Thursday, April 22, 2021

ଅନନ୍ୟା (ଭାଗ 54)

              ଆଲୋଚନା ପରେ ଅନସୂୟା ବରଯାତ୍ରୀରେ ଯିବା ପାଇଁ କାହାରି ଆପତ୍ତି ରହିଲା ନାହିଁ |ବରଂ ଅନସୂୟା ଯାଉଥିବାରୁ ତାଙ୍କ ସହିତ ଆଉ ଦୁଇ/ତିନିଜଣ ସମ୍ପର୍କୀୟା ଯିବାପାଇଁ ବାହାରିଲେ |

              ବାହାଘର ପୂର୍ବଦିନ ମଙ୍ଗଳକୃତ୍ୟ ହେଲା ଓ ତାପରେ ବର ଅନୁକୂଳ କରି ବାହାରିଲା |ଅନିଷ ଯାଉଥିବା କାରରେ ମାର୍କଣ୍ଡି,ପୁରୋହିତ ଓ ମାମୁଁଙ୍କ ସହିତ ଆଦିକନ୍ଦ ଯାଉଥିଲେ |ତା ପର ଦୁଇଟି କାରରେ ଅନସୂୟାଙ୍କ ସମେତ ଅନ୍ୟ ମହିଳା ଯାତ୍ରୀ  ଥିଲେ,ସବା ଶେଷରେ ଯାଉଥିବା ବସରେ ପୁରୁଷ ବରଯାତ୍ରୀ ଥିଲେ |ସେମାନେ ସନ୍ଧ୍ୟା ସୁଦ୍ଧା ଭବାନୀପାଟଣାରେ ପହଞ୍ଚିଗଲେ |ସେମାନଙ୍କ ରହିବାପାଇଁ,ହୋଟେଲର ସୁବନ୍ଦୋବସ୍ତ ହୋଇଥିଲା |ସେହି ହୋଟେଲକୁ ହିଁ ବରଧରା ଆସିଲା ଓ ବିଧିବିଧାନରେ ବର ନିମନ୍ତ୍ରଣ କାର୍ଯ୍ୟ ସମାପନ ହେଲା  |ପରଦିନ ସନ୍ଧ୍ୟାରେ ସେହି ହୋଟେଲରୁ ପ୍ରସେସନ ବାହାରିବାର କଥା ଥିଲା |ଏଣୁ ରାତିରେ ଖାଇସାଇବାପରେ ସମସ୍ତେ ଭଲରେ ବିଶ୍ରାମ ନେଇଗଲେ |ସକାଳେ କେହି କେହି ସେଠାରେ ଥିବା ଦର୍ଶନୀୟ ସ୍ଥାନ ବୁଲି ସନ୍ଧ୍ୟା ବେଳକୁ ହୋଟେଲକୁ ଫେରି ଆସିଲେ | 

          ସନ୍ଧ୍ୟା ଆଠଟା ବେଳକୁ ମହାସମାରୋହରେ ବର ବାହାରିଲା ଓ ସେମାନଙ୍କୁ ଦିବ୍ୟାଶାଙ୍କ ପରିବାର ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଗଲେ |ନିଜେ ଭାରତୀ ଆସି ଅନସୂୟାଙ୍କ ହାତ ଧରି ଭିତରକୁ ଡାକିନେଇ ଦିବ୍ୟାଶା ପାଖରେ ବସାଇ ଦେଇ କହିଲେ,ଦେଖିଲେ,ଆପଣଙ୍କ ଆନି ଆଜି ଠିକଠାକ ଲାଗୁଛି ନାଁ ନାହିଁ ?ଅନସୂୟା ଦିବ୍ୟାଶାର ନଜର ଉତ୍ତାରି ତାକୁ କୁଣ୍ଢେଇ ପକାଇ ତା ଗାଲରେ ଛୋଟ ଚୁମାଟିଏ ଦେଇ  କହିଲେ,ସିଏ ମୋ 'କଣ୍ଢେଇ",ମୋ 'ଲକ୍ଷ୍ମୀ',ମୋ 'ଅନନ୍ୟା' |ପ୍ରତ୍ୟୁତ୍ତରରେ ଦିବ୍ୟାଶା ମଧ୍ୟ ତାଙ୍କୁ କୁଣ୍ଢେଇ ପକାଇଲା |

        ଦୁଇ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଭିତରେ ସୁରୁଖୁରୁରେ ବାହାଘର ଚାଲିଥିଲା |ଅନସୂୟାଙ୍କ ସହିତ ଯାଇଥିବା ମହିଳା ସଦସ୍ୟ ମାନେ ବେଦୀ ସାମ୍ନାରେ ପଡିଥିବା ଚେୟାରରେ ବସି ମନଧ୍ୟାନ ଦେଇ ବିବାହ କାର୍ଯ୍ୟ ଦେଖିବା ସହିତ,ନିଜ ନିଜ ଭିତରେ ଆଲୋଚନାରେ ମଜ୍ଜି ଯାଇଥିଲେ |ଏତିକିବେଳେ ଅନସୂୟାଙ୍କୁ ଟୟଲେଟ ମାଡିଲା |ସେ ଟୟଲେଟ କାର୍ଯ୍ୟ ସାରି ଫେରିବା ବେଳକୁ ଅନିଷ ନାମ ନେଇ କିଛି ଆଲୋଚନା ହେଉଥିବାର ଶୁଣି ସେଇଠି ଅଟକି ଯାଇ ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଲାଗିଲେ |ଦିବ୍ୟାଶାର ଭାଇ ଦିପୁକୁ ତାର ସାଙ୍ଗମାନେ କହୁଥିଲେ,ଶଳାବିଧା ଟା ଏମିତି ହେବା  ଦରକାର ଯେମିତି ଜ୍ୱାଇଁ ବାବୁଙ୍କ ନାକ ଭୂଇଁରେ ଲାଗିବ |

       ଅନସୂୟା ସେମାନଙ୍କ ଆଲୋଚନାର ଗୁରୁତ୍ତ୍ଵ ଉପଲବ୍ଧି କରି ପାରିଲେ |ସେ କାହାକୁ କିଛି ନକହି ଚୁପ କରି ଆସି ଅନିଷ ପଛରେ ବସି ପଡିଲେ | ଦିପୁ  ହାତ ଉଞ୍ଚାଇ ଶଳାବିଧା ମାରିବା ବେଳକୁ ,ସେ  ନିଜ ଦୁଇ ହାତ ଦେଖାଇ ଦେଲେ |ସେ ବିଧାର ଶକ୍ତି ଏତେ ଜୋର ଥିଲା ଯେ,ଅନସୂୟାଙ୍କୁ ଲାଗିଲା,ଯେମିତି ତାଙ୍କ ହାତ ଛିଣ୍ଡି ତଳେ ପଡିଯିବ  !ଯନ୍ତ୍ରଣାରେ ତାଙ୍କ ମୁହଁ ବିକୃତ ହୋଇଗଲା |କଣ ହେଲା ବୋଲି ଅନିଷ ପଛକୁ ଚାହିଁଲା |ଦିପୁ  ଲଜ୍ଜିତ ହୋଇ କହିଲା,ସରି ଆଣ୍ଟି,ଆପଣ ଏଇଠି ଜଗି ବସିଛନ୍ତି ବୋଲି ମୁଁ ଜାଣି ନଥିଲି |ଆମେ କଥାବାର୍ତ୍ତା ହେଲାବେଳେ ଆପଣ ବୋଧେ ଶୁଣିଦେଲେ |ଭାରତୀ ତତ୍କ୍ଷଣାତ ସେଠାକୁ ଆସି ପୁଅକୁ ମୃଦୁ ଭତ୍ସନା କରି କହିଲେ,ତତେ ମନା କରିଥିଲି ନାଁ ?ସେ ମୁହଁ ଶୁଖେଇ ଫେରି ଯାଉଥିବାବେଳେ ଅନସୂୟା ତାକୁ ଡାକି କହିଲେ,ଆ ବାପା,ବିଧି ତ ଅଛି,କଣ କରିବା |ଦିବ୍ୟାଶାର ଭାଇ ହସି ହସି ଆସି ଆସ୍ତେ କରି ଛୁଇଁଲା ପରି ବିଧାଟିଏ ମାରି ଚାଲିଗଲା | 

           ଅନେକ ଉତ୍ସାହ,ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ କେତେବେଳେ ହାତ ଗଣ୍ଠି ପଡି ବିଦାୟ ମୁହୂର୍ତ୍ତ ଆସି ପହଞ୍ଚିଗଲା,ଜଣା ପଡିଲା ନାହିଁ |ଭୋରରୁ ଭୋରରୁ ଚାଲି ଆସିବାକୁ ଆଦିକନ୍ଦ ଭାବିଥିଲେ,କିନ୍ତୁ ଯେତେ ଯାହା ଜଲ୍ଦି କଲେ ବି,ଦଶଟା ପୂର୍ବରୁ ବାହାରିବା ସମ୍ଭବପର ହେଲାନାହିଁ |ମହିଳା ଯାତ୍ରୀ, ବରଯାତ୍ରୀ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଯେମିତି  ଆରେଞ୍ଜମେଣ୍ଟରେ ଆସିଥିଲେ,ଟିକିଏ ଏପଟ ସେପଟ ସହ ପ୍ରାୟ ସେମିତି ଆରେଞ୍ଜମେଣ୍ଟରେ ସମସ୍ତେ ଗଲେ | ଗାଆଁରେ ପହଞ୍ଚିବା ପାଇଁ ଆଉ ଅଳ୍ପ ବାଟ ଥିବାବେଳେ ,ବରକନ୍ୟା ବସିଥିବା କାରରେ ମାମୁଁଙ୍କୁ ବସାଇ ଆଦିକନ୍ଦ ଗାଆଁରେ ଆଗୁଆ ପହଞ୍ଚିବା ପାଇଁ ଅନ୍ୟ ଏକ କାରରେ ଗଲେ |

        ଅନିଷର ସ୍ୱପ୍ନ ସାକାର ହୋଇଥିଲା ;ତାର ଖୁସିର ସୀମା ନଥିଲା |ନାନା ଉତ୍ଥାନ ପତନ ଭିତରେ କଲେଜ ଜୀବନରୁ ଆଜି ପର୍ଯ୍ୟନ୍ତ ଘଟିଯାଇଥିବା ଘଟଣା ତା ପାଇଁ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ ନଥିଲା |

        ତା ଭାବନାରେ ବାଧା ଦେଇ,କାରଟି ହଠାତ ଅଟକି ଗଲା |ଆଦିକନ୍ଦଙ୍କ ଜଣେ ସାଙ୍ଗ ଆସି ମାମୁଁଙ୍କ କାନରେ ଫୁସ ଫୁସ କରି କଣ କହିଲେ |ମାମୁଁ ମୁଣ୍ଡରେ ହାତ ଦେଇ ବସି ପଡିଲେ |ତାଙ୍କୁ ନିର୍ନିମେଷ ନୟନରେ ଲକ୍ଷ୍ୟ କରୁଥିବା ଅନିଷ ପଚାରିଲା,କଣ ହୋଇଛି ମାମୁଁ ?ମାମୁଁ ତାକୁ ଫାଂକି ଦେବାକୁ ବସିଥିଲେ କିନ୍ତୁ ଅନିଷ କାରରୁ ଓଲ୍ହାଇ ତାଙ୍କ ହାତ ଧରି ପକାଇ କହିଲା,କଣ ହୋଇଛି ମାମୁଁ ?

        ମାମୁଁ କାନ୍ଦି କାନ୍ଦି କହିଲେ,ତୋ ବାବା ଯାଉଥିବା କାର ଆକ୍ସିଡେଣ୍ଟ ହୋଇଛି,ବାବାଙ୍କ ମୁଣ୍ଡରେ ମାଡ଼ ହୋଇଛି,ତାଙ୍କୁ  ହସ୍ପିଟାଲ ନେଇ ଯାଇଛନ୍ତି,ସେ ଏବେ କୋମାରେ |(କ୍ରମଶଃ)







































































































No comments:

Post a Comment