Monday, April 19, 2021

ଅନନ୍ୟା (ଭାଗ 53)

        ୱାର୍କ ଫ୍ରମ ହୋମ କରି,ଶୁଦ୍ଧିକ୍ରିୟା ଶେଷ ହେବା ପରେ,ଅନିଷ ତାର କର୍ମକ୍ଷେତ୍ରକୁ ଫେରିଗଲା |କିଛିଦିନ ପରେ,ଭାରତୀଙ୍କ ଭାଇ ଭବାନୀ ଆଦିକନ୍ଦଙ୍କ କ୍ୱାର୍ଟରକୁ ଆସିଲେ ଓ ଫାଲ୍ଗୁନ ମାସ ଶେଷ ତିଥିରେ ବାହାଘର ହେବାପାଇଁ ଶୁଭଦିନ ସ୍ଥିର ହେଲା |ସେଦିନ ଝିଅଘର ପାଇଁ କଲ୍ୟାଣମଣ୍ଡପ ମିଳିବାରେ ଅସୁବିଧା ନଥିଲା |କିନ୍ତୁ ସେଦିନ ଭୁବନେଶ୍ୱରରେ କଲ୍ୟାଣମଣ୍ଡପ କିମ୍ବା ହୋଟେଲ ମିଳିବାରେ ପୁଅଘର ପାଇଁ ଅସୁବିଧା ଥିବାରୁ,ଗାଆଁରେ ବାହାଘର କରିବା ପାଇଁ ସ୍ଥିର ହେଲା |ବଡ଼ବୋଉଙ୍କ ବର୍ଷିକିଆ ଯାଇ ନଥିବାରୁ  ମାମୁଁ ମାଇଁ କର୍ତ୍ତା କର୍ତ୍ତୀ ଭାବେ ବିବାହ କାର୍ଯ୍ୟ କରିବେ ବୋଲି ସମସ୍ତେ ଏକମତ ହେଲେ |

       ବାହାଘର ଦିନ ଯେତିକି ନିକଟତର ହେଉଥିଲା,ଆଦିକନ୍ଦଙ୍କ ପାଇଁ କାର୍ଯ୍ୟବ୍ୟସ୍ତତା ସେତିକି ସେତିକି ବଢି ଚାଲିଥିଲା | ଟ୍ରେନରେ ବରଯାତ୍ରୀଙ୍କ ପାଇଁ କରାଯାଇଥିବା ରିଜର୍ଭେସନ କ୍ୟାନସଲ କରାଯାଇଥିଲା |ଏତେ କମ ଦିନରେ,ପୁଣି ରିଜର୍ଭେସନ କରିବା ସମ୍ଭବପର ନଥିବାରୁ,ବରଯାତ୍ରୀମାନେ  ଆରାମଦାୟକ କାର ଓ ବସରେ ଯିବାପାଇଁ ସ୍ଥିର ହେଲା |କିନ୍ତୁ ଦୂର ବାଟ,ତା ସହିତ ଟ୍ରେନରେ ଥିବା ସୁବିଧା ବସ ଓ କାରରେ ମିଳିବାର ସମ୍ଭାବନା ନଥିବାରୁ ବରଯାତ୍ରୀଙ୍କ ସଂଖ୍ୟା ଅନେକ କମିଗଲା |

       ଅନିଷ କିନ୍ତୁ ବହୁତ ଖୁସି ଥିଲା |ସପ୍ତାହେ ପୂର୍ବରୁ ସେ  ଆସି ପହଞ୍ଚିଗଲା |ସାଙ୍ଗରେ ଦିବ୍ୟାଶା ପାଇଁ,ମଙ୍ଗଳସୂତ୍ର ଓ ସୁନାଶଙ୍ଖା ସହିତ ରିସେପ୍ସନ ପାର୍ଟିରେ ପିନ୍ଧିବା ପାଇଁ ଲେହେଙ୍ଗା ଚୋଲୀ ଆଣିଥିଲା |ତାକୁ ଦେଖି ଅନସୂୟା କହିଲେ,ଲେହେଙ୍ଗା ଚୋଲୀ ଚଳିବ |କିନ୍ତୁ ଆମେ ତାକୁ ସୁନାର ସେଟ ଦେବା କଥା,ତୁ ଏତିକି କଣ ଆଣିଲୁ ?ଅନିଷ କହିଲା,ମୁଁ ତାକୁ ବହୁତ କହିଲି,ହେଲେ ସେ ଏତିକି ପାଇଁ ରାଜି ହେଲା |ମୁଁ କଣ କରିବି ?ସେ କୋଉ ସୁନା ପିନ୍ଧିବ ଯେ ଏତେ କଥା,ଖାଲି କିଣି କରି ଲକରରେ ରଖିବା କଥା |ଅନସୂୟା 'ହଉ ତୋ ଇଛା' କହି ସେସବୁ ଆଦିକନ୍ଦଙ୍କୁ ଦେଖାଇ ଆଲମିରାରେ ରଖିଦେଲେ |

        ଲଞ୍ଚ ଖାଇ ସାରିବା ପରେ ଆଦିକନ୍ଦ ଟିଭି ଦେଖୁଥିବାବେଳେ ଅନିଷ ତାଙ୍କ ପାଖରେ ବସି କହିଲା,ବାବା,ଆମ ସାଙ୍ଗରେ ମମି ଯିବେ ନାଁ ?ଆଦିକନ୍ଦ କହିଲେ,ନାଁ ସେ କାହିଁକି ଯିବ ?ମାଆ ମାନେ ଯାଆନ୍ତି ନାହିଁ ବୋଲି ମୁଁ ଜାଣିଛି |ଅନିଷ ପଚାରିଲା,ତାହେଲେ ମାମୁଁ ମାଇଁ ଯିବେ ?ଆଦିକନ୍ଦ କହିଲେ,ହଁ,ସେମାନେ ଯିବେ |ଆଉ କେତେଜଣ ଝିଅପିଲା ଓ ସ୍ତ୍ରୀ ଲୋକ ବରଯାତ୍ରୀରେ ଯିବେ ବୋଲି ବାହାରିଛନ୍ତି |

  ଅନିଷ କହିଲା,ତାହେଲେ ମୋ ମମି କାହିଁକି ଯିବେନି ?ସେ କଣ ଭୁଲ କଲେ ?ପୁଅ  ବାହାଘର ଦେଖିବା ପାଇଁ ମାଆର କଣ କିଛି ଅଧିକାର ନାହିଁ ?

       ଆଦିକନ୍ଦ ହସି ହସି କହିଲେ,ଆରେ ତୁ ଏତେ ଛୋଟ କଥାକୁ ଏତେ ବଡ଼ କରି ସାରିଲୁଣି ?ଅନିଷ କହିଲା,ନାଁ ବାବା,ଏଇଟା କାହା ପାଇଁ ଛୋଟ ହୋଇପାରେ  ମୋପାଇଁ କିନ୍ତୁ ବହୁତ ବଡ଼ |ମୋ ମମି ମୋ ସାଙ୍ଗରେ ଯେମିତି ହେଲେ ବି ଯିବେ |ସେ କେମିତି ଯିବେ,ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ତ୍ୱ ତମର  |

       ଆଦିକନ୍ଦ କହିଲେ,ତୁ ତ ମତେ ବଡ଼ ବିଷମ ସମସ୍ୟାରେ ପକେଇଲୁ ! ହଉ ମୁଁ ଦେଖେ,କଣ କରାଯାଇପାରେ |(କ୍ରମଶଃ)

        

        

No comments:

Post a Comment