ଦୂର ବାଟରୁ ଆସୁଥିବାରୁ,ଦିବ୍ୟାଶା ସିଧା ସାଧା ଶାଢ଼ୀ ପିନ୍ଧିଥିଲା ଓ ମୁଖ୍ୟ ଗହଣା ସବୁ ସେମାନଙ୍କ ସହିତ ଆସୁଥିବା ତାର ସମ୍ପର୍କୀୟା ଭାଉଜଙ୍କ ପାଖରେ ଥିଲା |ତାଙ୍କର ପ୍ଲାନ ଥିଲା,ସେମାନେ ଘରକୁ ଯିବା ପୂର୍ବରୁ ରିଜର୍ଭ ହୋଇଥିବା ଏକ ହୋଟେଲରେ ରହି ଫ୍ରେଶ ହୋଇ ଡ୍ରେସ ଚେଞ୍ଜ କରିବା ପରେ ଯିବେ |ସେହି ଅନୁସାରେ ସେମାନଙ୍କ କାରର ଗତି ପଥ ଭିନ୍ନମୂଖୀ ଥିଲା |ଭାଉଜ ଓ ଅନ୍ୟମାନେ ହୋଟେଲରେ ପହଞ୍ଚି ତାଙ୍କୁ ଫୋନ ମଧ୍ୟ କରି ସାରିଥିଲେ |ଏତିକିବେଳେ ମର୍ମନ୍ତୁଦ ଦୁର୍ଘଟଣାର ଖବର ମିଳିଲା |
ଦିବ୍ୟାଶା କାନରେ ଆଦିକନ୍ଦଙ୍କ ଦୁର୍ଘଟଣାର ଖବର ପଡିବା ମାତ୍ରେ ସେ ଅଥୟ ଅସ୍ଥିର ହୋଇ କାରରୁ ଓଲ୍ହାଇ ଆସି ଅନିଷ କୁ ପଚାରିଲା,ଅଙ୍କଲଙ୍କର କଣ ହୋଇଛି ???ଅନିଷ କାନ୍ଦି କାନ୍ଦି କହିଲା,ବାବାଙ୍କର ଆକ୍ସିଡେଣ୍ଟ ହୋଇଛି,ସେ ଏବେ କୋମାରେ,ମୁଁ ଜାଣିନି,ମୋ ସାଙ୍ଗରେ କାହିଁକି ଏମିତି ବାରମ୍ବାର ହେଉଛି ?ମୁଁ କି ଦୋଷ କରିଥିଲି ??ସେ ଟିକିଏ ରହି ଦିବ୍ୟାଶାକୁ କହିଲା,ମୁଁ ହସ୍ପିଟାଲ ଯାଉଛି,ତମେ ମାମୁଁଙ୍କ ସାଙ୍ଗରେ ଭାଉଜଙ୍କ ପାଖକୁ ଯାଅ,ସେଇଠି ସେମାନେ ଯାହା କହିବେ,ସେଇଆ କରିବ |ଦିବ୍ୟାଶା କାନ୍ଦି କାନ୍ଦି କାର ଡୋରରେ ନିଜ ମୁଣ୍ଡ ପିଟି କହିଲା,ନାଁ ମୁଁ ଯିବିନି |ମୋ ଆଖି ସାମ୍ନାରେ ମୋ ବାପା ଚାଲିଗଲେ |ଏବେ ମୁଁ ମୋର ଅଙ୍କଲଙ୍କୁ ହରେଇବାକୁ ଚାହେଁନା |ମତେ ଶୀଘ୍ର ଅଙ୍କଲଙ୍କ ପାଖକୁ ନେଇ ଚାଲ,ସେ ଭଲ ନହେବା ଯାଏଁ ମୁଁ ଘରକୁ ଫେରିବିନି |ଯାହା କିଛି ହୋଇଯାଉ,ମୋର ଅଙ୍କଲ ଦରକାର |
ମାମୁଁ କହିଲେ,ସେମିତି କହନା ମାଆ,ତୁ ଏବେ ଆମ ଘରର ବୋହୂ ,ତୁ ଏଇ ବେଶରେ ହସ୍ପିଟାଲ ଯିବୁ କେମିତି ?ଲୋକେ କଣ କହିବେ ??ଦିବ୍ୟାଶା ଗାଡ଼ିରୁ ମାମୁଁଙ୍କ ଗାମୁଛା ଆଣି ନିଜ ମୁହଁରେ ଭଲକରି ଗୁଡେଇ ଦେଇ କହିଲା,ଏଥର ମତେ କେହି ଚିହ୍ନି ପାରିବେନି |ଶୀଘ୍ର ମତେ ହସ୍ପିଟାଲ ନେଇ ଚାଲନ୍ତୁ,ଆମର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ |
ମାମୁଁ ଅନିଷ କୁ କହିଲେ,ତାକୁ ବୁଝେଇ ଦେ ଅନୁ,ଇଏ ଭାବପ୍ରବଣତାର ସମୟ ନୁହେଁ,ମନକୁ ଟାଣ କରି ଆମକୁ ଯାହା କିଛି କରିବାକୁ ପଡିବ | ଅନିଷ କହିଲା,ସେ ବୁଝିବନି ମାମୁଁ,ଚାଲନ୍ତୁ ଯିବା,ଡେରି ହୋଇଯିବ |
ଏମିତି କହୁଥିବା ବେଳେ ଅନିଷ ର ଅନସୂୟାଙ୍କ କଥା ମନେ ପଡିଗଲା |ସେ ବ୍ୟସ୍ତ ହୋଇ ପଚାରିଲା,ମମି କାହାନ୍ତି ?ସେ କଣ କରୁଛନ୍ତି ?ମାମୁଁ କହିଲେ,କାହାକୁ କିଛି କୁହା ଯାଇନି,ପରିସ୍ଥିତିକୁ ଦେଖି ଯାହା କରିବା କଥା କରାଯିବ |ଅନିଷ କାନ୍ଦି କାନ୍ଦି କହିଲା,ହେ ଭଗବାନ,ମୁଁ କଣ କରିବି ?ମୋ ମମିଙ୍କୁ କିଏ ସମ୍ଭାଳିବ ??
ତା କାନ୍ଦ ଦେଖି,ଦିବ୍ୟାଶା ଜୋରରେ କାନ୍ଦି ଉଠିଲା |କହିଲା,ମୁଁ ବଡ଼ ପାପୀ,ଦିନେ ଆଣ୍ଟିଙ୍କ ସିନ୍ଦୂର ଉପରେ ନଜର ପକାଇଥିଲି,ଆଜି ତାର ପରିଣାମ ଭୋଗିବାକୁ ଯାଉଛି |ଦିବ୍ୟାଶା ସେମିତି କାନ୍ଦି ଚାଲିଥିଲା,ଯେତେ ଚେଷ୍ଟା କଲେ ବି ଅନିଷ ତାକୁ ସାନ୍ତ୍ୱନା ଦେଇ ପାରୁ ନଥିଲା |(କ୍ରମଶଃ)
No comments:
Post a Comment