ |ଏପଟେ ଆଦିକନ୍ଦଙ୍କ ତରଫରୁ ଅତିଥି ଓ ବନ୍ଧୁବାନ୍ଧବଙ୍କ ସଂଖ୍ୟା ଦୁଇଶହରୁ ଉର୍ଦ୍ଧ୍ୱ ଥିଲା |ସେମାନଙ୍କ ସେବାରେ ଯେପରି କିଛି ତ୍ରୁଟି ବିଚ୍ୟୁତି  ରହିନ ଯାଏ,ସେଥିପାଇଁ ଆଦିକନ୍ଦ ନିଜେ ସେସବୁ କଥା ବୁଝୁଥିଲେ | ରିଙ୍ଗ ସେରିମନିରେ ଅନିଷ ଓ ଦିବ୍ୟାଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ |ସେମାନଙ୍କ ତାରିଫ ଶୁଣି ଶୁଣି ଆଦିକନ୍ଦ ଓ ଅନସୂୟା ଖୁସିରେ  ଫାଟି ପଡୁଥିଲେ |କେହି କେହି କହୁଥିଲେ,ଆଜିକାଲି ଯୁଗରେ ଝିଅ ନ ମିଳିବା ବେଳକୁ ଏଡ଼େ ସୁନ୍ଦର,ଗୁଣର ଝିଅ କେଉଁଠୁ ଖୋଜି ଆଣିଲେ ?  

         ଖାଇବା ବେଳେ ମଧ୍ୟ ସେଇ ଏକା କଥା |ଚମତ୍କାର ଖାନା ସାଙ୍ଗକୁ ଆଦିକନ୍ଦ ଓ ଅନସୂୟାଙ୍କ ନମ୍ର ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରିଥିଲା |ଖାଇ ସାରିବା ପରେ ହୋଟେଲରେ କିଛି ସମୟ ବିଶ୍ରାମ ନେଇ,ତାଙ୍କ ଘରକୁ ଆସିବା ପାଇଁ,ଭାରତୀଙ୍କୁ ଅନସୂୟା ଅନୁରୋଧ କରିଥିଲେ |ଭାରତୀ ଏଥିରେ ରାଜି ହୋଇଥିଲେ |

         ସେମାନେ ଘରକୁ ଫେରିବା ପରେ ଅନିଷ ଅନସୂୟାଙ୍କୁ କହିଲା,ମମି ସେମାନେ ଆମ ଘରକୁ ଆସିଲେ,ଆନିକୁ ରଖିଦେବ |ମୁଁ ତାକୁ ଛାଡ଼ିଦେଇ ଆସିବି |ଆଉ ତାଙ୍କୁ କହିବ,ଡିନର ପାଇଁ,ସେମାନେ କିଛି ଅର୍ଡର କରି ନଥିବେ;ଆମେ ତାଙ୍କ ପାଖକୁ ପଠେଇବୁ |ଅନସୂୟା ତାକୁ ଚାହିଁ ମୁରୁକି ହସି କହିଲେ,ହଉ ଠିକ ଅଛି,କହିଦେବି  |ସେଠାରେ ବଡ ଜେଜିମା (ବଡ଼ବୋଉ)ଅଛନ୍ତି ବୋଲି ଅନିଷ ଦେଖିପାରି ନଥିଲା |ଅନିଷ କଥା ଶୁଣି ସେ ହସି ହସି କହିଲେ,ଆଲୋ ହେ ଅଂଶୁ,ଏ ନାତି ଟୋକା ତ ବଡ଼ ତରକା ଅଛି ?

         ଅନିଷ କହିଲା,ଓହୋଃ ,ତମେ ଏଇଠି ଅଛ କି ?ଚକଲେଟ,ଆଇସକ୍ରିମ,ଗୁପ୍ଚୁପ,ବରା ,ସିଙ୍ଗଡ଼ା ୟା ଭିତରୁ ତମେ କଣ ଖାଇବ କୁହ,ସାଙ୍ଗେ ସାଙ୍ଗେ ଆଣିଦେଵି |ୟା ଛଡ଼ା,ଆଉ  ଯାହା ଖାଇବାକୁ ଇଛା ଅଛି କୁହ,ଖୋଜି ଖୋଜି ଆଣିଦେଵି |

         ବଡ଼ବୋଉ କହିଲେ,ତୁ ମତେ ଏତେ ଲାଞ୍ଚ ଯାଚିଲୁଣି ?ହଉ ଠିକ ଅଛି,ମୋ ପାଇଁ ଚକଲେଟ ଆଇସକ୍ରିମ ଆଣିବୁ |ଅନିଷ ତାଙ୍କୁ କୁଣ୍ଢେଇ ପକାଇ କହିଲା,ଆଲୋ ଜେଜିମା ,ତମେ ତ ଭାରି ସଉକିଆ |ହଉ ମୁଁ ଏଇ ଗଲି ଆଉ ଏଇ ଆସିଲି |ଏତିକି କହି ସେ ବାହାରକୁ ଯିବା ବେଳକୁ ଦେଖିଲା,ଦିବ୍ୟାଶା ,ଭାରତୀ ଓ ତାଙ୍କ ଟିମର ଆଉ ତିନି ଚାରିଜଣ ଗେଟ ଖୋଲି ଭିତରକୁ ଆସୁଛନ୍ତି |ସେ ଫେରିଯାଇ ଅନସୂୟାଙ୍କୁ ଏହି ଖବର ଦେଲା |ଅନସୂୟା ତତକ୍ଷଣାତ ଆସି ସେମାନଙ୍କୁ ସାଦର ଅଭ୍ୟର୍ଥନା ଜଣେଇ ଭିତରକୁ ପାଛୋଟି ନେଇଗଲେ | ସମସ୍ତେ ତାଙ୍କର ପାର୍ଟି ଡ୍ରେସ ବଦଳେଇ,ସାଧାରଣ ଡ୍ରେସ ପିନ୍ଧିଥିଲେ |

         ସେମାନଙ୍କ ପାଇଁ ଚା' ତିଆରି କରିବାକୁ,ଅନସୂୟା ରୋଷେଇ ଘରକୁ ଯାଉ ଯାଉ ଦିବ୍ୟାଶା ତାଙ୍କ ପଛେ ପଛେ ଯାଇ ସେଠାରେ ହାଜର ହୋଇଗଲା |ଅନସୂୟା କହିଲେ,ତୁ କାହିଁକି ଆସିଲୁ ?ଦିବ୍ୟାଶା କହିଲା,ପ୍ଲିଜ ଆଣ୍ଟି,ମତେ ମନା କରନ୍ତୁନି |ଅନସୂୟା ଚା' ତିଆରି କରି ସାରିବା ପରେ,ଦିବ୍ୟାଶା କପରେ ଢାଳିଲା ଓ ସେସବୁ,ଟ୍ରେ ରେ ସାଇଜରେ ରଖି ସମସ୍ତଙ୍କୁ ଦେବାକୁ ଗଲା |ସେ ପ୍ରଥମେ ଯେତେବେଳେ ବଡ଼ବୋଉଙ୍କ ହାତକୁ ଚା' କପ ବଢ଼େଇ ଦେଲା,ସେ ତାକୁ ମୁଗ୍ଧ ହୋଇ ଅପଲକ ନେତ୍ରରେ ଚାହିଁ ରହିଲେ ଓ କହିଲେ,ଏମିତି ରତ୍ନ କୋଟିକରେ ଗୋଟିଏ ଥାଆନ୍ତି ,ତୋର ବଡ଼ ଭାଗ୍ୟ ଲୋ ଅଂଶୁ |ତାଙ୍କ କଥା ଶୁଣି ତୁରନ୍ତ କିଛି କହିବା ପାଇଁ ଅନିଷର ପାଟି ଖଲ ଖଲ ହେଉଥିଲା |କିନ୍ତୁ ଦିବ୍ୟାଶାର ଘର ଲୋକେ ଉପସ୍ଥିତ ଥିବାରୁ ସେ ଚୁପ ରହିଗଲା |(କ୍ରମଶଃ)

         

No comments:

Post a Comment