Monday, April 12, 2021

ଅନନ୍ୟା (ଭାଗ 48)

            ଅଫିସରୁ ଫେରି ଆଦିକନ୍ଦ ଅନସୂୟାଙ୍କୁ ପାଖକୁ ଡାକି କହିଲେ,ମୁଁ ଅଫିସରୁ ଦୁଇଦିନ ଛୁଟି ଆଣିଛି,କାଲି ଆମେ ଗାଆଁକୁ ଯିବା |ଅନିଷର ନିର୍ବନ୍ଧ ଓ ବାହାଘର ବିଷୟରେ ସମସ୍ତଙ୍କ  ସହିତ କଥା ହେବାର ଅଛି |ବଡ଼ବୋଉଙ୍କ ଦେହ ଭଲ ନାହିଁ,ତାଙ୍କୁ ବି ଟିକେ ଦେଖି ଆସିବା |ବଡ଼ବୋଉଙ୍କ ଦେହ ଖରାପ କଥା ଶୁଣି ଅନସୂୟାଙ୍କ ଛାତି ଚାଉଁ କିନା ହୋଇଗଲା |ସେ  ପଚାରିଲେ,ଅଚାନକ ତାଙ୍କର କଣ ହେଲା ?

           ଆଦିକନ୍ଦ କହିଲେ,ତାଙ୍କୁ ଚଉରାନବେ ବର୍ଷ ହେଲାଣି |ମଝିରେ ମଝିରେ ଏମିତି ଦେହ ଖରାପ ହୋଇ ଯାଉଛି,ବାର୍ଦ୍ଧକ୍ୟଜନିତ ରୋଗ,କଣ କରିବା ?ଅନସୂୟାଙ୍କୁ ଚିନ୍ତା ଘାରିଗଲା |ସେ ସେଇଠି ଗାଲରେ ହାତ ଦେଇ ବସିଗଲେ |ଆଦିକନ୍ଦ ପଚାରିଲେ,ତମର ପୁଣି କଣ ହେଲା ?

           ଅନସୂୟା କହିଲେ,ଆଗକୁ ବାହାଘର ଅଛି,ଯଦି କିଛି ଭଲମନ୍ଦ ହୋଇଯାଏ,ତାହେଲେ କଣ କରିବା ?ଆଦିକନ୍ଦ କହିଲେ,ତମର ସବୁଯାକ ଚିନ୍ତା ସେଇ ବାହାଘର ପାଖରେ ଅଟକି ଯାଇଛି,ନୁହେଁ ?କିଛି ହୋଇଗଲେ,ମାମୁଁ ଘର କଣ ପାଇଁ ଅଛନ୍ତି ? ଜମା ବ୍ୟସ୍ତ ହୁଅନା,ଈଶ୍ୱରଙ୍କ ଯାହା ଇଛା,ତାହାହିଁ ହେବ |ଆମ ହାତରେ କିଛି ନାହିଁ |

       ଅନସୂୟା ମୁଣ୍ଡ ହଲାଇ କହିଲେ,ଠିକ କହିଛ,ଆମେ ଯେତେ ଭାବିଲେ କଣ ହେବ,ଈଶ୍ୱରଙ୍କ ଇଛା ଆଗରେ ଆମେ ସମସ୍ତେ ଶକ୍ତିହୀନ |ଆଦିକନ୍ଦ ହସିଦେଇ କହିଲେ,ଏତେକଥା ଜାଣିଛ ଟି ?ହଉ,ଆଗେ ମତେ ଗରମାଗରମ ଚା' କପେ ଦିଅ, .ତାପରେ କାଲି ଗାଆଁକୁ ଯିବାପାଇଁ, ପ୍ରସ୍ତୁତିରେ ଲାଗି ଯାଅ  |ଶନିବାର ରବିବାର ଛୁଟି ଅଛି,ଗାଆଁରେ ଚାରିଦିନ ରହି ଆସିବା |

         ରୋଷେଇଘରେ ଚା' ତିଆରି କରୁ କରୁ ଅନସୂୟା ବଡ଼ବୋଉଙ୍କ କଥା ଭାବୁଥିଲେ |ଶାଶୁ ଶ୍ୱଶୁର ,ବଡ଼ବାପା ସମସ୍ତେ ଆରପାରିକୁ ଗଲେଣି |ଏକା ବଡ଼ବୋଉ ବଞ୍ଚିଛନ୍ତି |ମାମୁଲି ଥଣ୍ଡା କାଶ ବ୍ୟତୀତ ସେ ସବୁବେଳେ ସୁସ୍ଥ ଥାଆନ୍ତି |ଭଗବାନ କରନ୍ତୁ ସେ ସବୁବେଳେ ସୁସ୍ଥ ଥାଆନ୍ତୁ,ତାଙ୍କ ଆଶୀର୍ବାଦରେ ମୋ ପୁଅ ବୋହୂଙ୍କ ଜୀବନ ସୁଖ ଶାନ୍ତିରେ ଭରିଯାଉ |

          ସେମାନେ ଗାଆଁରେ ପହଞ୍ଚି ଦେଖିଲେ,ବଡ଼ବୋଉ ଦାଣ୍ଡପିଣ୍ଡାରେ ଏକ ଚେୟାରରେ ବସିଛନ୍ତି |ମୁହଁ ତାଙ୍କର ଈଷତ ଫୁଲି ଯାଇଥିଲା,ଆଖି ଦୁଇଟିରେ ଲେଞ୍ଜରା ଭର୍ତ୍ତି |ସେ ବହୁତ  ଦୁର୍ବଳ ଜଣା ପଡୁଥିଲେ |ଦୁହେଁ ତାଙ୍କୁ ଦଣ୍ଡବତ କଲେ |ସେମାନଙ୍କୁ ଦେଖି ବଡ଼ବୋଉ ଖୁସି ହୋଇ କହିଲେ,ଖବର ନଦେଇ,ଦୁଇଜଣଯାକ  ଏକାସାଙ୍ଗରେ ଚାଲି ଆସିଲ ?ବହୁତ ଭଲ କଲ | ତରତର ହୋଇ ପଳେଇ ଯିବନି,ଦୁଇ/ଚାରିଦିନ ରହିକରି ଯିବ |ଅନସୂୟା ତାଙ୍କ ରୁମାଲରେ ବୋତଲ ପାଣିରେ ତାଙ୍କ ଆଖିରୁ ଲେଞ୍ଜରା ପୋଛି ଦେଇ,ତାଙ୍କ ପାଦ ପାଖରେ ବସି କହିଲେ,ହଁ,ବଡ଼ବୋଉ,ଏଥରକ କିଛିଦିନ ଗାଆଁରେ ରହିବା ପକ୍କା |

        ପାଟି ଶୁଣି ଭିତରୁ ସାନଯାଆ ବାହାରି ଆସିଲା |ସେମାନଙ୍କୁ ଦେଖି ଖୁସିହୋଇ ମୁଣ୍ଡିଆ ମାରି କହିଲା,ଭିତରକୁ ଆସ |ଅନସୂୟା କହିଲେ,ବଡ଼ବୋଉ ଏକୁଟିଆ ବସିଛନ୍ତି,କାଳେ ପଡ଼ିଯିବେ,ତାଙ୍କୁ ଭିତରକୁ ନେଇଯିବା |ଯାଆ କହିଲା,ନାଇଁ ସେ ପଡିବେନି,ପବନ ଖାଇବେ ବୋଲି କହିଲେ ତ,ସେଇଥିପାଇଁ ଏଇଠି ବସେଇ ଦେଇଛୁ |ଅନସୂୟା କହିଲେ,ଭିତରେ ସାଙ୍ଗ ହୋଇ ସମସ୍ତେ ଗପିବା |ଯାଆ ଆଉ ତାଙ୍କ କଥା ଭାଙ୍ଗି ପାରିଲା ନାହିଁ |ବଡ଼ବୋଉଙ୍କୁ ଧରି ସେମାନେ ଭିତରକୁ ନେଇଗଲେ |

         ନିର୍ବନ୍ଧ ଓ ବାହାଘର ପାଇଁ,ଗାଆଁରେ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ ହେଲା |କଥା ହେଲା,ଗାଆଁରୁ ସମସ୍ତେ ଗାଡ଼ିରେ ଆସିବେ ଓ ନିର୍ବନ୍ଧ ପରେ ସେହି ଗାଡ଼ିରେ ଗାଆଁକୁ ଫେରିଯିବେ |ବୟସାଧିକ୍ୟ ଦୃଷ୍ଟିରୁ ବଡ଼ବୋଉଙ୍କୁ ନେବା ଆଣିବା କରିବା ଠିକ  ହେବନାହିଁ ବୋଲି ସାନଭାଇ କହିଲେ |ଆଦିକନ୍ଦ କିନ୍ତୁ ରାଜି ହେଲେନାହିଁ |କହିଲେ,ବଡ଼ବୋଉ ଯିବେ |ନିର୍ବନ୍ଧ ପରେ ଆମଘରେ କିଛିଦିନ ରହିବେ |ମୁଁ ଗାଆଁକୁ ଆସିଲାବେଳେ ତାଙ୍କୁ ନେଇ ଆସିବି |ସମସ୍ତେ ଏଥିରେ ଏକମତ ହେଲେ |

          ନିର୍ବନ୍ଧର ଦୁଇଦିନ ପୂର୍ବରୁ  ଅନିଷ ଚାଲି ଆସିଲା |ପ୍ରଥମେ ସେ ଅନସୂୟାଙ୍କୁ ଟେକି ଧରି ଥୋଡାଏ ନାଚିଗଲା |କହିଲା,ମମି,ତମପାଇଁ ମୋ ସ୍ୱପ୍ନ ସାକାର ହେବାପାଇଁ ଯାଉଛି,ତମକୁ କେଉଁ ଭାଷାରେ ଧନ୍ୟବାଦ ଦେବି,ଜାଣି ପାରୁନି |ଅନସୂୟା କହିଲେ,ଏବେ ତୋର ସବୁ ଖୁସି ସାଇତି ରଖିଥାଆ,ଯେତେବେଳେ ଆନି ବୋହୂ ହୋଇ ଆମଘରେ  ପାଦଦେବ,ସେତେବେଳେ ଯାହା ଧନ୍ୟବାଦ ଦେବାର କଥା,ମୋ ଉପରେ ଅଜାଡି ପକେଇବୁ |

     ଅନିଷ ମୁହଁ ଶୁଖେଇ କହିଲା,କାହିଁକି ଏମିତି ହେଉଛ ମମି, ସବୁ ତ ଠିକ ହୋଇଗଲା,ଆଉ କଣ ଅସୁବିଧା ବାକି ଅଛି ଯେ ?ଅନସୂୟା କହିଲେ,ତୁ ଜାଣିନୁ,ବେଶି ଖୁସି ହେଲେ,ବେଳେବେଳେ ସେଥିରେ କାହାର ନଜର ଲାଗିଯାଏ |(କ୍ରମଶଃ)

         

        

No comments:

Post a Comment