Thursday, April 8, 2021

ଅନନ୍ୟା (46)

    ଆଦିକନ୍ଦ ଅଫିସରୁ ଫେରିବାପରେ ଅନସୂୟା ତାଙ୍କୁ ଭାରତୀଙ୍କ ଘର ବାହାଘର ବିଷୟରେ ଆଲୋଚନା କରିବାକୁ ଆସିବେ ବୋଲି କହି ଆଦିକନ୍ଦଙ୍କୁ  ଚମକେଇ  ଦେଲେ |ଆଦିକନ୍ଦ କହିଲେ,ବଢିଆ ହେଲା | ଏଥର ତମେ ଭାରି ଖୁସି ନାଁ ?ଅନସୂୟା କହିଲେ,ଆଉ କହିବାକୁ ଅଛି ?କିନ୍ତୁ ତଥାପି ବହୁତ କାମ ବାକି ରହଛି | ଆଦିକନ୍ଦ କହିଲେ,ରାଣୀମା,ମୁଁ ସେଇଥିପାଇଁ କହୁଛି,,ଦେଖି ଚାହିଁ କାମ କରିବ,ନହେଲେ ଭଲ କାମ ବିଗିଡ଼ି ଯିବ !ଅନସୂୟା ନାଟକୀୟ ଭଙ୍ଗୀରେ କହିଲେ,ତଵ ଆଦେଶ ଶିରୋଧାର୍ଯ୍ୟ !! ?ଆଦିକନ୍ଦ ହସିଦେଇ କହିଲେ ଆଛା ,ସେମାନେ ତାହେଲେ  କେବେ ଆସିବେ ?ଅନସୂୟା କହିଲେ,ପରେ ସେକଥା ଜଣେଇବେ ବୋଲି କହିଛନ୍ତି |

    ଆଦିକନ୍ଦ କହିଲେ,ଇଏ ବି ଆଉ ଗୋଟିଏ ସସ୍ପେନ୍ସ !ହଉ,ତମେ ତ ମୂଳରୁ ତାଙ୍କୁ ଅପରହ୍ୟାଣ୍ଡ ଦେଇଛ,ଏବେ ଯିବ କୁଆଡ଼େ ?ସେମାନେ ଯେମିତି କହିବେ,ତମେ ସେମିତି ନାଚିବାକୁ ବାଧ୍ୟ |ଆଗକୁ ଦେଖିବା,କଣ ହେଉଛି ?

          ଦୁଇଦିନ ପରେ ରବିବାର ଥିଲା |ସକାଳୁ ସକାଳୁ ଭାରତୀଙ୍କ ଫୋନ ଆସିଲା |ଅନସୂୟା ଫୋନ ଉଠାଇବା କ୍ଷଣି ଭାରତୀ କହିଲେ,ଅପା ନମସ୍କାର |ଭାଇନା ଅଛନ୍ତି ?ଅନସୂୟା କହିଲେ,ହଁ ଅଛନ୍ତି |ଭାରତୀ କହିଲେ,ତାଙ୍କୁ ଟିକେ ଦିଅନ୍ତୁ,ମୋ ଭାଇ କଥା ହେବେ |ଭାରତୀଙ୍କ ଭାଇ ଫୋନ କରିଛନ୍ତି କହି ଅନସୂୟା ଆଦିକନ୍ଦଙ୍କୁ ଫୋନ ଦେଲେ |ଭାରତୀଙ୍କ ଭାଇ ଭବାନୀ ଆଦିକନ୍ଦଙ୍କ  ଘରର ଠିକଣା ପଚାରିବା ସଙ୍ଗେ ସଙ୍ଗେ ସେମାନେ ସମୁଦାୟ ପାଞ୍ଚଜଣ ଆସନ୍ତା ରବିବାର ଦିନ ସକାଳେ ଆସିବାକୁ କହିଲେ |ଆଦିକନ୍ଦ କହିଲେ,ମାଡାମ ଆସିବେ ତ ?ଭବାନୀ କହିଲେ,ମାଡାମ ମାନେ ଭାରତୀ ତ ?ଆଦିକନ୍ଦ ହଁ କହିବାରୁ ସେ କହିଲେ,ନାଁ, ସେ ଶୁଭ କାମରେ କେମିତି ଯିବ ?

       ଆଦିକନ୍ଦ କହିଲେ,ସେମିତି କେମିତି ହେବ ?ତାଙ୍କ ଝିଅ ବିଷୟରେ ଆଲୋଚନା ହେବ,ଅଥଚ ସେ ରହିବେ ନାହିଁ ?ମାଆ କଣ କେବେ ଅଶୁଭ ହୋଇପାରେ ?ଶିକ୍ଷିତ ହୋଇ,ଏମିତି ଖରାପ ଚିନ୍ତାଧାରା ଆପଣଙ୍କ ମନକୁ କେମିତି ଆସୁଛି, ମୁଁ ଜାଣିପାରୁନି |ଆମର ଏକାନ୍ତ ଅନୁରୋଧ,ଯାହା ବି ହେଉ,ଆପଣ ମାଡାମଙ୍କୁ ଯେମିତି ହେଲେ ସାଙ୍ଗରେ ନେଇ ଆସିବେ |ଭବାନୀ କୁଣ୍ଠିତ ହୋଇ କହିଲେ,ସେ ଯଦି ରାଜି ହେବ,ତାକୁ ଆଣିବାରେ ମୋର କିଛି ଆପତ୍ତି ନାହିଁ |

         ରବିବାର ଦିନ ସେମାନଙ୍କ ପାଇଁ ସୁସ୍ୱାଦୁ ଜଳଖିଆ ଓ ଲଞ୍ଚର ଆୟୋଜନ କରା ଯାଇଥିଲା |ପାଞ୍ଚଜଣ ଆସିବେ ବୋଲି କହିଥିଲେ|କିନ୍ତୁ ସେମାନେ ସମୁଦାୟ ଆଠଜଣ ଆସିଥିଲେ |ତାଙ୍କ ସହିତ ଭାରତୀ ଆସିଥିବାର ଦେଖି ଆଦିକନ୍ଦ ଓ ଅନସୂୟା ଖୁସି ହୋଇଗଲେ |

            ଜଳଖିଆ ,ଚା' ଖାଇବା ପରେ,ଆଲୋଚନା ଆରମ୍ଭ ହେଲା |ଭାରତୀ କହିଲେ,ଆପଣ ପ୍ରଥମେ ଆପଣଙ୍କ ଡିମାଣ୍ଡ କଥା କହି ଦିଅନ୍ତୁ;ଆମକୁ ସୁହାଇଲେ ଆମେ ଆଲୋଚନା ଆଗକୁ ଜାରି ରଖିବୁ  |ଆଦିକନ୍ଦ କହିଲେ,ଆପଣ କଣ ଦେବେ ବୋଲି ସ୍ଥିର କରିଛନ୍ତି,ପ୍ରଥମେ କୁହନ୍ତୁ,ତାପରେ ଆମେ ଆମ କଥା କହିବୁ | ଭବାନୀ କହିଲେ,ଆମେ କ୍ୟାସ ପାଞ୍ଚଲକ୍ଷ ଦେବୁ |ତା ସହିତ ଝିଅର ଯାହା ଦରକାର,ଆମ ଖୁସିରେ ଆମେ ଦେବୁ |ଆଦିକନ୍ଦ ପଚାରିଲେ,କ୍ୟାସ ପାଞ୍ଚଲକ୍ଷ କାହିଁକି ଦେବେ ?ଭବାନୀ କହିଲେ,କାର ପାଇଁ ଦେବୁ ବୋଲି ଧରି ନିଅନ୍ତୁ |ଆଦିକନ୍ଦ କହିଲେ,ତାହେଲେ ଆପଣ ଆମକୁ ପାଞ୍ଚଲକ୍ଷ ଟଙ୍କା ଯୌତୁକ ଦେବେ |ଟଙ୍କା କେମିତି ଦେବେ ବୋଲି ଭାବିଛନ୍ତି ?

         ଭବାନୀ କହିଲେ,ସେଇଟା ଆମେ ଝିଅ ଆକାଉଣ୍ଟରେ ରଖିଦେବୁ |ଆଦିକନ୍ଦ କହିଲେ,ଝିଅ ଯେତେବେଳେ ବୋହୂ ହୋଇ ଆମ ଘରକୁ ଆସିବ,ଆଉ ମୁଁ ଯେତେବେଳେ ଜାଣିବି ଯେ ଆପଣ ତାର ଆକାଉଣ୍ଟରେ ପାଞ୍ଚଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି,ମୁଁ ସେହିଦିନ ସେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବି |ତାଙ୍କ କଥା ଶୁଣି ଭାରତୀଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |ଭାରତୀ ପଚାରିଲେ,ଆପଣ କାହିଁକି ଏମିତି କରିବେ ?

         ଆଦିକନ୍ଦ କହିଲେ,କାହିଁକିନା ଆମର କିଛି ଡିମାଣ୍ଡ ନାହିଁ |ଆପଣ ଆମ ଇଛା ବିରୁଦ୍ଧରେ ଯାଚିକରି ଯାହା ଦେବେ, ଆମେ ତାହା ନେବୁ ନାହିଁ |ଟିଭି ଆଦି ଅସବାବପତ୍ର ବି ଆମର ଦରକାର ନାହିଁ |କାରଣ ଆମର ଛୋଟ ସରକାରୀ ଭଡାଘର,ଆଉ ଅଧିକ ଜିନିଷ ରଖି ଗୋଡ଼ ହାତ ଭାଙ୍ଗିବାକୁ ଆମେ ଚାହୁଁନା |

        ଭାରତୀ କହିଲେ,ମୁଁ ତ ପଚାରିବାକୁ ଭୁଲି ଯାଇଛି,ଭୁବନେଶ୍ୱରରେ ଆପଣଙ୍କର ନିଜର ଘର କରିଛନ୍ତି ?ଆଦିକନ୍ଦ କହିଲେ,ରିଟାୟାର୍ଡ ପରେ ଆମେ ଗାଆଁରେ ରହିବୁ ବୋଇ ସ୍ଥିର କରିଛୁ |ତେଣୁ ଭୁବନେଶ୍ୱରରେ ଘର ତିଆରି କରିବା କଥା ଚିନ୍ତା କରି ନାହୁଁ  |ଭବାନୀ ପଚାରିଲେ,ଏମିତି କାହିଁକି ନିଷ୍ପତ୍ତି ନେଲେ ?

      ଆଦିକନ୍ଦ କହିଲେ, ଯେତେଦିନ ଭୁବନେଶ୍ୱରରେ ରହିଲିଣି,ମୁଁ ଅନୁଭବ କରିଛି ,ଏଠାରେ ପଡୋଶୀ ଘରେ କଣ ତରକାରୀ ହେଉଛି,ତାର ବାସନା ଆମ ନାକରେ ବାଜେ,ତାଙ୍କ କଳି କଜିଆ ଆମ କାନକୁ ଶୁଭାଯାଏ ତାଙ୍କ ଘରକୁ କିଏ ଆସିଲା,ଗଲା,ସେକଥା ବି ଆମକୁ ଜଣା ପଡ଼ିଯାଏ,କିନ୍ତୁ ତାଙ୍କ ଘରେ କିଏ ଅସୁସ୍ଥ ହେଲା କି ମରିଗଲା,ସେକଥା ଆମେ ଜାଣି ପାରୁନା |ଅନ୍ୟ ଅର୍ଥରେ କହିଲେ,ଆମେ ଜାଣିକରି ନ ଜାଣିବାର ଅଭିନୟ କରୁ |ଏମିତି କୃତ୍ରିମ ଜୀବନଶୈଳୀ ପ୍ରତି ଆମର ଘୃଣା ଆସି ଯାଇଛି |ତେଣୁ ଶେଷ ଜୀବନରେ ଗାଆଁରେ ନିଜ ଲୋକଙ୍କ ମେଳରେ ରହି ସୁଖ ଦୁଃଖ ବାଣ୍ଟିବା ଆମପାଇଁ ଅଧିକ ଶ୍ରେୟସ୍କର |

       ଭବାନୀ ଙ୍କ ସ୍ତ୍ରୀ ଗୀତା କହିଲେ,ଆପଣଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ ଧରଣର ; ଏମିତି କଥା ମୁଁ ଜୀବନରେ ପ୍ରଥମ ଥର ପାଇଁ ଶୁଣିଲି  |ଯାହାହେଉ ଏଠିକି ଆସିବା ଆମର ସାର୍ଥକ ହୋଇଗଲା |ଏଥରକ ନିର୍ବନ୍ଧ ଓ ବାହାଘର ବିଷୟରେ ଆଲୋଚନା କରିବା |ଆଦିକନ୍ଦ କହିଲେ,ଆପଣ ଆଗେ ଆପଣଙ୍କ ପ୍ଲାନ ବିଷୟରେ କୁହନ୍ତୁ |

         ଭାରତୀ କହିଲେ,ଆପଣ ପୁଅଘର ବୋଲି ଆମକୁ ଭୁବନେଶ୍ୱର ଆସି ବାହାଘର କରିବାକୁ ଦୟାକରି ବାଧ୍ୟ କରିବେ ନାହିଁ |ନିର୍ବନ୍ଧ ଭୁବନେଶ୍ୱରରେ ହେଉ କିନ୍ତୁ  ବାହାଘର ଆମ ଜାଗାରେ କରିବାକୁ ଆମେ  ଅନୁରୋଧ କରୁଛୁ  |

          ଆଦିକନ୍ଦ କହିଲେ,ଆମର ଆପତ୍ତି ନାହିଁ,ଆମେ ଏଥିରେ ଶତ ପ୍ରତିଶତ ରାଜି ,ଆଉ କଣ ବାକି ରହିଲା,କୁହନ୍ତୁ |ଭବାନୀ କହିଲେ,ଏତେ ସୁନ୍ଦର କଥା କହି ଆପଣ ଆମ ମନ ମୋହିନେଲେ |ଏଥର ଖାଇବା  |ତାପରେ  ନିର୍ବନ୍ଧ,ବାହାଘର ତାରିଖ ଠିକ କରି ଘରକୁ ଖୁସି ମନରେ ଫେରିଯିବା |(କ୍ରମଶଃ)

No comments:

Post a Comment