Saturday, April 24, 2021

ଅନନ୍ୟା (ଭାଗ 56)

                 ସେମାନେ ହସ୍ପିଟାଲରେ ପହଞ୍ଚି ଦେଖିଲେ,ଆଇ.ସି.ୟୁ ବାହାରେ ଚିନ୍ତାଗ୍ରସ୍ତ ହୋଇ ଦାଦା ଓ ଗାଆଁର ଆଉ ଦୁଇଜଣ ସମ୍ପର୍କୀୟ ନୀରବରେ ଛିଡା ହୋଇଛନ୍ତି |ତାଙ୍କର ଚିନ୍ତାଗ୍ରସ୍ତ ମୁହଁକୁ ଦେଖି ଅଜଣା ଆଶଙ୍କାରେ ଅନିଷର  ଛାତି ଥରି ଉଠିଲା |ଅଚାନକ ଏହି ତିନିଜଣଙ୍କୁ ଦେଖି ସେମାନେ ହତବାକ ହୋଇଗଲେ |ଦାଦା ବିରକ୍ତ ହୋଇ ମାମୁଁଙ୍କୁ କହିଲେ,ଏମାନଙ୍କୁ କଣ ପାଇଁ ଏଠିକି ନେଇ ଆସିଲେ ?ଏତେ ବୟସ୍କ ଲୋକ ହୋଇ ଆପଣଙ୍କ ମୁଣ୍ଡରେ ବୁଦ୍ଧି ଶୁଦ୍ଧି କିଛି ନାହିଁ ଦେଖୁଛି |ଶୀଘ୍ର ସେମାନଙ୍କୁ ଘରକୁ ନେଇ ଯାଆନ୍ତୁ |ତାଙ୍କ କଥା ଶୁଣି ଦିବ୍ୟାଶା ଅନୁମାନ କଲା,ହୁଏତ ସେମାନେ ତାକୁ ଜବରଦସ୍ତି ବିଦା କରିଦେଇ ପାରନ୍ତି |ତେଣୁ ସେ ଜୋରରେ ଅନିଷ ର ହାତ ମୁଠାକୁ ଜାବୁଡି ଧରିଲା, ଯେମିତିକି କେହି ତାକୁ ଅନିଷ ଠାରୁ ଅଲଗା କରି ପାରିବେନି !ମାମୁଁ  ଶାନ୍ତ ସ୍ୱରରେ ଦାଦାଙ୍କୁ  ସବୁ ଘଟଣା ବୁଝାଉଥିବା ବେଳେ 'ପେସେଣ୍ଟଙ୍କ ହୋସ ଫେରିଛି' ବୋଲି ନର୍ସ ଆସି ଖବର ଦେଲେ  |ଏକଥା ମଧ୍ୟ କହିଲେ ଯେ ତାଙ୍କୁ ଦେଖିବା ପାଇଁ କେବଳ ଜଣେ ଯାଇ ପାରିବେ |

             ନର୍ସଙ୍କ କଥା ଶୁଣି ଖୁସିରେ ଦିବ୍ୟାଶାର ଆପାଦମସ୍ତକ ଅଦ୍ଭୁତ ଭାବେ ଥରି ଉଠିଲା |ତାକୁ ଲାଗିଲା,ସତେ ଯେପରି ସେ ସାଙ୍ଗେ ସାଙ୍ଗେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯିବ !ସେ ନିଜ ଦୁଇହାତରେ ଅନିଷ ହାତକୁ ଧରି ତା ଉପରେ ଆଉଜି ପଡିଲା |ଅନିଷ କହିଲା,ପ୍ଲିଜ ଦେବୁ,ନିଜକୁ ସମ୍ଭାଳ |ବାବାଙ୍କୁ ଦେଖିବାକୁ ତମର ଇଛା ହେଉଛି ?ଦିବ୍ୟାଶା ମୁଣ୍ଡ ହଲାଇ ନାହିଁ କରି ଇଶାରାରେ କହିଲା,ତମେ ଯାଅ |

       ଦାଦା କହିଲେ,ହଁ ଅନୁ,ତୁ ଯାଆ |ଦିବ୍ୟାଶାକୁ ଚେୟାରରେ ବସାଇ ଅନିଷ ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି ଭିତରକୁ ଗଲା |ତାକୁ ଦେଖି ଆଦିକନ୍ଦଙ୍କ ମୁହଁରେ ହସ ଫୁଟି ଉଠିଲା |ସେ ଧୀର ଗଳାରେ କହିଲେ,ତୁ କାହିଁକି ଆସିଲୁ ବାପା ?ବାଇଆ ଟା |ଏତେ ଲୋକ ଥିଲେ,କେହି ତତେ ରୋକି ପାରିଲେ ନାହିଁ ?ଅନିଷ ଆଖିରୁ ଧାର ଧାର ଲୁହ ଝରି ପଡିଲା |ସେ କହିଲା,କେମିତି ଲାଗୁଛି ବାବା ?ଆଦିକନ୍ଦ କହିଲେ,ଭଲ ଲାଗୁଛି,ତୁ ଡକ୍ଟରଙ୍କୁ କହ,ମୁଁ ଆଜି ଚାଲିଯିବି |ଅନିଷ କହିଲା,ନାଁ ବାବା,ସେମିତି କୁହନା |ଆମେ ଡକ୍ଟରଙ୍କ ଇନଷ୍ଟ୍ରକ୍ସନ ମାନିବା,ସେ ଯାହା କହିବେ,ତାହା କରିବା |

        ଆଦିକନ୍ଦ ପଚାରିଲେ,ତୋ ମମି ପାଖରେ ଏବେ କିଏ ଅଛି ?ଅନିଷ କହିଲା,ମମି ଏହି ଆକ୍ସିଡେଣ୍ଟ କଥା ଜାଣି ନାହାନ୍ତି ବାବା,ଏବେ ତମେ ଟିକେ ଭଲ ହେଲଣି ,ମୁଁ ଘରେ ପହଞ୍ଚି ତାଙ୍କୁ ବାଗେଇ କରି  ସବୁ କଥା କହିବି |ଅନିଷ ପୁଣି କହିଲା,ତମକୁ ଦେଖିବାକୁ ତମ ବୋହୂ ଆସିଛି,ତାକୁ ଡାକିବି ?

        ଆଦିକନ୍ଦ କହିଲେ,ତତେ ଆଉ ପାରି ହେଲାନି |ସବୁ ନୀତି ନିୟମକୁ ପାଣିରେ ପକେଇ ବୋହୂ ପିଲାଟାକୁ ଏଠିକି ନେଇ ଆସିଲୁ ? !!ଅନିଷ କହିଲା,ନୀତି ନିୟମ କଣ ମୁଁ ଜାଣିନି ବାବା,ମୁଁ ଖାଲି ଜାଣିଛି ,ମୋ ବାବା ମମି ସର୍ବୋପରି ,ତାପରେ ଆଉ ଯିଏ ...ଏତିକି କହୁ କହୁ ତାର କଣ୍ଠ ରୁଦ୍ଧ ହୋଇଗଲା,ସେ ଆଉ କିଛି କହି ପାରିଲା ନାହିଁ ;ଆଦିକନ୍ଦଙ୍କୁ ମୁହଁ ଲୁଚାଇ ସେ ଦିବ୍ୟାଶାକୁ ଡାକିବାକୁ ଚାଲିଗଲା | 

        ମୁହଁରେ ଗାମୁଛା ଗୁଡେଇ,ଯେପରି ଭାବରେ ଦିବ୍ୟାଶା ଆସିଲା,ତାକୁ ଦେଖି ଆଦିକନ୍ଦ ତଟସ୍ଥ ହୋଇଗଲେ |ସେ କହିଲେ,ମୁଁ ଏଥର ଭଲ ହୋଇଯିବି ମାଆ ,ତୋ ଭଳି ବୋହୂ ଥିଲେ,ମତେ ମଣିଷ କଣ ଯମ ବି ମତେ ମାରି ପାରିବ ନାହିଁ |ଦିବ୍ୟାଶା ତାର ଲୁହକୁ ରୋକି,ଇଶାରାରେ ତାଙ୍କୁ ବେଶି କଥା କହିବାକୁ ମନା  କଲା |

         ଆଦିକନ୍ଦ ସାଙ୍ଗେ ସାଙ୍ଗେ ଡିସଚାର୍ଜ ହୋଇ ଘରକୁ ଫେରିଯିବାକୁ ଚାହୁଁଥିଲେ |କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ସେଠାରେ ଆଉ ଦୁଇଦିନ ରହିବାକୁ ପଡ଼ିଲା |

          ବାଟ ସାରା ଦିବ୍ୟାଶା ମନେ ମନେ ଗୁଣୁ ଗୁଣୁ ହୋଇ,କେତେ କଣ କହି,ଠାକୁରଙ୍କୁ ମୁଣ୍ଡିଆ ମାରି ମାରି ଆସୁଥିଲା |ହସ୍ପିଟାଲରୁ ବାହାରି ସେମାନେ ସିଧା ହୋଟେଲକୁ ଗଲେ |ସେଠାରେ ଦିବ୍ୟାଶା  ତାର ଲୁଗା ପରିବର୍ତ୍ତନ କରି ସବୁ ଗହଣା ଗାଣ୍ଠି ପିନ୍ଧି, ସାଜି ସୁଜି ହୋଇ  ଯେତେବେଳେ ଗାଆଁରେ  ପହଁଚିଲା,ଶଙ୍ଖ ହୁଳହୁଳି ଶବ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଲା |ବର ବୋହୂଙ୍କୁ ବନ୍ଦାପନା କରି ସମସ୍ତେ ଭିତରକୁ ନେଇଗଲେ |

          ସେତେବେଳକୁ ଆଦିକନ୍ଦଙ୍କ ଦୁର୍ଘଟଣା ଓ ହସ୍ପିଟାଲକୁ ଦିବ୍ୟାଶା ଯିବା ବିଷୟ ଗାଆଁରେ ବିଜୁଳି ବେଗରେ ପ୍ରଚାରିତ ହୋଇ ସାରିଥିଲା |କୌତୁହୁଳି ହୋଇ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଭିନ୍ନ ପ୍ରକାର ନୂଆ ବୋହୂକୁ ଦେଖିବାକୁ ଛୁଟି ଆସୁଥିଲେ |

            ନାନା ପ୍ରକାର ଦୁଶ୍ଚିନ୍ତା ଭିତରେ,ଦୁଇଦିନ ହେବ ଭଲରେ ନଶୋଇଥିବାରୁ ଦିବ୍ୟାଶା ଆଖିକୁ ରାଶି ରାଶି ନିଦ ଘୋଟି ଆସୁଥିଲା |ଅନସୂୟା ତାକୁ ସରବତ ନେଇ ଦେବାବେଳେ ସେ ତାଙ୍କ କାନରେ  ଫୁସ ଫୁସ କରି କହିଲା,ଆଣ୍ଟି ,ମତେ ଭାରି ନିଦ ଲାଗୁଛି,ମୁଁ ଟିକେ ଶୋଇ ପାରିବି ??ଅନସୂୟା ତାକୁ ଗେଲ କରି ଗୋଟିଏ ଚୁମା ଦେଇ କହିଲେ,ହଁ ସିଓର |ମୁଁ ତୋ ପାଇଁ ଖାଇବା ଆଣୁଛି,ତୁ ଖାଇଦେଇ ଆରାମରେ ଶୋଇ ପଡ଼ିବୁ |କିନ୍ତୁ ଆଉ ଆଣ୍ଟି ଡାକ ଚଳିବନି |କଣ ଡାକିବୁ କହିଲୁ ?

         ଦିବ୍ୟାଶା ହସିଦେଇ କହିଲା,ମମି ଆଉ ବାବା |ଅନସୂୟା ତାକୁ କୁଣ୍ଢେଇ ପକାଇ କହିଲେ,ମୋ ଝିଅ ମୁଣ୍ଡରେ କେତେ ବୁଦ୍ଧିଲୋ !!!

           ସେତିକିବେଳେ ଅନିଷ ସେ ରୁମକୁ ଆସୁଥିଲା |ଅନସୂୟାଙ୍କ କଥା ଶୁଣି ସେ ମୁଣ୍ଡରେ ହାତ ଦେଇ କହିଲା,ସବୁ ସରିଗଲା |ତା କଥା ଶୁଣି ଅନସୂୟାଙ୍କ ହାତ ଢିଲା ହୋଇଗଲା |ସେ ଛାନିଆ ହୋଇ ଅନିଷକୁ ଚାହିଁ କହିଲେ,କଣ ହେଲା ?

            ଅନିଷ ନାଟକୀୟ ଭଙ୍ଗୀରେ କହିଲା,କାଲି ଯାଏଁ ମୁଁ ପୂରାପୂରି ତମର ଥିଲି,ଆଜି ଆନି  ଆସି ତମକୁ କି ଗଦ ଶୁଂଘେଇଲା କେଜାଣି,ସେ ତମର ହୋଇଗଲା ?ତାକୁ କହୁଛ କଣ ନାଁ,ଜଳଖିଆ ଖାଇ ଶୋଇପଡ଼ |ମୋ କଥା କିଏ ବୁଝିବ ?ଏତେବେଳେ ଯାଇଁ ଅନସୂୟା ସବୁ କଥା ବୁଝି ପାରିଲେ |ସେ କହିଲେଏଇ ଦୁଷ୍ଟ, ତୁ ପରା,ଏ ଘରର ପୁଅ,ଯାହା ଇଛା,ତାହା କରିପାରିବୁ ;ସେ ଏ ଘରର ନୂଆବୋହୂ | ଏଇଠି କାହାକୁ ସେ ଚିହ୍ନିଛି ନାଁ ଜାଣିଛି ?ତା କଥା କିଏ ବୁଝିବ ?

            ଅନିଷ ଅନସୂୟାଙ୍କ କାନ୍ଧରେ ଲାଉ ହୋଇ ହସି ହସି କହିଲା,ମଜାରେ ସେମିତି କହୁଥିଲି ବା  |ତାପରେ ସେ ଦିବ୍ୟାଶାକୁ ଚାହିଁ କହିଲା,ଦେବୁ,ଜାଣିଛ?ମୋ ମମିଙ୍କ ପାଇଁ ଆଜି ଆମର ସ୍ୱପ୍ନ ସାର୍ଥକ ହୋଇଛି ;ତମେ ମମିଙ୍କୁ ଧନ୍ୟବାଦ ଜଣେଇଛ ?ଅନସୂୟା କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ,ତୁ ଏଇଠୁ ଗଲୁ,ଆସିଲା ପାଲା ଲଗେଇବାକୁ !

             ଦିବ୍ୟାଶା ସ୍ମିତ ହସି,ଅନସୂୟାଙ୍କ ହାତ ନିଜ ହାତ ମୁଠାକୁ ନେଇ କହିଲା,'ମୋ ଆଣ୍ଟି ଅନନ୍ୟା' |

    ଅନସୂୟା କହିଲେ,ପୁଣି ଆଣ୍ଟି କହିଲୁ ?ତାଙ୍କ କଥା ସମ୍ପୂର୍ଣ୍ଣ ନ ହେଉଣୁ,ଦିବ୍ୟାଶା ନିଜ କାନ  ଧରି କହିଲା,ସରି ,ମମି.ମମି,ମମି |ଆଉ ଭୁଲ ହେବନି |ଅନସୂୟା ଦିବ୍ୟାଶାର ହାତ ଦୁଇଟିକୁ ତାର କାନରୁ କାଢି କହିଲେ,ତମେ ଗପ କରୁଥାଅ ,ମୁଁ ଜଳଖିଆ ନେଇ ଆସୁଛି | (କ୍ରମଶଃ)


No comments:

Post a Comment