Wednesday, April 7, 2021

ଅନନ୍ୟା (45)

     ଅନୁପମାଙ୍କ ପାଖରୁ ଫେରି ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା |ଅନସୂୟା ଚଟାପଟ ଗାଧୋଇପଡ଼ି ସନ୍ଧ୍ୟା ଧୂପ ଦେବାପାଇଁ ପ୍ରସ୍ତୁତ ହୋଇଗଲେ    |

      ଠାକୁର ଘରେ ଅନୁପମାଙ୍କ ଠାରୁ ଆଣିଥିବା ଅନିଷର ସଂଶୋଧିତ ଟିପଣା ଟିକୁ ଅତି ଯତ୍ନରେ ଠାକୁରଙ୍କ ଆସ୍ଥାନ ତଳେ ରଖି ସମ୍ପୂର୍ଣ୍ଣ ସମର୍ପିତ ଭାବେ ଈଶ୍ୱରଙ୍କ ପାଦତଳେ ନତମସ୍ତକ ହୋଇ ସେ କହିଲେ,କହିଲେ,ପୁଅର ଖୁସି ପାଇଁ ମୁଁ ଆଜି ଯାହା କଲି,ସେଥିପାଇଁ ମତେ କ୍ଷମା କରିଦିଅ ପ୍ରଭୁ |ଯଦି କିଛି ଭୁଲ କରିଥାଏ,ତାହେଲେ ସେଥିପାଇଁ କେବଳ ମୁଁ ଦାୟୀ ; ଯାହା ଶାସ୍ତି ଦେବାର ଅଛି, କେବଳ ମତେ ହିଁ ଶାସ୍ତି  ଦେବ ଓ ମୋର ସମସ୍ତ  ପୁଣ୍ୟକୁ ମୋ ସ୍ୱାମୀ ପିଲାଙ୍କୁ ଦେଇ,ସେମାନଙ୍କୁ ଅହର୍ନିଶି  ଘଣ୍ଟ ଘୋଡ଼ାଇ ରଖିଥିବ ;ଏତିକି ମୋର ମାଗୁଣି |ଏହାପରେ ଅନେକ ସମୟ ପର୍ଯ୍ୟନ୍ତ ଦେବାଦେବୀଙ୍କ ବନ୍ଦନା ଗାନ କରି ପୂଜାର୍ଚ୍ଚନା କଲେ | 

      ପରଦିନ ଆଦିକନ୍ଦ ଅଫିସ ଯିବାପରେ,ଠାକୁର ଘରୁ ଅନିଷ ର ଟିପଣା ଆଣି ତାକୁ ନିଜ ମଥାରେ ଲଗାଇ,ଭାରତୀଙ୍କ ପାଖକୁ ହ୍ବାଟସଅପରେ ପଠେଇ ତାଙ୍କୁ ସେକଥା ଫୋନ କରି ଜଣେଇ ଦେଲେ |

       ଏହାପରେ ସପ୍ତାହେ ବିତିଗଲା,କିନ୍ତୁ ଭାରତୀଙ୍କ ଠାରୁ କିଛି ଉତ୍ତର ଆସୁନଥିଲା |ଆଶା ଆଶଙ୍କାରେ ଅନସୂୟା କେତେ କଣ ଭାବି ଯାଉଥିଲେ |ଅନେକ ଥର ଭାରତୀଙ୍କ ପାଖକୁ ଫୋନ କରିବାକୁ ଯାଇ ତାଙ୍କ ହାତ ଅଟକି ଯାଉଥିଲା ;ଭାବୁଥିଲେ କାଳେ କଥା ବିଗିଡ଼ି ଯିବ !!!

   ପନ୍ଦର ଦିନ ପରେ ଭାରତୀ ଫୋନ କଲେ |ଖୁସି ହୋଇ କହିଲେ,ଅପା,ନମସ୍କାର |ମୁଁ ତିନିଜଣ ଜ୍ୟୋତିଷଙ୍କୁ ଜାତକ ଦେଖାଇଲି,ସମସ୍ତେ ରାଜଯୋଟକ ପଡ଼ିଛି ବୋଲି କହିଲେ |ଝିଅଘର ହୋଇ ଜାତକମେଳକ ପାଇଁ ଜିଦ୍ଦି କଲି ବୋଲି କିଛି ଭାବିବେନି |ମୋ ବାହାଘର ବେଳେ ଜାତକ ମେଳକ ହୋଇ ନଥିଲା |ସର୍ବ ମଙ୍ଗଳ ଜଗନ୍ନାଥ କହି, ଜାତକ ନ ମିଶେଇ ବାହାଘର କରିଦେଲେ  |ଶେଷରେ ଦେଖନ୍ତୁ,ମୋର କି ଅବସ୍ଥା ହେଲା !!ଅଧା ବୟସରେ ମୋ କପାଳରୁ ସିନ୍ଦୂର ଲିଭିଗଲା |ଯେତେ ପୁଅ ବୋହୂ,ଝିଅ ଜ୍ୱାଇଁ ଥିଲେ କଣ ହେବ,ଯାହାର ସ୍ୱାମୀ ନାହିଁ,ତାର ଦୁନିଆଁରେ କେହି ନାହିଁ | 

      ଅନସୂୟା କହିଲେ,ହଁ ଠିକ କହିଛନ୍ତି |କିନ୍ତୁ ଇଏ ତ ନିୟତିର ନିର୍ଦ୍ଦେଶ |ତାକୁ ଅମାନ୍ୟ କରିବାର ଶକ୍ତି କାହାର ନାହିଁ |ସ୍ୱାମୀ ଶିବାନନ୍ଦ କହିଛନ୍ତି,ଯାହା ହେବାର ଥାଏ,ପୃଥିବୀ ପ୍ରଳୟ ହେଲେ ବି ତାହା ଅବଶ୍ୟ ହୁଏ  |ଭାରତୀ କହିଲେ,ତାହେଲେ.ଏତେ ଠାକୁର ପୂଜା,ଆରାଧନା,ତପସ୍ୟା,ଏ ସବୁର କଣ କିଛି ମୂଲ୍ୟ ନାହିଁ ??ଅନସୂୟା କହିଲେ,ଈଶ୍ୱରଙ୍କ ଆଦେଶକୁ ସକାରାତ୍ମକ ଭାବେ ଗ୍ରହଣ କରି,ଆଗକୁ ବଢିବା ପାଇଁ,ମନରେ ଶକ୍ତି ଓ ସାହସ ଦେବାପାଇଁ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ |

       ଭାରତୀ କହିଲେ,ମୁଁ କିନ୍ତୁ ଆପଣଙ୍କ ସହିତ ଏକମତ ହୋଇ ପାରୁନାହିଁ ଅପା |ଭଗବାନ ଆପଣଙ୍କୁ ସବୁ କିଛି ଦେଇ ଆପଣଙ୍କ ଝୋଲି ଭରି ଦେଇଛନ୍ତି ବୋଲି ଆପଣ ଏମିତି କହି ପାରୁଛନ୍ତି | ମୋ ସ୍ଥାନରେ ଆପଣ ଥିଲେ,ଜାତକ ମେଳକ ନହେବାର ପରିଣାମ  ମର୍ମେ ମର୍ମେ ଅନୁଭବ କରିଥାନ୍ତେ | 

       ଆଉ ଆଗକୁ କଥା ବଢେଇବା ସମୀଚିନ ମନେ ନକରି,ଅନସୂୟା କହିଲେ,ଆପଣ ଠିକ କହୁଛନ୍ତି ,ନଜାଣି କଣ କହିଦେଲି ବୋଲି ମତେ ଭୁଲ ବୁଝିବେ ନାହିଁ |ଆଉ ସବୁ ଭଲ ଖବର କଣ କୁହନ୍ତୁ |ଭାରତୀ ଖୁସି ହୋଇ କହିଲେ,ଏଇ ମାସ ଶେଷ ଆଡକୁ ଆମେ ଆପଣଙ୍କ ଘରକୁ ବାହାଘର ବିଷୟରେ ଆଲୋଚନା କରିବାକୁ ଯିବୁ |ସମୟ ଓ ତାରିଖ ମୁଁ ଆପଣଙ୍କୁ ପରେ ଜଣେଇବି |ଆପଣ ଖୁସି  ତ ?

  ତାଙ୍କ କଥା ଶୁଣି ଆନନ୍ଦରେ ଅନସୂୟାଙ୍କ ଆଖି ଆର୍ଦ୍ର ହୋଇଗଲା | ସେ କହିଲେ,ହଁ ମୁଁ ବହୁତ ବହୁତ  ଖୁସି |ଆପଣ ଯେବେ ଆସିବେ,ତାର ଦୁଇଦିନ ଆଗରୁ ଆମକୁ ଜଣେଇବେ |'ହଁ ହଁ ,ନିଶ୍ଚିତ ଭାବରେ' କହି ଭାରତୀ ଫୋନ ରଖିଦେଲେ |(କ୍ରମଶଃ)

         

No comments:

Post a Comment