Monday, March 29, 2021

ଅନନ୍ୟା (ଭାଗ 40)

        ପ୍ରଥମଥର ପାଇଁ ନିଜ  ପ୍ରିୟତମା ସହିତ ଏକାଠି ଫ୍ଲାଇଟରେ ଯାଉଥିବାରୁ ଅନିଷର ଖୁସିର ସୀମା ନଥିଲା  |ଦିବ୍ୟାଶାକୁ ବିଦାୟ ଦେବାପାଇଁ ତା ମଉସା ,ମାଉସୀ,ବୋଉ ଓ ଭାଇ ବିମାନବନ୍ଦରକୁ ଆସିଥିଲେ | ସେମାନେ ଆସିବାର ବହୁ ପୂର୍ବରୁ ଅନିଷ  ଏୟାରପୋର୍ଟକୁ ଆସି ତାର ଆବଶ୍ୟକୀୟ କାମ ଶେଷ କରିଦେଇଥିଲା |ଯେତେବେଳେ ଦିବ୍ୟାଶା ତାର ଘର ଲୋକଙ୍କୁ ଲୁହଭରା ଆଖିରେ ବିଦାୟ ଦେଇ ଭିତରକୁ ଆସିଲା ଓ ଯେତେବେଳେ ଅନିଷ ଜାଣିଲା,ତା ଘରଲୋକ ଯାଇ ସାରିଲେଣି,ସେତେବେଳେ ସେ  ଦିବ୍ୟାଶା ପାଖକୁ ଆସି ତାକୁ ସାହାଯ୍ୟ କଲା | ବିମାନ  ଉଡାଣ ଆରମ୍ଭ କରିବା ମାତ୍ରେ ,ଦୁହେଁ ସାରା ଦୁନିଆଁକୁ ଭୁଲି ଖୁସି ଗପରେ ମସଗୁଲ ହୋଇଗଲେ |ସେତେବେଳେ ସେମାନେ ଜାଣି ପାରିଲେ ନାହିଁ ଯେ ତାଙ୍କ କାର୍ଯ୍ୟକଳାପକୁ କେହିଜଣେ ନିରବିଛିନ୍ନ ଭାବେ ଲକ୍ଷ୍ୟ କରୁଛନ୍ତି !!ସେ ଥିଲେ,ପଡୋଶୀ ଘର ମିତା ମାଡାମଙ୍କ ସ୍ୱାମୀ ନିଖିଲ |ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ  ଚେନ୍ନାଇ ଯାଉଥିଲେ | ସେ ଏମାନଙ୍କୁ କୌତୁହୁଳି ଦୃଷ୍ଟିରେ  ଦେଖୁ ଦେଖୁ ଗୋପନରେ ମୋବାଇଲରେ ସେମାନଙ୍କର ଫଟ ଉଠେଇ ପୁଣି ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବାରେ ଲାଗିଲେ |କିନ୍ତୁ ଫ୍ଲାଇଟ ଅବତରଣ କରିବା ମାତ୍ରେ ଦୁହେଁ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ,ସେ ତାଙ୍କ ଟେର ପାଇଲେ ନାହିଁ |

         ଅନିଷ ଚେନ୍ନାଇରେ କିଛିଦିନ ରହି ଦିବ୍ୟାଶାର ଅଫିସ ପାଖାପାଖି ଏକ ପି.ଜି.ରେ ତାର ରହିବାର  ସୁବନ୍ଦୋବସ୍ତ କରି , ଯେତେଦୂର ସମ୍ଭବ ସେ ଯେପରି ସେଠାରେ ହଇରାଣ ନହେବ ତାର ବ୍ୟବସ୍ଥା କରି ସେଠାରୁ ଫେରି ଆସିଲା |ପୁନେରେ ପହଞ୍ଚିବା ପରେ ଅନସୂୟାଙ୍କୁ ଫୋନ କରି ସବୁକଥା ଜଣେଇ ଦେବା ପରେ ଅନସୂୟା ନିଶ୍ଚିନ୍ତ ହେଲେ  |

         ଦାସ ସାର ଛୁଟିରେ ରହିବା ପରେ ଆଦିକନ୍ଦଙ୍କ ଉପରୁ ସବୁ କଟକଣା ଉଠି ଯାଇଥିଲା  |ପ୍ରଥମରେ  ସେ ନିର୍ଦ୍ଦେଶକଙ୍କ ବିଶ୍ଵାସଭାଜନ ଥିଲେ ,ଦ୍ୱିତୀୟରେ ସେ ସବୁବେଳେ ଷ୍ଟାଫ ମାନଙ୍କ ହିତ ପାଇଁ କାମ କରୁଥିବାରୁ ଅଫିସରେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ |ତାଙ୍କର ଆଉ ଏକ ପ୍ରମୋଶନ ହେବାର ଥିଲା |କିନ୍ତୁ ସେଥିରେ ବହୁତ ଆଇନଗତ ପ୍ରତିବନ୍ଧକ ଥିବାରୁ ଏକ କୋର୍ଟ କେଶ କରିବା ନିହାତି ଆବଶ୍ୟକ ଥିଲା |କିନ୍ତୁ କୋର୍ଟ କଚେରୀ ଚକ୍କରରେ ପଡ଼ିବାକୁ ଆଦିକନ୍ଦଙ୍କୁ ଆଦୌ ଭଲ ଲାଗୁ ନଥିଲା |ଏତିକିବେଳେ ଅତୀତରେ ଏକ ଜଟିଳ କେଶରେ ତାଙ୍କଠାରୁ  ସାହାଯ୍ୟ ପାଇଥିବା ଜଣେ ଯୁବ କର୍ମଚାରୀ ସୁବ୍ରତ ଦେବଦୂତ ପରି ଆବିର୍ଭାବ ହେଲେ |ସେ କହିଲେ,ମୋର ଜଣେ ଭଲ ଓକିଲ ବନ୍ଧୁ ଅଛନ୍ତି |ଆପଣ ଯାହା ଲେଖାଲେଖି କରିବା କଥା ମତେ ରଫ ରେ ଦିଅନ୍ତୁ,ବାକି ସବୁ କାମ ମୋର |ସେଇଆ ହେଲା |ସପ୍ତାହକ ଭିତରେ କୋର୍ଟରେ କେଶ ଫାଇଲ ହୋଇ ଡିଗ୍ରୀ ଅର୍ଡର ଆସିଗଲା |ଏଥରକ ଆଦିକନ୍ଦଙ୍କ ପ୍ରମୋଶନର ବାଟ ଖୋଲିଗଲା |

        ନିଖିଲ ତାଙ୍କ ଅଫିସିଆଲ ଟୁର ଶେଷ କରି ଘରକୁ ଫେରି  ମିତାଙ୍କୁ ଅନିଷ ବିଷୟରେ ଜଣେଇଲେ |କହିଲେ,ତାଙ୍କୁ ଏକଥା କହିଦିଅ |ନହେଲେ,ଆମପରି ଲୋକହସା ହୋଇ କାନ୍ଦି କାନ୍ଦି ତାଙ୍କ ଜୀବନ ଯିବ |

         ପରଦିନ ମିତା ଖରାବେଳେ ଅନସୂୟାଙ୍କ ପାଖକୁ ଗଲେ |ଦୁହେଁ ଅନେକ ବିଷୟରେ ଆଲୋଚନା କଲେ |ମିତା ଦେଖିଲେ,ଅନସୂୟା ଅନିଷ ବିଷୟରେ କିଛି କହୁ ନାହାନ୍ତି |ତେଣୁ ସେ ତାଙ୍କ ତରଫରୁ କହିଲେ,ଅନିଷ ଆସିଥିଲା ପରା ?କେବେ ଗଲା ?ଅନସୂୟା କହିଲେ,ସପ୍ତାହେ ତଳୁ ଗଲାଣି |ମିତା କହିଲେ,ଏକୁଟିଆ ଗଲା ନାଁ ତା ସାଙ୍ଗରେ ଆଉ କିଏ ଗଲା ?ଅନସୂୟା ପଚାରିଲେ,ଏମିତି କାହିଁକି ପଚାରିଲେ ?ସତ କଥା କୁହନ୍ତୁ |ମିତା ମୁହଁ ଶୁଖେଇ କହିଲେ,କଣ କହିବି ଭଉଣୀ,ଶୁଣିଲେ ଆପଣଙ୍କ ମନ ଦୁଃଖ ହେବ |ଅନସୂୟା ତାଙ୍କୁ ବାଧ୍ୟ କରିବାରୁ,ମିତା ତାଙ୍କ ମୋବାଇଲକୁ ଅନିଲ ପଠେଇଥିବା ଅନିଷ ଓ ଦିବ୍ୟାଶାଙ୍କ ଫଟ ଦେଖାଇ ସବୁକଥା କହିଲେ |ତାଙ୍କ କଥା ଶୁଣି ଅନସୂୟା ହସିଲେ |ମିତା ଆଶ୍ଚର୍ଯ୍ୟ ହୋଇ କହିଲେ,ଆପଣ ହସୁଛନ୍ତି ?

          ଅନସୂୟା ସେମିତି ହସୁ ହସୁ କହିଲେ,ହସିବିନି ଆଉ କଣ କାନ୍ଦିବି ?ଖୁବ ଶୀଘ୍ର ସେ ଝିଅ ଆମ ଘରକୁ ବୋହୂ ହୋଇ ଆସିବ |ଏବେ ତାର ଚାକିରୀ  ଚେନ୍ନାଇରେ ହେଲା ତ,କାଳେ ସେଠାରେ ତାର କଣ ଅସୁବିଧା ହେବ,ସେଥିପାଇଁ ମୁଁ ତା ସାଙ୍ଗରେ ଅନିଷ କୁ ପଠେଇଲି | ଭଲରେ ଭଲରେ ତାକୁ ଛାଡି ଅନିଷ ପୁନେ ଫେରି ଆସିଲାଣି |

        ଅନସୂୟାଙ୍କ କଥା ମିତାଙ୍କୁ ଗପ ପରି ଲାଗୁଥିଲା |ସେ ସେଠାରୁ ଯାଉ ଯାଉ ଢଗ ବୋଲିଲେ ,'ତୁ ଖାଉ ତୋର ଭାତ,ମୋର କିଆଁ ଅଛି,ଗାଲରେ ହାତ ' !(କ୍ରମଶଃ)

         

         

No comments:

Post a Comment