Wednesday, March 10, 2021

ଅନନ୍ୟା (ଭାଗ 36)

        ଭଗବାନଙ୍କ ଇଏ କେମତିକା ଲୀଳା କେଜାଣି !! ଯେତେବେଳେ ଖୁସିରେ ଆତ୍ମହରା ହୋଇଯିବାର ସମୟ ଉପସ୍ଥିତ  ହୋଇଯାଏ ,ସେତେବେଳେ ଅଚାନକ ଦୁଃଖର ବାଦଲ କାହୁଁ ଆସି ତାକୁ ଘୋଡାଇ ପକାଏ |ମଣିଷର ମନ ଏମିତି ଗଢା ଯେ ସେ  ସୁଖ ଅପେକ୍ଷା ଦୁଃଖକୁ  ବେଶି ପ୍ରାଥମିକତା ଦିଏ  |ଅନ୍ୟଦିନ ହୋଇଥିଲେ, ଦିବ୍ୟାଶାର ଚାକିରୀ ପାଇବା ଖବର ପାଇ ଖୁସିରେ ଅନସୂୟାଙ୍କ ଗୋଡ଼ ତଳେ ଲାଗି ନଥାନ୍ତା | ଆଜି କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଦିବ୍ୟାଶାର  କଥା ଗୌଣ ହୋଇଯାଇଛି |ତା ପରିବର୍ତ୍ତେ, ସେ କେବଳ ଆଦିକନ୍ଦଙ୍କ କଥା ଭାବୁଛନ୍ତି |ଦାସ ସାରଙ୍କ ଘରକୁ ଯାଇ ସେ ଠିକ କଲେ କି ଭୁଲ କଲେ,ନିଜକୁ ବାରମ୍ବାର ସେହି ପ୍ରଶ୍ନ ପଚାରୁଛନ୍ତି |

          ରାତି ଆଠଟା ବାଜିଲା |ତଥାପି  ଆଦିକନ୍ଦ ଘରକୁ ଫେରି ନଥିଲେ |ଇତି ମଧ୍ୟରେ ସେ ରୋଷେଇ ଘରକୁ କେତେଥର ଯାଇ ବୁଲି ଆସିଲେଣି |ପରିବା ରଖିଛନ୍ତି,କାଟିବାକୁ ଇଛା ହେଉନି ,ଅଟା ରଖିଛନ୍ତି,ଦଳିବାକୁ ଇଛା ହେଉନାହିଁ |ସେ ପୁଣି ତାକୁ ଘୋଡାଇ ରଖିଦେଲେ ଓ ଗେଟ ପାଖକୁ ଗଲେ |ସେ ଗେଟ ଖୋଲିବାକୁ ଯାଉଥିବାବେଳେ ଆଦିକନ୍ଦ ପହଞ୍ଚିଲେ |ଅନସୂୟା ତାଙ୍କୁ ଭଲକରି ଲକ୍ଷ୍ୟ କଲେ |ମୁହଁଟି  ତାଙ୍କର ଶୁଖି ଯାଇଥିଲା ଓ ସବୁଦିନ ପରି ସେଥିରେ ସତେଜତା ନଥିଲା | ଅଜାଣତରେ ଏକ ଦୀର୍ଘଶ୍ଵାସ ତାଙ୍କ ନାକପୁଡା ଦେଇ ବାହାରିଗଲା |ସେ ଗେଟ ଖୋଲି ଛିଡା ହେଲେ  ଓ ଆଦିକନ୍ଦ ଭିତରକୁ ଯିବାପରେ ଗେଟ ବନ୍ଦ କରି,ତାଙ୍କ ପଛେ ପଛେ ଗଲେ |

          ଲୁଗା ପାଲଟି,ଧୋଇ ଧାଇ ହୋଇ ଆଦିକନ୍ଦ ସୋଫାରେ ବସି ଟିଭି ନିଉଜ ଦେଖିବାକୁ ଲାଗିଲେ |ଅନସୂୟା ତାଙ୍କୁ ଚା' ଦେଇ 'ସରି' କହି ଚାଲିଯାଉଥିବାବେଳେ ଆଦିକନ୍ଦ କହିଲେ,'ସରି' କଣ ପାଇଁ କହିଲ ?ତାଙ୍କ କଥା ଶୁଣି ଅନସୂୟା ଦୋଷୀଙ୍କ ପରି ଛିଡା ହୋଇ ରହିଲେ,କିଛି ଉତ୍ତର ଦେଲେ ନାହିଁ |ଆଦିକନ୍ଦ କହିଲେ,ଯାହା ମୁଁ କରିପାରି ନଥିଲି,ତାହା ତମେ କରି ଦେଖାଇଦେଲ |ତମ ମୁଣ୍ଡରେ ବେଳେ ବେଳେ ଏତେ ବୁଦ୍ଧି କେଉଁଠୁ ଆସେ ଭାବି ମୁଁ ଆଶ୍ଚର୍ଯ୍ୟ ହୁଏ |ଆଇ ଆମ ରିଆଲି ପ୍ରାଉଡ ଅଫ ୟୁ |ସଦାରାଗି,ଆଦିକନ୍ଦଙ୍କ ମୁହଁରୁ ଏପରି କଥା ଶୁଣିବେ ବୋଲି  ଅନସୂୟା ଆଶା କରି ନଥିଲେ |ସେ ଅବାକ ହୋଇ ଆଦିକନ୍ଦଙ୍କୁ ଚାହିଁ ରହିଲେ | ଆଦିକନ୍ଦ ସ୍ମିତ ହସି କହିଲେ,ସେମିତି ବୋକୀଙ୍କ ପରି କଣ ଚାହିଁଛ ?ଥଟ୍ଟା ନୁହେଁ, ମୁଁ ସତ କହୁଛି |ପଦ ପଦବୀ ଲାଳସାରେ ଅନ୍ଧ ହୋଇ କ୍ଷଣକ ପାଇଁ ମୁଁ ମୋ ନୀତି ଆଦର୍ଶକୁ ଭୁଲି ଯାଇଥିଲି |ଦାସ ସାରଙ୍କ ସୁନ୍ଦର ବ୍ୟବହାର ଓ ମିଠା କଥା ଅନ୍ତରାଳରେ  ଏତେ ଛଳନା ଲୁଚି ରହିଥିଲା,ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ପାରିନଥିଲି | କିନ୍ତୁ ଆଜି ମୋ ଆଖି ଖୋଲି ଯାଇଛି |ତାଙ୍କର ଯାହା ଇଛା ,ସେ ତାହା କରିବେ |ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ,'Face the terrible and face it boldly.'ମୁଁ ବି ଠିକ ସେଇଆ କରିବି |

         ଅନସୂୟା ପଚାରିଲେ,ତାହେଲେ ଏତେ ଡେରି କାହିଁକି କରୁଥିଲ  ?ଆଦିକନ୍ଦ ମୁରୁକି ହସି କହିଲେ,ମୋ ଅର୍ଡର ଆଣିବା ପାଇଁ ଅପେକ୍ଷା କରିଥିଲି,କିନ୍ତୁ ଆହୁରି ବହୁତ ଡେରି ହେବ ଜାଣି ଚାଲି ଆସିଲି |ଅନସୂୟା ତାଙ୍କ ପାଖରେ ବସି ପଡି କହିଲେ,ପୁଣି କି ଅର୍ଡର ବାହାରିବାର ଥିଲା ?

          ଆଦିକନ୍ଦ କହିଲେ,ସାର ଆଜି ରକ୍ତମୁଖା ହୋଇ ଯାଇଛନ୍ତି |ଆଜି ତାଙ୍କର 'ମରିବେ କି ମାରିବେ,ଭଳି ସ୍ଥିତି | ଡ଼ିଲିଙ୍ଗ ଆସିଷ୍ଟାଣ୍ଟ କୁ ଡାକି ମୋର ପର୍ସନାଲ ଫାଇଲ ନେଇ ମୋର ଦୀର୍ଘ ଦିନର ଚାକିରୀ କାଳ ଭିତରେ କେଉଁଠି କଣ ଅନିୟମିତତା କରିଥିଲି,ସବୁ ପଚାରି ବୁଝୁଛନ୍ତି ଓ ତାର ତର୍ଜମା କରୁଛନ୍ତି |ଖୋଜୁଛନ୍ତି,କେଉଁଠି ଟିକେ ବାଟ ପାଇଲେ,ମତେ ସମ୍ପୂର୍ଣ୍ଣ ଗିଳିଦେବେ |ଜାଣିଛ,ଆଜି ମୋ ଅବସ୍ଥା,ଠିକ ଗୋଟିଏ ଖୁନି ଆସାମୀ ପରି ଥିଲା |ମତେ ଲାଗୁଥିଲା,ମୁଁ ଯେମିତି ଫାଶୀ ଦଣ୍ଡ ପାଇବା ପାଇଁ  ଅପେକ୍ଷା କରିଛି !!ମୋ ବିରୁଦ୍ଧରେ ସେ ନିର୍ଦ୍ଦେଶକଙ୍କୁ କଣ ଲେଖିବେ,ମୁଁ ବି ସେଇ ଅପେକ୍ଷାରେ ଥିଲି |କିନ୍ତୁ ଏତେ ଡ଼େରିଯାଏଁ ଅପେକ୍ଷା କରିବା,ମୋ ପକ୍ଷେ ସମ୍ଭବପର ହେଲାନି,ତେଣୁ ଚାଲି ଆସିଲି |ଏଥର ତୁମ କଥା କୁହ |

        ଦୀର୍ଘ ନିଃଶ୍ୱାସ ଛାଡି,ଶରତ ତାଙ୍କୁ ଘର ଦେଖେଇବା କଥାକୁ ବାଦ ଦେଇ,ଅନସୂୟା ସବୁ ଘଟଣା ବର୍ଣ୍ଣନା କରିଗଲେ  |ସବୁ ଶୁଣି ଆଦିକନ୍ଦ କହିଲେ,ଯାହା ହେଲା,ଭଲ ହେଲା,ସେ ମତେ କି ପୁରଷ୍କାର ଦେଉଛନ୍ତି,ଖାଲି ଦେଖିବାକୁ ବାକି ରହିଲା |ତାଙ୍କ କଥା ଶେଷ ହୋଇଛି କି ନାହିଁ,ମୋବାଇଲ ବାଜି ଉଠିଲା |ଆଦିକନ୍ଦ ଫୋନରେ କାହା ସହିତ କିଛି ସମୟ କଥା ହୋଇ ଅତି ବ୍ୟସ୍ତ ହୋଇ ଅନସୂୟାଙ୍କୁ କହିଲେ,ମତେ ଏବେ ଯିବାକୁ ପଡିବ |ତମେ ଗୋଟେ କାମ କର |ମତେ ଗେଟ ର ଚାବି ଦିଅ |ଫେରିବାକୁ କେତେ ରାତି ହେବ,କହି ହେବନାହିଁ ;ମୁଁ ଚାବି ଖୋଲି ଆସିବି  |ତମେ ମତେ ଅପେକ୍ଷା ନକରି ଖାଇ ଦେଇଥିବ |

       ଅନସୂୟା କହିଲେ,କଣ ହୋଇଛି ନକହି  ଏତେ କଥା କହି ସାରିଲଣି ?ମୋ ରାଣ,କଣ ହୋଇଛି ,ସତ କୁହ |

       ଆଦିକନ୍ଦ କହିଲେ,ଦାସ ସାର ଅଫିସରୁ ଘରକୁ ଫେରିବା ବେଳେ,ତାଙ୍କ ଗାଡ଼ି ଆକ୍ସିଡେଣ୍ଟ ହୋଇଛି,ସେ ସିରିଏସ ହୋଇ,ହସ୍ପିଟାଲରେ ଅଛନ୍ତି  ;ମତେ ସାଙ୍ଗେ ସାଙ୍ଗେ ସେଠିକି ଯିବାକୁ ପଡିବ |(କ୍ରମଶଃ)

No comments:

Post a Comment