Monday, April 5, 2021

ଅନନ୍ୟା (44)

    ଭାରତୀଙ୍କ ସହ କଥା ହେବା ପରେ ଅନସୂୟାଙ୍କ ଚିନ୍ତା ବଢ଼ି ଯାଇଥିଲା |ସେ  ଭାବୁଥିଲେ,ଯଦି ଦୁହିଁଙ୍କ ଜାତକ ନ ମିଶେ ତାହେଲେ କଣ ହେବ ??ମୋ ପୁଅର ସ୍ୱପ୍ନ କଣ ଭାଙ୍ଗି ଚୁରମାର ହୋଇଯିବ ?ଆଗକୁ ଆଉ ସେ ଭାବି ପାରୁ ନଥିଲେ |ଅତ୍ୟଧିକ ମାନସିକ ଚାପରେ,ଅଚାନକ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା | କପାଳରେ ଅମୃତାଞ୍ଜନ ଲଗାଇ ସେ କିଛି ସମୟ ଆଖି ବୁଜି ଶୋଇବାକୁ ଚେଷ୍ଟା କଲେ  |କିନ୍ତୁ ତାଙ୍କୁ ଅଣନିଶ୍ୱାସୀ ଲାଗୁଥିଲା ଓ ଏକ ଅଜଣା ଭୟ ତାଙ୍କ ତନୁ ମନକୁ ଗ୍ରାସ କରି ପକାଉ  ଥିଲା |ସେ ଅନିଷ କୁ ଫୋନ କଲେ |ତା ଫୋନ ନୋ ରିପ୍ଲାଏ ଆସିଲା  | ଫୋନ ରଖି ସେ ପୁଣି ଚିନ୍ତା ସାଗରରେ ବୁଡ଼ିଗଲେ |

     ଅଧଘଣ୍ଟା ପରେ ଅନିଷ ଫୋନ କଲା |ପଚାରିଲା,ଅବେଳରେ ଫୋନ କଲ,କଥା କଣ ମମି ?ଅନସୂୟା ତାକୁ ସବୁକଥା କହିଲେ |ଅନିଷ ଡରିଯାଇ କହିଲା ,ଯଦି ଜାତକ ନ ମିଶେ ତାହେଲେ,କଣ ହେବ ମମି ?ଅନସୂୟା କହିଲେ,ତୁ କାହିଁକି ବ୍ୟସ୍ତ ହେଉଛୁ ?ଜାତକ ନିଶ୍ଚିତ ଭାବେ ରାଜଯୋଟକ ପଡ଼ିବ |ତୁ ଆନିକୁ ପଚାରି ତାର  ଜନ୍ମ ତାରିଖ,ଜନ୍ମ ସ୍ଥାନ ଓ ସଠିକ ଜନ୍ମ ସମୟ ଆଜି ଯେମିତି ହେଲେ ମତେ ଦବୁ  |ଅନିଷ କହିଲା, ଚାକିରୀ ପାଇଁ, କ୍ଲିକ ଆଷ୍ଟ୍ରୋରେ ମୁଁ ତାର ଜାତକ ଦେଖିଥିଲି  |ଡିଟେଲସ ମୋ ପାଖରେ ଅଛି,ମୁଁ ଏବେ ତମ ପାଖକୁ ପଠେଇ ଦେଉଛି |ତା କଥା ଶୁଣି ଅନସୂୟାଙ୍କ ପିଣ୍ଡରେ ପ୍ରାଣ ପଶିଲା |ସେ ଶାନ୍ତିର ନିଃଶ୍ୱାସ ମାରି କହିଲେ,ହଉ ମୁଁ ଫୋନ ରଖିଲି ,ତୁ ଶୀଘ୍ର ମୋ ପାଖକୁ ପଠେଇ ଦବୁ  |

      ଦୁଇ ମିନିଟ ପରେ  ମୋବାଇଲରେ ଟୁଙ୍ଗ ଆବାଜ ଶୁଣି ଅନସୂୟା ଫୋନ ଖୋଲି ଦେଖିଲେ |ଅନିଷ ଦିବ୍ୟାଶାର କୁଣ୍ଡଳୀ ସହିତ ଜନ୍ମ ବିବରଣୀ ପଠାଇ ଥିଲା |

        ଅନସୂୟାଙ୍କର ଅନୁପମା ନାମରେ ଏକ ବାନ୍ଧବୀ ଥିଲେ ଯାହାଙ୍କର ଜ୍ୟୋତିଷ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଥିଲା |ତାଙ୍କୁ ଫୋନ କରି ସେ କେତେବେଳେ ଫ୍ରି ଅଛନ୍ତି ବୋଲି ଅନସୂୟା ପଚାରିଲେ |ସେ କହିଲେ,ଏବେ ଘଣ୍ଟାଏ ପାଇଁ ଫ୍ରି ଅଛି,ଆସିବୁ ଯଦି ଏବେ ଆସ,ନହେଲେ କାଲି ସକାଳେ ଆସିବୁ | କିନ୍ତୁ କାଲି ସକାଳ ଯାଏଁ ଅପେକ୍ଷା କରିବାକୁ ଅନସୂୟାଙ୍କ ଧୈର୍ଯ୍ୟ ନଥିଲା |ସେ ଅଟୋ ଡାକି,ସଙ୍ଗେ ସଙ୍ଗେ ଅନୁପମାଙ୍କ ଘରକୁ ଛୁଟିଲେ |

        ଅନସୂୟାଙ୍କୁ ଅପେକ୍ଷା କରି ଅନୁପମା ବସିଥିଲେ |ଦୁଇ ବାନ୍ଧବୀ ଚା' ପିଇ ସାରିବା ପରେ ଅନୁପମା କହିଲେ,ଏଥର କଣ ହୋଇଛି,କହ |ଅନସୂୟା କହିଲେ,ପୁଅ ବାହାଘର ପାଇଁ ଜାତକ ମିଶେଇବାକୁ ଆସିଛି,ତୋ ଶାସ୍ତ୍ର ଅନୁସାରେ ଟିକେ ଭଲକରି ଦେଖିଲୁ |ଦୁହିଁଙ୍କ ଜନ୍ମ ସମୟ,ତାରିଖ ଓ ସ୍ଥାନ ଅନୁଯାୟୀ ଅନୁପମା ପ୍ରଥମେ କମ୍ପୁଟରରେ ଜାତକ ତିଆରି କରି ତାପରେ ମେଳକ କଲେ |କହିଲେ,ରାଶିଗତ ସମସ୍ୟାକୁ ଛାଡି ଆଉସବୁ ଠିକଠାକ ଅଛି |

        ଅନସୂୟା କହିଲେ,ତାହେଲେ କଣ କରିବା ?ଅନୁପମା ହସି ହସି କହିଲେ,ପୁଅ ବାହାଘର,ଏମିତି କେତେ ପ୍ରସ୍ତାବ ଆସିବ,ଯେଉଁଠି  ଭଲ ପଡିବ, ସେଇଠି କରିବୁ;ଏତେ ବ୍ୟସ୍ତ ହେବାର କଣ ଅଛି ?

        ଅନସୂୟା ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ସତକଥା ଜଣେଇ କହିଲେ,ମୋର ୟାକୁ ବୋହୂ କରିବାର ଅଛି,ତୁ ଖାଲି କହ,ମୋ ପୁଅ ଜାତକରେ କଣ ପରିବର୍ତ୍ତନ କଲେ,ରାଜଯୋଟକ ପଡିବ ?ଅନୁପମା  କହିଲେ,ତାମାନେ ତୁ ଘୋଟଲା କରିବାକୁ ଚାହୁଁଛୁ ?ଅନସୂୟା କହିଲେ,ତୁ ଯାହା ଇଛା ତାହା କହିପାରୁ,କିନ୍ତୁ ଫାଇନାଲି କହ,ମତେ ସାହାଯ୍ୟ କରିବୁ କି ନାଁ ???

      ଅନୁପମା ଜାଣିଲେ ସମସ୍ୟା ଅତି ଗମ୍ଭୀର |ସେ ତନ୍ନ ତନ୍ନ କରି ଦୁଇଟି ଜାତକ ଅନୁଧ୍ୟାନ କଲେ ଓ କହିଲେ,ପୁଅର ଜନ୍ମ ସମୟ ଟିକେ ଚେଞ୍ଜ କରିଦେଲେ ପୁରା ରାଜଯୋଟକ ପଡ଼ିବ |ତାଙ୍କ କଥା ଶୁଣି ଅନସୂୟା ତାଙ୍କୁ ଖୁସିରେ କୁଣ୍ଢେଇ ପକାଇ କହିଲେ,ଯାହାହେଉ ତୁ ମୋର ଏତେବଡ଼ ସମସ୍ୟାର ସମାଧାନ କରିଦେଲୁ;ତୋର ଏହି ଉପକାର ମୁଁ ଜୀବନସାରା ଭୁଲିବି ନାହିଁ |

        ଅନୁପମା ଅନିଷର  ଜନ୍ମ ସମୟରେ ଆବଶ୍ୟକୀୟ  ସଂଶୋଧନ କରି କହିଲେ,ବି କେଆରଫୁଲ,ଏଇଟା ଯେମିତି ତୋ ମୋ ଭିତରେ ସୀମିତ ରହିବ |

       ଅନସୂୟା କହିଲେ,ତୁ ନିଶ୍ଚିନ୍ତ ରହ,ମୁଣ୍ଡ ଯିବ ପଛକେ,ତୁଣ୍ଡ ଖୋଲିବନି |(କ୍ରମଶଃ)
 

No comments:

Post a Comment